ଆଜି ହେଉଛି ଉତ୍କଳ ଦିବସ। ୧୯୩୬ ମସିହା ଏପ୍ରିଲ୍ ୧ ତାରିଖ, ଆଜିର ଏହି ପବିତ୍ର ଦିନରେ ଭାଷା ଭିତ୍ତିରେ ଗଠିତ ଦେଶର ପ୍ରଥମ ରାଜ୍ୟ ଭାବରେ ଆମ ଓଡ଼ିଶା ଜନ୍ମଗ୍ରହଣ କରିଥିଲା। ଆଉ ମାତ୍ର ୧୦ବର୍ଷ ପରେ ଆମେ ଓଡ଼ିଶା ଗଠନର ଶତବାର୍ଷିକୀ ପାଳନ କରିବାକୁ ଯାଉଛୁ।
କିନ୍ତୁ… ଆଜିର ଏହି ଉତ୍ସବ ମୁଖର ପରିବେଶ ଭିତରେ ଆମ ମନରେ ଏକ ଗଭୀର ଯନ୍ତ୍ରଣା ମଧ୍ୟ ଅଛି। ଆଜିର ଦିନରେ ଆମକୁ ଏପରି ଏକ ବିଷୟ ଉପରେ ଆଲୋଚନା କରିବାକୁ ପଡ଼ୁଛି, ଯାହା ପ୍ରତ୍ୟେକ ଓଡ଼ିଆଙ୍କ ହୃଦୟକୁ କଷ୍ଟ ଦେବ। ଆଉ ମାତ୍ର ୧୦ ବର୍ଷ ପରେ ଶତବାର୍ଷିକୀ ପାଳନ କରିବାକୁ ଥିବା ଆମ ଓଡ଼ିଶାର ସ୍ଥିତି ବାସ୍ତବରେ କିପରି ଅଛି? ଆମର ଭାଷା, ଆମର ସାହିତ୍ୟ, ସଂସ୍କୃତି ଏବଂ ସର୍ବୋପରି ଆମର ‘ଓଡ଼ିଆ ଅସ୍ମିତା’ ଆଜି କେଉଁ ଅବସ୍ଥାରେ ଅଛି? କାହିଁକି ଆମ ଭାଷାକୁ ହତାଦର କରାଯାଉଛି?
ଆଜିର ଏହି ରିପୋର୍ଟରେ ଆମେ ସେହି ‘ଓଡ଼ିଆ ଅସ୍ମିତା’ର କଥା କହିବୁ, ଯାହାକୁ ମୂଳଦୁଆ କରି ବର୍ତ୍ତମାନର ସରକାର କ୍ଷମତାକୁ ଆସିଥିଲେ। ଆସନ୍ତୁ, ସିଧାସଳଖ ପ୍ରଶ୍ନ ପଚାରିବା ଏବଂ ବାସ୍ତବତାକୁ ଖୋଲି କରି ଦେଖିବା।
ଟିକେ ପଛକୁ ଫେରିଯାଆନ୍ତୁ। ନିର୍ବାଚନ ସମୟରେ ଭାରତୀୟ ଜନତା ପାର୍ଟି (ବିଜେପି) ପକ୍ଷରୁ ଯେଉଁ ସଂକଳ୍ପ ପତ୍ର ବା ମେନିଫେଷ୍ଟୋ (Manifesto) ଜାରି କରାଯାଇଥିଲା, ତାକୁ ଥରେ ପଢ଼ନ୍ତୁ। ସେଥିରେ ବଡ଼ ବଡ଼ ଅକ୍ଷରରେ ଲେଖାଥିଲା ‘ଓଡ଼ିଆ ଅସ୍ମିତା ଏବଂ ଆମର ପରିଚୟ’। ସେତେବେଳେ କୁହାଯାଇଥିଲା ଯେ ପୂର୍ବ ସରକାର (ବିଜେଡି) ଜଗନ୍ନାଥ ସଂସ୍କୃତି, ଓଡ଼ିଆ ଭାଷା ଏବଂ ସାହିତ୍ୟକୁ ଅଣଦେଖା କରିଛି ଏବଂ ଆମେ ଆସିଲେ ତାହାର ପୁନରୁଦ୍ଧାର କରିବୁ।
ବିଜେପିର ସେହି ସଂକଳ୍ପ ପତ୍ରରେ ଇଂରାଜୀ ଏବଂ ଓଡ଼ିଆ ଉଭୟ ଭାଷାରେ ସ୍ପଷ୍ଟ ପ୍ରତିଶ୍ରୁତି ଦିଆଯାଇଥିଲା। ସେଥିରେ ଲେଖାଥିଲା- “We will mandate the use of Odia language for all judicial and government documents… it’s a promise.” ଅର୍ଥାତ୍ ରାଜ୍ୟର ସମସ୍ତ ପ୍ରଶାସନିକ, ବିଚାର ବିଭାଗୀୟ ଏବଂ ସରକାରୀ ଦସ୍ତାବିଜ୍ କେବଳ ଓଡ଼ିଆ ଭାଷାରେ ହେବ, ଯାହାଦ୍ୱାରା ସାଧାରଣ ନାଗରିକଙ୍କ ପାଇଁ ଶାସନ ଅଧିକ ସ୍ୱଚ୍ଛ ଏବଂ ସହଜ ହୋଇପାରିବ। ଏହା ସହିତ କୁହାଯାଇଥିଲା ଯେ ଆନ୍ତର୍ଜାତିକ ଓ ଜାତୀୟ ସ୍ତରର ବିଶ୍ୱବିଦ୍ୟାଳୟଗୁଡ଼ିକରେ ‘ଓଡ଼ିଆ ଚେୟାର୍’ (Odia Chairs) ସ୍ଥାପନ କରାଯିବ। ସେତେବେଳେ ଆମେ ସମସ୍ତେ ବହୁତ ଖୁସି ହୋଇଥିଲୁ। ଭାବିଥିଲୁ ବୋଧହୁଏ ଏବେ ଓଡ଼ିଆ ଭାଷାର ସୁଦିନ ଫେରିଆସିବ।
କିନ୍ତୁ ବାସ୍ତବତା କ’ଣ ହେଲା? ଆଜି ଉତ୍କଳ ଦିବସରେ ଆମ ନେତାମାନେ ବଡ଼ ବଡ଼ ମଞ୍ଚରେ ବସି ଗରମାଗରମ ଭାଷଣ ଦେଉଛନ୍ତି, ଓଡ଼ିଆ ଅସ୍ମିତାକୁ ନେଇ ବାହାସ୍ଫୋଟ ମାରିଛନ୍ତି। କିନ୍ତୁ ପ୍ରଶାସନିକ ସ୍ତରରେ ଯେଉଁ ଖେଳ ଚାଲିଛି, ତାହା ଦେଖିଲେ ଆପଣ ଆଶ୍ଚର୍ଯ୍ୟ ହେବେ।
ଆପଣମାନଙ୍କର ମନେଥିବ, ଓଡ଼ିଆ ଭାଷା ଆଇନ ୧୯୫୪ ରେ ସଂଶୋଧନ ଆଣି ୨୦୧୯ ଅଗଷ୍ଟରେ ଏକ ଗ୍ୟାଜେଟ୍ ପ୍ରକାଶ ପାଇଥିଲା। ସେଥିରେ ଓଡ଼ିଆ ଭାଷାକୁ ‘ଏକମାତ୍ର ସରକାରୀ ଭାଷା’ ଭାବେ ଆଇନଗତ ସ୍ୱୀକୃତି ଦିଆଯାଇଥିଲା। ନିୟମ ହୋଇଥିଲା ଯେ ଯିଏ ସରକାରୀ କାମରେ ଓଡ଼ିଆ ଭାଷାର ବ୍ୟବହାର ନକରିବ, ତାକୁ ଦଣ୍ଡିତ କରାଯିବ।
