ବିଗତ କିଛି ଦିନ ହେବ ଓଡ଼ିଶା ରାଜନୀତିରେ ଏକ ବିଚିତ୍ର ସ୍ଥିତି ଦେଖିବାକୁ ମିଳୁଛି। ରାଜ୍ୟର ତିନିଟି ଯାକ ଦଳ ବିଜେପି, ବିଜେଡ଼ି ଓ କଂଗ୍ରେସର ନିର୍ବାଚିତ ସଭାପତି କେହି ନାହାଁନ୍ତି। ନୂଆ ସଭାପତି କିଏ ହେବେ ସେ ନେଇ ଦୀର୍ଘ ଦିନ ଧରି ଦଳୀୟ ନେତାମାନଙ୍କ ମଧ୍ୟରେ ଦଳୀୟ କନ୍ଦଳ ଏପରି ଉଗ୍ର ରୂପ ଧାରଣ କରିଛି ଯାହା ଫଳରେ ଅନିଶ୍ଚିତତା ଲାଗି ରହିଛି।
ଭାରତୀୟ ଜାତୀୟ କଂଗ୍ରେସ
ପିସିସି ପଦ ଦୀର୍ଘ ସାତମାସ ଧରି ଖାଲି ପଡ଼ିଛି। ବିଧାନସଭାରେ ଦଳର ବିପର୍ଯ୍ୟୟ ପରେ ଶରତ ପଟ୍ଟନାୟକ ଦଳୀୟ ମୁଖ୍ୟ ପଦରୁ ଇସ୍ତଫା ଦେଇଥିଲେ। ଦିଲ୍ଲୀ ନିର୍ବାଚନ ଫଳ ଘୋଷିତ ହୋଇଯାଇଥିବାରୁ ଏବେ ଦଳର ହାଇକମାଣ୍ଡ ପିସିସି ସଭାପତି ନିଷ୍ପତ୍ତି ନେବାକୁ ବାଧ୍ୟ ହେବେ। ରିପୋର୍ଟ ଅନୁସାରେ ଦଳର ବରିଷ୍ଠ ନେତାମାନେ ସୋମବାର ଦିନ ଦିଲ୍ଲୀ ଯିବେ ଓ କେନ୍ଦ୍ର ନେତୃତ୍ୱ ସହିତ ସାକ୍ଷାତ୍ କରିବେ। ଉଲ୍ଲେଖ କରାଯାଇପାରେ ଯେ ଏକ ଦୁଇଜଣିଆ କେନ୍ଦ୍ରୀୟ ଟିମ୍ ଓଡ଼ିଶା ଗସ୍ତରେ ଆସିଥିଲେ ଓ ପିସିସି ସଭାପତି ସଂକ୍ରାନ୍ତ ରିପୋର୍ଟ ଦଳର ହାଇକମାଣ୍ଡଙ୍କୁ ଦେଇ ସାରିଛନ୍ତି। ବିଧାନସଭାର ବଜେଟ୍ ଅଧିବେଶନ ତେର ତାରିଖରୁ ଆରମ୍ଭ ହେଉଚି। ତା ପୂର୍ବରୁ ପିସିସି ସଭାପତିଙ୍କ ନାମ ଘୋଷଣା ହୋଇ ଯାଇପାରେ।
ଭାରତୀୟ ଜନତା ପାର୍ଟି
କଂଗ୍ରେସ ଦଳରେ ମୁଖିଆ ନ ଥିବାବେଳେ ଶାସକ ବିଜେପିରେ ମଧ୍ୟ ଏକା ଅବସ୍ଥା। ମନମୋହନ ସାମଲଙ୍କ ସ୍ଥାନରେ ଆଉ କିଏ ସଭାପତି ହେବେ ନା ସେ ହିଁ ସେହି ପଦରେ ରହିବେ ସେ ନେଇ ଦଳ ଭିତରେ ଛକାପଞ୍ଝା ଲାଗୁ ରହିଛି। ମୋହନ ଚରଣ ମାଝୀଙ୍କ ସରକାର ଜୋରଦାର ତାଙ୍କ କାମ ଜାରି ରଖିଥିବା ବେଳେ ଦଳୀୟ କାର୍ଯକ୍ରମ ଏକ ପ୍ରକାର ନିଷପ୍ରଭ ହୋଇ ପଡ଼ିଛି।ଦୁଇ ସପ୍ତାହ ତଳେ ବିଜେପି ରାଜ୍ୟ ପ୍ରଭାରୀ ବିଜୟପାଲ ସିଂହ ତୋମାର ଓଡ଼ିଶା ଗସ୍ତରେ ଆସିଥିବାବେଳେ କହିଥିଲେ ଯେ ଓଡ଼ିଶା ଖୁବ୍ ଶୀଘ୍ର ଦଳର ନୂଆ ସଭାପତି ପାଇବ।ଇତି ମଧ୍ୟରେ ବିଜେପିର ଜିଲ୍ଲା ସଭାପତିଙ୍କ ନାମ ଘୋଷଣା ହୋଇ ସରିଛି।
ବିଜୁ ଜନତା ଦଳ
ବିଜେଡ଼ିର ସଭାପତି ଭାବରେ ଯଦିଓ ନବୀନ ପଟ୍ଟନାୟକ ହିଁ ପୁଣି ଥରେ ନିର୍ବାଚିତ ହେବାର ସମ୍ଭାବନା ରହିଛି ତଥାପି ଏଥିରେ ବିଳମ୍ବ ଘଟୁଛି।ଗତ ମାସ ଶେଷ ଆଡ଼କୁ ବିଜେଡ଼ି ଦଶ ଜଣ ନେତାଙ୍କୁ ନିଯୁକ୍ତ କରିଥିଲା।ବିଭିନ୍ନ ନିର୍ବାଚନ ମଣ୍ଡଳୀରେ ସଂଗଠନ କାର୍ଯ୍ୟ ତ୍ୱରାନ୍ୱିତ କରିବାକୁ ଏହି ନେତାମାନଙ୍କୁ କୁହା ଯାଇଥିଲା। ସର୍ବଶେଷ ଖବର ଅନୁସାରେ ଏପ୍ରିଲ ପ୍ରଥମ ସପ୍ତାହରେ ବିଜୁ ଜନତା ଦଳର ସଭାପତି, କାର୍ଯକାରୀ କମିଟି ସଦସ୍ୟଙ୍କ ନିର୍ବାଚନ କାର୍ଯ ଶେଷ ହେବ।
