ନବେ ଦଶକରେ ରକ୍ଷଣଶୀଳ ଓଡ଼ିଶାର ପୁରୀ ସହରର କଥା। ଭୈରବ ନାଁ ଶୁଣିଲେ କାହିଁକି କେଜାଣି ଜ୍ଞାତସାରରେ ଗୋଟେ ଭୟ ଖେଳୁଥିଲା ମନ ଭିତରେ। ଆଉ ତା’ର ଡାକ ଥିଲା ମୃତ୍ୟୁର ରଡ଼ି ଭଳି। ସାହି ଭିତରକୁ ସେ ଆସିଲେ ପିଲାମାନଙ୍କୁ ବାହାରକୁ ଯିବାକୁ ବାରଣ କରୁଥିଲେ ଲୋକମାନେ। ଶାରିରୀକ ଭାବେ ସେ ବିକଟାଳ ରୂପ ଧାରଣ କରେ ବା କାହାର କ୍ଷତି କରେ ତା’ ନୁହେଁ, କିନ୍ତୁ ଘରେ କାହାର ମୃତ୍ୟୁ ହେଲେ ପ୍ରଥମେ ଖୋଜା ପଡ଼ୁଥିଲା ତାକୁ। କହୁଥିଲେ ତାକୁ ପ୍ରେତ ବି ଡରନ୍ତି। ଆଉ ସେ ପ୍ରୀତ ହେଲେ ପ୍ରେତ ଶାନ୍ତ ହୁଏ। ଅର୍ଥାତ୍ ଭୟର ଅନ୍ୟ ନାମ ଥିଲା ଏହି ଭୈରବ। ବିଜେଡିରେ ବି ଏମିତି କୋକୁଆ ଭୟ ଆକ୍ରାନ୍ତ କରିଛି। ଭୈରବ ନାଁ ଶୁଣିଲେ ବଡ଼ ବଡ଼ କ୍ଷମତାଶାଳୀ ନେତାଙ୍କ ପାଟି ଖନି ମାଡ଼ୁଛି। ପ୍ରଶ୍ନ ଉଠୁଥିବ ପ୍ରକୃତରେ ଭୈରବ କିଏ, କାହିଁକି ଆଜି ସେ କଥା। ପୁଣି ପଲିଟିକାଲ୍ ଭାଗବତରେ? ଏ ବିଷୟକୁ ସ୍ପଷ୍ଟ କରିବି, ଦେଖୁଥାଆନ୍ତୁ ସମ୍ପୂର୍ଣ୍ଣ ଏପିସୋଡ୍ ‘ବିଧ୍ୱଂସକାରୀ ଭୈରବ’. ପୂର୍ବପକ୍ଷରେ।
ଧର୍ମ ରକ୍ଷାକାରୀ କାଳ ଭୈରବ
ପୁରାଣ ଶାସ୍ତ୍ରରେ ଭୈରବଙ୍କୁ କାଳର ରୂପ ଭାବେ ଗ୍ରହଣ କରାଯାଏ। ଭଗବାନ ଶିବଙ୍କ ଅବତାରଭାବେ ତାଙ୍କୁ ସ୍ୱୀକାର କରାଯାଏ। କୁକୁର ହେଉଛି ତାଙ୍କ ବାହାନ ଆଉ ଭୟଙ୍କର ତାଙ୍କର ରୂପ। ସେ ଧର୍ମ ରକ୍ଷାକାରୀ କାଳ ଭୈରବ। ତାଙ୍କୁ ଲୋକେ ଶ୍ମଶାନ ରକ୍ଷାକାରୀ ବୋଲି କହନ୍ତି ଆଉ କେହି କେହି କ୍ଷେତ୍ର ରକ୍ଷକ ବୋଲି କହି ପୂଜା କରନ୍ତି, ଭକ୍ତି କରନ୍ତି।
ରାଜନୀତିରେ ଭୈରବ ଭୟ
ରାଜ୍ୟ ରାଜନୀତିରେ କିନ୍ତୁ ଭୈରବ କହିଲେ ଏବେ ଗୋଟିଏ କାହାଣୀ ମନକୁ ଆସେ। ସେ କୌଣସି ଦେବଦେବୀଙ୍କ ଗାଥା ନୁହେଁ, ବରଂ ପ୍ରଚ୍ଛଦପଟ୍ଟରେ ରହି ରାଜନେତାଙ୍କୁ ନିୟନ୍ତ୍ରଶ କରୁଥିବା ଜଣେ ସେବକଙ୍କ କାହାଣୀ। ଆଉ ସେ ହେଉଛନ୍ତି ଭୈରବ କାର୍ତ୍ତିକେୟ ପାଣ୍ଡିଆନ୍। ୨୦୦୦ ପୂର୍ବରୁ ଓଡ଼ିଶାରେ ସେ ନ ଥିଲେ କି ତାଙ୍କ ନାଁ ଶୁଣିବାକୁ ମିଳୁ ନ ଥିଲା। କିନ୍ତୁ ତାଙ୍କର ଆଗମନ ବି ଚର୍ଚ୍ଚିତ ନ ଥିଲା। ଅନ୍ୟ ଅଣ ଓଡ଼ିଆ ଅଧିକାରୀଙ୍କ ପରି ସେ ଜଣେ ଦକ୍ଷିଣ ଭାରତରୁ ଓଡ଼ିଶା ଆସିଥିବା ଅଧିକାରୀ ଥିଲେ। ଶ୍ୱଶୂର ଘର ଓଡ଼ିଶାରେ ବୋଲି ନିଜ କ୍ୟାଡରକୁ ସେ ପଞ୍ଜାବରୁ ଓଡ଼ିଶାକୁ ବଦଳାଇଥିଲେ ବୋଲି ସେତେବେଳେ ଶୁଣିବାକୁ ମିଳୁଥିଲା। ପ୍ରଥମ ଧର୍ମଗଡ଼ର ଉପ ଜିଲ୍ଲାପାଳ ଆଉ ପରେ ପରେ ପ୍ରଶାସନିକ କ୍ଷମତାର ଶିଡ଼ି ଚଢ଼ି ସେ ତତ୍କାଳୀନ ମୁଖ୍ୟମନ୍ତ୍ରୀଙ୍କ ଦପ୍ତର ଓ ତାଙ୍କ ବାସଭବନରେ ପହଞ୍ଚିଲେ। ସେଠାରେ ଅନେକ କ୍ଷମତାଶାଳୀ ହେଲେ। ଏପରିକି ତତ୍କାଳୀନ ମୁଖ୍ୟମନ୍ତ୍ରୀଙ୍କ ଅତ୍ୟନ୍ତ ବିଶ୍ୱସ୍ତ କର୍ମଚାରୀ ହୋଇ ଆଜି ଯାଏ ରହିବାରେ ସେ ସକ୍ଷମ ହୋଇପାରିଛନ୍ତି। ଆଜି ବି ବିରୋଧୀ ଦଳ ନେତାଙ୍କୁ କିଏ ଭେଟିବେ ବା ସେ କାହାକୁ ଭେଟିବେ ସବୁକିଛି ତାଙ୍କ ଦ୍ୱାରା ସ୍ଥିର କରାଯାଉଥିବା ଅଭିଯୋଗ ହୁଏ।
ସାମନ୍ତବାଦୀ ସଂଗଠନ ବିଜେଡି
ଅଧିକାରୀ ଥିବା ସମୟରେ ଶ୍ରୀ ପାଣ୍ଡିଆନ୍ ବିଜେଡିର ଅଘୋଷିତ ନୀତି ନିର୍ଦ୍ଧାରକ ଥିଲେ। ଏପରିକି ୨୦୧୯ ନିର୍ବାଚନ ସମୟରେ ତାଙ୍କ ଦ୍ୱାରା ଅଯୋଗ୍ୟ ଘୋଷିତ ହେଲେ ବିଜେଡି ଟିକଟ ମିଳୁ ନଥିବା ଅଭିଯୋଗ ହୋଇଥିଲା। ଏଥିରେ ବିଜେଡିକୁ ସଫଳତା ମିଳିବାରୁ ନେତାଙ୍କ ଉପରେ ସୁପର ପାଓ୍ୱାର ହୋଇ କାର୍ଯ୍ୟ କରିଲେ ପାଣ୍ଡିଆନ୍। ଆଉ ନେତା ପାଲଟିଲେ ଭୃତ୍ୟ, ଚାକର, ସେବକ ଇତ୍ୟାଦି। ଏ ଶବ୍ଦସବୁ ଓଡ଼ିଆ ସମାଜରେ ବଡ଼ ନିନ୍ଦନୀୟ ଶବ୍ଦ ଭାବେ ଗ୍ରହଣ କରାଯାଏ କିନ୍ତୁ ଆମର କିଛି ନେତା ଏପରି ଶବ୍ଦ ନିଜ ଉପରେ ପ୍ରୟୋଗ କରି ବେଶ୍ ଗର୍ବ ଅନୁଭବ କରିଛନ୍ତି। ଏଥିରେ ବରିଷ୍ଠ ନେତାମାନେ ବି ସାମିଲ ରହିଛନ୍ତି। ସ୍ୱର୍ଗତ ସୂର୍ଯ୍ୟ ନାରାୟଶ ପାତ୍ରଙ୍କ କଥା କୁହନ୍ତି ଅବା ବିଜେଡିର ତତ୍କାଳୀନ ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଅବା ଖୋଦ୍ ଭୈରବ କାର୍ତ୍ତିକେୟ ପାଣ୍ଡିଆନ୍ ଏପରି ଶବ୍ଦ ନିଜ ପଛରେ ଯୋଡ଼ି ଭାରି ଗର୍ବ ଅନୁଭବ କରିଛନ୍ତି। ଏହା ପ୍ରମାଣିତ କରୁଛି ଯେ ବିଜେଡି ଏକ ପରିବାର ନୁହେଁ ବରଂ ଏକ ସାମନ୍ତବାଦୀ ସଂଗଠନରେ ପରିଣତ ହୋଇଛି। ଯେଉଁଠାରେ ନବୀନ ପଟ୍ଟନାୟକ ନେତା ନୁହନ୍ତି ବରଂ ଖୋଦ ରାଜା, ଛାମୁ ଅଥବା ପ୍ରଭୁ ପାଲଟିଛନ୍ତି।
ନବୀନଙ୍କ ଏକମାତ୍ର ବିଶ୍ୱସ୍ତ ବୋଲି ପରିଚୟ ଦେଲେ ଭୈରବ
ବିଜେଡି ଇତିହାସକୁ ଓଲଟାଇଲେ ଏପରି ପରିସ୍ଥିତି ଆରମ୍ଭରେ ନ ଥିଲା। ପ୍ରଥମରୁ ରାଜନୀତିକ ନେତାମାନେ ସଭାପତିଙ୍କୁ ଗଣତାନ୍ତ୍ରିକ ଭାବେ ପରିଚାଳିତ କରୁଥିଲେ। କିନ୍ତୁ ଯେବେଠାରୁ ରାଜନୀତିକ ନେତାଙ୍କୁ ଅମଲା ନିୟନ୍ତ୍ରଣ କରିବା ପାଇଁ ନବୀନ ସୁଯୋଗ ଦେଲେ ସେବେଠାରୁ ଏଭଳି ପରିସ୍ଥିତି ସୃଷ୍ଟି ହେଲା। ଯେଉଁମାନେ ଏହାକୁ ବିରୋଧ କରିଲେ ସେମାନଙ୍କ ମୁଣ୍ଡ କାଟ ହେଲା। ଏ ପରିସ୍ଥିତି ନବୀନଙ୍କ ପାଇଁ ଅଣ୍ଟିଛୁରୀ ଭଳି ଦିନେ ହରଡ଼ଘଣାରେ ପକାଇଥିଲା କିନ୍ତୁ ଏହି ସଙ୍କଟକୁ ସମ୍ପତ୍ତି କରି ନବୀନ ୨୦୧୪ ନିର୍ବାଚନ ଜିତିଲେ। ଆଉ ୨୦୧୬ ପରେ ଏହି ପରିସ୍ଥିତି ଅଧିକ ଉତ୍କଟ ହେବା ଆରମ୍ଭ କଲା। ୨୦୧୯ ନିର୍ବାଚନ ପରିଚାଳନାକୁ ଆଖିରେ ରଖି ୨୦୧୮ରୁ ଯେଉଁ ଶୃଙ୍ଖଳା ପରିବର୍ତ୍ତନ ହେଲା ସେଥିରେ ମୁଖ୍ୟରେ ରହୁଥିଲେ ପାଣ୍ଡିଆନ। ଏବେ ବି ସେଇ ପରମ୍ପରା ଜାରି ରହିଛି। କିନ୍ତୁ ସେତେବେଳେ ପରଦା ପଛରେ ସେ ରହୁଥିଲେ। ଏପରିକି ପାଣ୍ଡିଆନ୍ଙ୍କ ଗୋଟିଏ ଫଟୋକୁ ନେଇ ଗଣମାଧ୍ୟମ ସୀମିତ ରହୁଥିଲା। କିନ୍ତୁ ପରେ ସେ ସର୍ବେସର୍ବା ହେଲେ। ପର୍ଦ୍ଦା ଉପରେ ନବୀନଙ୍କ ଏକମାତ୍ର ବିଶ୍ୱସ୍ତ ବୋଲି ପରିଚୟ ଦେଲେ। ହେଲେ ଏଥିରେ କର୍ମୀ ଓ ନେତା ଅସନ୍ତୁଷ୍ଟ ହେବାରୁ ୨୦୨୪ ନିର୍ବାଚନରେ ବିଜେଡି ପରାଜୟର ମୁହଁ ଦେଖିଲା। କ୍ଷମତାଠୁ ଦୂରେଇଲା। ଆଉ ସେବାଠାରୁ ବିଜେଡିରେ ପାଣ୍ଡିଆନ୍ ବିରୋଧୀ ସ୍ଲୋଗାନ ପ୍ରୋତ୍ସାହିତ ହେଲା।
ଭୟ ଦୂର କରିବାକୁ ବିଜେଡି ନେତା ଅସମର୍ଥ
କିଛିଦିନ ପ୍ରତ୍ୟକ୍ଷ ରାଜନୀତିରୁ ଦୂରେଇଥିବା ପାଣ୍ଡିଆନ୍ ପୁଣିଥରେ ସକ୍ରିୟ ହୋଇଥିବା କୁହାଯାଉଛି। ଏଥର ସେ ଏକୁଟିଆ ନୁହଁନ୍ତି ତାଙ୍କ ପତ୍ନୀଙ୍କ ସହ ମୈଦାନକୁ ଆସିଛନ୍ତି। ଅର୍ଥାତ୍ ଯେଉଁ ଭୟ ନେତାଙ୍କ ଭିତରେ କିଛିଦିନ ପ୍ରଶମିତ ଥିଲା ତାହା ଏବେ ପୁଣିଥରେ ଜାଗ୍ରତ ହୋଇଛି। ଜଣକପରେ ଜଣେ ବରିଷ୍ଠ ନେତାଙ୍କ ବଳି ପଡ଼ିବା ଆରମ୍ଭ ହୋଇଛି। କିଛି ନେତା ନିଜର ଅନ୍ଧକାର ଭବିଷ୍ୟତକୁ ଦେଖି ଚୁପ୍ ରହୁଛନ୍ତି ଆଉ କିଛି ନେତା ନିଜ ଭିତରେ ଦମ୍ଭ ନ ଥିବାରୁ ପରିସ୍ଥିତିକୁ ଅପେକ୍ଷା କରୁଛନ୍ତି। ଅର୍ଥାତ୍ ବିଜେଡି ଭିତରେ ଏକ ନେତାଙ୍କ ଜ୍ଞାତସାରରେ ଏକ ଭୟ ଘୂରି ବୁଲୁଛି। କିନ୍ତୁ ସେ ଭୟକୁ ଦୂର କରିବାକୁ ଶକ୍ତି ପାଉ ନାହାନ୍ତି ନେତା।
ଭୟର ସୃଷ୍ଟି ଓ ପାଳନ କର୍ତ୍ତା ନବୀନ
ଏ ଭୟର ସୃଷ୍ଟି ଓ ପାଳନ ପୋଷଣ କରୁଛନ୍ତି ଖୋଦ ନବୀନ ପଟ୍ଟନାୟକ। ନିଜ ଦଳର ନେତାଙ୍କ ଉପରେ ତାଙ୍କର ଅନାସ୍ଥା ଏବଂ ପାଣ୍ଡିଆନ୍ ଓ ତାଙ୍କ ପରିବାର ଉପରେ ତାଙ୍କ ଭରସା ଆଜି ଦଳରେ ଅଭାବନୀୟ ପରିସ୍ଥିତି ସୃଷ୍ଟି କରୁଛି। ନେତାଏ କହୁଛନ୍ତି ଆପଣା ସୁନା ତ ଭେଣ୍ଡି କହିବା କାହାକୁ?