କିନ୍ତୁ ଆମର ଏହି ନୂଆ ‘ଓଡ଼ିଆ ଅସ୍ମିତା ସରକାର’ କ’ଣ କଲେ ଜାଣନ୍ତି? ୨୦୨୪ ଅଗଷ୍ଟ ୨ ତାରିଖରେ ଏକ ନୂଆ ବିଜ୍ଞପ୍ତି ବା ନୋଟିଫିକେସନ୍ ଜାରି କରାଗଲା। ସେଥିରେ ପୂର୍ବ ଆଇନକୁ ବଦଳାଇ ଦିଆଗଲା। ନୂଆ ନିୟମ ଅନୁସାରେ ଏବେ କେବଳ ଓଡ଼ିଆ ନୁହେଁ, ବରଂ “ଓଡ଼ିଆ ଏବଂ ଇଂରାଜୀ ଉଭୟ ଭାଷା” ସରକାରୀ କାର୍ଯ୍ୟରେ ଚାଲିବ। ଅର୍ଥାତ୍ ଯେଉଁ ରାଜ୍ୟ କେବଳ ଭାଷା ପାଇଁ ଗଠନ ହୋଇଥିଲା, ସେହି ପ୍ରଥମ ଭାଷାଭିତ୍ତିକ ରାଜ୍ୟରେ ଏବେ ଇଂରାଜୀ ଭାଷାକୁ ଓଡ଼ିଆ ସହ ସମାନ ସ୍ତରକୁ ଅଣାଗଲା।
ଏହି କଥାକୁ ଲୁଚାଇ ରଖାଯାଇଥିଲା। କେହି ଜାଣିନଥିଲେ। ଆମେ ଆଜି ପଚାରିବାକୁ ଚାହୁଁଛି, କେଉଁ କାରଣରୁ ଇଂରାଜୀକୁ ସରକାରୀ ଭାଷାର ସ୍ୱୀକୃତି ଦିଆଗଲା? କେବଳ କିଛି ପ୍ରଶାସନିକ ଅଧିକାରୀ ବା ଆଇଏଏସ୍ (IAS) ଅଫିସରଙ୍କୁ ଖୁସି କରିବା ପାଇଁ ଏବଂ ସେମାନଙ୍କର ସୁବିଧା ପାଇଁ କ’ଣ ଆମେ ଆମର ମାତୃଭାଷାକୁ ତଳକୁ ଖସାଇ ଦେବା କି?
ଆସନ୍ତୁ, ଦେଶର ଅନ୍ୟ ରାଜ୍ୟଗୁଡ଼ିକର ଉଦାହରଣ ଦେଖିବା, ଯେଉଁମାନେ ନିଜ ଭାଷାକୁ କିପରି ସମ୍ମାନ ଦେଉଛନ୍ତି।
ମହାରାଷ୍ଟ୍ର କଥା ଦେଖନ୍ତୁ। ୧୯୬୪ ମସିହାରୁ ମରାଠୀ ହେଉଛି ସେଠାକାର ଏକମାତ୍ର ସରକାରୀ ଭାଷା (Sole Official Language)। ସମସ୍ତ ସରକାରୀ ବିଜ୍ଞପ୍ତି ଓ କାର୍ଯ୍ୟାଳୟରେ କେବଳ ଦେବନାଗରୀ ଲିପିରେ ମରାଠୀର ବ୍ୟବହାର ହୁଏ। କେବଳ କିଛି ନିର୍ଦ୍ଦିଷ୍ଟ କାର୍ଯ୍ୟ ପାଇଁ ଇଂରାଜୀ ବ୍ୟବହାର କରାଯାଏ, କିନ୍ତୁ ମରାଠୀ ହେଉଛି ବାଧ୍ୟତାମୂଳକ।
କେରଳରେ ମଧ୍ୟ ସମାନ ସ୍ଥିତି। ମାଲାୟାଲମ୍ ଏକ ଶାସ୍ତ୍ରୀୟ ଭାଷା (Classical Language)। ସେଠାରେ ବିଧାନସଭା, ପ୍ରଶାସନ ଏବଂ ଶିକ୍ଷାନୁଷ୍ଠାନରେ ଏକମାତ୍ର ସରକାରୀ ଭାଷା ହେଉଛି ମାଲାୟାଲମ୍। ତାମିଲନାଡୁରେ ୧୯୫୮ ମସିହାରୁ ତାମିଲକୁ ଅଫିସିଆଲ୍ ଲାଙ୍ଗୁଏଜ୍ କରାଯାଇଛି। ଇଂରାଜୀ କେବଳ ଏକ ସପ୍ଲିମେଣ୍ଟାରୀ ଭାଷା, ସରକାରୀ ଭାଷା ନୁହେଁ। ଏପରିକି ପଶ୍ଚିମବଙ୍ଗରେ ମଧ୍ୟ ବଙ୍ଗଳା ହେଉଛି ପ୍ରାଥମିକ ସରକାରୀ ଭାଷା, ଇଂରାଜୀ ସେକେଣ୍ଡାରୀ।
