ରାଜ୍ୟର ସର୍ବବୃହତ୍ ଆଞ୍ଚଳିକ ଦଳ ବିଜୁ ଜନତା ଦଳ ଉପରୁ କ୍ରମଶଃ ଦ୍ୱିତୀୟ ପିଢ଼ିର ନେତା ଆସ୍ଥା ହରାଉଛନ୍ତି। ଏହାର ଅନେକ ଉଦାହରଣ ରହିଛି। ସଦ୍ୟତମ ଉଦାହରଣ ହେଉଛନ୍ତି ଦଳର ବରିଷ୍ଠ ନେତା ପ୍ରଫୁଲ୍ଲ ସାମଲଙ୍କ ପୁଅ ପ୍ରୟାସକାନ୍ତି ସାମଲ। ପ୍ରୟାସକାନ୍ତି ଦଳର ପ୍ରାଥମିକ ସଦସ୍ୟପଦରୁ ଗତକାଲି ଇସ୍ତଫା ଦେଇଛନ୍ତି। ଏହା ପୂର୍ବରୁ ନିକଟରେ ଦଳର ଗଠନ ହୋଇଥିବା ସାଂଗଠନିକ କମିଟିରେ ଯୁବବର୍ଗଙ୍କୁ ଧ୍ୟାନ ଦିଆନଯିବାକୁ ନେଇ ବରିଷ୍ଠ ନେତାଙ୍କ ପୁଅମାନେ ବିଶେଷ କ୍ଷତିଗ୍ରସ୍ତ ହୋଇଥିବା ସ୍ପଷ୍ଟ ହୋଇଛି। ଏମାନଙ୍କ ଭିତରକୁ କିଛି ବିଧାୟକ ଥିବାରୁ ମୁହଁ ଖୋଲୁ ନାହାନ୍ତି ଆଉ ଯାହାଙ୍କ ବାପାମାନେ ମୁହଁ ଖୋଲୁଛନ୍ତି ତାଙ୍କ ପୁଅଙ୍କୁ ବିକଳ୍ପ ଖୋଜିବାକୁ ଦଳ ପକ୍ଷରୁ ଇଙ୍ଗିତ କରାଯାଉଛି। ଏହି ବିଷୟକୁ ନେଇ ଆଜିର ଆଲୋଚନା।
ରାଜ୍ୟରେ ନିରନ୍ତରଭାବେ ୨୪ ବର୍ଷର ଶାସନ କରିଥିବା ଏକମାତ୍ର ଦଳ ବିଜେଡିର ଭବିଷ୍ୟତ କ’ଣ ହେବ? ଏ ପ୍ରଶ୍ନ ପଚାରିବା ପଛରେ ଦୁଇଟି କାରଣ ରହିଛି। ଗୋଟିଏ ହେଉଛି ଦଳକୁ ସମ୍ଭାଳିବାରେ ପ୍ରତିଷ୍ଠାତା ସଭାପତି ନବୀନ ପଟ୍ଟନାୟକଙ୍କ ଅସମର୍ଥତା, ଯାହା ଅନେକଥର ପ୍ରକାଶିତ, ଆଲୋଚିତ ଓ ସମାଲୋଚିତ। ଏଥିରେ ତାଙ୍କର ଅନିଚ୍ଛା ରହିପାରେ ଅବା ତାଙ୍କ ସ୍ୱାସ୍ଥ୍ୟଗତ କାରଣ ତାହା ଏଠାରେ ଆଉ ଆଲୋଚନାର ବିଷୟ ନୁହେଁ।
ଦ୍ୱିତୀୟ କାରଣଟି ହେଉଛି ଯୁବାବର୍ଗ ବିଶେଷ କରି ନେତାମାନଙ୍କର ପରବର୍ତ୍ତୀ ପିଢ଼ିକୁ ଅଣଦେଖା। ଏଥିନେଇ ବାରମ୍ବାର ବିଭିନ୍ନ କୋଣ ଅନୁକୋଣରେ ଏହି ପିଢ଼ିର ପ୍ରତିଷ୍ଠିତ ନେତାମାନେ ସଂଗଠନକୁ ବାଇପାସ କରି ବୈଠକ କରିଛନ୍ତି। ସଭାପତିଙ୍କୁ ଭେଟିଛନ୍ତି ଏବଂ ନିଜର ଅଭିମାନକୁ ଗଣମାଧ୍ୟମରେ ବୟାନ କରିଛନ୍ତି।