ହାରୁ ସଭାପତି
କୌତୁହଳର ବିଷୟ ଯେ, ଗତ ବିଧାନସଭା ନିର୍ବାଚନରେ ତିନିଟି ଯାକ ଦଳର ସଭାପତି ନିର୍ବାଚନ ହାରି ଯାଇଥିଲେ।
୨୦୨୪ ବିଧାନସଭା ନିର୍ବାଚନରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ , ବିଜେପି ସଭାପତି ମନମୋହନ ସାମଲ ଏବଂ କଂଗ୍ରେସ ସଭାପତି ଶରତ ପଟ୍ଟନାୟକଙ୍କୁ ପରାଜୟର ସମ୍ମୁଖୀନ ହେବାକୁ ପଡିଥିଲା। ଯଦିଓ ପଟ୍ଟନାୟକ ଗଞ୍ଜାମ ଜିଲ୍ଲାର ପାରମ୍ପରିକ ହିଞ୍ଜିଳି ବିଧାନସଭା ଆସନରୁ 4,636 ଭୋଟ ବ୍ୟବଧାନରେ ଜିତିଥିଲେ, ତେବେ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କୁ ବଲାଙ୍ଗୀରର କାଣ୍ଟାବାଞ୍ଜି ନିର୍ବାଚନମଣ୍ଡଳୀରେ ଅପମାନଜନକ ପରାଜୟର ସମ୍ମୁଖୀନ ହେବାକୁ ପଡିଥିଲା। ବିଜେଡି ସୁପ୍ରିମୋଙ୍କୁ 16,344 ଭୋଟରେ ବିଜେପିର ଲକ୍ଷ୍ମଣ ବାଗ ହରାଇଥିଲେ। ବାଗ୍ 90,876 ଭୋଟ୍ ପାଇଥିବାବେଳେ ପଟ୍ଟନାୟକ 74,532 ଭୋଟ୍ ପାଇଥିଲେ।26 ବର୍ଷର ରାଜନୈତିକ କ୍ୟାରିଅରରେ ପଟ୍ଟନାୟକ ପ୍ରଥମ ଥର ପାଇଁ ନିର୍ବାଚନରେ ପରାଜୟର ସମ୍ମୁଖୀନ ହୋଇଥିଲେ।
ଠିକ୍ ସେହିଭଳି,ବିଧାନସଭାରେ 78 ଟି ସିଟ୍ ହାସଲ କରି ବିଜେପି କ୍ଷମତାକୁ ଆସିଥିବାବେଳେ ଦଳର ରାଜ୍ୟ ୟୁନିଟ୍ ସଭାପତି ମନମୋହନ ସାମଲ ଚାନ୍ଦବାଲି ବିଧାନସଭା ନିର୍ବାଚନ ମଣ୍ଡଳୀରେ ବିଜେଡିର ବ୍ୟୋମକେଶ ରାୟଙ୍କ ଠାରୁ 1,916 ଭୋଟ୍ ବ୍ୟବଧାନରେ ପରାସ୍ତ ହୋଇଥିଲେ।ରାୟ 83,063 ଭୋଟ ପାଇଥିବାବେଳେ ସାମଲ 81,147 ଭୋଟ୍ ପାଇବାରେ ସଫଳ ହୋଇଥିଲେ |
ଅନୁରୂପ ପରିସ୍ଥିତିରେ ପ୍ରଦେଶ କଂଗ୍ରେସ କମିଟି ସଭାପତି ଶରତ ପଟ୍ଟନାୟକଙ୍କୁ ନୂଆପଡା ବିଧାନସଭା ଆସନରେ ଚତୁର୍ଥ ସ୍ଥାନରେ ରହିବାକୁ ପଡିଥିଲା। ମାତ୍ର 15,501 ଭୋଟ ପାଇ ପଟ୍ଟନାୟକ ଚରମ ଅପମାନ ସମ୍ମୁଖୀନ ହୋଇଥିଲେ।ଏହି ଆସନରେ ବିଜେଡି ପ୍ରାର୍ଥୀ ରାଜେନ୍ଦ୍ର ଢୋଲକିଆ 61,822 ଭୋଟ ପାଇଥିବାବେଳେ ସ୍ୱାଧୀନ ପ୍ରାର୍ଥୀ ଘାସିରାମ ମାଜି 50,941 ଭୋଟ ପାଇ ଦ୍ୱିତୀୟ ସ୍ଥାନରେ ରହିଥିଲେ।
Also readhttps://purvapaksa.com/1990-assembly-elections-janaki-ballabh-patnaik-and-sabha-pandal/