ଯେତେବେଳେ ଏହିସବୁ ରାଜ୍ୟମାନେ ନିଜ ନିଜ ମାତୃଭାଷାରେ ଶାସନ ଚଳାଇ ପାରୁଛନ୍ତି ଏବଂ ବିକାଶର ଶୀର୍ଷରେ ପହଞ୍ଚି ପାରୁଛନ୍ତି, ତେବେ ଓଡ଼ିଶାରେ ସମସ୍ୟା କେଉଁଠି? ଓଡ଼ିଶାରେ ପ୍ରଶାସକମାନେ କାହିଁକି ଓଡ଼ିଆରେ ନୋଟିସ୍ ବା ବିଜ୍ଞପ୍ତି ଲେଖିପାରିବେ ନାହିଁ? କେବଳ ପ୍ରଶାସନିକ ସ୍ତରରେ ନୁହେଁ, ବର୍ତ୍ତମାନ ଯେଉଁ ଡିଜିଟାଲ୍ ଜନଗଣନା ଆରମ୍ଭ ହେବାକୁ ଯାଉଛି, ସେଥିରେ ମଧ୍ୟ ପ୍ରାଥମିକ ସ୍କୁଲ୍ ଶିକ୍ଷକଙ୍କ ସହ ବେସରକାରୀ ଇଂରାଜୀ ମାଧ୍ୟମ ସ୍କୁଲର ଶିକ୍ଷକମାନଙ୍କୁ ସାମିଲ କରିବା ପାଇଁ ଉଦ୍ୟମ ହେଉଛି। ଏସବୁ କେଉଁ ଆଡ଼କୁ ଇସାରା କରୁଛି?
ଏବେ ଆସନ୍ତୁ ଶିକ୍ଷା କ୍ଷେତ୍ରକୁ। ଓଡ଼ିଆ ଭାଷାର ପ୍ରସାର ପାଇଁ ଯେଉଁ ‘ସତ୍ୟବାଦୀ ଓଡ଼ିଆ ବିଶ୍ୱବିଦ୍ୟାଳୟ’ ପ୍ରତିଷ୍ଠା କରାଯାଇଥିଲା, ତାହାର ଅବସ୍ଥା ଦେଖିଲେ ଆଖିରୁ ଲୁହ ଆସିଯିବ। ଆପଣ ବିଶ୍ୱାସ କରିବେ ନାହିଁ, ଗୋଟିଏ ‘ଓଡ଼ିଆ ବିଶ୍ୱବିଦ୍ୟାଳୟ’ରେ ଆଜି ପର୍ଯ୍ୟନ୍ତ ଜଣେ ବି ନିୟମିତ ପ୍ରାଧ୍ୟାପକ (Professor) ନାହାନ୍ତି! ଯେଉଁ କେତେଜଣ ଅଧ୍ୟାପକ ଥିଲେ, ତାଙ୍କ ନିଯୁକ୍ତିକୁ ନେଇ ହାଇକୋର୍ଟରେ ମାମଲା ଚାଲିଛି। ଗୋଟିଏ ଭାଷା ବିଶ୍ୱବିଦ୍ୟାଳୟ ଯଦି ଅଧ୍ୟାପକ ଶୂନ୍ୟ ହୋଇ ରହିବ, ତେବେ ସେଠାରେ ଭାଷାର ବିକାଶ କିପରି ହେବ? କେବଳ ଓଡ଼ିଆ ବିଶ୍ୱବିଦ୍ୟାଳୟ ନୁହେଁ, ସଂସ୍କୃତି ବିଶ୍ୱବିଦ୍ୟାଳୟ ଏବଂ ରାଜ୍ୟରେ ଥିବା ଆଦର୍ଶ ବିଦ୍ୟାଳୟଗୁଡ଼ିକର ମଧ୍ୟ ସମାନ ଦୟନୀୟ ସ୍ଥିତି। ଶିକ୍ଷକ ଓ ଅଧ୍ୟାପକ ପଦବୀ ଖାଲି ପଡ଼ିଛି।
ଆମ ରାଜ୍ୟରେ ଏବେ ଏକ ଅଦ୍ଭୁତ ସ୍ଥିତି। ମୁଖ୍ୟମନ୍ତ୍ରୀ ଜଣେ ଖାଣ୍ଟି ଓଡ଼ିଆ। ସେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତିକୁ ଭଲଭାବେ ବୁଝନ୍ତି। ରାଜ୍ୟର ଚିଫ୍ ସେକ୍ରେଟାରୀ ଠାରୁ ଆରମ୍ଭ କରି ଡିଜିପି (DGP), ଡେଭଲପମେଣ୍ଟ ସେକ୍ରେଟାରୀ ଏବଂ ହୋମ୍ ସେକ୍ରେଟାରୀ- ଏହି ଟପ୍ ୪ ଜଣ ଅଧିକାରୀ ମଧ୍ୟ ଅଣଓଡ଼ିଆ। ତଥାପି ଆମର ସରକାରୀ ବିଜ୍ଞପ୍ତିଗୁଡ଼ିକ ଇଂରାଜୀରେ କାହିଁକି ଆସୁଛି? ଖାଲି ନାମକୁ ମାତ୍ର ସରକାରୀ ଭାଷା ଓଡ଼ିଆ ହୋଇ ରହିଯାଇଛି କି? ଯେଉଁଠି ଆମର ଅଫିସରମାନେ ନିଜେ ଓଡ଼ିଆରେ କଥା ହେବାକୁ କିମ୍ବା ଲେଖିବାକୁ ହୀନମନ୍ୟତା ଅନୁଭବ କରୁଛନ୍ତି, ସେଠାରେ ଭାଷାର ସୁରକ୍ଷା ଆମେ କାହାଠାରୁ ଆଶା କରିବା?
ଆମେ କେବେବି ଇଂରାଜୀ କିମ୍ବା ଅନ୍ୟ କୌଣସି ଭାଷା ଶିଖିବାକୁ ବିରୋଧ କରୁନାହୁଁ। ଯେତେ ଅଧିକ ଭାଷା ଶିଖିବେ, ତାହା ବ୍ୟକ୍ତିଗତ ବିକାଶ ପାଇଁ ସେତେ ଭଲ। କିନ୍ତୁ ନିଜ ମାତୃଭାଷାକୁ ମାରିଦେଇ ଅନ୍ୟ ଭାଷାକୁ ଆଦରି ନେବା କେବେ ବି ସମୃଦ୍ଧିର ଲକ୍ଷଣ ନୁହେଁ। ଆଜି ଉତ୍କଳ ଦିବସ ଅବସରରେ, ଆମେ ଏହି ‘ଓଡ଼ିଆ ଅସ୍ମିତା ସରକାର’ଙ୍କୁ ନିବେଦନ କରୁଛୁ- ଦୟାକରି ଓଡ଼ିଆ ଅସ୍ମିତା ପ୍ରତି ନିଜର ନିଷ୍ଠା ପ୍ରମାଣ କରନ୍ତୁ। ଇଂରାଜୀକୁ ସରକାରୀ ଭାଷା କରିବା ପାଇଁ ଯେଉଁ ନିଷ୍ପତ୍ତି ନିଆଯାଇଛି, ତାକୁ ତୁରନ୍ତ ପ୍ରତ୍ୟାହାର କରାଯାଉ ଏବଂ ପ୍ରଶାସନିକ ସ୍ତରରେ ଓଡ଼ିଆ ଭାଷାର ବ୍ୟବହାରକୁ ବାଧ୍ୟତାମୂଳକ କରାଯାଉ। ଖାଲି ପଡ଼ିଥିବା ଓଡ଼ିଆ ଶିକ୍ଷକ ଏବଂ ଅଧ୍ୟାପକ ପଦବୀଗୁଡ଼ିକୁ ତୁରନ୍ତ ପୂରଣ କରାଯାଉ।
ମଧୁବାବୁ କହିଥିଲେ, “ଜାତି ପ୍ରେମ ବହ୍ନି ପ୍ରଜ୍ଜ୍ୱଳିତ କର…”। ଆଜି ସେହି ଜାତୀୟ ସ୍ୱାଭିମାନରେ ଟିକେ ଆଞ୍ଚ ଆସିଛି ବୋଲି ମନେହେଉଛି। ଭାଷା ବଞ୍ଚିଲେ ଜାତି ବଞ୍ଚିବ, ଜାତି ବଞ୍ଚିଲେ ଓଡ଼ିଶା ବଞ୍ଚିବ।


