ନିକଟରେ ଯେତେବେଳେ ଭାରତ ସରକାର ସିନ୍ ଗୁଡସ୍ ଉପରେ ଜିଏସଟି ହାରରେ ୪୦ ପ୍ରତିଶତ ବୃଦ୍ଧି କରିଛନ୍ତି । ସାରା ବିଶ୍ୱରେ କିଛି ଦ୍ରବ୍ୟକୁ ସିନ୍ ଗୁଡସ୍ କୁହାଯାଏ। ସାଧାରଣତଃ ଏହି ଜିନିଷଗୁଡ଼ିକର ବ୍ୟବହାର ବେଆଇନ ନୁହେଁ କିନ୍ତୁ ସରକାର ଓ ସମାଜ ଏହାକୁ ନୈତିକ ଦୃଷ୍ଟିରୁ ଭୁଲ ବୋଲି ମାନିଥାନ୍ତି । ଆସନ୍ତୁ ଆଜି ଇତିହାସର ଏମିତି ଗୋଟିଏ ଅଧ୍ୟାୟ ବାବଦରେ ଜାଣିବା,ଯେତେବେଳେ ସାଧାରଣ ଲୋକ ମଦ ଉପରେ ସରକାରଙ୍କ ଟ୍ୟାକ୍ସକୁ ବିରୋଧ କରି ୪ ବର୍ଷ ଧରି ବିଦ୍ରୋହ କରିଥିଲେ ।
ଏହି ବିଦ୍ରୋହ ଆମେରିକାରେ ଘଟିଥିଲା । ଆମେରିକାରେ ମଧ୍ୟ ପ୍ରାୟ ୨୩୦ ବର୍ଷ ପୂର୍ବେ ସିନ୍ ଗୁଡସ୍ ଭାବେ ବିବେଚିତ ମଦ ଉପରେ ଟ୍ୟାକ୍ସ ଲଗାଯାଇଥିଲା । ଯାହାକୁ ବିରୋଧ କରି ବିଦ୍ରୋହ ଆରମ୍ଭ ହୋଇଥିଲା । ଯାହା ହ୍ୱିସ୍କୀ ବିଦ୍ରୋହ ନାମରେ ପରିଚିତ । ଆମେରିକୀୟ ଇତିହାସରେ ହ୍ୱିସ୍କୀ ବିଦ୍ରୋହ ଏକ ଗୁରୁତ୍ୱପୂର୍ଣ୍ଣ ଘଟଣା, ଯାହା ୧୭୯୧ ରୁ ୧୭୯୪ ପର୍ଯ୍ୟନ୍ତ ଚାଲିଥିଲା। ଏହି ବିଦ୍ରୋହ ମୁଖ୍ୟତଃ ଆମେରିକାର ପଶ୍ଚିମ ପେନସିଲଭାନିଆର ଚାଷୀ ଓ ମଦ ତିଆରି କରୁଥିବା କମ୍ପାନୀ ମାନଙ୍କ ଦ୍ୱାରା କରାଯାଇଥିଲା। ଏହା ଆମେରିକୀୟ ସଂଘୀୟ ସରକାର ଦ୍ୱାରା ଲଗାଯାଇଥିବା ଏକ୍ସାଇଜ୍ ଟ୍ୟାକ୍ସର ବିରୋଧରେ ଥିଲା, ଯେତେବେଳେ ପ୍ରଥମ ଥର ପାଇଁ ଆମେରିକୀୟ ସରକାର ସିନ୍ ଗୁଡସ୍ ଟ୍ୟାକ୍ସ ଆରମ୍ଭ କରିଥିଲେ। ମଦ ପରି କିଛି ‘ସିନ୍’ ଉତ୍ପାଦ ଉପରେ କର ଲଗାଯାଇଥିଲା।
ଏହି ଟ୍ୟାକ୍ସର ଉଦ୍ଦେଶ୍ୟ ଥିଲା ଆମେରିକୀୟ କ୍ରାନ୍ତି ସମୟରେ ହୋଇଥିବା ଜାତୀୟ ଋଣ ପରିଶୋଧ କରିବା। କିନ୍ତୁ ଏହା ଛୋଟ ଚାଷୀମାନଙ୍କୁ ଅସନ୍ତୁଷ୍ଟ କରିଥିଲା । ସେମାନଙ୍କ ହିସାବରେ ଏହା ଅନ୍ୟାୟପୂର୍ଣ୍ଣ ଥିଲା । ତେଣୁ ସେମାନେ ବିଦ୍ରୋହ କଲେ। ଏହା କରି ନୂଆ ଆମେରିକୀୟ ସରକାରର ଶକ୍ତିକୁ ଚ୍ୟାଲେଞ୍ଜ କଲେ। ତା’ପରେ ଜର୍ଜ ଓ୍ୱାଶିଂଟନଙ୍କ ନେତୃତ୍ୱରେ ଏହାକୁ ଦମନ କରାଗଲା।