ଏ ଦୁଇ କାରଣ ପଛରେ ଜଣେ ବ୍ୟକ୍ତି ହିଁ କେନ୍ଦ୍ରବିନ୍ଦୁ ବୋଲି ଗ୍ରହଣ କରାଯାଇପାରେ। ସେ ହେଉଛନ୍ତି ନବୀନଙ୍କ ପ୍ରିୟ ନେତା ତଥା ତାଙ୍କ ସରକାରୀ କାର୍ଯ୍ୟାଳୟର ବ୍ଲୁଆଇଡ୍ ପୂର୍ବତନ ଆଇଏଏସ୍ ଅଧିକାରୀ ଭୈରବ କାର୍ତ୍ତିକେୟନ ପାଣ୍ଡିଆନ୍। ଏବେ ପାଣ୍ଡିଆନ୍ ଆଉ ଅଧିକାରୀ ନାହାନ୍ତି କି ନବୀନ ମୁଖ୍ୟମନ୍ତ୍ରୀ ନାହାନ୍ତି। ତଥାପି ନବୀନଙ୍କର ତାଙ୍କ ଉପରେ ପ୍ରଗାଢ଼ ଆସ୍ଥା ଓ ବିଶ୍ୱାସ। ଯେତେବଳେ ବି କିଏ ତାଙ୍କ ବିରୁଦ୍ଧରେ ଅଭିଯୋଗ ଆଣିଛି ନବୀନ ତାହାକୁ ଖଣ୍ଡନ କରିବା ସହିତ ପ୍ରଶଂସା କରିଛନ୍ତି। କୁହାଯାଏ ନବୀନଙ୍କୁ ସେ ଏବେ ବି ନିୟନ୍ତ୍ରଣ କରୁଛନ୍ତି। ଦଳର ଚାଲିଚଳନକୁ ସେ ହିଁ ସ୍ଥିର କରୁଛନ୍ତି କିନ୍ତୁ ପରଦା ପଛରେ।
ପରଦା ଆଗକୁ କାହିଁକି ଆସୁ ନାହାନ୍ତି ତାହା ଆପଣ ଜାଣିଛନ୍ତି। ଯେମିତି ସୋନିଆ ଗାନ୍ଧିଙ୍କ ଉପରେ ପରଦେଶୀ ଟ୍ୟାଗ୍ ଲାଗିଥିଲା ସେମିତି ପାଣ୍ଡିଆନ୍ଙ୍କ ମଥାରେ ଅଣଓଡ଼ିଆ ଟିକା ଲାଗିଛି ଯାହା ବିଜେଡିର ଭୋଟ୍ ବିଭାଜନ କରୁଛି। ଏହା ୨୦୨୪ ନିର୍ବାଚନରେ ସ୍ପଷ୍ଟ ହୋଇଛି। ଆଉ ଏ ବିଷୟରେ କହିବାର ଆବଶ୍ୟକତା ନାହିଁ।
ଏବେ ଆସିବା ମୂଳ ପ୍ରସଙ୍ଗକୁ। ଦ୍ୱିତୀୟ ପିଢ଼ି କହିଲେ ମୁଁ ଏଠାରେ ନେତାଜୀଙ୍କ ପୁଅମାନଙ୍କ କଥା କହୁଛି। ଯେଉଁଘରେ ପୂର୍ବରୁ ଖ୍ୟାତନାମା ନେତା ଓ ମନ୍ତ୍ରୀମାନେ ଥିଲେ ତାଙ୍କ ପୁଅମାନେ କ’ଣ କରିବେ? ଭାରତୀୟ ଗଣତନ୍ତ୍ରରେ ତାଙ୍କ ପାଇଁ କୌଣସି ଆରକ୍ଷଣ ନାହିଁ। କିନ୍ତୁ ରାଜା ମହାରାଜାଙ୍କ ପୁଅ, ଝିଅ, ବଂଶଜମାନଙ୍କ ସହକର୍ମୀ ତଥା ସମ୍ପୃକ୍ତ ଅଞ୍ଚଳର ନିବାସୀଙ୍କ ଯେମତି ଏକ ପିଢ଼ି ପରେ ପିଢ଼ି ଆବେଗ ଯୋଡ଼ି ହୋଇ ରହିଛି ବୋଲି କୁହାଯାଏ। ତାଙ୍କୁ ଟିକଟ ଦେବାକୁ ବଡ଼ ବଡ଼ ନେତାମାନେ ଆଗଭର ହୋଇଥାଆନ୍ତି ସେହିପରି ବର୍ତ୍ତମାନ ସମୟରେ ଏହି ନେତାଙ୍କ ପୁଅମାନେ ବି ଲୋକଙ୍କ ପାଖରେ ପରିଚିତ ଚେହେରା ହୋଇ ରହିଛନ୍ତି।
ମୁଁ ଏଠାରେ କିଛି ନାଁକୁ ଆପଣଙ୍କ ପାଖରେ ଆଲୋଚନା କରିବାକୁ ଯାଉଛି। ସେମାନେ ହେଲେ ଡା. ଦାମୋଦର ରାଉତଙ୍କ ପୁଅ ସମ୍ବିତ ରାଉତରାୟ। ବିଜୟଶ୍ରୀ ରାଉତରାୟଙ୍କ ପୁଅ ବିଷ୍ଣୁବ୍ରତ ରାଉତ, ପ୍ରଦୀପ ମହାରଥିଙ୍କ ପୁଅ ରୁଦ୍ର ପ୍ରତାପ ମହାରଥୀ, ପ୍ରଭାତ ତ୍ରିପାଠୀଙ୍କ ପୁଅ ଦେବୀରଞ୍ଜନ ତ୍ରିପାଠୀ, ପ୍ରଭାତ ବିଶ୍ୱାଳଙ୍କ ପୁଅ ସୌଭିକ ବିଶ୍ୱାଳ, ପ୍ରଫୁଲ୍ଲ ଘଡ଼ାଇଙ୍କ ପୁଅ ପ୍ରିତୀରଞ୍ଜନ ଘଡ଼ାଇ, କଳ୍ପତରୁ ଦାସଙ୍କ ପୁଅ ପ୍ରଣବ ବଳବନ୍ତରାୟ, କାଳନ୍ଦୀ ବେହେରାଙ୍କ ପୁଅ ଚନ୍ଦ୍ର ସାରଥୀ ବେହେରା, ଆନନ୍ଦ ଆଚାର୍ଯ୍ୟଙ୍କ ପୁଅ ଦେବେଶ ଆଚାର୍ଯ୍ୟ, ନବ ଦାସଙ୍କ ଝିଅ ଦିପାଳୀ ଦାସ। ଖାଲି ଯେ ଏହି ୧୦ଜଣ ରହିଛନ୍ତି ତାହା ନୁହେଁ, ଏମିତି ଅନେକ ନାଁ ରହିଛି କିନ୍ତୁ ଏମାନଙ୍କ ବାବଦରେ ଚର୍ଚ୍ଚା କରିବା ଲାଗି ଆଜିର ଏ ବିଷୟ ଉପଯୁକ୍ତ ପ୍ଲାଟଫର୍ମ।
