ପନ୍ତ ଦାମୀ ଭାରତୀୟ, ବଟଲର ଦାମୀ ବିଦେଶୀ ଖେଳାଳି
ଇଣ୍ଡିଆନ ପ୍ରିମିୟର ଲିଗ୍(ଆଇପିଏଲ୍)ର ୨ ଦିନିଆ ନିଲାମ ପର୍ବ ଶେଷ ହୋଇଛି। ୧୦ଟି ଯାକ ଫ୍ରାଞ୍ଚାଇଜ୍ କିଣିଛନ୍ତି ୧୮୨ ଖେଳାଳି। ଖର୍ଚ୍ଚ କରିଛନ୍ତି ମୋଟ ୬୩୯.୧୫ କୋଟି ଟଙ୍କା। ଟିମ ଇଣ୍ଡିଆ ଓ୍ୱିକେଟ କିପର ରିଷଭ ପନ୍ତ ସବୁଠୁ ଦାମୀ ଭାରତୀୟ ଖେଳାଳି ସାବ୍ୟସ୍ତ ହୋଇଛନ୍ତି। ତାଙ୍କୁ ଲକ୍ଷ୍ନୌ ସୁପରଜାଏରଣ୍ଟସ ୨୭କୋଟି ଟଙ୍କା ମୂଲ୍ୟରେ କିଣିଛି। ସେହିପରି ଇଂଲଣ୍ଡ ୱିକେଟ୍ କିପର ବ୍ୟାଟର ଜୋସ ବଟଲର ଦାମୀ ବିଦେଶୀ ଖେଳାଳି ଭାବେ ବିକ୍ରି ହୋଇଛନ୍ତି। ତାଙ୍କୁ ଗୁଜରାଟ ଟାଇଟନ୍ସ ୧୫.୭୫କୋଟି ଟଙ୍କା ମୂଲ୍ୟରେ କିଣିଥିଲା। ମୁମ୍ବାଇ ବ୍ୟାଟର ଶ୍ରେୟାସ ଆୟର ଓ ମଧ୍ୟ ପ୍ରଦେଶ ଅଲ୍ରାଉଣ୍ଡର ଭେଙ୍କଟେଶ ଆୟର ମଧ୍ୟ ପୂର୍ବ ରେକର୍ଡ ଭଙ୍ଗ କରିଥିଲେ। ଶ୍ରେୟାସଙ୍କୁ ପଞ୍ଜାବ କିଙ୍ଗ୍ସ ୨୬.୭୫କୋଟି ଓ ଭେଙ୍କଟେଶଙ୍କୁ କୋଲକାତା ନାଇଟ ରାଇଡର୍ସ ୨୩.୭୫କୋଟି ଟଙ୍କା ମୂଲ୍ୟରେ କିଣିଥିଲା।
ବାମ ହାତି ପେସ ବୋଲର ଅର୍ଶଦୀପ ସିଂହ ଓ ଲେଗ ସ୍ପିନର ୟୁଝବେନ୍ଦ୍ର ଚହଲଙ୍କ ପଛରେ ରେକର୍ଡ ଦାମ ଲାଗିଥିଲା। ଉଭୟଙ୍କୁ ୧୮କୋଟି ଟଙ୍କା ଲେଖାଏଁ ମୂଲ୍ୟରେ ପଞ୍ଜାବ କିଙ୍ଗସ କିଣିଥିଲା। ଚହଲ ସବୁଠୁ ଦାମୀ ସ୍ପିନର ଭାବେ ରେକର୍ଡ କରିଥିଲେ।
୧୮୨ ଖେଳାଳି ବିକ୍ରି ହୋଇଥିଲେହେଁ ଆଉ କିଛି ବଡ଼ ତାରକାଙ୍କୁ ଫ୍ରାଞ୍ଚାଇଜମାନେ ପଚାରି ନଥିଲେ। ଅଲୋଡ଼ା ଖେଳାଳିଙ୍କ ମଧ୍ୟରେ ଆଗରେ ରହିଥିଲେ ଅଷ୍ଟ୍ରେଲିଆର ଡେଭିଡ୍ ଓ୍ୱାର୍ଣ୍ଣର। ୨୦୧୬ରେ ସନରାଇଜର୍ସ ହାଇବ୍ରାଦାଦ ଓ୍ୱାର୍ଣ୍ଣରଙ୍କ ନେତୃତ୍ୱରେ ଆଇପିଏଲ୍ ଚାମ୍ପିଅନ ହୋଇଥିଲା। ଆଇପିଏଲରେ ୬୦୦୦ରୁ ଉର୍ଦ୍ଧ୍ୱ ରନ ତାଙ୍କ ନାମରେ ରହିଛି। ତଥାପି ସେ କୌଣସି ଫ୍ରାଞ୍ଚାଇଜଙ୍କୁ ଆକର୍ଷିତ କରିପାରିନଥିଲେ। କେବଳ ୱାର୍ଣ୍ଣର ନୁହନ୍ତି, ଜନି ବେୟାରଷ୍ଟୋ, କେନ ୱିଲିୟମସନ, ପିୟୂଷ ଚାୱଲା, ମୟଙ୍କ ଅଗରୱାଲ, ପୃଥ୍ୱୀ ଶ’, ସର୍ଦୁଲ ଠାକୁର, ଡାରିଲ ମିଚେଲ, ମୁଜିବ ଉର ରହମାନ, ମୋଇନ ଅଲିଙ୍କ ଭଳି ଖେଳାଳି ମଧ୍ୟ ଅଦରକାରୀ ସାବ୍ୟସ୍ତ ହୋଇଥିଲେ।
