ଭାରତୀୟ ରାଜନୀତିରେ ବଡ଼ ପରିବର୍ତ୍ତନ ହେବାକୁ ଯାଉଛି। ୨୦୨୪ ନିର୍ବାଚନ ଯେମିତି ହୋଇଥିଲା ତାହାର କେତେଗୁଣା ବଡ଼ ନିର୍ବାଚନ ଭାରତ ଆସନ୍ତା ୨୦୨୯ରେ ଦେଖିବାକୁ ଯାଉଛି। ଏ ପରିବର୍ତ୍ତନ ଭାରତର ଇତିହାସକୁ ବଦଳାଇବ। ରାଜନୀତି ଭୂଗୋଳକୁ ବଦଳାଇବ ଆଉ ଲୋକପ୍ରତିନିଧିଙ୍କ ପରିଚୟ ବି। ଆସନ୍ତା ବର୍ଷ ହେବାକୁ ଥିବା ଜନଗଣନା ଏସବୁର ମୂଳଆଧାର ପାଲଟିବ। କ’ଣ ହେବ ଏ ବଡ଼ ପରିବର୍ତ୍ତନ ଆଉ କାହିଁକି ଏଥିପ୍ରତି ଆଗ୍ରହୀ କେନ୍ଦ୍ର ସରକାର?
ବ୍ରିଟିଶ୍ ଔପନିବେଶିକ ଚିନ୍ତାଧାରାରୁ ଭାରତକୁ ମୁକୁଳାଇବା ପାଇଁ ସବୁ ସମୟରେ ଭାରତ ସରକାର ଉଦ୍ୟମ କରି ଆସିଛନ୍ତି। ସେ କଂଗ୍ରେସ ହେଉ ବା ଜନତା ପାର୍ଟିର ସରକାର ଅଥବା ବିଜେପି; ଯେତେବେଳେ ବି ଶାସନକୁ ଆସିଛନ୍ତି ଏହିଭଳି ଅନେକ ଉଦ୍ୟମକୁ କାର୍ଯ୍ୟରେ ରୂପାୟନ କରିଛନ୍ତି।
୨୦୧୪ରେ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ବିଜେପି ସରକାର ଆସିବା ପରେ ବ୍ରିଟିଶ ଶାସନ ସମୟରୁ ଚାଲୁଥିବା ଅନେକ ଔପନିବେଶିକ ଆଇନ ପ୍ରତ୍ୟାହାର ବା ସଂଶୋଧନ କରାଯାଇଛି। ଏସବୁର ମୂଳ ଉଦ୍ଦେଶ୍ୟ ରହିଛି ଆଧୁନିକ ଭାରତର ଆବଶ୍ୟକତା ଅନୁଯାୟୀ ଆଇନଗୁଡ଼ିକୁ ସରଳ ଓ ସଂସ୍କାର କରିବା।
ଏହି ପ୍ରକ୍ରିୟାରେ ପ୍ରାୟ ୧୫୦୦ରୁ ଅଧିକ ଅପ୍ରଚଳିତ ଆଇନ ପ୍ରତ୍ୟାହାର କରିଛନ୍ତି ନରେନ୍ଦ୍ର ମୋଦୀଙ୍କ ସରକାର। ପ୍ରତ୍ୟାହୃତ ହୋଇଥିବା ଏହି ଆଇନଗୁଡ଼ିକ ଭିତରେ ରହିଛି ଦି ବେଙ୍ଗଲ ଇଣ୍ଡିଗୋ କଣ୍ଟ୍ରାକ୍ଟ ଆଇନ ୧୮୩୬, ଦି ଡ୍ରାମାଟିକ ପରଫରମାନ୍ସ ଆଇନ ୧୮୭୬, ଦି ହାକନେ କ୍ୟାରେଜ ଆଇନ ୧୮୭୯ (The Bengal Indigo Contracts Act, 1836, The Dramatic Performances Act, 