ଓଡ଼ିଶାର ଜଣେ ପ୍ରତିଷ୍ଠିତ ଶିଳ୍ପପତି ହେଉଛନ୍ତି ତାରାରଞ୍ଜନ ପଟ୍ଟନାୟକ। ପ୍ରାୟ ୪ ହଜାର କୋଟି ଟଙ୍କାର ବାର୍ଷିକ କାରବାର କରୁଥିବା ତାଙ୍କର ସାମୁଦ୍ରିକ ରପ୍ତାନୀ ଶିଳ୍ପକୁ ସେ ଗୁଜରାଟକୁ ସମ୍ପ୍ରସାରଣ କରିଛନ୍ତି। ଓଡ଼ିଶାରୁ ସାମୁଦ୍ରିକ ଉତ୍ପାଦ ରପ୍ତାନୀ କରି ନାଁ ଓ ବ୍ୟବସାୟ ଅର୍ଜନ କରିବା ପରେ ସେ ଗୁଜରାଟକୁ ବାଛିଛନ୍ତି ନ୍ୟୁ ଜେନେରେସନ୍ ଆଳୁ ଶିଳ୍ପ ପାଇଁ। ଆଉ ଏହି ଉଦ୍ୟମରେ ମେହଶଣା ଜିଲ୍ଲାରେ ଉଦ୍ଘାଟନ ହୋଇଛି ଫାଲକନ୍ ଏଗ୍ରିଫିଜ୍ କମ୍ପାନୀ। ୧୦୫୦ କୋଟି ଟଙ୍କା ଏହି ପ୍ରକଳ୍ପରେ ତାରାରଞ୍ଜନ ପଟ୍ଟନାୟକ ନିବେଶ କରିଛନ୍ତି। ଏହି ନିବେଶଦ୍ୱାରା ପ୍ରାୟ ୪ ହଜାର ଚାଷୀ ନିଯୁକ୍ତି ପାଇବାକୁ ଯାଉଛନ୍ତି। ଆଜି ଆମେ ତାଙ୍କ ସମ୍ବନ୍ଧରେ ଆଲୋଚନା କରିବାର କୌଣସି ଉଦ୍ଦେଶ୍ୟ ନାହିଁ, କିନ୍ତୁ ରାଜ୍ୟକୁ ନିବେଶ ଆକର୍ଷଣ ପାଇଁ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ମୋହନ ସରକାର ଏହାକୁ ଓଡ଼ିଶାରେ କାହିଁକି କରାଇପାରିଲେ ନାହିଁ? ରାଜ୍ୟ କାହିଁକି ଜଣେ ଓଡ଼ିଆ ଶିଳ୍ପପତିଙ୍କୁ ଓଡ଼ିଶାରେ ଆକର୍ଷିତ କରି ରଖିବାରେ ବିଫଳ ହେଲା?
ଆପଣଙ୍କ କାନକୁ ଭଲ ଶୁଭୁ ବା ନ ଶୁଭୁ କିନ୍ତୁ ଶିଳ୍ପପତି ତାରାରଞ୍ଜନ ପଟ୍ଟନାୟକ ଏହା ପ୍ରମାଣିତ କରିଛନ୍ତି। ଏହା ଓଡ଼ିଶାରେ ବିଜେପି ସରକାର ପାଇଁ ଏକ ଶକ୍ତ ଚାପୁଡ଼ା ହୋଇପାରେ। ଯେଉଁ ସରକାର ଆସିବାଠୁ ରାଜ୍ୟରେ ଅଧିକ ଶିଳ୍ପପତିଙ୍କୁ ଆକୃଷ୍ଟ କରିବା ତଥା ଗୁଜରାଟ ମଡେଲରେ ରାଜ୍ୟର ଶିଳ୍ପ ବିକାଶ ଚାହିଁଥିଲା ଆଜି ସେହି ସରକାର ରାଜ୍ୟର ଶିଳ୍ପପତିଙ୍କୁ ନିଜ ରାଜ୍ୟରେ ନିବେଶ ପାଇଁ ଆକୃଷ୍ଟ କରିବାରେ ବିଫଳ ହୋଇଛନ୍ତି। ଫଳସ୍ୱରୂପ ତାରାରଞ୍ଜନ ପଟ୍ଟନାୟକ ଓଡ଼ିଶା ଅପେକ୍ଷା ଗୁଜରାଟରେ ୧୦୫୦ କୋଟି ଟଙ୍କା ନିବେଶ କରି ୪ ହଜାର ନିଯୁକ୍ତି ସୃଷ୍ଟିରେ ସହାୟକ ହୋଇଛନ୍ତି। ଏହା କାହିଁକି?
ସରକାରଙ୍କ ପକ୍ଷରୁ ଅନେକ ସଫେଇ ଆସିପାରେ। ପ୍ରଥମ ସଫେଇ ଏହା ହୋଇପାରେ ଯେ, ତାରାରଞ୍ଜନ ପଟ୍ଟନାୟକ ଯେତେବେଳେ ଗୁଜରାଟରେ ନିବେଶ ପାଇଁ ମନବଳାଇଥିଲେ ସେତେବେଳେ ବିଜେପି ସରକାର ନ ଥିଲା। ସେ ୨୦୨୩ ମସିହା ମାର୍ଚ୍ଚ ମାସରେ ଏ ନେଇ ଗୁଜରାଟ ସରକାରଙ୍କ ସହ ବୁଝାମଣା କରିଥିଲେ। ସେତେବେଳେ ରାଜ୍ୟରେ ବିଜେଡି ସରକାର କ୍ଷମତାରେ ଥିଲେ। ବିଜେଡି ସରକାର ମଧ୍ୟ ମେକ୍ ଇନ୍ ଓଡ଼ିଶା କନ୍କ୍ଲେଭ୍ ମାଧ୍ୟମରେ ଶିଳ୍ପପତିଙ୍କୁ ଓଡ଼ିଶାକୁ ନିମନ୍ତ୍ରଣ କରୁଥିଲେ। କିନ୍ତୁ ସେତେବେଳେ ରାଜ୍ୟର ମୁଖ୍ୟ ଫୋକସ କେବଳ ଖଣି ଓ ଖଣିଜ ଭିତ୍ତିକ ଶିଳ୍ପ ଉପରେ ରହିଥିଲା, ଏବେବ ବି ତାହା ରହି ଆସିଛି।
ଦ୍ୱିତୀୟରେ କଞ୍ଚାମାଲ ପ୍ରବାହ। ଗୁଜରାଟ ଦେଶର ଆଳୁ ଉତ୍ପାଦନରେ ପ୍ରାୟ ୬.୫ ପ୍ରତିଶତ ଅବଦାନ ରକ୍ଷାକରେ। କିନ୍ତୁ ଏଠାରେ ଯେଉଁ ଆଳୁ ହୁଏ ତାହା ଓଡ଼ିଶା ପଶ୍ଚିମବଙ୍ଗ ଭଳି ରାଜ୍ୟରେ ଚାଷ ହେଉଥିବା ବିହନ ନୁହେଁ। ଏଠାରେ ସ୍ୱତନ୍ତ୍ର ‘ସନ୍ତାନା’ ବିହନର ଆଳୁ ଚାଷ ହୁଏ। ଏହି ଆଳୁ ଆମେରିକା ଓ ୟୁରୋପରେ ଫ୍ରେଞ୍ଚ ଫ୍ରାଇଜ୍ ପାଇଁ ଆବଶ୍ୟକ ଭେରାଇଟି ହୋଇଥାଏ। ଯାହାର ରଙ୍ଗ ଏବଂ ଆକାର ସୁନ୍ଦର ଫ୍ରେଞ୍ଚଫ୍ରାଇଜ୍ ତିଆରିରେ ସହାୟକ ହୋଇଥାଏ। ସେଥିଲାଗି ଏଠାରେ ହାଇଫନ୍ ଫୁଡ୍ସ, ମ୍ୟାକ୍କେନ୍ସ ଫୁଡ୍ସ ଏବଂ ଇସ୍କନ ବାଲାଜୀ ଭଳି କମ୍ପାନୀ ଏଠାରେ ଫ୍ରୋଜନ୍ ଆଳୁ ତିଆରି ଖାଦ୍ୟ ପ୍ରସ୍ତୁତି ଲାଗି କାରଖାନା ବସାଇଛନ୍ତି। ଅମୁଲ ମଧ୍ୟ ବନାସ ସମବାୟ ସଂସ୍ଥାଦ୍ୱାରା ଏହି ବ୍ୟବସାୟରେ ପ୍ରବେଶ କରିଛି। ଅର୍ଥାତ୍ କଞ୍ଚାମାଲ ମିଳୁଥିବାରୁ ବ୍ୟବସାୟିକ ସଂସ୍ଥା ଏଥିପ୍ରତି ଆଗ୍ରହ ହେଉଛନ୍ତି।
କିନ୍ତୁ ଯଦି ଗୁଜରାଟରେ ସନ୍ତାନା ଭେରାଇଟିର ବିହନ ଚାଷ କଥାକୁ ଆଲୋଚନା କରାଯାଏ ତେବେ ତାହା ଯେ ଅନେକ ପୁରୁଣା ତାହା କୁହାଯାଇନପାରେ। କାରଣ ୨୦୧୨ବେଳକୁ ଏଠାରେ ଫ୍ରେଞ୍ଚ ଫ୍ରାଇଜ୍ ପାଇଁ ଉଦ୍ଦିଷ୍ଟ ଆଳୁ କେବେ ଚାଷ ହେଉନଥିଲା। ଅର୍ଥାତ୍ ଇସ୍କନ୍ ବାଲାଜୀର ପ୍ରବେଶ ପରେ ଏଠାରେ ନୂଆ ଭେରାଇଟି ଚାଷ ହୋଇ ରପ୍ତାନୀ ଆରମ୍ଭ ହେଲା।
ଓଡ଼ିଶା ଏ କ୍ଷେତ୍ରରେ ପୂର୍ବରୁ ଅନେକ ଉଦ୍ୟମ କରିଛି। ରାଜ୍ୟକୁ ଆଳୁ କ୍ଷେତ୍ରରେ ସ୍ୱାବଲମ୍ବୀ କରିବା ପାଇଁ ପୂର୍ବରୁ ବିଜେଡି ସରକାର ଆଳୁ ମିଶନ ଚଳାଇଥିଲେ। କିନ୍ତୁ ବିହନ ଯୋଗାଣରେ ଦୁର୍ନୀତି, ଶୀତଳ ଭଣ୍ଡାର ସ୍ଥାପନରେ ଅବହେଳା ଯୋଗୁ ଏ ମିଶନ ବିଫଳ ହୋଇଥିଲା। ଅର୍ଥାତ୍ ରାଜ୍ୟର ଘରୋଇ ଆଳୁ ଚାହିଦା ମେଣ୍ଟାଇବା ଲାଗି ପଶ୍ଚିମବଙ୍ଗର ଆଳୁଚାଷୀଙ୍କ ଉପରେ ନିର୍ଭର କରିବାକୁ ବାଧ୍ୟ ହେଲା ଓଡ଼ିଶା। ପ୍ରତିବର୍ଷ ଆଳୁ ଅମଳ ସମୟରେ ପଶ୍ଚିମବଙ୍ଗର ଜୁଲମ ସେଥିଲାଗି ସହ୍ୟ କରିବାକୁ ବାଧ୍ୟ ହୋଇଛନ୍ତି ଓଡ଼ିଶାବାସୀ।
ନୂଆ ସରକାର ଆସିବା ପରେ ମଧ୍ୟ ସ୍ଥିତି ଯଥାପୂର୍ବଂ ତଥା ପରଂ ହୋଇ ରହିଛି। ନା ରାଜ୍ୟ ନିଜ ଆବଶ୍ୟକତା ଅନୁସାରେ ଆଳୁ ଅମଳ କରିପାରୁଛି ନା ଚାଷୀଙ୍କ ଆତ୍ମବିଶ୍ୱାସ ବଢ଼ାଇବାରେ ସଫଳ ହୋଇପାରୁଛି। କିନ୍ତୁ ଆଳୁ ପାଇଁ ଟିଏମ୍ସି-ବିଜେପି କଳି ଲାଗିବା ଦେଖୁଛି ଓଡ଼ିଶା।
