ଦୁନିଆ ବୁଢା ହେଉଛି । ଚୀନ୍ ଓ ଜାପାନ ଭଳି ଦେଶରେ ବରିଷ୍ଠଙ୍କ ସଂଖ୍ୟା ତୁଳନାରେ ଯୁବକଙ୍କ ସଂଖ୍ୟା ବଢୁନାହିଁ । କୁହାଯାଉଛି ଯେ, ଆଉ କିଛି ବର୍ଷ ପରେ ଭାରତ ବି ବୁଢା଼ଙ୍କ ରାଜଧାନୀ ହେବ । ଗୋଟିଏ ଦେଶର ବିକାଶ ତା’ର ଯୁବା ନାଗରିକଙ୍କ ଉପରେ ନିର୍ଭର କରିଥାଏ । ଇଏ ତ’ ଗଲା ଦେଶରେ ଯୁବବର୍ଗର ସ୍ଥିତିକୁ ନେଇ ଚିନ୍ତା । ଆଉ ଗୋଟିଏ ତଥ୍ୟ କହୁଛି ଯେ, ଦୁନିଆ ଯୁବଶକ୍ତିକୁ ନେଇ ଯେତେ ଯାହା କହିଲେ ବି କ୍ଷମତା କଥା ଆସିଲେ,ଗୋଟିଏ କଥା ସ୍ପଷ୍ଟ.. ଆଉ ତା’ ହେଉଛି ବୁଢ଼ାଙ୍କ ହାତରେ ପାୱାର ।
ଆମେରିକା,ଚୀନ୍,ଜାପାନ ହେଉ କିମ୍ବା ଭାରତ । ଏହି ସବୁ ଦେଶର ସର୍ବୋଚ୍ଚ ଶାସନ ମୁଖ୍ୟ ହେଉଛି ୭୦ ପାର ବୃଦ୍ଧ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ୭୫ ବର୍ଷରେ ପହଞ୍ଚିଛନ୍ତି। ତାଙ୍କ ସମସାମୟିକ ବିଶ୍ୱର ଅନେକ ଶକ୍ତିଶାଳୀ ଦେଶରେ ମଧ୍ୟ ୭୦ ବର୍ଷରୁ ଅଧିକ ବୟସର ବୃଦ୍ଧମାନେ ଶାସନ କରୁଛନ୍ତି। ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ୭୯ ବର୍ଷ, ଚୀନର ରାଷ୍ଟ୍ରପତି ଶି ଜିନପିଙ୍ଗ ଏବଂ ରୁଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ୭୨ ବର୍ଷ ଅତିକ୍ରମ କରି ସାରିଛନ୍ତି। ଭାରତ ସହ ଶତ୍ରୁତା ରଖୁଥିବା ତୁର୍କୀର ରାଷ୍ଟ୍ରପତି ରେଚେପ ତୈୟପ ଏର୍ଦୋଗାନ ମଧ୍ୟ ୭୧ ବର୍ଷ ଅତିକ୍ରମ କରିଛନ୍ତି। ଏହି ଦେଶଗୁଡ଼ିକର ପ୍ରଭାବ ସାରା ବିଶ୍ୱରେ ରହିଛି। ଏମିତିରେ ଆସନ୍ତୁ ବୁଝିବାକୁ ଚେଷ୍ଟା କରିବା, କାହିଁକି ବିଶ୍ୱର ଅଧିକାଂଶ ଦେଶରେ ବୟସ୍କ ନେତାମାନେ ଶାସନ କରୁଛନ୍ତି?
ଆମେରିକାରେ ଏକ ଦଶନ୍ଧି ଧରି ବୁଢ଼ାଙ୍କ ରାଜ୍
୧୯୮୪ରେ ଆମେରିକାରେ ରାଷ୍ଟ୍ରପତି ନିର୍ବାଚନ କାଳରେ ପ୍ରାର୍ଥୀ ରୋନାଲ୍ଡ ରେଗାନଙ୍କୁ ଜଣେ ସାମ୍ବାଦିକ ତାଙ୍କ ବୟସକୁ ନେଇ ପ୍ରଶ୍ନ କରିଥିଲେ । ଯାହାର ଉତ୍ତରରେ ରେଗାନ ମଜାଳିଆ ଢଙ୍ଗରେ କହିଥିଲେ- ମୁଁ ଏହି ନିର୍ବାଚନ ପ୍ରଚାରରେ ବୟସକୁ ପ୍ରସଙ୍ଗ କରିବି ନାହିଁ। ମୁଁ ରାଜନୈତିକ ଉଦ୍ଦେଶ୍ୟ ପାଇଁ ମୋ ପ୍ରତିଦ୍ୱନ୍ଦୀର ବୟସ ଏବଂ ଅଭିଜ୍ଞତାହୀନତାର ଲାଭ ଉଠାଇବି ନାହିଁ। ସେହି ସମୟରେ ତାଙ୍କ ପ୍ରତିଦ୍ୱନ୍ଦୀ ଥିଲେ ଓ୍ୱାଲଟର ମୋଣ୍ଡେଲ । ସେତେବେଳେ ୱାଲଟରଙ୍କ ବୟସ ଥିଲା ୫୬ ବର୍ଷ । ରେଗାନ ଏଭଳି କହି ୱାଲଟରଙ୍କ ଅଭିଜ୍ଞତାହୀନତା ପ୍ରତି ବ୍ୟଙ୍ଗ କରିଥିଲା। ଆଜି ୭୯ ବର୍ଷ ବୟସରେ ଡୋନାଲ୍ଡ ଟ୍ରମ୍ପ ବିଶ୍ୱର ସବୁଠାରୁ ଶକ୍ତିଶାଳୀ ଏବଂ ପୁରାତନ ଗଣତାନ୍ତ୍ରିକ ଦେଶ ଆମେରିକାର ରାଷ୍ଟ୍ରପତି ଅଛନ୍ତି। ତାଙ୍କ ପୂର୍ବରୁ ଜୋ ବାଇଡେନ ୮୧ ବର୍ଷ ବୟସରେ ଆମେରିକାର କ୍ଷମତା ସମ୍ଭାଳିଥିଲେ।
ଦଳଗୁଡ଼ିକ ବୟସ୍କ ପ୍ରାର୍ଥୀଙ୍କୁ ଅଗ୍ରାଧିକାର ଦିଅନ୍ତି
ଏକ ଗବେଷଣାରେ କୁହାଯାଇଛି ଯେ ନିର୍ବାଚନ ଜିତିବା ପାଇଁ ପ୍ରଚୁର ରାଜନୈତିକ ପୁଞ୍ଜି ଏବଂ ଅଭିଜ୍ଞତାର ଆବଶ୍ୟକତା ରହିଛି। ଏହାର ମଧ୍ୟ ପ୍ରମାଣ ରହିଛି ଯେ ଦଳଗୁଡ଼ିକ ସମସ୍ତ ପ୍ରକାରର ନିର୍ବାଚନରେ ମନୋନୟନ ପାଇଁ ବୟସ୍କ ପ୍ରାର୍ଥୀଙ୍କୁ ଅଧିକ ଅଗ୍ରାଧିକାର ଦିଅନ୍ତି। ଯୁବ ପ୍ରାର୍ଥୀଙ୍କ ପାଖରେ ନା ତ ଏହି ଅଭିଜ୍ଞତା ଥାଏ ନା ଦଳ ମଧ୍ୟରେ ଉଚ୍ଚ ପଦ ପାଇଁ ଗମ୍ଭୀର ଦାବିଦାର ହେବା ପାଇଁ ଆବଶ୍ୟକ ନେଟୱାର୍କ ଥାଏ। ଏହା ସହିତ, କିଛି ଗବେଷଣାରୁ ଏହା ମଧ୍ୟ ଜଣାପଡ଼େ ଯେ ଭୋଟରମାନେ ବୟସ୍କ ପ୍ରାର୍ଥୀଙ୍କୁ ଅଧିକ ପସନ୍ଦ କରନ୍ତି।
ନୂଆ ମନ୍ତ୍ରୀମଣ୍ଡଳରେ ମଧ୍ୟ ବୟସ୍କମାନଙ୍କୁ ଗୁରୁତ୍ୱ ଦିଆଯାଏ
ଗବେଷଣା ଅନୁଯାୟୀ, ଯେଉଁ ନେତାମାନେ ନିର୍ବାଚନ ମାଧ୍ୟମରେ କିମ୍ବା ପୂର୍ବବର୍ତୀ ନେତାଙ୍କ କାର୍ଯ୍ୟକାଳର ଅପ୍ରତ୍ୟାଶିତ ସମାପ୍ତି ପରେ ନିଯୁକ୍ତି ଦ୍ୱାରା ପଦ ହାସଲ କରନ୍ତି, ସେମାନଙ୍କୁ ତୁଳନାତ୍ମକ ଭାବେ ବରିଷ୍ଠ ହେବା ଆବଶ୍ୟକ। ନିମ୍ନ ପଦରୁ ଉଚ୍ଚ ପଦକୁ ନିର୍ବାଚନ ମାଧ୍ୟମରେ ପହଞ୍ଚିବା ପାଇଁ ଦଳଗୁଡ଼ିକ ବରିଷ୍ଠତାକୁ ଗୁରୁତ୍ୱ ଦିଅନ୍ତି। ଏହା ମନ୍ତ୍ରୀମଣ୍ଡଳର ମନୋନୟନ ଉପରେ ମଧ୍ୟ ପ୍ରଯୁଜ୍ୟ। ମନ୍ତ୍ରୀମଣ୍ଡଳରେ ପଦ ହାସଲ କରିଥିବା ବ୍ୟକ୍ତିମାନଙ୍କୁ ନୂଆ ମନ୍ତ୍ରୀମଣ୍ଡଳରେ ପୁନଃସାମିଲ କରାଯାଏ, ଏବଂ ନୂଆ ପଦ ସାଧାରଣତଃ ଅଭିଜ୍ଞ ରାଜନେତାମାନଙ୍କୁ ମିଳେ। ଏହି ପରିପ୍ରେକ୍ଷୀରେ, କେବଳ ସବୁଠାରୁ ଅଭିଜ୍ଞ ରାଜନେତାମାନେ ହିଁ ଉଚ୍ଚତମ ପଦ ପାଇଁ ଦାବିଦାର ହୁଅନ୍ତି।
ରାଜକୀୟ ଉତ୍ତରାଧିକାରରେ ବୟସ୍କଙ୍କ ନିୟମରେ ଛାଡ଼
ଗବେଷଣାରେ କୁହାଯାଇଛି ଯେ ନିର୍ବାଚନ ତୁଳନାରେ ରାଜକୀୟ ଉତ୍ତରାଧିକାର ମାଧ୍ୟମରେ କ୍ଷମତା ହାସଲ କରୁଥିବା ନେତାମାନେ ସିଂହାସନରେ ବସିବା ସମୟରେ କମ ବୟସର ହୋଇଥାନ୍ତି, କିନ୍ତୁ ପଦ ତ୍ୟାଗ କରିବା ସମୟରେ ଅଧିକ ବୟସର ହୋଇଥାନ୍ତି। ରାଜତନ୍ତ୍ରରେ ବଂଶାନୁକ୍ରମିକ କାରଣ ନୂଆ ସମ୍ରାଟଙ୍କ ବୟସ ନିର୍ଧାରଣରେ ଭୂମିକା ନିର୍ବାହ କରିପାରେ ଏବଂ ବରିଷ୍ଠତାର ନିୟମଗୁଡ଼ିକର ଉଲ୍ଲଙ୍ଘନ କରିପାରେ। ଯେହେତୁ ପରିବାରର ଜଣେ ସଦସ୍ୟ, ସାଧାରଣତଃ ପୂର୍ବବର୍ତୀ ସମ୍ରାଟଙ୍କ ମୃତ୍ୟୁ କିମ୍ବା ରୋଗ ଯୋଗୁଁ ଅକ୍ଷମତା ପରେ, ଅନ୍ୟ ପରିବାର ସଦସ୍ୟଙ୍କୁ କ୍ଷମତା ହସ୍ତାନ୍ତର କରେ, ତେଣୁ ଏହା ସମ୍ଭବ ଯେ ନୂଆ ସମ୍ରାଟ ବହୁତ ଯୁବକ ହୋଇପାରେ କିମ୍ବା ଏପରିକି ଶିଶୁ ମଧ୍ୟ ହୋଇପାରେ। ଉଦାହରଣ ସ୍ୱରୂପ, ଏସ୍ୱାତିନୀର ରାଜା ମସ୍ୱାତି ତୃତୀୟ ୧୯୮୬ରେ ୧୮ ବର୍ଷ ବୟସରେ ଔପଚାରିକ ଭାବେ ସିଂହାସନ ଗ୍ରହଣ କରିଥିଲେ। ୧୯୮୨ରେ ଯେତେବେଳେ ତାଙ୍କ ପିତା, ରାଜା ସୋଭୁଜା ଦ୍ୱିତୀୟଙ୍କର ମୃତ୍ୟୁ ହୋଇଥିଲା, ସେତେବେଳେ ସେ ମାତ୍ର ୧୪ ବର୍ଷର ଥିଲେ ଏବଂ ତାଙ୍କ ପ୍ରାପ୍ତବୟସ୍କ ହେବା ପର୍ଯ୍ୟନ୍ତ ରିଜେଣ୍ଟମାନେ ଦେଶ ଶାସନ କରିଥିଲେ।
କ୍ଷମତା ହାସଲ ପାଇଁ ଯୁବ ନେତାଙ୍କ ସାହାରା ବିପ୍ଲବ!
ଗବେଷଣା ଅନୁଯାୟୀ, ବିପ୍ଲବ ମାଧ୍ୟମରେ କ୍ଷମତା ହାସଲ କରୁଥିବା ନେତାମାନଙ୍କ ବୟସ ନିର୍ବାଚନ ମାଧ୍ୟମରେ କ୍ଷମତା ହାସଲ କରୁଥିବା ନେତାମାନଙ୍କ ତୁଳନାରେ କମ ହୋଇଥାଏ। ସାମରିକ ବିଦ୍ରୋହ କିମ୍ବା ବିପ୍ଲବ ଏକ ବିରାଟ ପରିବର୍ତ୍ତନର ସମୟ ହୋଇଥାଏ। ପ୍ରାୟତଃ ସମ୍ପୂର୍ଣ୍ଣ ଅଭିଜାତ ଶ୍ରେଣୀର ସ୍ଥାନ ଏକ ନୂଆ ଅଭିଜାତ ଶ୍ରେଣୀ ଗ୍ରହଣ କରେ। ସାଧାରଣତଃ ଏହି ନୂଆ ଅଭିଜାତ ଶ୍ରେଣୀର ପୁରୁଣା ଅଭିଜାତ ଶ୍ରେଣୀ ସହ କୌଣସି ସମ୍ପର୍କ ନଥାଏ ଏବଂ ଏହା ଯୁବକ ହେବାର ସମ୍ଭାବନା ଅଧିକ ହୋଇଥାଏ। ଯଦିଓ ବିଦ୍ରୋହ କିମ୍ବା ବିପ୍ଲବ ଅସାଧାରଣ ପରିସ୍ଥିତିରେ ହିଁ ହୋଇଥାଏ। କିନ୍ତୁ, ୧୯୪୫ ପରେ ଅନେକ ଦେଶରେ ବିପ୍ଲବ ହୋଇଛି । ଉଦାହରଣ ସ୍ୱରୂପ, ମିଶର, ଇରାକ, ତୁର୍କୀ ଏବଂ ୟେମେନ । ଏହି ସମୟରେ ସେହି ଦେଶ ଗୁଡ଼ିକର ଶାସନ ଲଗାମ ଯୁବକଙ୍କ ହାତକୁ ଯାଇଥିଲା ।
