ରାଜ୍ୟ ରାଜନୀତିରେ ସାଧୁ ସନ୍ନ୍ୟାସୀଙ୍କ ପ୍ରବେଶ ହୋଇଛି। ଅତୀତରେ ସେମାନଙ୍କ ଭିତରୁ ଅନେକ ଲୋକସଭା, ରାଜ୍ୟସଭା ତଥା ବିଧାନସଭାରେ ନିଜ ଅଞ୍ଚଳକୁ ପ୍ରତିନିଧିତ୍ୱ କରିଛନ୍ତି। ଏମିତି ଅନେକ ସନ୍ନ୍ୟାସୀ ବେଶ ନ ବଦଳାଇ ପରିବର୍ତ୍ତନର ବାହକ ହୋଇଛନ୍ତି ଆଉ କିଛି ଗେରୁଆ ବସ୍ତ୍ର, ଦଣ୍ଡ ଧରି ନିଜର ପରିଚୟକୁ ସ୍ୱତନ୍ତ୍ର କରିଛନ୍ତି। ହେଲେ ଆଜି ଏମିତି ଦୁଇ ସନ୍ନ୍ୟାସୀଙ୍କ ନା କହିବି ଯାହାଙ୍କ କଥା ଶୁଣିଲେ ଆପଣ କହିବେ ଏମାନେ ସନ୍ନ୍ୟାସୀ ନୁହନ୍ତି ‘ଭଣ୍ଡ ସନ୍ନ୍ୟାସୀ’।
ପ୍ରଥମରୁ ସ୍ପଷ୍ଟ କରିବାକୁ ଚାହେଁ ଯେ ଏ ସମ୍ପୂର୍ଣ୍ଣ ଅଧ୍ୟାୟ କୌଣସି ଆସ୍ଥା, ଧର୍ମ, ବା ବ୍ୟକ୍ତି ବିଶେଷଙ୍କୁ ଆଘାତ ଦେବାର ଉଦ୍ଦେଶ୍ୟ ରଖେ ନାହିଁ। ବରଂ ଏହା ଏମିତି ଦୁଇଜଣ ନିଜକୁ ସନ୍ନ୍ୟାସୀ ବୋଲି ବୋଲାଇବାକୁ ଚାହୁଁଥିବା ରାଜନେତାଙ୍କ କାହାଣୀ ଯେଉଁମାନେ କେବଳ ନିଜର ନିରାଡ଼ାମ୍ବର ଜବନଶୈଳୀ ଭିତରେ ଲୁଚାଇଛନ୍ତି ସାମ୍ରାଜ୍ୟ ଦଖଲର ଚିନ୍ତା। ବିସ୍ତାରଣର ଚିନ୍ତା। ଏ ଦୁଇଜଣଙ୍କ ଭିତରୁ ଜଣେ ହେଉଛନ୍ତି କିଟ୍ ଓ କିସ୍ର ସଂସ୍ଥାପକ ଡ. ଅଚ୍ୟୁତ ସାମନ୍ତ ଏବଂ ଆଉ ଜଣେ ହେଉଛନ୍ତି ନବୀନଙ୍କ ସେବକ ତଥା ବିଜେଡିର ଅଘୋଷିତ ସର୍ବେସର୍ବା ଭୈରବ କାର୍ତ୍ତିକେୟନ ପାଣ୍ଡିଆନ୍।
୨୦୧୯ରୁ ୨୦୨୪ ଯାଏ ଏ ଦୁଇଜଣ ବିଜେଡିରେ ବେଶ୍ ସକ୍ରିୟ ଥିଲେ। ଜଣେ ସଂସଦରେ ଆଉ ଜଣେ ରାଜ୍ୟରେ ମୁଖ୍ୟମନ୍ତ୍ରୀଙ୍କ ସଚିବ ଭାବରେ। ସଚିବ ପଦବୀରେ ଥାଇ ମଧ୍ୟ ସେ ଯେଉଁ ନିଷ୍ପତ୍ତି ନେଉଥିଲେ ତାହାକୁ ବିଜେଡି କାର୍ଯ୍ୟକାରୀ କରୁଥିଲା। କହିବାକୁ ଗଲେ ତାଙ୍କରି