ଯେଉଁ ଭେରାଇଟି ଆଳୁ ବିହନ ଅର୍ଥାତ୍ ‘ସନ୍ତାନା’ ଆଳୁ କଥା କୁହାଯାଉଛି ତାହା ଯେ ଓଡ଼ିଶାରେ ହୋଇପାରିବ ନାହିଁ ତାହା ନୁହେଁ। କୃଷିବିଜ୍ଞାନୀଙ୍କ ଅନୁସାରେ ଓଡ଼ିଶାରେ ଆଳୁ ଚାଷ ପାଇଁ ପର୍ଯ୍ୟାପ୍ତ ସୁଯୋଗ କରିଛି। ଓଡ଼ିଶାର ମାଟି ଓ ଜଳବାୟୁ ଏଭଳି ଚାଷ ପାଇଁ ସୁଯୋଗ ସୃଷ୍ଟି କରିପାରେ। ଏହି ସୁଯୋଗକୁ ପୁଞ୍ଜିରେ ପରିଣତ କରିବା ପାଇଁ ଆବଶ୍ୟକ ସରକାରୀ ଉଦ୍ୟମ ଓ ଉଦ୍ୟୋଗୀଙ୍କ ନିବେଶ। ଯେଉଁଥିରେ ମୋହନ ସରକାର ଫେଲ୍ ମାରିଛନ୍ତି ତାହା ଜଳଜଳ ହୋଇ ଦିଶୁଛି।
ବ୍ୟବସାୟୀ ନିବେଶ କରିବା ପଛରେ ଆଉ ଏକ କାରଣ ଥାଏ। ତାହା ହେଉଛି ଆପଣଙ୍କ ଉତ୍ପାଦର ଗ୍ରାହକ। ଗୁଜରାଟ କଥାକୁ ବିଚାରକୁ ନେଲେ ସେଠାରେ ବି ବଜାର ଅନେକ ପୁରୁଣା ନୁହେଁ। ମାତ୍ର ଦୁଇ ଦଶନ୍ଧି ଭିତରେ ଗୁଜରାଟରେ ଏହି ନିର୍ଦ୍ଦିଷ୍ଟ ବନସକାଠା ଅଞ୍ଚଳ ୨୦ରୁ ୨୫ ମିଲିୟନ ଆମେରିକୀୟ ଡଲାରର ରପ୍ତାନୀ କରିଛି। ୨୦୦୭ରେ ସମୁଦାୟ ଗୁଜରାଟ ୬୦୦୦ ମେଟ୍ରିକ୍ ଟନ୍ ଫ୍ରେଞ୍ଚ ଫ୍ରାଇଜ୍ ରପ୍ତାନୀ କରୁଥିଲା। ୨୦୨୩ରେ ଏହି ରପ୍ତାନୀ ୩୦ ହଜାର ମେଟ୍ରିକ୍ ଟନ୍ ରହିଥିବା ଜଣାପଡ଼ିଛି। ଏଣୁ ଓଡ଼ିଶାରେ ଯଦି ଏ ଉଦ୍ୟୋଗ ହେଇଥାଆନ୍ତା ତେବେ ରାଜ୍ୟ ଏକ ନୂଆ ଶିଳ୍ପରେ ପାଦ ରଖିଥାନ୍ତା। ରାଜ୍ୟରେ ନିଯୁକ୍ତି, ଉଦ୍ୟୋଗ ସୃଷ୍ଟି ହୋଇଥାଆନ୍ତା। ରାଜ୍ୟ ଖଣିଜ ଶିଳ୍ପରୁ କୃଷିଭିତ୍ତିକ ଶିଳ୍ପଆଡ଼କୁ ବାଟ କାଢ଼ିଥାଆନ୍ତା। କିନ୍ତୁ ତାହା ହୋଇପାରିଲା ନାହିଁ।
