ଗୋଟିଏ ପ୍ରସଙ୍ଗ, ଯାହା ଓଡ଼ିଶାର ଶିକ୍ଷା ଓ ପ୍ରଶାସନିକ ବ୍ୟବସ୍ଥାକୁ ସମ୍ପୂର୍ଣ୍ଣରୂପେ ବଦଳାଇ ଦେବାକୁ ଯାଉଛି। କେବଳ ସେତିକି ନୁହେଁ ରାଜ୍ୟର ମେଧାବୀ ଛାତ୍ରମାନଙ୍କୁ ବଳି ପକାଇବା ପାଇଁ ୪ଜଣ ଚଷା ନେତା ଯେଉଁ ଚକ୍ରାନ୍ତ ଆରମ୍ଭ କରିଛନ୍ତି ସେଥିରେ ମୋହନ ସରକାର ମୋହରା ପାଲଟି ଯାଇଛନ୍ତି। ଓଡ଼ିଶା ସରକାର ନିକଟରେ ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି—ଉଚ୍ଚ ଶିକ୍ଷା କ୍ଷେତ୍ରରେ ସଂରକ୍ଷଣର ସୀମାକୁ ବଢ଼ାଇ ଦିଆଯାଇଛି।
କିନ୍ତୁ ପ୍ରଶ୍ନ ଉଠୁଛି, ଯେଉଁ ରାଜ୍ୟରେ ଏପର୍ଯ୍ୟନ୍ତ ଜାତିଭିତ୍ତିକ ଜନଗଣନା ଆସିନାହିଁ, ସେଠାରେ କେଉଁ ଆଧାରରେ ଏହି ସଂରକ୍ଷଣ ପରିମାଣ ସ୍ଥିର କରାଗଲା? ଏହା କ’ଣ ପ୍ରକୃତରେ ସାମାଜିକ ନ୍ୟାୟ, ନା କେବଳ ଭୋଟ୍ ବ୍ୟାଙ୍କ ରାଜନୀତିର ଏକ ନୂଆ ମୋହରା? ଆମେ ଏକ ଜାତିବିହୀନ ଓ ଶ୍ରେଣୀବିହୀନ ସମାଜ ଗଠନର ସ୍ୱପ୍ନ ଦେଖୁଛୁ, ନା ସମାଜକୁ ସଂରକ୍ଷଣର ଜାଲରେ ଛନ୍ଦି ଖଣ୍ଡବିଖଣ୍ଡିତ କରୁଛୁ?
କ୍ୟାବିନେଟ୍ର ନିଷ୍ପତ୍ତି – କାହାକୁ କେତେ ମିଳିଲା?
ମୋହନ ସରକାରଙ୍କ କ୍ୟାବିନେଟ୍ ବୈଠକରେ ଉଚ୍ଚ ଶିକ୍ଷା କ୍ଷେତ୍ରରେ, ବିଶେଷ କରି ମେଡିକାଲ୍ ଓ ଇଞ୍ଜିନିୟରିଂ ପରି ପାଠ୍ୟକ୍ରମରେ ସଂରକ୍ଷଣର ଏକ ନୂଆ ରୋଷ୍ଟର ପ୍ରସ୍ତୁତ କରାଯାଇଛି।
• ଅନୁସୂଚିତ ଜନଜାତି (ST): ପୂର୍ବରୁ ଥିବା କୋଟାକୁ ବୃଦ୍ଧି କରାଯାଇ ୨୨.୫% କରାଯାଇଛି। ମୁଖ୍ୟମନ୍ତ୍ରୀଙ୍କ କହିବା କଥା, ଓଡ଼ିଶାରେ ସେମାନଙ୍କ ଜନସଂଖ୍ୟା ଅନୁପାତରେ ଏହାକୁ ଧାର୍ଯ୍ୟ କରାଯାଇଛି।
• ଅନୁସୂଚିତ ଜାତି (SC): ଏମାନଙ୍କ ପାଇଁ ସଂରକ୍ଷଣ ୧୬.୨୫%କୁ ବୃଦ୍ଧି ପାଇଛି।
• ଓବିସି ଏବଂ ଏସଇବିସି (OBC/SEBC): ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ପଛୁଆ ବର୍ଗ ପାଇଁ ୧୧.୨୫% ସଂରକ୍ଷଣ ବ୍ୟବସ୍ଥା।