ଇଙ୍ଗିତରେ ମୁଖ୍ୟମନ୍ତ୍ରୀ ବି ନାଚୁଥିଲେ ବୋଲି ଅଭିଯୋଗ ହେଉଥିଲା। ପରିସ୍ଥିତି ଏମିତି ଉତ୍କଟ ହୋଇଥିଲା ଯେ ବିରୋଧୀ ଦଳର କିଛି ସଦସ୍ୟ ତାଙ୍କୁ ଚ୍ୟାଲେଞ୍ଜ ଦେଇଥିଲେ। ଏହି ଚ୍ୟାଲେଞ୍ଜ ଥିଲା ଚାକିରି ଛାଡ଼ି ଦଳରେ ପ୍ରତ୍ୟକ୍ଷଭାବେ ଯୋଗଦିଅ ତା’ପରେ ରାଜନୀତି କ’ଣ ତାହା ଜାଣିବ।
ବାବୁ ୨୦୨୩ ଦଶହରା ଦିନ ଚାକିରି ଛାଡ଼ି ବିଜେଡିରେ ଯୋଗ ଦେଲେ। ତା’ ପରଠୁ ବିଜେଡିର ନିର୍ବାଚନ ଜିତିବା ଦାୟିତ୍ୱ ନିଜ କାନ୍ଧରେ ନେଇ ପ୍ରଚାର କାର୍ଯ୍ୟରେ ଲାଗିଲେ। ନବୀନଙ୍କ ଅତ୍ୟନ୍ତ ନିକଟତର ହୋଇଥିବାରୁ କେହି ତାଙ୍କ ବିରୋଧରେ ଶବ୍ଦଟିଏ କହିବାକୁ ସାହସ କଲେ ନାହିଁ। ଆଉ ଯେ କହିବାକୁ କେବେ ଚେଷ୍ଟା କଲେ ତାଙ୍କୁ ରାଜନୀତିକ ପଙ୍କରେ ଏମିତି ପୋତି ଦିଆଗଲା ଯେ ଏଯାଏ ସେମାନେ ସେ ପଙ୍କ ଛଡ଼ାଇବାକୁ ମଧ୍ୟ ସକ୍ଷମ ହୋଇପାରି ନାହାନ୍ତି।
ସମସ୍ତଙ୍କ ଆକଳନକୁ ପଛରେ ପକାଇ ନବୀନ ବାବୁ ମୁଖ୍ୟମନ୍ତ୍ରୀ ନ ହେଲେ ରାଜନୀତିରୁ ସନ୍ନ୍ୟାସ ନେବେ ବୋଲି ଏକଦା ପାଣ୍ଡିଆନ୍ ଘୋଷଣା କରିଥିଲେ। ହେଲେ ନବୀନ ବାବୁ ମୁଖ୍ୟମନ୍ତ୍ରୀ ହୋଇପାରିଲେ ନାହିଁ। ଏହାପରେ ସେ ଇସ୍ତଫା ତ ଦେଲେ ନାହିଁ କିନ୍ତୁ ନିଜକୁ ‘ଡାଉନ୍ ବଟ ନଟ ଆଉଟ୍’ ବୋଲି କହିଲେ। ବିଜେଡିର ପ୍ରତ୍ୟକ୍ଷ ସମାବେଶରେ ଆଉ ଯୋଗ ଦେଲେ ନାହିଁ। ନିଜକୁ ସନ୍ନ୍ୟାସ ଦେଇଥିବା କହିଲେ। ପର୍ଦ୍ଦାଉପରେ ସେ ଆଉ ଯୋଗ ଦେଲେ ନାହିଁ। କିନ୍ତୁ ପର୍ଦ୍ଦା ପଛରେ ତାଙ୍କର କାରନାମା ଅସହ୍ୟ ହେବାରୁ ନେତାଏ ପ୍ରତିବାଦ କଲେ। ନେତାଙ୍କ ପ୍ରତିବାଦ ପ୍ରସାରିତ ହେବାରୁ ଖୋଦ୍ ନବୀନ ଆସି ସଫେଇ ଦେଲେ ଯେ ସେ ଆଉ ପ୍ରତ୍ୟକ୍ଷ ରାଜନୀତିରେ ନାହାନ୍ତି। ଦଳର କୌଣସି କାର୍ଯ୍ୟକୁ ସେ ବୁଝୁ ନାହାନ୍ତି। ସେ ଦଳ ପାଇଁ ଅନେକ ଭଲ କାମ କରିଛନ୍ତି। ଏଣୁ ତାଙ୍କ ଉପରେ ରୋଷ ଅଯୌକ୍ତିକ।
