- ଭାରତ ଅନେକ କ୍ଷେତ୍ରରେ ନିର୍ଦ୍ଧାରିତ ସମୟ ପୂର୍ବରୁ ଲକ୍ଷ୍ୟ ହାସଲ କରୁଛି: ପ୍ରଧାନମନ୍ତ୍ରୀ
- ଭାରତର ଯୁବପିଢ଼ିଙ୍କ ଚିନ୍ତାଧାରାର ପରିସର ଅତୁଳନୀୟ
- ବିକଶିତ ଭାରତ ଅର୍ଥନୈତିକ, ରଣନୈତିକ, ସାମାଜିକ ଓ ସାଂସ୍କୃତିକ ଦୃଷ୍ଟିରୁ ସୁଦୃଢ଼ ହେବ
ସ୍ୱାମୀ ବିବେକାନନ୍ଦଙ୍କ ଜୟନ୍ତୀ ଉପଲକ୍ଷେ ପାଳନ ହେଉଥିବା ଜାତୀୟ ଯୁବ ଦିବସ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନୂଆଦିଲ୍ଲୀର ଭାରତ ମଣ୍ଡପମଠାରେ ଆୟୋଜିତ “ବିକଶିତ ଭାରତ ଯୁବ ନେତାଙ୍କ ସହ ଆଲୋଚନା ୨୦୨୫” ରେ ଅଂଶଗ୍ରହଣ କରିଥିଲେ । ସେ ସମଗ୍ର ଭାରତର ୩୦୦୦ ସଫଳ ଯୁବ ନେତାଙ୍କ ସହ ମତ ବିନିମୟ କରିଥିଲେ । ଏହି ଅବସରରେ ସମାବେଶକୁ ସମ୍ବୋଧିତ କରି ସେ ଭାରତ ମଣ୍ଡପମରେ ଜୀବନ ଓ ଶକ୍ତି ନିୟୋଜିତ କରିଥିବା ଭାରତର ଯୁବବର୍ଗଙ୍କ ଜାଗ୍ରତ ଶକ୍ତି ଉପରେ ଆଲୋକପାତ କରିଥିଲେ। ଦେଶର ଯୁବବର୍ଗଙ୍କ ଉପରେ ଅସୀମ ବିଶ୍ୱାସ ରଖିଥିବା ସ୍ୱାମୀ ବିବେକାନନ୍ଦଙ୍କୁ ସମଗ୍ର ଦେଶ ସ୍ମରଣ କରିବା ସହ ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛି ବୋଲି ସେ ଉଲ୍ଲେଖ କରିଥିଲେ।
ସେ ଆହୁରି ମଧ୍ୟ କହିଥିଲେ ଯେ ସ୍ୱାମୀ ବିବେକାନନ୍ଦ ବିଶ୍ୱାସ କରୁଥିଲେ ଯେ ତାଙ୍କର ଯୁବ ଶିଷ୍ୟମାନେ ସିଂହ ପରି ପ୍ରତ୍ୟେକ ସମସ୍ୟାର ସମାଧାନ କରିବେ । ସେ ଆହୁରି ମଧ୍ୟ କହିଥିଲେ ଯେ ସ୍ୱାମୀଜୀ ଯେପରି ଯୁବକମାନଙ୍କ ଉପରେ ଆସ୍ଥା ପ୍ରକଟ କରିଥିଲେ ଠିକ୍ ସେହିଭଳି ତାଙ୍କର ସ୍ୱାମୀଜୀ ଏବଂ ତାଙ୍କ ଆସ୍ଥା ଉପରେ ପୂର୍ଣ୍ଣ ବିଶ୍ୱାସ ରହିଛି । ସେ ଆହୁରି ମଧ୍ୟ କହିଥିଲେ ଯେ ଯୁବପିଢ଼ିଙ୍କ ଉପରେ ସ୍ୱାମୀଜୀଙ୍କର ଥିବା ଦୂରଦୃଷ୍ଟି ଉପରେ ତାଙ୍କର ପୂର୍ଣ୍ଣ ବିଶ୍ୱାସ ରହିଛି। ପ୍ରଧାନମନ୍ତ୍ରୀ କହିଥିଲେ ଯେ ସ୍ୱାମୀ ବିବେକାନନ୍ଦ ଯଦି ଆଜି ଆମ ମଧ୍ୟରେ ଥାନ୍ତେ, ତେବେ ସେ ଏକବିଂଶ ଶତାବ୍ଦୀର ଯୁବକମାନଙ୍କର ଜାଗ୍ରତ ଶକ୍ତି ଏବଂ ସକ୍ରିୟ ପ୍ରୟାସକୁ ଦେଖି ନୂତନ ଆତ୍ମବିଶ୍ୱାସରେ ଭରପୂର ହୋଇଥାନ୍ତେ ।
ଭାରତ ମଣ୍ଡପରେ ଜି-୨୦ ସମ୍ମିଳନୀକୁ ମନେ ପକାଇ ମୋଦି କହିଥିଲେ ଯେ ବିଶ୍ୱନେତାମାନେ ଏହି ସ୍ଥାନରେ ବସି ବିଶ୍ୱର ଭବିଷ୍ୟତ ବିଷୟରେ ଆଲୋଚନା କରୁଥିଲେ ଓ ଏବେ ଏହି ସ୍ଥାନରେ ହିଁ ଭାରତର ଯୁବପିଢ଼ି ଭାରତର ଆଗାମୀ ୨୫ ବର୍ଷ ପାଇଁ ଏକ ରୋଡମ୍ୟାପ୍ ପ୍ରସ୍ତୁତ କରୁଛନ୍ତି। କିଛି ମାସ ତଳେ ନିଜ ବାସଭବନରେ ଯୁବ କ୍ରୀଡ଼ାବିତଙ୍କୁ ଭେଟିବା ସମୟର ଏକ ଘଟଣା କଥା କହି ସେ କହିଥିଲେ ଯେ ଜଣେ ଆଥଲେଟ୍ ମନ୍ତବ୍ୟ ଦେଇଥିଲେ, ‘ବିଶ୍ୱ ପାଇଁ ଆପଣ ପ୍ରଧାନମନ୍ତ୍ରୀ ହୋଇପାରନ୍ତି, କିନ୍ତୁ ଆମ ପାଇଁ ଆପଣ ହେଉଛନ୍ତି ‘ପରମ ବନ୍ଧୁ’। ପ୍ରଧାନମନ୍ତ୍ରୀ ଭାରତର ଯୁବକମାନଙ୍କ ସହିତ ଥିବା ତାଙ୍କର ବନ୍ଧୁତାର ବନ୍ଧନ ଉପରେ ଆଲୋକପାତ କରି କହିଥିଲେ ଯେ ବନ୍ଧୁତାର ସବୁଠାରୁ ଶକ୍ତିଶାଳୀ ଲିଙ୍କ୍ ହେଉଛି ବିଶ୍ୱାସ। ଏମଓ୍ୱାଇ ଭାରତ ( ମୋ ଯୁବା ଭାରତ) ଗଠନ ପାଇଁ ପ୍ରେରଣା ଦେଇଥିବା ଏବଂ ବିକଶିତ ଭାରତ ଯୁବ ନେତା ଆଲୋଚନା ୨୦୨୫ର ଭିତ୍ତି ସ୍ଥାପନ କରିଥିବା ଯୁବବର୍ଗଙ୍କ ଉପରେ ସେ ଅତୁଟ ଆସ୍ଥା ପ୍ରକଟ କରିଥିଲେ। ଭାରତୀୟ ଯୁବକମାନଙ୍କର ସାମର୍ଥ୍ୟ ଖୁବ୍ ଶୀଘ୍ର ଭାରତକୁ ଏକ ବିକଶିତ ରାଷ୍ଟ୍ରରେ ପରିଣତ କରିବ ବୋଲି ସେ ଉଲ୍ଲେଖ କରିଥିଲେ । ସମାଲୋଚକଙ୍କ ମନ୍ତବ୍ୟକୁ ଖାରଜ କରି ସେ କହିଥିଲେ ଯେ ଏହି ଲକ୍ଷ୍ୟ ଗୁରୁତ୍ୱପୂର୍ଣ୍ଣ ହୋଇଥିଲେ ମଧ୍ୟ ଏହା ଅସମ୍ଭବ ନୁହେଁ । ପ୍ରଗତିର ଚକ୍ରକୁ ତ୍ୱରାନ୍ୱିତ କରୁଥିବା ଲକ୍ଷ ଲକ୍ଷ ଯୁବକଙ୍କ ସାମୂହିକ ପ୍ରୟାସ ଦ୍ୱାରା ଦେଶ ନିଶ୍ଚିତ ଭାବରେ ଏହାର ଲକ୍ଷ୍ୟରେ ପହଞ୍ଚିବ ବୋଲି ସେ କହିଥିଲେ ।