ଏହି ସମସ୍ତ ବର୍ଗକୁ ମିଶାଇଲେ ପ୍ରାୟ ୫୦% ସଂରକ୍ଷଣ ହେଉଛି। କିନ୍ତୁ ବିବାଦ ଏଠାରୁ ଶେଷ ହେଉନାହିଁ।
ସୁପ୍ରିମକୋର୍ଟଙ୍କ ଗାଇଡଲାଇନ୍ ଓ ପୁରୁଣା ସରକାରଙ୍କ ଭୁଲ୍
ସଂରକ୍ଷଣର ସୀମା ସାଧାରଣତଃ ୫୦% ଅତିକ୍ରମ କରିବା କଥା ନୁହେଁ ବୋଲି ସର୍ବୋଚ୍ଚ ଅଦାଲତ ପୂର୍ବରୁ କହିଛନ୍ତି। ପୂର୍ବତନ ନବୀନ ପଟ୍ଟନାୟକ ସରକାର ସମୟରେ ମଧ୍ୟ ଏସଇବିସି (SEBC) ସଂରକ୍ଷଣକୁ ନେଇ ଅନେକ ଆଇନଗତ ବିବାଦ ଦେଖାଦେଇଥିଲା। ହାଇକୋର୍ଟ ଓ ସୁପ୍ରିମକୋର୍ଟ ଏହି କୋଟାକୁ ରଦ୍ଦ କରିଦେଇଥିଲେ।
ମଧ୍ୟପ୍ରଦେଶରେ ମଧ୍ୟ କମଳନାଥ ସରକାର ଓବିସିଙ୍କୁ ୨୭% ସଂରକ୍ଷଣ ଦେଇଥିଲେ, ଯାହାକୁ ହାଇକୋର୍ଟ ରଦ୍ଦ କରିଦେଲେ। ବର୍ତ୍ତମାନର ମୋହନ ଯାଦବ ସରକାର ମଧ୍ୟ ସେଠାରେ ୧୪% ପର୍ଯ୍ୟନ୍ତ ସୀମିତ ରହିଛନ୍ତି। ଓଡ଼ିଶାରେ ଧର୍ମେନ୍ଦ୍ର ପ୍ରଧାନ, ଶୀକାନ୍ତ ଜେନା, ରଣେନ୍ଦ୍ର ପ୍ରତାପ ସ୍ୱାଇଁ, ଅରୁଣ ସାହୁଙ୍କ ପରି ନେତାମାନେ ପଛୁଆ ବର୍ଗ ବା ଓବିସି କାର୍ଡ ଖେଳିବାକୁ ଚେଷ୍ଟା କରିବା ସହିତ ମୋହନ ମାଝୀଙ୍କୁ ମୋହରା କରିଛନ୍ତି ସତ, କିନ୍ତୁ ଆଇନର ଗାଇଡଲାଇନ୍କୁ କ’ଣ ସେମାନେ ଭୁଲିଯାଉଛନ୍ତି?
ସବୁଠାରୁ ବଡ଼କଥା ହେଲା ସରକାର କହୁଛନ୍ତି ଜାତି ଭିତ୍ତିରେ ସଂରକ୍ଷଣ ବ୍ୟବସ୍ଥା କରାଯାଇଛି। ତେବେ ଓଡ଼ିଶାରେ ଥିବା ବିଭିନ୍ନ ଜାତିର ସଂଖ୍ୟା ଅନୁପାତରେ ସଂରକ୍ଷଣ ବ୍ୟବସ୍ଥା କରାଯାଉ। କାରଣ ରାଜ୍ୟରେ ଅଧିକାଂଶ ଜମିର ମାଲିକ ବୋଲାଉଥିବା ଚଷାଜାତିର ଲୋକମାନେ ଅନ୍ୟ ଓବିସି ଜାତିଠାରୁ ପାଠପଢ଼ାରେ ଆଗୁଆ। ଏହି ଏସଇବିସି ସଂରକ୍ଷଣରେ ଅନ୍ୟ ଜାତିର ପିଲାମାନେ କୌଣସି ଲାଭ ପାଇବେ ନାହିଁ। ଏହା କେବଳ ତେଲିଆ ମୁଣ୍ଡରେ ତେଲ ବୋଳିଲା ଭଳି ହେବ।
ଜନଗଣନା ବିନା ସଂଖ୍ୟା ଆସିଲା କୁଆଡୁ?