ଏଭଳି ନିଷ୍ପତ୍ତି ପରେ କିଛିଦିନ ଦଳରେ ନୀରବତା ଆସିଥିଲା କିନ୍ତୁ ତାହା ବହୁତ ଦିନ ରହିପାରିଲା ନାହିଁ। ଏବେ ପୁଣିଥରେ ବିଜେଡି ଘରେ ଏପରି ଆରୋପ ଉତ୍କଟ ହୋଇଛି ଯେ ଲୋକେ ତାଙ୍କୁ ଭଣ୍ଡ ସନ୍ନ୍ୟାସୀ ବୋଲି କହୁଛନ୍ତି। ପୁଣି ଏ ଭଣ୍ଡ ସନ୍ନ୍ୟାସୀଙ୍କ ଲୋଭ ଏତେ ବଢ଼ିଛି ଯେ ସେ ବିଜେଡି ଦିଅଁଙ୍କୁ ତ ଖାଇବେ ତାଙ୍କ ଖଟୁଲି ବି ଖାଇବାକୁ ଯୋଜନା କରିଥିବା ଅଭିଯୋଗ ହେଉଛି। ଏ ବାବଦରେ ଆଗକୁ କହିବି କିନ୍ତୁ ଏହା ପୂର୍ବରୁ ଆଉ ଜଣେ ଆତ୍ମଘୋଷିତ ସନ୍ନ୍ୟାସୀଙ୍କ କଥା।
ଏ ନେତା ଜଣକ ହେଉଛନ୍ତି କିଟ୍ ଓ କିସ୍ର ସଂସ୍ଥାପକ ଡ. ଅଚ୍ୟୁତ ସାମନ୍ତ। ବିଜେଡିର ପୂର୍ବତନ ସାଂସଦଭାବେ ତାଙ୍କ ରାଜନୀତିକ ପରିଚୟ। କେନ୍ଦ୍ର ଓ ରାଜ୍ୟରେ ଯାହାର ସରକାର ଥିଲେ ମଧ୍ୟ ଅଚ୍ୟୁତଙ୍କ ପ୍ରଭାବ କମେ ନାହିଁ। ଏମିତି ଏକ ପରିସ୍ଥିତି ଥିଲା ଯେତେବେଳେ ରାଜ୍ୟକୁ ଆସୁଥିବା ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ ବା କୌଣସି ବଡ଼ ନେତା ଡ. ଅଚ୍ୟୁତ ସାମାନ୍ତଙ୍କ ଦ୍ୱାରା ପ୍ରତିଷ୍ଠିତ କିଟ୍ ବା କିସ୍ ପରିସରକୁ ନ ଗଲେ ତାଙ୍କ ଯାତ୍ରା ଶେଷ ହେଉନଥିଲା। ଏପରିକି ବିଦେଶରୁ ଆସୁଥିବା ରାଷ୍ଟ୍ରଦୂତମାନେ ମଧ୍ୟ କିଟ୍ ଯିବାର ଯୋଜନା କରାଯାଉଥିଲା। ଏବେ ଅବଶ୍ୟ ତାହା ବନ୍ଦ ହୋଇନାହିଁ କେବଳ ସେଥିରେ ଟିକେ ହ୍ରାସ ଘଟିଛି।