ଏଠି ଆଉ ଗୋଟିଏ ପ୍ରଶ୍ନ ଆପଣଙ୍କ ମନକୁ ଆସିପାରେ। ଯଦି ଆଳୁ ଉତ୍ପାଦନ ହେଉ ନାହିଁ ତେବେ କ’ଣ ଗୋଟିଏ ଶିଳ୍ପ ଆଳୁ ଆମଦାନୀ କରି ଏ ଶିଳ୍ପ ଚଳାଇପାରିବ? ଉତ୍ତର ଏକ ଦ୍ୱନ୍ଦ୍ୱ ସୃଷ୍ଟି କରିପାରେ। କିନ୍ତୁ ମନେରଖିବାକୁ ପଡ଼ିବ ଯେ, ଗୁଜରାଟରେ ଯେତେବେଳେ ଫ୍ରେଞ୍ଚ ଫ୍ରାଇଜ୍ ଶିଳ୍ପ ଆରମ୍ଭ ହେଲା ସେତେବେଳେ ସେଠାରେ ପଞ୍ଜାବ, ହରିୟାଣା ପ୍ରଭୃତି ରାଜ୍ୟରୁ ବିହନ ଆଣି ଚାଷ ହେଲା। ଅର୍ଥାତ୍ ଯେଉଁ ଆଳୁ ଏହି ଶିଳ୍ପ ପାଇଁ ଆବଶ୍ୟକ ତାହାକୁ ଚାଷ କରିବା ଏହି କମ୍ପାନୀମାନେ ହିଁ ଶିଖାଇଲେ। ସେମାନେ ଚାଷୀଙ୍କ ସହ ଏ ବାବଦରେ ଚୁକ୍ତି କଲେ। ତାଙ୍କ ଜମିରେ ଆଳୁ ଯାହା ଉତ୍ପାଦନ ହେବ ତାହାକୁ ସମ୍ପୂର୍ଣ୍ଣ କିଣିବା ଏବଂ ଫସଲ ନଷ୍ଟ ହେଲେ ତାହାକୁ ଭରଣା କରିବାର ପ୍ରତିଶ୍ରୁତି ଦେଲେ। ଫଳରେ ଚାଷୀଙ୍କ ମନରେ ଆତ୍ମବିଶ୍ୱାସ ଆସିଲା ଆଉ ଲୋକେ ପାରମ୍ପରିକ ଚାଷରୁ ବାହାରି ଆବଶ୍ୟକ ଆଳୁ ଉତ୍ପାଦନ କଲେ। ଏବେ ପ୍ରାୟ ଦେଢ଼ ଲକ୍ଷ ହେକ୍ଟର ଜମିରେ ଆଳୁ ଚାଷ ହେଉଛି। କେବଳ ବନସକାଠା ବର୍ଷକୁ ପ୍ରାୟ ୧୬ ଲକ୍ଷ ମେଟ୍ରିକ୍ ଟନ୍ ଆଳୁ ଉତ୍ପାଦନ କରୁଛି। ଯେଉଁ ଅଞ୍ଚଳରେ କୌଣସି ଶିଳ୍ପ ସ୍ୱପ୍ନ ଥିଲା ତାହା ଏବେ ଦୁଗ୍ଧଜାତ ଶିଳ୍ପ ଏବଂ ଆଳୁ ଶିଳ୍ପ ପାଇଁ ବିଶ୍ୱବିଖ୍ୟାତ ହୋଇପାରିଛି।