ଏହି ନେତାମାନଙ୍କ ଭିତରୁ ଅନେକ ଏକାଠି ବା ଅଲଗା ଅଲଗା ଗୋଷ୍ଠୀରେ ନିକଟ ଅତୀତରେ ୪ଥର ଏକାଠି ହୋଇଛନ୍ତି। ୨ଥର ହୋଟେଲରେ। ଥରେ ଦେବାଶୀଷ ସାମନ୍ତରାୟଙ୍କ ଘରେ। ଆଉଥରେ ନବୀନ ନିବାସରେ ଡକାରା ପାଇ ଯାଇଥିଲେ। ଏହା ବାଦ୍ ଅନେକଥର ସେମାନେ ଏକାଠି ହୋଇଥାଇପାରନ୍ତି କିନ୍ତୁ ଏହି ୪ଥର ଚର୍ଚ୍ଚା ହେବାର କାରଣ ହେଉଛି ସେମାନଙ୍କ ଭିତରେ ଥିବା ଅସନ୍ତୋଷ। ବିଜେଡିରେ ଆଉ ତାଙ୍କ ଭବିଷ୍ୟତ ଅଛି ନା ନାହିଁ ତାହାର ସନ୍ଦେହ ଏବେ ଚରମରେ ପହଞ୍ଚିଛି।
ନିକଟରେ ସମ୍ବିତ ରାଉତରାୟ ତାଙ୍କ ବାପାଙ୍କ ପ୍ରତି ଦଳ ଅନ୍ୟାୟ କରିଥିବା ନେଇ ନିଜ ବୟାନ ଦେଇଛନ୍ତି। ତାଙ୍କ ବାପା ଡା. ଦାମୋଦର ରାଉତ ବିଜୁ ବାବୁଙ୍କ ଜଣେ ରାଜନୀତିକ ଭକ୍ତ ବୋଲି କହିପାରନ୍ତି। ତାଙ୍କ ସମୟରେ ସେ ରାଜନୀତିକୁ ଆସିଥିଲେ ଓ ରାଜ୍ୟର ମନ୍ତ୍ରୀ ଭାର ଗ୍ରହଣ କରିଥିଲେ। ନିଜର ସ୍ପଷ୍ଟ ରାଜନୀତିକ ବୟାନ ପାଇଁ ଜଣାଯାଉଥିବା ଦାମୋଦରଙ୍କୁ ଦଳ ପୂର୍ବରୁ ନିଲମ୍ବନ କରିଛି, ପୁଣି ଅନ୍ତର୍ଭୁକ୍ତ କରିଛି, ପରେ ଅପମାନିତ କରିଥିବା ଅଭିଯୋଗ ହୋଇଛି।
ସେହିପରି ବିଧାୟକ ଦେବୀ ରଞ୍ଜନଙ୍କ ବାପା ପ୍ରଭାତ ତ୍ରିପାଠୀ ମଧ୍ୟ ବିଜେଡିର ପ୍ରତିଷ୍ଠାତା ସଦସ୍ୟ। ହେଲେ ତାଙ୍କୁ ଏବେ ସଭାପତି ଦଳରୁ ବାହାର କରି ଦେଇଛନ୍ତି ବୋଲି ପ୍ରକାଶ କରିଛନ୍ତି। ଚନ୍ଦ୍ର ସାରଥୀ ବେହେରାଙ୍କୁ ମଧ୍ୟ ବିଜେଡି ଆଉ ଧ୍ୟାନ ଦେଉ ନାହିଁ ବୋଲି ଅଭିଯୋଗ ହୋଇଛି। ପ୍ରଭାତ ବିଶ୍ୱାଳ କଟକ ସଦରରେ ଅନେକ ଥର ପ୍ରଶାସନକୁ ନେଇ ଅଙ୍ଗୁଳି ଦେଖାଇଛନ୍ତି। ଏପରିକି ଜବରଦସ୍ତ ସେ ପୁଅ ପାଇଁ ଟିକଟ ସଂଗ୍ରହ କରିଥିବା ମଧ୍ୟ କୁହାଯାଏ। ଏବେ କିନ୍ତୁ ସେ ଦଳ ପାଇଁ ଅଲୋଡ଼ା। ସେମିତି ଅଲୋଡ଼ା ହୋଇଥିବା ନେତାଙ୍କ ବର୍ଗରେ ରୁଦ୍ର ମହାରଥୀ, ଜିତୁ ବଳବନ୍ତରାୟ ଓ ଡ୍ୟାନି ଘଡ଼େଇ ବି ଆସୁଛନ୍ତି। କିନ୍ତୁ ସେମାନେ ଦି’ ନାରେ ଗୋଡ଼ ଦେଇ ସ୍ଥିର ପାଣି ଖୋଜୁଛନ୍ତି।
ଏହି ନେତାମାନଙ୍କ ଭିତରୁ ଅନେକଙ୍କୁ ଦଳ ଏବେ କୌଣସି ସାଂଗଠନିକ କାର୍ଯ୍ୟରେ ଅନ୍ତର୍ଭୁକ୍ତ କରିନାହିଁ। ଏପରିକି ତାଙ୍କ ବିକଳ୍ପ ଖୋଜିବା ପାଇଁ ସମ୍ପୃକ୍ତ ନିର୍ବାଚନମଣ୍ଡଳୀଗୁଡ଼ିକରେ ନୂଆ ନେତା ଖୋଜା ବି ଆରମ୍ଭ ହୋଇଛି। ଏଭଳି ପରିସ୍ଥିତିରେ ଯୁବ ନେତାଏଁ ଆଉ ଆସ୍ଥା ରକ୍ଷା କରିପାରୁ ନାହାନ୍ତି ଦଳର ନେତାଙ୍କ ଉପରେ। ଏଣୁ ଉପଯୁକ୍ତ ସମୟ ଓ ସୁଯୋଗକୁ ଅପେକ୍ଷା କରାଯାଇଛି। ଏମାନେ କୌଣସି ମୁହୁର୍ତ୍ତରେ ବି ଦଳରୁ ଡିଆଁ ମାରି ପାରନ୍ତି।
ଏବେ ଏହି ଡିଆଁ ମାରିବା ପର୍ଯ୍ୟାୟରେ ଯୋଡ଼ି ହୋଇଛନ୍ତି ଚର୍ଚ୍ଚାରେ ନ ଥିବା ଆଉ ଜଣେ ନେତା। ସେ ହେଉଛନ୍ତି ପ୍ରୟାସକାନ୍ତି ସାମଲ। ପୂର୍ବତନ ମନ୍ତ୍ରୀ ତଥା ୬ଥର ବିଧାୟକ ହୋଇଥିବା ପ୍ରଫୁଲ୍ଲ ସାମଲଙ୍କ ପୁଅ ସିଏ। ସେ ଏହି ଯୁବନେତାଙ୍କ ମେଳିରେ କେବେ ନ ଥିଲେ। କିନ୍ତୁ ସଂଗଠନର ଜଣେ ସମ୍ପାଦକଭାବେ ଦଳରେ କାର୍ଯ୍ୟ କରୁଥିଲେ। ହେଲେ ନବ ଘୋଷିତ ଟିମରେ ସେ ନାହାନ୍ତି। କୁହାଯାଉଛି ତାଙ୍କ ବାପା ପ୍ରଫୁଲ୍ଲ ଗତ କିଛିଦିନ ତଳେ ପାଣ୍ଡିଆନ ତନ୍ତ୍ର ବିଷୟରେ ଓଲଟା ମନ୍ତବ୍ୟ ରଖିଥିଲେ। ଯାହା ପରୋକ୍ଷରେ ପାଣ୍ଡିଆନ୍ଙ୍କ ଶାସନକୁ ସମାଲୋଚନା କରିଥିଲା। ସେଥିଲାଗି ତାଙ୍କ ପୁଅଙ୍କୁ ଶାସ୍ତି ମିଳିଛି। ଏଣୁ ବାପାଙ୍କ ଉପସ୍ଥିତିରେ ପୁଅ ଦଳ ଛାଡ଼ି ଏବେ ବିଜେପି ମୁହାଁ ହୋଇଥିବା ଆଲୋଚନା ହେଉଛି।