ସବୁଠାରୁ ବଡ଼ ପ୍ରଶ୍ନ ହେଉଛି – ପଛୁଆବର୍ଗ ସର୍ଭେ ବା ଜନଗଣନା କାହିଁ? ୨୦୨୩ ମସିହାର ଓଡ଼ିଶା ରାଜ୍ୟ ପଛୁଆବର୍ଗ କମିଶନଙ୍କ ଏକ ରିପୋର୍ଟ ଅନୁସାରେ ଓଡ଼ିଶାରେ ଓବିସି ଓ ଏସଇବିସି ଜନସଂଖ୍ୟା ପ୍ରାୟ ୩୯.୩୧%। କିନ୍ତୁ ଏହି ତଥ୍ୟକୁ ଓବିସି ନେ;ତାମାନେ ମାନିବାକୁ ପ୍ରସ୍ତୁତ ନୁହଁନ୍ତି। ସେମାନଙ୍କ ଦାବି ଅନୁସାରେ ଓବିସି ଜନସଠଖ୍ୟା ପ୍ରାୟ ୫୪ ପ୍ରତିଶତ। ଯଦି ଓଡ଼ିଶା ରାଜ୍ୟ ପଛୁଆ ବର୍ଗ କମିଶନଙ୍କ ଏକ ରିପୋର୍ଟ ଅନୁସାରେ ଜନସଂଖ୍ୟା ୩୯% ରୁ ଅଧିକ, ତେବେ ମୋହନ ସରକାର ମାତ୍ର ୧୧.୨୫% ସଂରକ୍ଷଣ କାହିଁକି ରଖିଲେ?
ଯଦି ଏସଟି ଲୋକଙ୍କୁ ସେମାନଙ୍କ ଜନସଂଖ୍ୟା ଅନୁପାତରେ ୨୨.୫% ମିଳିଲା, ତେବେ ଓବିସିଙ୍କୁ କାହିଁକି କମ୍ ମିଳିଲା? ଏହାର ଅର୍ଥ ସରକାରଙ୍କ ପାଖରେ କୌଣସି ସଠିକ୍ ପରିସଂଖ୍ୟାନ ବା ତଥ୍ୟ ନାହିଁ। କେବଳ କାଗଜପତ୍ରରେ ଖେଳ ଚାଲିଛି। ଆଗାମୀ ବର୍ଷ ଡିଜିଟାଲ୍ ଜନଗଣନା ହେବାକୁ ଯାଉଛି। ତେଣୁ ଏହି ଜନଗଣନା ରିପୋର୍ଟ ଆସିବା ପୂର୍ବରୁ ଏତେ ତରବରିଆ ଭାବେ ନିଷ୍ପତ୍ତି ନେବାର ଆବଶ୍ୟକତା କ’ଣ ଥିଲା?
ମେଧା ଓ ପ୍ରତିଭାକୁ ଗୁଳି ମରାଯାଉଛି କି?