ବାସ୍ତବରେ ୧୭୭୫ରେ ଆମେରିକାରେ କ୍ରାନ୍ତି ହେଲା ଯାହା ୧୭୮୩ ପର୍ଯ୍ୟନ୍ତ ଚାଲିଥିଲା। ଏହାକୁ ଗୃହଯୁଦ୍ଧ ମଧ୍ୟ କୁହାଯାଏ। ଏହା ପରେ ସଂଯୁକ୍ତ ରାଷ୍ଟ୍ର ଆମେରିକା ଏକ ନୂଆ ଦେଶ ଭାବେ ଉଭା ହେଲା, କିନ୍ତୁ ଏଥିପାଇଁ ତାକୁ ବିପୁଳ ଆର୍ଥିକ ଚ୍ୟାଲେଞ୍ଜର ସାମ୍ନା କରିବାକୁ ପଡ଼ିଲା। ବହୁତ ଋଣ ହୋଇଗଲା। କ୍ରାନ୍ତି ସମୟରେ ଜାତୀୟ ଋଣ ପ୍ରାୟ ୭୫ ନିୟୁତ ଡଲାର ହୋଇଗଲା। ଯାହାକୁ ପରିଶୋଧ କରିବା ପାଇଁ ଦୃଢ଼ ଆର୍ଥିକ ନୀତିର ଆବଶ୍ୟକତା ଥିଲା।
ଜର୍ଜ ଓ୍ୱାଶିଂଟନଙ୍କ ସରକାର ଏହି ଟ୍ୟାକ୍ସ ଆଣିଲେ ।
୧୭୮୯ରେ ଜର୍ଜ ଓ୍ୱାଶିଂଟନ ରାଷ୍ଟ୍ରପତି ହେବା ପରେ, ତାଙ୍କ ଅର୍ଥ ମନ୍ତ୍ରୀ ଆଲେକ୍ସାଣ୍ଡର ହାମିଲଟନ ଯେଉଁ ଯୋଜନା ଉପସ୍ଥାପନ କଲେ,ସେଥିରେ ଜାତୀୟ ବ୍ୟାଙ୍କର ସ୍ଥାପନା, ରାଜ୍ୟ ଋଣର ସଂଘୀୟକରଣ ଏବଂ ନୂଆ ଟ୍ୟାକ୍ସ ଅନ୍ତର୍ଭୁକ୍ତ ଥିଲା। ହାମିଲଟନଙ୍କ ମତ ଥିଲା ଯେ ଏକ ଦୃଢ଼ କେନ୍ଦ୍ରୀୟ ସରକାର ପାଇଁ ରାଜସ୍ୱର ଆବଶ୍ୟକତା ଅଛି। ଏଥିପାଇଁ ସେ ୧୭୯୧ରେ କଂଗ୍ରେସରୁ ଏକ୍ସାଇଜ୍ ଟ୍ୟାକ୍ସ ଆଇନ ପାସ୍ କରାଇଲେ।
ସିନ୍ ଟ୍ୟାକ୍ସ ଦ୍ୱାରା କ୍ଷୁଦ୍ର ଚାଷୀ ହେଲେ ପ୍ରଭାବିତ
ଏହି ଟ୍ୟାକ୍ସ ମୁଖ୍ୟତଃ ହ୍ୱିସ୍କୀ ପରି ମଦ ଉପରେ ଲଗାଯାଇଥିଲା। ସେହି ସମୟରେ ହ୍ୱିସ୍କୀ ଆମେରିକାର ଗ୍ରାମାଞ୍ଚଳରେ, ବିଶେଷକରି ପେନସିଲଭାନିଆ, ଭର୍ଜିନିଆ ଓ କେଣ୍ଟୁକୀରେ ଏକ ପ୍ରମୁଖ ଆର୍ଥିକ ଉତ୍ପାଦ ଥିଲା। ଚାଷୀମାନେ ନିଜର ରାଇ ଓ ମକା ପରି ଶସ୍ୟକୁ ହ୍ୱିସ୍କୀରେ ପରିଣତ କରି ବଜାରରେ ବିକ୍ରି କରୁଥିଲେ। ଏହା ଚାଷୀମାନଙ୍କ ଆୟର ମୁଖ୍ୟ ଉତ୍ସ ଥିଲା। ଏହା ଉପରେ ଲଗାଯାଇଥିବା ଟ୍ୟାକ୍ସ ଛୋଟ ଚାଷୀ ଓ ମଦ ନିର୍ମାତାମାନଙ୍କ ପାଇଁ ବହୁତ ଅଧିକ ଥିଲା, ଯେତେବେଳେ ବଡ଼ ଉତ୍ପାଦକମାନେ ଏହାର ବୋଝ ସହଜରେ ଉଠାଇ ପାରୁଥିଲେ। ଏହି ଟ୍ୟାକ୍ସ ‘ସିନ୍ ଗୁଡସ୍ ଟ୍ୟାକ୍ସ’ ଶ୍ରେଣୀରେ ଆସୁଥିଲା, କାରଣ ମଦକୁ ନୈତିକ ଦୃଷ୍ଟିରୁ କ୍ଷତିକାରକ ମାନାଯାଉଥିଲା, କିନ୍ତୁ ଏହାର ମୁଖ୍ୟ ଉଦ୍ଦେଶ୍ୟ ଥିଲା ରାଜସ୍ୱ ସଂଗ୍ରହ।
ଲୋକଙ୍କ ପାଖରେ ନଗଦ ଟଙ୍କାର ଅଭାବ
ବିଦ୍ରୋହ ହେବାର କାରଣ ଥିଲା ଚାଷୀ ଓ ଛୋଟ ଉତ୍ପାଦକମାନେ ମନେ କରୁଥିଲେ ଯେ ଏହି ଟ୍ୟାକ୍ସର ପ୍ରକୃତି ଅନ୍ୟାୟପୂର୍ଣ୍ଣ। ପଶ୍ଚିମ ପେନସିଲଭାନିଆର ଚାଷୀମାନେ ପୂର୍ବରୁ ସଂଘୀୟ ସରକାରଙ୍କ ପ୍ରତି ଅସନ୍ତୁଷ୍ଟ ଥିଲେ, କାରଣ ସେମାନେ ମନେ କରୁଥିଲେ ଯେ ଏହି ସରକାର ପୂର୍ବାଞ୍ଚଳର ବ୍ୟବସାୟୀମାନଙ୍କ ସ୍ୱାର୍ଥର ରକ୍ଷା କରୁଛି। ଏହା ସହିତ, ପଶ୍ଚିମାଞ୍ଚଳରେ ମୁଦ୍ରାର ଅଭାବ ଥିଲା। ଚାଷୀମାନେ ଟ୍ୟାକ୍ସ ନଗଦରେ ଦେବାରେ ଅସମର୍ଥ ଥିଲେ। ଅସନ୍ତୋଷ ବଢ଼ିବାକୁ ଲାଗିଲା। ବିରୋଧ ଆରମ୍ଭ ହେଲା। ଚାଷୀମାନେ ସଭା କରି ଏହି ଟ୍ୟାକ୍ସକୁ ଅସାମ୍ବିଧାନିକ କହିବାକୁ ଲାଗିଲେ। ବାସ୍ତବରେ ଏହି ଟ୍ୟାକ୍ସ ଆର୍ଥିକ ଅସମାନତାର ପ୍ରତୀକ ହୋଇଗଲା।
ଟ୍ୟାକ୍ସ ବିରୋଧରେ ସଶସ୍ତ୍ର ବିଦ୍ରୋହୀ ସେନା
୧୭୯୨ ପର୍ଯ୍ୟନ୍ତ ବିରୋଧ ଶାନ୍ତିପୂର୍ଣ୍ଣ ଥିଲା, କିନ୍ତୁ ୧୭୯୪ରେ ଏହା ହିଂସାତ୍ମକ ହୋଇଗଲା। ଟ୍ୟାକ୍ସ ଆଦାୟକାରୀମାନଙ୍କୁ ଧମକ ଦିଆଗଲା। ଜୁଲାଇ ୧୭୯୪ରେ ଜଣେ ଟ୍ୟାକ୍ସ ଇନ୍ସପେକ୍ଟରଙ୍କ ଘର ଉପରେ ଆକ୍ରମଣ ପରେ ବିଦ୍ରୋହ ଭୟଙ୍କର ରୂପ ନେଲା। ପ୍ରାୟ ୫୦୦ ସଶସ୍ତ୍ର ଲୋକ ନିଜର ଏକ ସେନା ଗଠନ କଲେ। ଏହି ସେନା ଟ୍ୟାକ୍ସ ଅଫିସ ଉପରେ ଆକ୍ରମଣ କରିବାକୁ ଲାଗିଲା। ସଂଘୀୟ ମାର୍ଶାଲମାନଙ୍କୁ ଧରିବାକୁ ଲାଗିଲେ। ଜର୍ଜ ଓ୍ୱାଶିଂଟନ ପରିସ୍ଥିତିକୁ ଗମ୍ଭୀରତାର ସହିତ ଗ୍ରହଣ କଲେ। ଯେତେବେଳେ ବିଦ୍ରୋହ ବଢ଼ିଲା, ସେ ୧୩,୦୦୦ ସୈନିକଙ୍କୁ ଏହାକୁ ଦମନ କରିବା ପାଇଁ ପଠାଇଲେ।
ପ୍ରାୟ ୧୫୦ ବିଦ୍ରୋହୀଙ୍କୁ ଗିରଫ କରାଗଲା। ମାତ୍ର ଦୁଇଜଣଙ୍କୁ ଦୋଷୀ ସାବ୍ୟସ୍ତ କରାଗଲା। ଯଦିଓ ରାଷ୍ଟ୍ରପତି ଓ୍ୱାଶିଂଟନ ସେମାନଙ୍କୁ କ୍ଷମା କରିଦେଲେ। ଟ୍ୟାକ୍ସ ଜାରି ରହିଲା। ସଂଗ୍ରହ ଦୃଢ଼ ହେଲା କିନ୍ତୁ ଏହି ଘଟଣା ରାଜନୈତିକ ବିଭାଜନକୁ ବଢ଼ାଇଲା। ଏକ ବଡ଼ ବର୍ଗ ଏହାକୁ ଅତ୍ୟାଚାର ମାନୁଥିଲା। ୧୮୦୨ରେ ଜେଫରସନ ପ୍ରଶାସନ ଏହି ଟ୍ୟାକ୍ସକୁ ହଟାଇଦେଲେ, କିନ୍ତୁ ଏହା ରାଜସ୍ୱ ନୀତିଗୁଡ଼ିକୁ ପ୍ରଭାବିତ କଲା।
ମଦ ଓ ବିୟର ଉପରେ ଭାରତରେ ସବୁଠାରୁ ଅଧିକ ଟ୍ୟାକ୍ସ
ଆଜିକାଲି ମଦ ଉପରେ ଏକ୍ସାଇଜ୍ ଟ୍ୟାକ୍ସ (ସିନ୍ ଟ୍ୟାକ୍ସ) ସ୍ୱାସ୍ଥ୍ୟ ଓ ରାଜସ୍ୱ ପାଇଁ ଲଗାଯାଏ। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ଡବ୍ଲୁଏଚଓ) ଅନୁଯାୟୀ, ୨୦୨୩ ପର୍ଯ୍ୟନ୍ତ ୧୪୮ଟି ଦେଶରେ ମଦ ଉପରେ ଏକ୍ସାଇଜ୍ ଟ୍ୟାକ୍ସ ଲାଗୁ ହୋଇଛି। ହ୍ୱିସ୍କୀ ଉପରେ ସବୁଠାରୁ ଅଧିକ ଟ୍ୟାକ୍ସ ଭାରତରେ ହିଁ ୫୦ ରୁ ୭୦ ପ୍ରତିଶତ ପର୍ଯ୍ୟନ୍ତ ଲଗାଯାଏ। ବିୟର ଉପରେ ଟ୍ୟାକ୍ସ ଲଗାଇବା କ୍ଷେତ୍ରରେ ଭାରତ ସବୁଠାରୁ ଉପରେ ରହିଛି, ଯେଉଁଠାରେ ରାଜ୍ୟ ସ୍ତରରେ ୪୦ ରୁ ୬୦ ପ୍ରତିଶତ ପର୍ଯ୍ୟନ୍ତ ଟ୍ୟାକ୍ସ ଲଗାଯାଏ। ଆମେରିକାରେ ଏହି ଦୁଇଟି ଉପରେ ବିଶ୍ୱରେ ସବୁଠାରୁ କମ ଟ୍ୟାକ୍ସ ଲଗାଯାଏ।
ALSO READ https://purvapaksa.com/is-india-becoming-an-ageing-society/