1876, The Hackney Carriage Act, 1879) ପ୍ରଭୃତି। ଏହାସହିତ ଭାରତ ସରକାର ୨୦୨୩ ମସିହାରେ ଅପରାଧିକ ଆଇନ ସଂଶୋଧନ ଆଣି ଭାରତୀୟ ନ୍ୟାୟ ଓ ବିଚାର ଆଇନରେ ସ୍ୱଦେଶୀ ଆଭିମୁଖ୍ୟକୁ ଯୋଡ଼ିଛନ୍ତି। ଏଥିରେ ଇଣ୍ଡିଆନ ପେନାଲ କୋଡ (ଆଇପିସି),୧୮୬୦, କୋଡ ୱଫ୍ କ୍ରମିନାଲ ପ୍ରୋସିଜିଓର (ସିଆରପିସି) ୧୮୯୮ ବା ଇଣ୍ଡିଆନ ଏଭିଡେନ୍ସ ଆଇନ ୧୮୭୨ (Indian Penal Code (IPC), 1860, Code of Criminal Procedure (CrPC), 1898, Indian Evidence Act, 1872) ପ୍ରଭୃତିର ସଂଶୋଧନ ଓ ନାମକରଣ ପରିବର୍ତ୍ତନ ଅନ୍ତର୍ଭୁକ୍ତ। ୧ ଜୁଲାଇ ୨୦୨୪ରୁ କାର୍ଯ୍ୟକାରୀ ହୋଇଥିବା ଏହି ନୂଆ ଆଇନଗୁଡ଼ିକ ହେଉଛି ଭାରତୀୟ ନ୍ୟାୟ ସଂହିତା (ବିଏନଏସ), ଭାରତୀୟ ନାଗରିକ ସୁରକ୍ଷା ସଂହିତା (ବିଏନଏସଏସ) ଏବଂ ଭାରତୀୟ ସାକ୍ଷ୍ୟ ଅଧିନିୟମ (ବିଏସଏ)।
ଅନ୍ୟ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନରେ ରହିଛି ଦି ସିଟିଜେନସିପ୍ ଆଇନ ୧୯୫୫-୨୦୧୯ (The Citizenship Act, 1955: 2019)ରେ ଏହାକୁ ସଂଶୋଧନ କରାଯାଇ ସିଟିଜେନ ଆମେଣ୍ଡମେଣ୍ଟ ଆଇନ (ସିଏଏ) (Citizenship Amendment Act (CAA) ଲାଗୁ କରାଯାଇଛି। ସେହିପରି ଦି ମୁଓଲିମ ଓମେନ ଫ୍ରୋଟେକ୍ସନ ଅଫ୍ ରାଇଟ୍ସ ଅନ ମ୍ୟାରେଜ ଆଇନ ୨୦୧୯, ଦି କମ୍ପାନୀଜ ଆଇନ ୨୦୧୩ (The Muslim Women (Protection of Rights on Marriage) Act, 2019, The Companies Act, 2013 ମଧ୍ୟ ଉଲ୍ଲେଖନୀୟ।