ସଂରକ୍ଷଣ ଏକ ‘Temporary Tool’ ବା ସାମୟିକ ଅସ୍ତ୍ର ଭାବେ ବ୍ୟବହାର ହେବା ଉଚିତ ବୋଲି ସୁପ୍ରିମକୋର୍ଟ ବହୁବାର କହିଛନ୍ତି। ଏହା ସମାଜରେ ପଛୁଆ ଲୋକଙ୍କୁ ସମାନ ସ୍ତରକୁ ଆଣିବା ପାଇଁ ଏକ ମାଧ୍ୟମ। କିନ୍ତୁ ଆଜି ଓଡ଼ିଶାରେ ଏପରି ପରିସ୍ଥିତି ସୃଷ୍ଟି ହୋଇଛି ଯେ ସାଧାରଣ ବର୍ଗ ବା ମେରିଟ୍ (Merit) ରଖୁଥିବା ପିଲାଙ୍କ ପାଇଁ ସୁଯୋଗ କମି କମି ଯାଉଛି।
ଯଦି ୫୦% ସଂରକ୍ଷଣ ଏହି ତିନିଟି ବର୍ଗ ପାଇଁ ରହିଲା, ତେବେ ବାକି ୫୦% ଭିତରେ ମଧ୍ୟ ସରକାର ଅନ୍ୟାନ୍ୟ କୋଟା ରଖିଛନ୍ତି:
• EWS (ଆର୍ଥିକ ଦୁର୍ବଳ ବର୍ଗ): ୧୦%
• ଗ୍ରୀନ୍ କାର୍ଡଧାରୀ: ୫%
• ଦିବ୍ୟାଙ୍ଗ: ୫%
• ସରକାରୀ ସ୍କୁଲ୍ ପିଲାଙ୍କ କୋଟା: ୧୫%
ଏ ସବୁକୁ ମିଶାଇଲେ ଜଣେ ମେଧାବୀ ଛାତ୍ର ପାଇଁ ମାତ୍ର ୧୫ ରୁ ୨୦% ସିଟ୍ ହିଁ ରହୁଛି। ପ୍ରଶ୍ନ ଉଠୁଛି, ଯଦି ଆମେ ମେଡିକାଲ୍ ଓ ଇଞ୍ଜିନିୟରିଂ ପରି କ୍ଷେତ୍ରରେ କେବଳ ଜାତିଭିତ୍ତିକ ସଂରକ୍ଷଣକୁ ଗୁରୁତ୍ୱ ଦେବା, ତେବେ ମେଧାର ମୂଲ୍ୟ କେଉଁଠି ରହିବ? କ’ଣ ଜାତିର ପ୍ରମାଣପତ୍ର ଜଣେ ଡାକ୍ତର ଓ ଜଣେ ଯନ୍ତ୍ରୀଙ୍କ ଯୋଗ୍ୟତା ସ୍ଥିର କରିବ?
ଭାଗ ୬: ରାଜନୈତିକ ଷଡ଼ଯନ୍ତ୍ର ଓ ମଣ୍ଡଳ ରାଜନୀତି
ଭାରତୀୟ ରାଜନୀତିରେ ‘ମଣ୍ଡଳ ବନାମ କମଣ୍ଡଳ’ର ଲଢ଼େଇ ପୁରୁଣା। ଏବେ ଓଡ଼ିଶାରେ ମଧ୍ୟ ସେହି ସମାନ ଧାରା ଦେଖିବାକୁ ମିଳୁଛି। ବିଜେପି ନେତାମାନେ ଏବେ ଓବିସି କାର୍ଡ ଖେଳୁଛନ୍ତି। ଧର୍ମେନ୍ଦ୍ର ପ୍ରଧାନ ହୁଅନ୍ତୁ ବା ମୋହନ ମାଝୀ – ସମସ୍ତେ ଏବେ ପଛୁଆ ବର୍ଗଙ୍କୁ ନିଜ ସପକ୍ଷକୁ ଆଣିବାକୁ ଚେଷ୍ଟା କରୁଛନ୍ତି। କିନ୍ତୁ ଆଶ୍ଚର୍ଯ୍ୟର କଥା ହେଉଛି, ଯେଉଁ ବିଜେପି ନେତାମାନେ ଗୋଟିଏ ପଟେ ‘ସବ୍କା ସାଥ୍ ସବ୍କା ବିକାଶ’ ଓ ‘ହିନ୍ଦୁ ଏକତା’ର କଥା କହୁଛନ୍ତି, ସେମାନେ ହିଁ ଆଜି ହିନ୍ଦୁ ସମାଜକୁ ବିଭିନ୍ନ ଜାତିରେ ଭାଗ ଭାଗ କରିବାରେ ଲାଗିଛନ୍ତି।
ଜଗନ୍ନାଥ ସଂସ୍କୃତିରେ ଜାତିର ଭେଦଭାବ ନାହିଁ। ମହାପ୍ରସାଦ ଖାଇବାବେଳେ କେହି ଜାତି ପଚାରନ୍ତି ନାହିଁ। କିନ୍ତୁ ଆମ ରାଜନେତାମାନେ ଭୋଟ୍ ପାଇଁ ଶିକ୍ଷାନୁଷ୍ଠାନଗୁଡ଼ିକରେ ଜାତିର ବିଷ ମଞ୍ଜି ବୁଣୁଛନ୍ତି।
ବିକଶିତ ଓଡ଼ିଶା ବନାମ ବିଭକ୍ତ ଓଡ଼ିଶା
ଆମେ ୨୦୩୬ ସୁଦ୍ଧା ବିକଶିତ ଓଡ଼ିଶାର ସ୍ୱପ୍ନ ଦେଖୁଛୁ। କିନ୍ତୁ ବିକାଶ କ’ଣ କେବଳ ସଂରକ୍ଷଣ କୋଟା ବଢ଼ାଇଲେ ଆସିବ? ପ୍ରକୃତ ସାମାଜିକ ନ୍ୟାୟ ସେତେବେଳେ ହେବ, ଯେତେବେଳେ ଜଣେ ଗରିବ ପିଲା ତା’ର ଜାତି ନୁହେଁ ବରଂ ତା’ର କଠିନ ପରିଶ୍ରମ ବଳରେ ଆଗକୁ ବଢ଼ିବ।
ଆଜି ଯେଉଁମାନେ ଆଇଏଏସ୍ ବା ବଡ଼ ଅଫିସର ହୋଇସାରିଛନ୍ତି, ସେମାନଙ୍କ ପିଲାମାନଙ୍କୁ ପୁଣିଥରେ ସଂରକ୍ଷଣ କାହିଁକି ମିଳିବ? କ୍ରିମିଲେୟର୍ ସୀମାକୁ ଓଡ଼ିଶାରେ କାହିଁକି କଡ଼ାକଡ଼ି ଲାଗୁ କରାଯାଉନାହିଁ? ଯେଉଁମାନେ ଧର୍ମ ପରିବର୍ତ୍ତନ କରିସାରିଛନ୍ତି, ସେମାନଙ୍କୁ କାହିଁକି ଏହି ସୁବିଧା ମିଳୁଛି? ସୁପ୍ରିମକୋର୍ଟ ସ୍ପଷ୍ଟ କରିଛନ୍ତି ଯେ ଧର୍ମାନ୍ତରିତ ବ୍ୟକ୍ତି ସଂରକ୍ଷଣ ପାଇପାରିବେ ନାହିଁ, କିନ୍ତୁ ମୋହନ ସରକାର ଏ ସମ୍ପର୍କରେ କୌଣସି ସ୍ପଷ୍ଟ ସୂଚନା ଦେଇନାହାନ୍ତି।
ଓଡ଼ିଶାର ଜନସାଧାରଣଙ୍କୁ ଆଜି ଚିନ୍ତା କରିବାକୁ ପଡ଼ିବ – ସରକାର ଆପଣଙ୍କ ପାଇଁ ଶିକ୍ଷାର ମାନ ବୃଦ୍ଧି କରୁଛନ୍ତି ନା କେବଳ ଜାତିଗତ ଖଣ୍ଡ ବିଖଣ୍ଡିତ ରାଜନୀତିରେ ଆପଣଙ୍କୁ ବାନ୍ଧି ରଖୁଛନ୍ତି? ଜନଗଣନା ରିପୋର୍ଟ ନ ଆସିବା ପର୍ଯ୍ୟନ୍ତ ଏହି ନୂଆ ସଂରକ୍ଷଣ ନୀତି ଏକ ପ୍ରହସନ ବୋଲି ମନେ ହେଉଛି। ଯଦି ଓବିସି ସଂଖ୍ୟା ୩୯% ତେବେ ୧୧% କାହିଁକି? ଯଦି ମେରିଟ୍ ଗୁରୁତ୍ୱପୂର୍ଣ୍ଣ ତେବେ ୮୦% ରୁ ଅଧିକ ସିଟ୍ ସଂରକ୍ଷିତ କାହିଁକି?
AlsoRead; https://purvapaksa.com/is-the-congress-leaders-face-steel/
କଂଗ୍ରେସ ନେତାଙ୍କ ମୁହଁ ଇସ୍ପାତ? || Is the Congress leader’s face steel?