ଯେହେତୁ ଭଦ୍ରକ ଜିଲ୍ଲାର ୬ ବିଧାନସଭା ନିର୍ବାଚନମଣ୍ଡଳୀରେ ମାତ୍ର ଦୁଇଟି ଆସନରେ ବିଜେପି ପ୍ରାର୍ଥୀ ନିର୍ବାଚିତ ହେଉଛନ୍ତି ଏବଂ ୨ଟି ଆସନରେ ବିଜେଡି ପ୍ରାର୍ଥୀ ନିର୍ବାଚିତ ହୋଛନ୍ତି, ଏଠାରେ ବିଜେଡି ହେଉଛି ବିଜେପିର ମୁଖ୍ୟ ପ୍ରତିଦ୍ୱନ୍ଦ୍ୱୀ। ଏଣୁ ବିଜେଡିର ଗଡ଼ ଭାଙ୍ଗିବାକୁ ବିଜେପି ଚେଷ୍ଟା କରିବା ସ୍ୱାଭାବିକ। ପୁଣି ଏ ହି ଜିଲ୍ଲା ହେଉଛି ବିଜେପି ସଭାପତିଙ୍କ ଜିଲ୍ଲା ଆଉ ସେ ହେଉଛନ୍ତି ୨୦୨୪ର ପରାଜିତ ପ୍ରାର୍ଥୀ। ଅର୍ଥାତ୍ ଏ ଜିଲ୍ଲାରେ ସଂଗଠନ ମଜଭୁତ କରିବା ପାଇଁ ବିଜେଡି ଫାଟର ସୁଯୋଗ ନେବାକୁ ମନମୋହନ ଚାହିଁପାରନ୍ତି।
ଠିକ୍ ସେହିପରି ଯାଜପୁରରେ ହ୍ୟାନି ଘଡ଼େଇଙ୍କ କଥା। ଅସନ୍ତୁଷ୍ଟ ଡ୍ୟାନିଙ୍କ ମାମୁ ହେଉଛନ୍ତି ମନମୋହନ। ସେ ମାମୁଙ୍କ ଛାଇରେ ଆଗକୁ କିଛିଦିନ ନିଜ ଭାଗ୍ୟକୁ ପରୀକ୍ଷା କରିବାକୁ ଚାହୁଁଥିବା ସୂଚନା ମିଳିଛି। ହେଲେ ପୂର୍ବତନ ମନ୍ତ୍ରୀ ପ୍ରଫୁଲ୍ଲଙ୍କ ଭଳି ବେଶ୍ ଚତୁର ହେଉଛନ୍ତି ତାଙ୍କ ପୁଅ ଡ୍ୟାନି। ଏଣୁ ଆଗକୁ କି ପଦକ୍ଷେପ ସେ ନେବେ ତାହାକୁ ଅପେକ୍ଷା କରିବା।
ହେଲେ ଏ ବିଷୟରୁ ସ୍ପଷ୍ଟ ଯେ, ବିଜେଡିର ଅସନ୍ତୁଷ୍ଟ ଯୁବ ନେତା ଏବେ କୌଣସି ମୁହୂର୍ତ୍ତରେ ଦଳ ଛାଡ଼ିବାକୁ ପ୍ରସ୍ତୁତ। ଆଉ ଏହାର ବାଟ ଖୋଲିଛନ୍ତି ପ୍ରୟାସକାନ୍ତି। ଏଣୁ ଭଲ ସମୟ ଓ ସୁବିଧା ଦେଖି ବିଜେଡିର ଅଘୋଷିତ ନେତୃତ୍ୱ ଯଦି ଠିକଣା ଶାନ୍ତି ସ୍ଥାପନ ନ କରନ୍ତି ତେବେ ଆଗକୁ ଦଳରେ ଲିଗାସୀ ରାଜନୀତି କରିବାକୁ ନେତା ନ ଥିବେ!
Also readhttps://purvapaksa.com/mohan-majhis-bjd-government/