୨୦୨୪ରେ ଯେତେବେଳେ କନ୍ଧମାଳରେ ନିର୍ବାଚନ ଲଢ଼ି ଡ. ଅଚ୍ୟୁତ ସାମାନ୍ତ ପରାଜିତ ହେଲେ ସେତେବେଳେ ଦକ୍ଷିଣ ଭାରତ ଯାଇ ସେଠାରେ ସ୍ନାନ କରି ବୁଡ଼ ପକାଇଲେ। ବାବୁଙ୍କୁ ଲଣ୍ଡିତ ମୁଣ୍ଡରେ ଦେଖି ସନ୍ନ୍ୟାସର ଭ୍ରାନ୍ତି ସୃଷ୍ଟି ହୋଇଥିଲା। ଏପରିକି ସେ ରାଜନୀତିରୁ ସନ୍ନ୍ୟାସ ନେଉଥିବା କହିଥିବା ଚର୍ଚ୍ଚା ହେଲା। ନିକଟରେ ଡ. ଅଚ୍ୟୁତ ସାମାନ୍ତଙ୍କ ଅନୁଷ୍ଠାନ ଅନେକ ଛାତ୍ରୀ ନିର୍ଯାତନା, ଛାତ୍ରୀ ମୃତ୍ୟୁକୁ ନେଇ ଚର୍ଚ୍ଚିତ ହୋଇଥିଲା। କେବଳ ଚର୍ଚ୍ଚା ନୁହେଁ ଦେଶ ବିଦେଶରେ ଓଡ଼ିଶାର ଶାନ୍ତ ଚରିତ୍ରକୁ ଅଶାନ୍ତ କରିଥିଲା। ଏକ ଖବରକାଗଜରେ ନିଜର ବ୍ୟକ୍ତିତ୍ୱକୁ ପ୍ରକାଶ କରିବାକୁ ଯାଇ ଡ. ସାମନ୍ତ ସାଧାରଣ ପାଠକଙ୍କୁ କମ୍ ଆହରଣକୁ ସୁଖ ପ୍ରାପ୍ତିର ମୂଳମନ୍ତ୍ରଭାବେ ଗ୍ରହଣ କରିଥିବା କହିଛନ୍ତି। ଜୀବନରେ ଅଧିକ ଦେବା ଓ କମ୍ ଗ୍ରହଣକୁ ସେ ପସନ୍ଦ କରନ୍ତି ବୋଲି ବତାଇଛନ୍ତି। ଏପରିକି ସମସ୍ତଙ୍କୁ ଜୀବନ ପାଇଁ ‘କମ୍ ନେବା ଓ ବେଶୀ ଦେବା’ ଲାଗି ଆହ୍ୱାନ ଦେଇଛନ୍ତି।
ହେଲେ ପ୍ରଶ୍ନ ଉଠେ ବାସ୍ତବ ଜୀବନରେ ଡ. ଅଚ୍ୟୁତ ସାମନ୍ତ କ’ଣ ସେଇଆ? ଯଦି ହଁ ତେବେ ପରାଜୟ ପରେ ରାଜନୀତିକୁ କାହିଁକି ଛାଡ଼ିଲେ? ସେ କ’ଣ କେବଳ ବିଜୟ ନେବାକୁ ରାଜନୀତିକୁ ଆସିଥିଲେ? କ୍ଷମତାରେ ଥିବାବେଳେ ରାଜନୀତିକ ପ୍ରଭାବ, ସୁବିଧାକୁ ଉପଭୋଗ କରିବା କ’ଣ ଉଦ୍ଦେଶ୍ୟ ଥିଲା? ଖାଲି ସେତିକି ନୁହେଁ ଆଦିବାସୀ ପିଲାଙ୍କୁ ଶିକ୍ଷା ଦେବେ ବୋଲି କହି ସରକାରୀ ଜମି ଜବର ଦଖଲ କରିବା, ଘରୋଇ ଜମିକୁ ଛଡ଼ାଇ ନେବା, ପ୍ରତିବାଦ କଲେ ଧମକ ଦେବା ଆଦି କି ପ୍ରକାର ସନ୍ନ୍ୟାସୀ ଗୁଣ?
