ଗତ ସପ୍ତାହର ସବୁଠୁ ବଡ଼ ଚର୍ଚ୍ଚିତ ରାଜନୈତିକ ଖବର ଥିଲା ଉପ-ରାଷ୍ଟ୍ରପତି ପଦରୁ ଅଚାନକ ଜଗଦୀପ ଧନଖଡଙ୍କ ଇସ୍ତଫା । ସେ କାହିଁକି ଇସ୍ତଫା ଦେଲେ, ଏହା ପଛର କାରଣ କ’ଣ ତାକୁ ନେଇ ଚର୍ଚ୍ଚା ଏବେ ବି ଜାରି ରହିଛି । ସେ ସ୍ଵାସ୍ଥ୍ୟଗତ କାରଣ ଦର୍ଶାଇଛନ୍ତି । ହେଲେ ଏହା ଗ୍ରହଣୀୟ ନୁହେଁ। ଗତ ସପ୍ତାହର ଚର୍ଚ୍ଚା ଭିତରେ ପୂର୍ବ ଘଟଣା ସବୁକୁ ନେଇ ବିଶ୍ଳେଷଣ କଲେ ଏହା ସ୍ପଷ୍ଟ ଯେ ଯେଉଁ ବ୍ୟକ୍ତି ତାଙ୍କୁ ବଡ଼ ସାମ୍ବିଧାନିକ ପଦରେ ବସାଇଥିଲେ ସେହି ବ୍ୟକ୍ତିଙ୍କ ବିରୋଧରେ ସେ ଆରମ୍ଭ କରିଥିଲେ ଷଡ଼ଯନ୍ତ୍ର । ବିରୋଧୀଙ୍କ ଫାଶରେ ପଡ଼ି ଧନଖଡ ରାଜନୀତିର ଚାଣକ୍ୟଙ୍କୁ ନିଜ ଫାଶ ପକାଇବାର ଉଦ୍ୟମ କରିଥଲେ । ଆଉ ପରିଣାମ କ’ଣ ହେଲା ତାହା ଦେଖିଲା ସମଗ୍ର ଦେଶ।
ଗତ ୧୩ ମାସ ଧରି ମୋଦୀଙ୍କ ନେତୃତ୍ଵରେ ଏନଡିଏ ସରକାର ଠିକ୍ ଠାକ୍ ଚାଲିଛି । ହଁ ସତ ଯେ, ନୀତୀଶ କୁମାର ଓ ଚନ୍ଦ୍ରବାବୁ ନାଇଡୁଙ୍କ ସମର୍ଥନ ସରକାର ପାଇଁ ମହତ୍ତ୍ଵ ରଖୁଛି । ହେଲେ ମୋଦୀଙ୍କ ସମ୍ପର୍କ ଏହି ଦୁଇ ନେତାଙ୍କ ସହ ଏତେ ମଜଭୁତ ଯେ, ବିରୋଧୀ ମଧ୍ୟ ସରକାର ଆଡ଼କୁ ଆଙ୍ଗୁଳି ଉଠାଇବାକୁ ଅଦ୍ୟାବଧି ଚେଷ୍ଟା କରିନାହାଁନ୍ତି। ମାତ୍ର ଧନଖଡ ନିଜକୁ ସବୁଠୁ ବଡ଼ ବୋଲି ଦର୍ଶାଇବାକୁ ଯାଇ ନିଜ ଅଭିଯାନ ଆରମ୍ଭ କରିଥିଲେ । ହେଲେ ମୋଦୀଙ୍କ ରଣନୀତି କିନ୍ତୁ ଭିନ୍ନ ଥିଲା । ରାଜନୀତିର ଚାଣକ୍ୟ କୁହାଯାଉଥିବା ମୋଦୀଙ୍କ ଜାଲ ଏପରି ବିଛେଇ ହୋଇରହିଛି ଯାହାକୁ କେହି ବୁଝିବାରେ ସମର୍ଥ ନୁହଁନ୍ତି । ଆଉ ଏହି ଜାଲରେ ହିଁ ପଡ଼ିଗଲେ ଧନଖଡ ।
ଗତ ବର୍ଷେ ଧରି ଧନଖଡଙ୍କ ଆଭିମୁଖ୍ୟ ସରକାର ବିରୋଧୀ ରହିଥିଲା । ସେ ଅନେକ ପ୍ରସଙ୍ଗରେ ସରକାରୀ ବିରୋଧୀ ମନ୍ତବ୍ୟ ଦେଇଆସୁଥିଲେ। ନିଜକୁ ବଡ଼ ଜାଟ୍ ନେତା ମନେକରି ଜାଟ୍ ସାଂସଦଙ୍କୁ ଭେଟୁଥିଲେ, ଆଲୋଚନା କରୁଥିଲେ। ମୂଳ ଲକ୍ଷ୍ୟ ଥିଲା ମୋଦୀ ସରକାରଙ୍କଠାରୁ ସମର୍ଥନ ପ୍ରତ୍ୟାହାର । ଖାଲି ସେତିକି ନୁହେଁ ମୋଦୀଙ୍କ ଘନିଷ୍ଠ ସହଯୋଗୀ ଟିଡିପି ମୁଖ୍ୟ ଚନ୍ଦ୍ରବାବୁ ନାଇଡୁଙ୍କୁ ମଧ୍ୟ ସେ ଭେଟିଛନ୍ତି, ସମର୍ଥନ ପ୍ରତ୍ୟାହାରର ପ୍ରସ୍ତାବ ମଧ୍ୟ ଦେଇଛନ୍ତି । ମାତ୍ର ସେ ଜାଣି ନଥିଲେ ମୋଦୀଙ୍କ ସହ ଚନ୍ଦ୍ରବାବୁଙ୍କ ସମ୍ପର୍କ କେତେ ଗଭୀର ? ଏହା ଭିତରେ ନିଜ କ୍ଷମତାର ଦୁରୁପଯୋଗ କରିବାର ଉଦ୍ୟମ ଆରମ୍ଭ କରିଥିଲେ। ସରକାରଙ୍କ ନିକଟରେ ସରକାରୀ କାର୍ଯ୍ୟାଳୟରେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କ ସହ ଉପ-ରାଷ୍ଟ୍ରପତିଙ୍କ ଫଟୋ ରଖିବାର ଦାବି କରିଥିଲେ। ନିଜ ଅଧିକାର କ୍ଷେତ୍ରରୁ ବାହାରକୁ ଯାଇ ସଂସଦ ଟିଭିର ଇନଚାର୍ଜ ଏବଂ ସଚିବ ପଦରେ ଜଣେ ଜୁନିୟର ଅଫିସରଙ୍କୁ ନିଯୁକ୍ତି ଦେବାର ଚେଷ୍ଟା ମଧ୍ୟ କରିଥିଲେ । ଏହି ପଦରେ ନିଯୁକ୍ତି ଦେବାର ଅଧିକାର କେବଳ କ୍ୟାବିନେଟର ନିଯୁକ୍ତି ସମିତି ନିକଟରେ ରହିଛି। ନିଜ କ୍ଷମତାରୁ ବାହାରି ସେ ଏନଡିଏ ସହଯୋଗୀ ଦଳର ନେତାମାନଙ୍କୁ ଭେଟି ଆଲୋଚନା କରୁଥିଲେ। ଏନ୍ଡିଏର ମନ୍ତ୍ରୀମାନଙ୍କୁ କଟୁ ମନ୍ତବ୍ୟ ଦେବାକୁ ପଛାଉ ନ ଥିଲେ। ଲୋକସଭାରେ ସରକାରଙ୍କୁ ରାହୁଳ ଗାନ୍ଧୀ ନିୟମିତ ଟାର୍ଗେଟ କରୁଥିଲାବେଳେ ରାଜ୍ୟସଭାରେ କିଭଳି ସରକାର ଚାପରେ ରହିବେ ମଧ୍ୟ ଲାଗିପଡ଼ିଥିଲେ ଧନଖଡ।
Also Readhttps://purvapaksa.com/hc-stays-odisha-govt-order-on-promotion-to-unreserved-vacancies/