୨୦୧୯ରେ ଭାରତ ସରକାର ଜମ୍ମୁ କଶ୍ମୀରରୁ ଧାରା-୩୭୦ ଏବଂ ୩୫-ଏ ପ୍ରତ୍ୟାହାର କରି ଏକ ମହତ୍ତ୍ୱପୂର୍ଣ୍ଣ ପରିବର୍ତ୍ତନ ଆଣିଛନ୍ତି। ଫଳରେ ବ୍ରିଟିଶ ଶାସନ ସମୟରେ ରାଜକୀୟ ରାଜ୍ୟମାନଙ୍କ ସହ ସମ୍ପୃକ୍ତ ଐତିହାସିକ ବ୍ୟବସ୍ଥାରୁ ଉତ୍ପନ୍ନ ଏହି ଧାରାଗୁଡ଼ିକୁ ରଦ୍ଦ କରାଯାଇ ଜମ୍ମୁ ଓ କାଶ୍ମୀରକୁ ଭାରତର ଅନ୍ୟ ରାଜ୍ୟମାନଙ୍କ ସହ ସମାନ କରାଯାଇଛି।
୨୦୨୪ରେ ନରେନ୍ଦ୍ର ମୋଦୀ ପୁଣିଥରେ ଭାରତର ପ୍ରଧାନମନ୍ତ୍ରୀ ହେବା ପରେ ଦେଶର ନିର୍ବାଚନ, ପ୍ରତିନିଧି ସଂଖ୍ୟାରେ ପରିବର୍ତ୍ତନ ପାଇଁ ଅଙ୍କକଷା ଆରମ୍ଭ ହୋଇଗଲାଣି। ଏଥିଲାଗି ସାମ୍ବିଧାନିକ ଆବଶ୍ୟକତା ଅନୁସାରେ ଭାରତର ଜନଗଣନା ରିପୋର୍ତଟକୁ ଅପେକ୍ଷା କରାଯାଇଛି। ୨୦୨୧ ମସିହାରେ କୋଭିଡ୍ କଟକଣା ହେତୁ ବନ୍ଦ ଥିବା ଜନଗଣନା କାର୍ଯ୍ୟକ୍ରମ ଆସନ୍ତା ବର୍ଷ ଆରମ୍ଭ ହେବ। ପୁଣି ସ୍ୱାଧୀନ ଭାରତରେ ପ୍ରଥମଥର ପାଇଁ ଏହି କାର୍ଯ୍ୟକ୍ରମରେ ଜାତିଭିତ୍ତିକ ଜନଗଣନା ହେବ।
୧୯୫୧ ମସିହାରେ ତତ୍କାଳୀନ ଭାରତ ସରକାର ଏହାକୁ ବ୍ରିଟିଶ ବିଭାଜନ ଅସ୍ତ୍ର ବୋଲି ଚିନ୍ତା କରି ଏହି ପ୍ରକ୍ରିୟାରେ ପ୍ରତିବନ୍ଧକ ଲଗାଇଥିଲେ। ଆଜି ପରିବର୍ତ୍ତିତ ରାଜନୀତିକ ପୃଷ୍ଠଭୂମିରେ ପୁଣିଥରେ ଏପରି ପ୍ରକ୍ରିୟାକୁ ଭାରତ ସରକାର ଅନୁମୋଦନ କରିବା, ଭାରତରେ ଏକ ନୂତନ ଧରଣର ରାଜନୀତି ଉଦୟକୁ ସୂଚନା ଦେଉଛି। ଖାଲି ଜାତିଭିତ୍ତିକ ନୁହେଁ ୨୦୨୯ ନିର୍ବାଚନ ରଣାଙ୍ଗନ ଏପରି ଅନେକ ପରିବର୍ତ୍ତନକୁ ସାକ୍ଷୀ ହେବାକୁ ଯାଉଛି।
ଏହି ପରିବର୍ତ୍ତନରେ ବଡ଼ ଲାଭବାନ ହେବେ ଦେଶର ମହିଳା, ପଛୁଆ ବର୍ଗ ଏବଂ ସାଧାରଣ ଜନତା। ଖାଲି ସେତିକି ନୁହେଁ, ଲୋକସଭାରେ ଆସନ ସଂଖ୍ୟା ବୃଦ୍ଧି ପାଇବ ଏବଂ ସାରାଭାରତରେ ଅଧିକ ଜନପ୍ରତିନିଧିଙ୍କୁ ଲୋକେ ସଦସ୍ୟଭାବେ ଲୋକସଭାକୁ ପଠାଇବେ। ଏହାଦ୍ୱାରା ଲୋକଙ୍କ ସମସ୍ୟାକୁ ଶୁଣିବା ଲାଗି ଅଧିକ ଲୋକପ୍ରତିନିଧି ଆସିପାରିବେ।