କିଛି ତଥ୍ୟ ଓ ପରିସଂଖ୍ୟାନକୁ ଏହି ଆଦର୍ଶଗତ ବିରୋଧୀ ବ୍ୟକ୍ତିତ୍ୱ ଯାହାଙ୍କ କଥା ଓ କାମ ସମାନ ନୁହେଁ ଅଥବା ସେ ଯେ ଛଳନାକାରୀ ତାହା ପ୍ରମାଣିତ କରେ ତାହାକୁ ଏଠାରେ ଉପସ୍ଥାପନ କରାଯାଇପାରେ। ଯେଉଁ ବିଷୟରେ ଅଭିଯୋଗ ହୋଇଛି ତାହାକୁ ହିଁ ଏଠାରେ ଉପସ୍ଥାପନ କରୁଛି। ୨୦୧୬-୧୭ ମସିହାରେ ଅଭିଯୋଗ ହୋଇଥିଲା ଯେ କିଟ୍ ଓ କିସ୍ ୧୮ ଏକ ଜଙ୍ଗଲ ଜମିକୁ ଦଖଲ କରି ରଖିଛି। ଅନେକ ଦିନ ଏହା ଏକ ଅଭିଯୋଗଭାବେ ନ୍ୟାସନାଲ୍ ଗ୍ରୀନ୍ ଟ୍ରିବ୍ୟୁନାଲରେ ଚାଲିଲା। ପରେ ଏନ୍ଜିଟି ରାଜ୍ୟ ସରକାରଙ୍କୁ ଆଦେଶ ଦେଇଥିଲା ଏଭଳି ବେଆଇନ ଦଖଲକୁ ଉଚ୍ଛେଦ କରିବା ଲାଗି। କିନ୍ତୁ କିଛି ପ୍ରଭାବ ପଡ଼ିନଥିଲା। ବରଂ ସେହି ଜମିରେ ଗଢ଼ି ଉଠିଛି ଖେଳପଡ଼ିଆ, ଘର ଓ ବଗିଚା।
ଏବେ କିସ୍ ଓ କିଟ୍ ୨୫ ବର୍ଗ କିଲୋମିଟର ଜମି ଉପରେ ଅବସ୍ଥିତ। ବୋଧହୁଏ ଏହା ପ୍ରଥମ ବେସରକାରୀ ସଂସ୍ଥାନ ଯାହା ପାଖରେ ଏତେ ଜମି ରହିଛି।
ଯେତେବେଳେ ରାଜ୍ୟରେ ସରକାର ପରିବର୍ତ୍ତନ ହେଲା ଡ. ଅଚ୍ୟୁତ ସାମାନ୍ତଙ୍କ କିଟ୍ ଓ କିସ୍ ୩୦ ଏକର ସରକାରୀ ଜମିକୁ ଅଧିଗ୍ରହଣ କରିଥିବା ନେଇ ସରକାର ଜାଣି ଏହାର ତଦନ୍ତ କରିବାକୁ ଆଦେଶ ଦେଲେ। ଏହି ଜମିଗୁଡ଼ିକ ଜଙ୍ଗଲ ଜମି ଏବଂ ଏଗୁଡ଼ିକୁ ନିଜ ଦଖଲକୁ ନେଇ ସାଧାରଣ ଲୋକଙ୍କ ଯିବା ଆସିବାରେ ଅସୁବିଧା ସୃଷ୍ଟି କରୁଥିବା ଅଭିଯୋଗ ହୋଇଥିଲା। ଏ ଭିତରେ ମାସ ମାସ ବିତିଗଲାଣି କିନ୍ତୁ ସେ ଆଦେଶର କୌଣସି ତଦନ୍ତ ରିପୋର୍ଟ ଏଯାଏ ଆସି ନାହିଁ। ଏହା ପ୍ରମାଣିତ କରୁଛି ଯେ ଏ ଅଭିଯୁକ୍ତ ଛଳନାକାରୀ ଭଣ୍ଡ ସନ୍ନ୍ୟାସୀଙ୍କ ପ୍ରଭାବ କେବଳ ବିଜେଡି ସରକାରରେ ନୁହେଁ ବିଜେପି ସରକାରରେ ମଧ୍ୟ ରହିଛି।
ପୂର୍ବରୁ ଜୁନ୍ ୨୦୨୪ରେ କେନ୍ଦ୍ର ଆଦିବାସୀ ମନ୍ତ୍ରାଳୟ ଜଙ୍ଗଲ ଅଧିକାର ଆଇନ ଅନୁସାରେ ୧୦ ଏକ ଜଙ୍ଗଲ ଜମିର କିସମ ପରିବର୍ତ୍ତନ ଉପରେ ରୋକ ଲଗାଇଥିଲେ।
ଇଡକୋର ୮୨ ଏକର ଜମିକୁ ବିନା କୌଣସି କାଗଜପତ୍ରରେ ଡ. ଅଚ୍ୟୁତ ସାମାନ୍ତଙ୍କ ସଂସ୍ଥା ମାଡ଼ି ବସିଥିବା ଅଭିଯୋଗ ହୋଇଛି। ଇଡକୋ ପକ୍ଷରୁ ଏହି ସଂସ୍ଥାକୁ ୭ ଏକର ଜମି ପ୍ରଦାନ କରାଯାଇଥିବାବେଳେ ଏବେ ଏ ସଂସ୍ଥା ପାଖରେ ରହିଛି ୮୯ ଏକର ଜମି। ଏହି ଜମି ଆସିଲା କେଉଁଠୁ, କେମିତି ହେଲା ଯେତିକି ପ୍ରଶ୍ନବାଚୀ ସୃଷ୍ଟି କରୁଛି ସେତିକି ମଇଳା ଏହି ବ୍ୟକ୍ତିତ୍ୱ ଉପରେ ପଡ଼ୁଛି ଯିଏ ଏହାର ପ୍ରତିଷ୍ଠାତା ବା ପୁରୋଧା।
୨୦୧୪ ମସିହାରେ ତତ୍କାଳୀନ ବିଜେପି ନେତା ବିଜୟ ମହାପାତ୍ର ମଧ୍ୟ କିଟ୍ ପକ୍ଷରୁ ୧୪ ଏକର ଜମି ବେଆଇନ ଅଧିଗ୍ରହଣ ନେଇ ସରକାରଙ୍କୁ ଆରୋପିତ କରିଥିଲେ। ଏମିତି ଅନେକ ସରକାରୀ ଜମିକୁ ସେ ନିଜେ କଳେ ବଳେ କୌଶଳେ ନୀଜ ନାଁ’କୁ ବେଆଇନଭାବେ ଆଣିବା ନେଇ ଅଭିଯୋଗ ହୋଇଛି। ପୁଣି ସାଧାରଣ ଲୋକଙ୍କ ଜମି ଜବରଦଖଲ କରିବାରେ ମଧ୍ୟ ହଟି ନାହାନ୍ତି ଅଚ୍ୟୁତ। ପ୍ରାୟ ୧ ଏକର ଜମି ଘରୋଇ ମାଲିକଙ୍କଠାରୁ ଛଡ଼ାଇ ନେଇଛି ତାଙ୍କ ସଂସ୍ଥା। ଏହା କ’ଣ ଏକ ସନ୍ନ୍ୟାସୀର ଲକ୍ଷଣ? ଖାଲି ଭୁବନେଶ୍ୱରରେ ନୁହେଁ ରାଜ୍ୟର ବିଭିନ୍ନ କୋଣରେ ଏପରି ଆଦିବାସୀଙ୍କ ସମ୍ପତ୍ତି, ଜଙ୍ଗଲ ଜମି, ସାଧାରଣ ଲୋକଙ୍କ ସମ୍ପତ୍ତିକୁ ଡ. ଅଚ୍ୟୁତ ସାମାନ୍ତ ତାଙ୍କ ସଂସ୍ଥା ମାଧ୍ୟମରେ ମାଡ଼ି ବସିବାକୁ ଉଦ୍ୟମ କରିଛନ୍ତି ଓ ଅନେକ ସମୟରେ ସଫଳ ହୋଇଥିବା ନେଇ ଅଭିଯୋଗ ହୋଇଛି।
ଏଭଳି ସନ୍ନ୍ୟାସୀଙ୍କଠାରୁ ଆହୁରି ବଳି ଯାଇଛନ୍ତି ସେହି ବିଜେଡିର ଅନ୍ୟତମ ସଦସ୍ୟ ତଥା ନବୀନ ନିବାସର ଅନ୍ତେବାସୀ ଓ ନବୀନଙ୍କ ସେବକ ଭି କାର୍ତ୍ତିକେୟନ ପାଣ୍ଡିଆନ୍। ସେ ଦଳୀୟ ବ୍ୟାପାରରୁ ଦୂରେଇ ରହିଥିବା କହୁଥିଲେ ମଧ୍ୟ ନବୀନ ଓ ତାଙ୍କ ସମ୍ପତ୍ତିକୁ ଅକ୍ତିଆର ପାଇଁ ସମସ୍ତ ପ୍ରକ୍ରିୟା ଶେଷ କରିଛନ୍ତି ବୋଲି ଦଳୀୟ ମହଲରେ ଆଲୋଚନା ହେଉଛି। ପତ୍ନୀଙ୍କୁ ବିଜେଡିର ସୁପ୍ରିମୋ କରି ପାଣ୍ଡିଆନ୍ ଦଳକୁ ଅକ୍ତିଆର କରିବାକୁ ଯାଉଥିବା ଚର୍ଚ୍ଚା ହେଉଛି।
ଖାଲି ସେତିକି ନୁହେଁ ଯେଉଁ ନବୀନ ନିବାସରେ ଖୋଦ୍ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ରହୁଛନ୍ତି ତାହାକୁ ମଧ୍ୟ ଅକ୍ତିଆର କରିବା ଲାଗି ସବୁ ଯୋଜନା ଶେଷ ହୋଇଛି ବୋଲି ଦଳୀୟ ମହଲରେ ଆଲୋଚନା ହେଉଛି। ନବୀନ ନିବାସ ଏକ ଐତିହାସିକ ଗୃହ। ଏହା ବିଜୁ ବାବୁଙ୍କ ଦ୍ୱାରା ତିଆରି ହୋଇଥିଲେ ମଧ୍ୟ ଏହାର ମାଲିକ ହେଉଛନ୍ତି ନବୀନ ପଟ୍ଟନାୟକ।
ଏ ନିବାସରେ ବିଜୁବାବୁ ରହୁଥିଲେ। ସେ ସମୟରେ ଭାରତର ଅନେକ ତୁଙ୍ଗ ନେତା ଏ ଘରକୁ ଆସୁଥିଲେ। ବିଜୁଙ୍କ ସହ ଚର୍ଚ୍ଚା ହେଉଥିଲା। ଗୁରୁତ୍ୱପୂର୍ଣ୍ଣ ରାଜନୀତିକ ନିଷ୍ପତ୍ତି ନିଆଯାଉଥିଲା ଏଠାରେ। ବିଜୁଙ୍କ ପରେ ନବୀନ ଏଠାରେ ରହିବା ଆରମ୍ଭ କଲେ ଏବଂ ଏଇଠୁ ସେ ୨୫ ବର୍ଷ ରାଜ୍ୟକୁ ଶାସନ କରିଛନ୍ତି। ଏଠାରେ ମଧ୍ୟ ଅନେକ ଜାତୀୟ ଓ ଆନ୍ତର୍ଜାତିକ ପ୍ରତିଭା, ନେତାଙ୍କ ପାଦ ପଡ଼ିଛି। ଏହା ଏକ ଐତିହ୍ୟ ସମ୍ପନ୍ନ ଗୃହ ଭାବେ ଜଣାଶୁଣା। କିନ୍ତୁ ଏହା ବ୍ୟକ୍ତିଗତ ମାଲିକାନାରେ ଥିବା ହେତୁ ପାଣ୍ଡିଆନ୍ ଏହାକୁ ଅକ୍ତିଆର କରିବାକୁ ଚେଷ୍ଟା କରୁଥିବା ନେଇ ଚର୍ଚ୍ଚା ହେଉଛି।
ଏ ଦୁଇ ବ୍ୟକ୍ତିଙ୍କ କାହାଣୀ, ଅଭିଯୋଗ ଓ ବାସ୍ତବତାକୁ ଲକ୍ଷ୍ୟ କଲେ ଏମାନେ ସନ୍ନ୍ୟାସୀ ବୋଲି କେହି କେବେ ଗ୍ରହଣ କରିବେ ନାହିଁ। ସେମାନଙ୍କୁ ଭଣ୍ଡ ବୋଲି କହିବା ସ୍ୱାଭାବିକ ହୋଇପଡ଼ିବ।
Also readhttps://purvapaksa.com/how-india-sprung-back-after-us-sanctions-27-years-ago/