ବିଶ୍ୱାସକୁ ସାଉଁଟୁଛନ୍ତି ଭୈରବ
ଏବେ କିନ୍ତୁ ପରିସ୍ଥିତି ବଦଳୁଛି। ଦୂକୁ ଦିନ ଶାରିରୀକ ଭାବେ ଦୁର୍ବଳ ହେଉଥିବା ନବୀନଙ୍କ ଲାଗି ବିଜେଡିର ଅସ୍ତିତ୍ୱ ରକ୍ଷା ଏକ ବଡ଼ ଆହ୍ୱାନ ହୋଇଛି। ୨୪ ବର୍ଷ ମୁଖ୍ୟମନ୍ତ୍ରୀ ରହି ମଧ୍ୟ ନିଜ ଭିତରେ ଆତ୍ମ ବିଶ୍ୱାସ ଦୃଢ଼୍ କରିପାରୁ ନାହାନ୍ତି ନବୀନ। ଏଭଳି ପରିସ୍ଥିତିରେ ଦଳର ଭବିଷ୍ୟତକୁ ନା ସେ ନେତାଙ୍କ ହାତରେ ଠିକଣା ଭାବେ ଦେଖୁଛନ୍ତି ନା ପାଣ୍ଡିଆନ୍ଙ୍କ ହାତରେ। ସେଥିଲାଗି ଦଳ ଭିତରେ ଅବିଶ୍ୱାସ, ଅନାସ୍ଥା, ଅସ୍ୱିହ୍ୟେ ଭାବ ଦିନକୁ ଦିନ ବଢ଼ୁଛି। ଆଉ ନିଜ ଭିତରେ ବିଶ୍ୱାସକୁ ସାଉଁଟୁଛନ୍ତି ଭୈରବ।
ଭୈରବଙ୍କୁ କଳା ପାହାଡ଼ ସହ ତୁଳନା
କିଛିଦିନ ତଳେ ଏହି ଭୈରବଙ୍କୁ କଳା ପାହାଡ଼ ସହ ତୁଳନା କରିଥିଲେ। କାରଣ ଶ୍ରୀଜଗନ୍ନାଥ କ୍ଷେତ୍ରର ବିକାଶ ନାଁରେ ଶ୍ରୀ ଜଗନ୍ନାଥ ସଂସ୍କୃତି ସହ ଗଡ଼ିତ ମଠ ସଂସ୍କୃତିକୁ ସେ ଧ୍ୱଂସ କରିଥିବା ଅଅଭିଯୋଗ ହୋଇଛି। ଏବେ ଏହି ଭୈରବଙ୍କୁ କାଳର କରାଳ ବୋଲି ବି ସଂଯୋଜନା କରୁଛନ୍ତି। ତାଙ୍କରି ସମୟରେ ବିଜେଡି ମାଟିରେ ମିଶିଯିବ ବୋଲି ଆଶଙ୍କା ହେଉଛି।
ALSO READ https://purvapaksa.com/saudi-arabia-and-pakistan-sign-mutual-defence-pact/
Saudi Arabia and Pakistan sign mutual defence pact ।। ପାକିସ୍ତାନକୁ ପ୍ରତିରକ୍ଷା କରିବ ସାଉଦି ଆରବ