“ଇତିହାସ ଆମକୁ ଶିକ୍ଷା ଏବଂ ପ୍ରେରଣା ଦେଇଥାଏ” । ସେ ବିଶ୍ୱର ବିଭିନ୍ନ ଦେଶର କେତେକ ଉଦାହରଣ ଦେଇଥିଲେ ଯେଉଁଥିରେ ଦେଶ ଏବଂ ସମୁଦାୟ ବଡ଼ ସ୍ୱପ୍ନ ଏବଂ ସଂକଳ୍ପ ସହିତ ସେମାନଙ୍କର ଲକ୍ଷ୍ୟ ହାସଲ କରିଥିଲେ । ଯୁକ୍ତରାଷ୍ଟ୍ର ଆମେରିକାରେ ୧୯୩୦ ଦଶକର ଅର୍ଥନୈତିକ ସଙ୍କଟର ଉଦାହରଣ ଦେଇ ସେ କହିଥିଲେ ଯେ ଆମେରିକୀୟମାନେ ଏହି ସଙ୍କଟରୁ ମୁକୁଳିବା ପରେ ‘ନ୍ୟୁ ଡିଲ୍’କୁ ବାଛିଥିଲେ ଏବଂ ସେମାନଙ୍କ ଅଭିବୃଦ୍ଧିକୁ ତ୍ୱରାନ୍ୱିତ କରିଥିଲେ। ସେ ସିଙ୍ଗାପୁର ବିଷୟରେ ମଧ୍ୟ ଉଲ୍ଲେଖ କରିଥିଲେ, ଯାହା ଏକ ମୌଳିକ ଜୀବନ ସଙ୍କଟର ସମ୍ମୁଖୀନ ହୋଇଥିଲା, କିନ୍ତୁ ଶୃଙ୍ଖଳା ଏବଂ ସାମୂହିକ ପ୍ରୟାସ ମାଧ୍ୟମରେ ଏହା ବିଶ୍ୱର ଏକ ପ୍ରମୁଖ ଆର୍ଥିକ ଏବଂ ବାଣିଜ୍ୟିକ କେନ୍ଦ୍ରରେ ପରିଣତ ହୋଇଥିଲା । ସ୍ୱାଧୀନତା ସଂଗ୍ରାମ ଏବଂ ସ୍ୱାଧୀନତା ପରେ ଦେଖାଦେଇଥିବା ଖାଦ୍ୟ ସଙ୍କଟରୁ ବାହାରିବା ଭଳି ସମାନ ଉଦାହରଣ ଭାରତ ପାଖରେ ଅଛି ବୋଲି ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଥିଲେ । ନିର୍ଦ୍ଧାରିତ ସମୟ ମଧ୍ୟରେ ବଡ଼ ଲକ୍ଷ୍ୟ ଧାର୍ଯ୍ୟ କରି ହାସଲ କରିବା ଅସମ୍ଭବ ନୁହେଁ ବୋଲି ସେ ଗୁରୁତ୍ୱାରୋପ କରିଥିଲେ। ସ୍ପଷ୍ଟ ଲକ୍ଷ୍ୟ ବିନା କିଛି ହାସଲ ହୋଇପାରିବ ନାହିଁ ଏବଂ ଆଜିର ଭାରତ ଏହି ମାନସିକତା ସହ କାମ କରୁଛି ବୋଲି ସେ ଗୁରୁତ୍ୱାରୋପ କରିଛନ୍ତି।