ନିଲାମର ଦ୍ୱିତୀୟ ଦିନ
ପ୍ରଥମ ଦିନ ଭଳି ଦ୍ୱିତୀୟ ଦିବସରେ ମଧ୍ୟ ଘରୋଇ ଖେଳାଳିଙ୍କ ଉପରେ ଅନେକ ଫୋକସ କରିଥିଲେ ଫ୍ରାଞ୍ଚାଇଜ । ପେସ୍ ବୋଲର ଭୁବନେଶ୍ୱର କୁମାର ଦ୍ୱିତୀୟ ଦିବସର ସବୁଠୁ ଦାମୀ ଖେଳାଳି ସାବ୍ୟସ୍ତ ହୋଇଥିଲେ। ଲକ୍ଷ୍ନୌ ସୁପରଜାଏଣ୍ଟସ, ମୁମ୍ବାଇ ଇଣ୍ଡିଆନ୍ସ ଓ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ମଧ୍ୟରେ ତାଙ୍କୁ କିଣିବା ନେଇ ପ୍ରତିଦ୍ୱନ୍ଦ୍ୱିତା ହୋଇଥିଲା । ମୁମ୍ବାଇ ୧୦.୫୦ କୋଟି ପର୍ଯ୍ୟନ୍ତ ଯାଇଥିଲା । ବେଙ୍ଗାଲୁରୁ ୨୫ ଲକ୍ଷ ବୃଦ୍ଧି କରି ଅର୍ଥାତ ୧୦.୭୫ ଲକ୍ଷ ଟଙ୍କାରେ ଭୁବନେଶ୍ୱରଙ୍କୁ କିଣିଥିଲା। ଦ୍ୱିତୀୟ ମହଙ୍ଗା ଖେଳାଳି ରହିଥିଲେ ଦୀପକ ଚହର । ମୁମ୍ବାଇ ଆଜି ତାଙ୍କ ପାଇଁ ଖର୍ଚ୍ଚ କରିବାକୁ ପ୍ରସ୍ତୁତ ଥିଲା। ଚେନ୍ନାଇ ସୁପର କିଙ୍ଗ୍ସ ତାଙ୍କୁ ଦଳକୁ ଫେରାଇ ନେବା ପାଇଁ ୮ କୋଟି ପର୍ଯ୍ୟନ୍ତ ଡାକି ଥିଲା । ମାତ୍ର ମୁମ୍ବାଇ ବହୁ ଆଗକୁ ଯାଇ ଶେଷରେ ୯.୨୫ କୋଟିରେ ଚହରଙ୍କୁ କିଣିଥିଲା।
ଆକାଶ ଦୀପ ଓ ମୁକେଶ କୁମାର ମଧ୍ୟ ଚର୍ଚ୍ଚାରେ ରହିଥିଲେ । ଆକାଶଙ୍କୁ ପ୍ରଥମେ ଚେନ୍ନାଇ ନେବାକୁ ଆଗ୍ରହ ଦେଖାଇଥିଲା । ଏହାପରେ ପଞ୍ଜାବ ଏବଂ ଲକ୍ଷ୍ନୌ ମଧ୍ୟରେ ପ୍ରତିଦ୍ୱନ୍ଦ୍ୱିତା ହୋଇଥିଲା । ଶେଷର ଲକ୍ଷ୍ନୌ ୮ କୋଟି ଟଙ୍କାରେ ଆକାଶଙ୍କୁ କିଣିଥିଲା।
ମୁକେଶଙ୍କୁ କିଣିବା ପାଇଁ ଦିଲ୍ଲୀ କ୍ୟାପିଟାଲ୍ସ ଦ୍ୱିତୀୟ ଆରଟିଏମ୍ କାର୍ଡ ବ୍ୟବହାର କରିଥିଲା । ପଞ୍ଜାବ, ଚେନ୍ନାଇ ଓ ଦିଲ୍ଲୀ ତାଙ୍କୁ କିଣିବା ନେଇ ଲଢେଇ କରିଥିଲେ । ପଞ୍ଜାବ ୮ କୋଟି ଛୁଇଁବା ପରେ ଚେନ୍ନାଇ ଓହରି ଯାଇଥିଲା । ଏତିକିବେଳେ ଦିଲ୍ଲୀ ଆରଟିଏମ୍ କାର୍ଡ ବ୍ୟବହାର କରି ମୁକେଶଙ୍କୁ ଦଳକୁ ଫେରାଇ ନେଇଥିଲା।
ଚେନ୍ନାଇରୁ ରାଜସ୍ଥାନ ଗଲେ ତୁଷାର
ତୁଷାର ଦେଶପାଣ୍ଡେଙ୍କୁ ଚେନ୍ନାଇ ଦଳରେ ରଖିବା ନେଇ ବହୁ ପ୍ରୟାସ କରିଥିଲା । କିନ୍ତୁ ରାