ସେମାନଙ୍କ ସାହସ ଦେଶପ୍ରେମର ଅନନ୍ୟ ଉଦାହରଣ
ଭେଟେରାନ ସୈନିକମାନଙ୍କର ଦେଶ ପ୍ରତି ଅସାଧାରଣ ସେବା, ତ୍ୟାଗ, ସମର୍ପଣ ଓ ଅଦମ୍ୟ ଉତ୍ସାହ ପାଇଁ ଦେଶବାସୀଙ୍କ ହୃଦୟରେ ସେମାନଙ୍କର ସ୍ୱତନ୍ତ୍ର ସ୍ଥାନ ରହିଛି ବୋଲି ରାଜ୍ୟପାଳ ଡ଼ ହରିବାବୁ କମ୍ଭମ୍ପାଟି କହିଛନ୍ତି । ମଙ୍ଗଳବାର ଦିନ ଭୁବନେଶ୍ୱରସ୍ଥିତ ୧୨୦ ଇନଫାଂଟ୍ରି ବାଟାଲିଅନ ପରିସରରେ ଅନୁଷ୍ଠିତ ନବମ ସଶସ୍ତ୍ର ସେନା ଭେଟେରାନ ଦିବସ ପାଳନ ଅବସରରେ ମୁଖ୍ୟ ଅତିଥିଭାବେ ଉଦ୍ବୋଧନ ଦେଇ ରାଜ୍ୟପାଳ ଏହି ମତବ୍ୟକ୍ତ କରିଛନ୍ତି । ଦେଶର ଅଖଣ୍ଡତା, ସାର୍ବଭୌମତ୍ୱ ଓ ସମ୍ମାନ ରକ୍ଷା କରିବାରେ ମହତ୍ୱପୂର୍ଣ୍ଣ ଭୂମିକା ପାଇଁ ଭେଟେରାନ ସୈନିକମାନଙ୍କଠାରେ ଦେଶବାସୀ ଚରିକୃତଜ୍ଞ ରହିବେ ବୋଲି କହିଛନ୍ତି ।
ଭାରତର ପ୍ରଥମ କମାଣ୍ଡର-ଇନ୍-ଚିଫ୍ ଫିଲ୍ଡ ମାର୍ଶଲ କେ.ଏମ୍. କାରିଆପାଙ୍କ ଦେଶ ପାଇଁ ଉଲ୍ଲେଖନୀୟ ସେବାକୁ ସମ୍ମାନ ଜଣାଇ ସଶସ୍ତ୍ର ସେନା ଭେଟେରାନ ଦିବସ ପାଳନ କରାଯାଇଛି ବୋଲି ଅବତାରଣା କରି ତାଙ୍କର ନେତୃତ୍ୱ ଓ ଦୃଷ୍ଟିଭଙ୍ଗୀ ସବୁବେଳେ ସେନା ତଥା ପ୍ରତିଟି ନାଗରିକଙ୍କୁ ଉଦ୍ବୁଦ୍ଧ କରୁଥିବ ବୋଲି ରାଜ୍ୟପାଳ କହିଥିଲେ । ଭେଟେରାନ ସୈନିକମାନେ ସାହସ, ପ୍ରତିବଦ୍ଧତା ଓ ଦେଶପ୍ରେମର ଅନନ୍ୟ ଉଦାହରଣ । ଦେଶର ସୀମା ସୁରକ୍ଷା ଓ ଏହାର ସମ୍ମାନ ରକ୍ଷାରେ ଜୀବନର ଅମୂଲ୍ୟ ସମୟ ଦେଇଥିବା ସୈନିକମାନେ ଅବସର ପରେମଧ୍ୟ ସମାଜ ଓ ଦେଶ ବିକାଶରେ ମହନୀୟ ଅବଦାନ ରଖୁଛନ୍ତି । ସେମାନଙ୍କର ଅବଦାନକୁ ସ୍ୱୀକାର କରି ସେମାନଙ୍କର କଲ୍ୟାଣ ପାଇଁ ସମସ୍ତେ ଚିନ୍ତା କରିବା ଦରକାର ।
ଅବସରପ୍ରାପ୍ତ ସୈନିକମାନଙ୍କର ପେନ୍ସନ, ସ୍ୱାସ୍ଥ୍ୟସେବା, ପୁନଃଥଇଥାନ ଇତ୍ୟାଦି କ୍ଷେତ୍ରରେ ସରକାର ପଦକ୍ଷେପ ନେଇଛନ୍ତି ବୋଲି ରାଜ୍ୟପାଳ ଡ଼ କମ୍ଭମ୍ପାଟି କହିଥିଲେ । ପ୍ରାରମ୍ଭରେ ଓଏସ୍ଇଏଲର ସଭାପତି ଅବସରପ୍ରାପ୍ତ ବ୍ରିଗେଡିୟର ଅନ୍ତର୍ଯ୍ୟାମୀ ପ୍ରଧାନ ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ଅବସରପ୍ରାପ୍ତ ଲେଫ୍ଟନାଂଟ୍ ଜେନେରାଲ ଜେ.କେ. ମହାନ୍ତି, ଅବସରପ୍ରାପ୍ତ ଭାଇସ୍ ଆଡ଼ମିରାଲ ରମାକାନ୍ତ ପଟ୍ଟନାୟକ, ଅବସରପ୍ରାପ୍ତ ଏୟାର ମାର୍ଶଲ ଜେ.ଏନ.ବର୍ମା, ଓଡ଼ିଶା ସରକାରଙ୍କ ଗୃହ ବିଭାଗର ସ୍ୱତନ୍ତ୍ର ଶାସନ ସଚିବ ଆର.କେ.ଶର୍ମା, ରାଜ୍ୟ ସୈନିକ ବୋର୍ଡର ସଚିବ କମୋଡର ଘନଶ୍ୟାମ ଓଝା ପ୍ରମୁଖ ବକ୍ତବ୍ୟ ପ୍ରଦାନ କରି ସଶସ୍ତ୍ର ସେନା ଭେଟେରାନ ଦିବସ ପାଳନର ଆଭିମୁଖ୍ୟ ଏବଂ ଭେଟେରାନ ସୈନିକମାନଙ୍କର ଦେଶପ୍ରତି ଅବଦାନ ସଂପର୍କରେ ଆଲୋକପାତ କରିଥିଲେ ।
ଏହି ଅବସରରେ ବୀର ନାରୀ, ବରିଷ୍ଠ ଓ ଅତି ବରିଷ୍ଠ ଭେଟେରାନ ସେନାଧିକାରୀଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଏତଦ୍ବ୍ୟତୀତ ଭେଟେରାନମାନଙ୍କ ପାଇଁ ଉଦ୍ଧିଷ୍ଟ ଅନଲାଇନ୍ ସେବାକୁ ରାଜ୍ୟପାଳ ଡ଼ କମ୍ଭମ୍ପାଟି ଶୁଭାରମ୍ଭ କରିଥିଲେ । ଶେଷରେ ସର୍ଜନ ଲେଫ୍ଟନାଂଟ୍ କମାଣ୍ଡର ଅନନ୍ୟା ଦଳବେହେରା ଧନ୍ୟବାଦ ଅର୍ପଣ କରିଥିଲେ । ଉଲ୍ଲେଖଯୋଗ୍ୟଯେ ପ୍ରାରମ୍ଭରେ ରାଜ୍ୟପାଳ ବାଟାଲିୟନ ପରିସରରେ ପହଂଚିବା ପରେ ଯୁଦ୍ଧ ସ୍ମାରକୀରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ ।
previous article:https://purvapaksa.com/kumbh-sahayak-chatbat-at-mahakumbh/