ଏକ ବିକଶିତ ଭାରତ ପାଇଁ ନିଜର ଦୃଷ୍ଟିକୋଣ ପ୍ରଦାନ କରିବା ସହ ଏହାର ଅର୍ଥନୈତିକ, ରଣନୈତିକ, ସାମାଜିକ ଏବଂ ସାଂସ୍କୃତିକ ଶକ୍ତି ଉପରେ ଗୁରୁତ୍ୱାରୋପ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ଏକ ବିକଶିତ ଭାରତରେ ଉଭୟ ଅର୍ଥନୀତି ଏବଂ ପରିବେଶର ବିକାଶ ହେବ ଏବଂ ଉତ୍ତମ ଶିକ୍ଷା ଏବଂ ରୋଜଗାର ପାଇଁ ଅନେକ ସୁଯୋଗ ପ୍ରଦାନ କରିବ । ପ୍ରଧାନମନ୍ତ୍ରୀ ଆଲୋକପାତ କରିଥିଲେ ଯେ ବିଶ୍ୱର ସର୍ବବୃହତ କୁଶଳୀ ଯୁବ ଶ୍ରମଶକ୍ତି ପାଇବା ପାଇଁ ଭାରତ ପାଖରେ ଏକ ଅତୁଳନୀୟ ସୁଯୋଗ ରହିଛି, ଯାହା କି ଯୁବବର୍ଗଙ୍କ ସ୍ୱପ୍ନ ଲାଗି ଏକ ଖୋଲା ଆକାଶ ପ୍ରଦାନ କରିବ । ଏହି ଲକ୍ଷ୍ୟ ହାସଲ କରିବା ପାଇଁ ପ୍ରତ୍ୟେକ ନିଷ୍ପତ୍ତି, ପଦକ୍ଷେପ ଓ ନୀତି ଏକ ସମୃଦ୍ଧ ଭାରତର ଲକ୍ଷ୍ୟ ସହିତ ସୁସଙ୍ଗତ ହେବା ଆବଶ୍ୟକ ବୋଲି ସେ କହିଛନ୍ତି। ଏହା ଭାରତ ପାଇଁ ଏକ ଐତିହାସିକ ମୁହୂର୍ତ୍ତ, କାରଣ ଏହି ଦେଶ ଆଗାମୀ ଦଶନ୍ଧି ପର୍ଯ୍ୟନ୍ତ ବିଶ୍ୱର ସର୍ବକନିଷ୍ଠ ରାଷ୍ଟ୍ର ହେବ। ଭାରତୀୟ ଯୁବକମାନଙ୍କର ଶକ୍ତିକୁ ବିଶ୍ୱ ସ୍ତରୀୟ କଂପାନୀମାନେ ପ୍ରଶଂସା କରୁଛନ୍ତି କାରଣ ସେମାନଙ୍କ ଅବଦାନ ଭାରତର ମୋଟ ଘରୋଇ ଉତ୍ପାଦରେ ବ୍ୟାପକ ବୃଦ୍ଧି ଆଣିପାରିବ ବୋଲି ମୋଦି କହିଛନ୍ତି। ମହର୍ଷି ଅରବିନ୍ଦ, ଗୁରୁଦେବ ରବୀନ୍ଦ୍ରନାଥ ଟାଗୋର ଏବଂ ହୋମି ଜେ ଭାବା ତିନି ମହାନ ଚିନ୍ତକ ଥିଲେ ଯିଏ କି ଯୁବଶକ୍ତିରେ ବିଶ୍ୱାସ କରୁଥିଲେ ।
ଯୁବବର୍ଗଙ୍କୁ ସଶକ୍ତ କରିବା ପାଇଁ ଭାରତ ସରକାରଙ୍କ ପ୍ରତିବଦ୍ଧତା ଉପରେ ଗୁରୁତ୍ୱାରୋପ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ଭାରତରେ ପ୍ରତି ସପ୍ତାହରେ ଏକ ନୂତନ ବିଶ୍ୱବିଦ୍ୟାଳୟ ଏବଂ ପ୍ରତିଦିନ ଏକ ନୂତନ ଆଇଟିଆଇ ଖୋଲୁଛି । ପ୍ରତି ତୃତୀୟ ଦିନରେ ଗୋଟିଏ ଲେଖାଏଁ ଅଟଳ ଟିଙ୍କରିଂ ଲାବୋରେଟୋରୀ ଓ ଦିନକୁ ୨ଟି ନୂଆ କଲେଜ ଖୋଲାଯାଉଛି। ବର୍ତ୍ତମାନ ଭାରତରେ ୨୩ଟି ଆଇଆଇଟି ଅଛି ଏବଂ ଗତ ଦଶ ବର୍ଷ ମଧ୍ୟରେ ଆଇଆଇଟି ସଂଖ୍ୟା ୯ରୁ ୨୫କୁ ବୃଦ୍ଧି ପାଇଛି । ସେହିପରି ଆଇଆଇଏମ୍ ସଂଖ୍ୟା ୧୩ରୁ ୨୧କୁ ବୃଦ୍ଧି ପାଇଛି। ଏମ୍ସ ସଂଖ୍ୟା ପ୍ରାୟ ଦ୍ୱିଗୁଣିତ ହୋଇଛି ବୋଲି ସେ ଉଲ୍ଲେଖ କରିଥିଲେ। ଭାରତର ଶିକ୍ଷାନୁଷ୍ଠାନଗୁଡ଼ିକର ସଂଖ୍ୟା ଓ ଗୁଣବତ୍ତା ଉଭୟ ବୃଦ୍ଧି ପାଉଛି। ୨୦୧୪ରେ କ୍ୟୁଏସ୍ ମାନ୍ୟତାରେ ଉଚ୍ଚଶିକ୍ଷା ଅନୁଷ୍ଠାନ ସଂଖ୍ୟା ୯ଥିବା ବେଳେ ଆଜି ଏହା ୪୬କୁ ବୃଦ୍ଧି ପାଇଛି। ପ୍ରଧାନମନ୍ତ୍ରୀ କହିଥିଲେ ଯେ ଭାରତର ଶିକ୍ଷାନୁଷ୍ଠାନଗୁଡ଼ିକର ବଢୁଥିବା ଶକ୍ତି ଏକ ବିକଶିତ ଭାରତ ନିର୍ମାଣ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଭିତ୍ତିଭୂମି ।
୨୦୪୭ ସୁଦ୍ଧା ଏକ ସମୃଦ୍ଧ ଭାରତ ଗଠନ ଲକ୍ଷ୍ୟ ହାସଲ କରିବା ପାଇଁ ଦୈନିକ ଲକ୍ଷ୍ୟ ଧାର୍ଯ୍ୟ କରିବା ଏବଂ ନିରନ୍ତର ପ୍ରୟାସ କରିବାର ଆବଶ୍ୟକତା ରହିଛି ବୋଲି ପ୍ରଧାନମନ୍ତ୍ରୀ ପ୍ରକାଶ କରିଥିଲେ । ଭାରତ ଖୁବ୍ ଶୀଘ୍ର ବିଶ୍ୱର ତୃତୀୟ ବୃହତ୍ତମ ଅର୍ଥନୀତି ଭାବେ ଉଭା ହେବ ବୋଲି ସେ ବିଶ୍ୱାସ ପ୍ରକଟ କରିଥିଲେ। ବିଗତ ୧୦ ବର୍ଷ ମଧ୍ୟରେ ୨୫ କୋଟି ଲୋକ ଦାରିଦ୍ର୍ୟମୁକ୍ତ ହୋଇଛନ୍ତି ଏବଂ ଖୁବ୍ ଶୀଘ୍ର ସମଗ୍ର ଦେଶ ଦାରିଦ୍ର୍ୟମୁକ୍ତ ହେବ ବୋଲି ସେ ଦୃଢୋକ୍ତି ପ୍ରକାଶ କରିଛନ୍ତି। ଚଳିତ ଦଶନ୍ଧୀ ଶେଷ ସୁଦ୍ଧା ୫୦୦ ଗିଗାୱାଟ ଅକ୍ଷୟ ଶକ୍ତି କ୍ଷମତା ସୃଷ୍ଟି କରିବାକୁ ଭାରତର ଲକ୍ଷ୍ୟ ଏବଂ ୨୦୩୦ ସୁଦ୍ଧା ଭାରତୀୟ ରେଳବାଇର ନିଟ୍-ଶୂନ୍ୟ କାର୍ବନ ନିର୍ଗମନ ହାସଲ ଲକ୍ଷ୍ୟ ସମ୍ପର୍କରେ ସେ ଉଲ୍ଲେଖ କରିଥିଲେ।
ଅଲିମ୍ପିକ୍ସ କ୍ରୀଡ଼ା ଆୟୋଜନ ପାଇଁ ଭାରତର ମହତ୍ୱାକାଂକ୍ଷୀ ଲକ୍ଷ୍ୟ ଉପରେ ପ୍ରଧାନମନ୍ତ୍ରୀ ଆଲୋକପାତ କରିଥିଲେ । ସେ କହିଥିଲେ ଯେ ଭାରତ ଏକ ମହାକାଶ ଶକ୍ତି ଭାବରେ ମଧ୍ୟ ଦ୍ରୁତ ଗତିରେ ଅଗ୍ରଗତି କରୁଛି ଏବଂ ୨୦୩୫ ସୁଦ୍ଧା ନିଜର ଏକ ମହାକାଶ ଷ୍ଟେସନ ସ୍ଥାପନ କରିବାକୁ ଯୋଜନା ରହିଛି । ସେ ଚନ୍ଦ୍ରଯାନର ସଫଳତା ଏବଂ ଗଗନଯାନର ପ୍ରସ୍ତୁତି ବିଷୟରେ ଉଲ୍ଲେଖ କରିଥିଲେ, ଯାହାର ଅନ୍ତିମ ଲକ୍ଷ୍ୟ ହେଉଛି ଭାରତୀୟ ମହାକାଶଚାରୀମାନଙ୍କୁ ଚନ୍ଦ୍ରରେ ଅବତରଣ କରିବା । ଏଭଳି ମହତ୍ତ୍ୱାକାଂକ୍ଷୀ ଲକ୍ଷ୍ୟ ହାସଲ ହେଲେ ୨୦୪୭ ସୁଦ୍ଧା ଏକ ସମୃଦ୍ଧ ଭାରତ ଗଠନ ପାଇଁ ବାଟ ପ୍ରଶସ୍ତ ହେବ ବୋଲି ମୋଦି କହିଛନ୍ତି।
ବିଶ୍ୱସ୍ତରରେ ଭାରତ ଦ୍ରୁତ ଗତିରେ ୫ଜି ସେବା ଆରମ୍ଭ କରିଛି । ହଜାର ହଜାର ଗ୍ରାମ ପଞ୍ଚାୟତକୁ ବ୍ରଡବ୍ୟାଣ୍ଡ ଇଣ୍ଟରନେଟ୍ ଯୋଗାଇ ଦିଆଯାଇଥିବା ବେଳେ ୩ ଲକ୍ଷରୁ ଅଧିକ ଗାଁରେ ରାସ୍ତା ନିର୍ମାଣ କରାଯାଇଛି। ଯୁବକମାନଙ୍କୁ ୨୩ ଲକ୍ଷ କୋଟି ଟଙ୍କାର ବନ୍ଧକମୁକ୍ତ ମୁଦ୍ରା ଋଣ ପ୍ରଦାନ କରାଯାଇଛି ଏବଂ ବିଶ୍ୱର ସର୍ବବୃହତ ମାଗଣା ସ୍ୱାସ୍ଥ୍ୟ ଯୋଜନା ଆୟୁଷ୍ମାନ ଭାରତ ଆରମ୍ଭ କରାଯାଇଛି ବୋଲି ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଥିଲେ । ପ୍ରତିବର୍ଷ ହଜାର ହଜାର କୋଟି ଟଙ୍କା ସିଧାସଳଖ ଚାଷୀଙ୍କ ବ୍ୟାଙ୍କ ଆକାଉଣ୍ଟରେ ଜମା କରିବା ପାଇଁ ଯୋଜନା ଆରମ୍ଭ ହୋଇଛି। ଗରିବଙ୍କ ପାଇଁ ୪ କୋଟି ପକ୍କା ଘର ନିର୍ମାଣ କରାଯାଇଛି। ଅର୍ଥନୀତି ର ଅଭିବୃଦ୍ଧି ସହିତ ବିକାଶମୂଳକ କାର୍ଯ୍ୟକଳାପ ତ୍ୱରାନ୍ୱିତ ହୋଇଛି ଓ ଏହା ଦ୍ୱାରା ଅଧିକ ସୁଯୋଗ ସୃଷ୍ଟି ହେବା ସହ ପ୍ରତ୍ୟେକ କ୍ଷେତ୍ର ଏବଂ ସାମାଜିକ ଶ୍ରେଣୀରେ ଖର୍ଚ୍ଚ କ୍ଷମତା ବୃଦ୍ଧି ପାଇଛି ବୋଲି ପ୍ରଧାନମନ୍ତ୍ରୀ କହିଥିଲେ ।
ଭାରତର ଭବିଷ୍ୟତ ଗଠନରେ ବିକଶିତ ଭାରତର ଯୁବ ନେତା ସମ୍ମିଳନୀର ଗୁରୁତ୍ୱପୂର୍ଣ୍ଣ ଭୂମିକା ଉପରେ ସେ ଗୁରୁତ୍ୱାରୋପ କରିଥିଲେ । ଯୁବପିଢ଼ି ଯେଉଁ ଶକ୍ତି, ଉତ୍ସାହ ଓ ନିଷ୍ଠାର ସହ ଏହି ସଂକଳ୍ପକୁ ଗ୍ରହଣ କରିଛନ୍ତି ତାହାକୁ ସେ ପ୍ରଶଂସା କରିଥିଲେ। ବିକଶିତ ଭାରତର ଚିନ୍ତାଧାରା ଅମୂଲ୍ୟ, ଉତ୍କୃଷ୍ଟ ଏବଂ ଶ୍ରେଷ୍ଠ ବୋଲି ସେ କହିଥିଲେ। ଏହି ଚିନ୍ତାଧାରାକୁ ଦେଶର କୋଣ ଅନୁକୋଣରେ ପହଞ୍ଚାଇବା ସହ ପ୍ରତ୍ୟେକ ଜିଲ୍ଲା, ଗାଁ ଓ ଆଖପାଖର ଯୁବକମାନଙ୍କୁ ଏକ ବିକଶିତ ଭାରତର ଭାବନା ସହ ଯୋଡ଼ିବାକୁ ସେ ଯୁବବର୍ଗଙ୍କୁ ଆହ୍ୱାନ ଦେଇଥିଲେ। ନିଜର ଭାଷଣ ଶେଷ କରି ପ୍ରଧାନମନ୍ତ୍ରୀ ୨୦୪୭ ସୁଦ୍ଧା ଭାରତକୁ ଏକ ବିକଶିତ ରାଷ୍ଟ୍ର ରେ ପରିଣତ କରିବାକୁ ଦେଇଥିବା ପ୍ରତିଶ୍ରୁତିକୁ ଦୋହରାଇଥିଲେ ଏବଂ ସମସ୍ତଙ୍କୁ ଏହି ସଂକଳ୍ପରେ ବଞ୍ଚିବା ଏବଂ ସମର୍ପିତ କରିବାକୁ ଉତ୍ସାହିତ କରିଥିଲେ । ଜାତୀୟ ଯୁବ ଦିବସ ଅବସରରେ ସେ ଭାରତର ସମସ୍ତ ଯୁବବର୍ଗଙ୍କୁ ଶୁଭେଚ୍ଛା ଜଣାଇଥିଲେ। ଏହି ଅବସରରେ କେନ୍ଦ୍ ଯୁବ ବ୍ୟାପାର ଓ କ୍ରୀଡ଼ା ମନ୍ତ୍ରୀ ମନସୁଖ ଲାଲ ମାଣ୍ଡଭୀୟ, କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ରାଷ୍ଟ୍ରମନ୍ତ୍ରୀ ଜୟନ୍ତ ଚୌଧୁରୀ ଓ ରକ୍ଷା ଖଡ଼ସେଙ୍କ ସମେତ ଅନ୍ୟ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ।
previous article:https://purvapaksa.com/vivekananda-taught-the-young-society-to-take-pride-in-asmita/