ଏହି ପରିବର୍ତ୍ତନରେ ଓବିସିଙ୍କୁ ସ୍ୱତନ୍ତ୍ର ମର୍ଯ୍ୟାଦା ମିଳିବ। ଅର୍ଥାତ୍ ଏବେ ଯେମିତି ଅନୁସୂଚିତ ଜାତି ଓ ଜନଜାତୀୟ ବର୍ଗଙ୍କ ଲାଗି ସଂସଦର ଆସନ ସଂରକ୍ଷଣ କରାଯାଇଛି ଠିକ୍ ସେହିପରି ଓବିସିଙ୍କ ପାଇଁ ସ୍ଥାନ ସଂରକ୍ଷଣ ହେବ। ଅର୍ଥାତ୍ ଭାରତୀୟ ରାଜନୀତିରେ ସଂରକ୍ଷଣ ବ୍ୟବସ୍ଥା ନୂଆ ଦିଗ ନେବ।
୨୦୨୬ ମସିହାରେ ଜନଗଣନା ରିପୋର୍ଟ ଆସିବା ପରେ ଯେଉଁ ସଂଖ୍ୟାରେ ଯେଉଁ ଜାତି ଥିବେ ସେହି ଆଧାରରେ ସଂରକ୍ଷଣ ବି ବଦଳିପାରେ। ପୂର୍ବରୁ ବିଭିନ୍ନ ଚାକିରି ଓ ଶିକ୍ଷାନୁଷ୍ଠାନରେ ଓବିସି ବର୍ଗଙ୍କ ଲାଗି ୨୭ ପ୍ରତିଶତ ଆରକ୍ଷଣ ବ୍ୟବସ୍ଥା ସୁପାରିସ ହୋଇଥିଲା। ଏଣୁ ଏହା ମଧ୍ୟ ରାଜନୀତିକ କ୍ଷେତ୍ରରେ ଅର୍ଥାତ୍ ପ୍ରତିନିଧିତ୍ୱ କ୍ଷେତ୍ରରେ ହେବା ସମ୍ଭାବନାକୁ ଟଳାଯାଇନପାରେ। ଅର୍ଥାତ୍ ସଂସଦରେ ୨୭ ପ୍ରତିଶତ ଓବିସିଙ୍କୁ ଦେଖିବାକୁ ମିଳିପାରେ।
ପୂର୍ବରୁ ଓବିସିଙ୍କ ପାଇ ସ୍ଥାନ ସଂରକ୍ଷଣକୁ କେନ୍ଦ୍ର କରି ଅନେକ ଉତ୍ତେଜନା ଭାରତ ଦେଖିଛି। ୯୦ ଦଶକରେ ମଣ୍ଡକ କମିଶନଙ୍କ ରିନୋର୍ଟ ଲାଗୁ ପାଇଁ ଭିପି ସିଂହଙ୍କ ସରକାର ଗ୍ରହଣ କରିବା ଏବଂ ଏହାର ପରିସ୍ଥିତି ଆଜି ମନେପକାଇଲେ ଦେହ ଥରାଇ ଦେଉଛି। ତଥାପି ରାଜନୀତିକ ସମୀକରଣକୁ ଦେଖି ମୋଦୀ ସରକାର ଏହାକୁ ଲାଗୁ କରିବାକୁ ଯାଉଛନ୍ତି। ଏଣୁ ଏହା ଏକ ବଡ଼ ଆହ୍ୱାନ ହେବ।
ଦ୍ୱିତୀୟ ବଡ଼ ପରିବର୍ତ୍ତନ ହେବ ମହିଳାଙ୍କ ପାଇଁ ୩୩ ପ୍ରତିଶତ ଆରକ୍ଷଣ। ନାରୀଶକ୍ତି ବନ୍ଦନା ଆଇନ-୨୦୨୩ ଅନୁସାରେ ଏହି ବ୍ୟବସ୍ଥା ଘୋଷଣା କରାଯାଇଛି। ଏହି ଅନୁସାରେ ଲୋକସଭା ଓ ବିଧାନସଭାରେ ମହିଳାଙ୍କ ପ୍ରତିନିଧିତ୍ୱ ଏକ ତୃତୀୟଂଶ ଆସନରେ ରହିବ। ସଂରକ୍ଷିତ ଆସନଗୁଡ଼ିକରେ ମଧ୍ୟ ସମାନ ଢାଞ୍ଚାରେ ମହିଳାଙ୍କ ପ୍ରତିନିଧିତ୍ୱ ରହିବ। ଜନଗଣନା ଏବଂ ସୀମା ପୁନଃନିର୍ଦ୍ଧାରଣ ପରେ ଏହି ନିୟମ ଭାରତୀୟ ଗଣତନ୍ତ୍ରରେ ଏକ ବ୍ୟାପକ ପରିବର୍ତ୍ତନ ଆଣିବ।
ତୃତୀୟ ଓ ସର୍ବବୃହତ୍ ପରିବର୍ତ୍ତନ ହେବ ସୀମା ପୁନଃନିର୍ଦ୍ଧାରଣ। ଏହାଦ୍ୱାରା ଲୋକସଭାରେ ଆସନ ସଂଖ୍ୟା ବଢ଼ିବ। ନୂଆ ସଂସଦ ଏହି ବର୍ଦ୍ଧିତ ସଂଖ୍ୟାକୁ ଧାରଣ କରିବା ଲାଗି ଆସନ ସଂଖ୍ୟାରେ ବୃଦ୍ଧି କରିଛି। ଏବେ ବସିବା ପାଇଁ ସମୁଦାୟ ୮୮୮ ଆସନ ଲୋକସଭାରେ ରହିଛି। ଅର୍ଥାତ୍ ନୂଆ ଆଇନରେ ପ୍ରାୟ ୮୦୦ ଲୋକଙ୍କୁ ପ୍ରତିନିଧିତ୍ୱ କରିବାକୁ ସୁଯୋଗ ମିଳିପାରେ। ସରକାର ଜନସଂଖ୍ୟା ରିପୋର୍ଟ ଆଧାରରେ ସୀମା ପୁନଃ ନିର୍ଦ୍ଧାରଣ କରିବାକୁ ସ୍ଥିର କରିଛନ୍ତି। ଏହା ହେଲେ ଦେଶରେ ଲୋକପ୍ରତିନିଧିଙ୍କ ସଂଖ୍ୟା ଅର୍ଥାତ୍ ପଞ୍ଚାୟତ ପ୍ରତିନିଧିଙ୍କଠାରୁ ଆରମ୍ଭ କରି ସାଂସଦଙ୍କ ଯାଏ ପ୍ରତିନିଧିଙ୍କ ମଧ୍ୟ ସଂଖ୍ୟା ବୃଦ୍ଧି ପାଇବ।
ଯୁଦ୍ଧ ପରିସ୍ଥିତି ଭିତରେ ଏସବୁ ପରିବର୍ତ୍ତନର ପ୍ରତିଶ୍ରୁତି ଭାରତ କିପରି ପୂରଣ କରିବ ତାହା ବି ପ୍ରଶ୍ନବାଚୀ ସୃଷ୍ଟି କରୁଛି। କାରଣ କୌଣସି ମୂହୂର୍ତ୍ତରେ ଯୁଦ୍ଧର ଆଶଙ୍କା ଏବଂ ଯୁଦ୍ଧ ଆରମ୍ଭ ହେଲେ ଲମ୍ବା ଚାଲିବାର ଭୟ ଏସବୁ ସଂସ୍କାରକୁ ଟାଳିବାରେ ବି ସକ୍ଷମ ହୋଇପାରେ। ହେଲେ ସବୁକିଛି ଠିକ୍ ଠାକ୍ ଚାଲିଲେ ପ୍ରଥମେ ଜନଗଣନା ଓ ଏହାପରେ ପରିବର୍ତ୍ତନ ସ୍ୱାଧୀନ ଭାରତରେ ଗଣତନ୍ତ୍ରର ନୂଆ ଅଧ୍ୟାୟ ଆରମ୍ଭ କରିବ।
Also readhttps://purvapaksa.com/muslim-castes-to-be-recorded-in-upcoming-census-but-not-quota-sources/
ଆଗାମୀ ଜନଗଣନାରେ ମୁସଲମାନ ଜାତିକୁ ରେକର୍ଡ କରାଯିବ, କିନ୍ତୁ କୋଟା ନୁହେଁ: ସୂତ୍ର