ଆଜି ଏ ବିଷୟକୁ ଉଲ୍ଲେଖ କରିବାର ଉଦ୍ଦେଶ୍ୟ ଗୁଜରାଟ ଓ ଓଡ଼ିଶା ଭିତରେ ତୁଳନା ପାଇଁ ଉଦ୍ଦିଷ୍ଟ ନୁହେଁ। କିନ୍ତୁ ଯେଉଁ ଗୁଜରାଟ ମଡେଲକୁ ରାଜ୍ୟ ସରକାର ଅନୁକରଣ କରୁଛନ୍ତି ବୋଲି କହୁଛନ୍ତି ତାହା କେବଳ ସରକାରରେ ଦୁର୍ନୀତି, ତୋଷାରପାତ ପାଇଁ ପ୍ରୟୋଗ କରାନଯାଉ। କେବଳ ଗୁଜରାଟର ଠିକାଦାରଙ୍କୁ କାମ ଦେବାରେ ସୀମିତ ନ ରହୁ। ବରଂ ଓଡ଼ିଶାକୁ ନିଯୁକ୍ତି ଓ ଶିଳ୍ପର ମୂଳକେନ୍ଦ୍ରଭାବେ ଗ୍ରହଣ କରି ଗ୍ରାମାଞ୍ଚଳ କାରଖାନା ସୃଷ୍ଟିରେ ଧ୍ୟାନ ଦିଆଯାଉ। ଏ ରାଜ୍ୟରେ ଯେତିକି ବନ୍ଦର ରହିଛି ତାହା ବିଦେଶକୁ ରପ୍ତାନୀ କରିବାରେ ଆମକୁ ସହାୟକ ହୋଇଥାଏ। କିନ୍ତୁ ଏଠାରୁ ଯଦି ଉତ୍ପାଦନ ନ ହେବ ତେବେ କ’ଣ କେବଳ ଖଣିଜ ରପ୍ତାନୀରେ ଆମ ବନ୍ଦରସବୁ ସୀମିତ ରହିବେ?
ସବୁଠାରୁ ଚିନ୍ତାଜନକ ଦିଗଟି ହେଉଛି, ରାଜ୍ୟରେ ଶିଳ୍ପକୁ ପ୍ରୋତ୍ସାହନ ଦେବା ପାଇଁ ଯେଉଁ ଇଡକୋ ରହିଛି ତାହାର ମୁଖିଆଙ୍କ ନାମରେ ଦୁର୍ନୀତି ଅଭିଯୋଗ ଆସିଛି। ହାତଗୁଞ୍ଜା ନ ଦେଲେ କୌଣସି କାମ ହେଉନାହିଁ। ଏହାର ସିଏମଡି ଦାୟିତ୍ୱରେ ଥିବା ଅଧିକାରୀଙ୍କୁ କୁଆଡ଼େ ଓଡ଼ିଆ ଶିଳ୍ପପତିମାନେ ଗନ୍ଧାଉଛନ୍ତି। ତେଣୁ ସେ ଅଣଓଡ଼ିଆ ଶିଳ୍ପପତିଙ୍କୁ ଗୁରୁତ୍ୱ ଦିଅନ୍ତି। ଏହା ପଛରେ ବ୍ୟାପକ ଦୁର୍ନୀତି କାରବାର ମୁଖ୍ୟ ଉଦ୍ଦେଶ୍ୟ ବୋଲି ପାୱାର କରିଡରରେ ଆଲୋଚନା ହେଉଛି। ଯଦି ମୋହନ ସରକାର ଏଭଳି ଅଧିକାରୀଙ୍କୁ ଦାୟିତ୍ୱରେ ରଖନ୍ତି ତେବେ ଓଡ଼ିଆ ଶିଳ୍ପପତିମାନେ ଗୁଜୁରାଟ ଭଳି ରାଜ୍ୟକୁ ଯିବା ପାଇଁ ବାଧ୍ୟ ହେବେ।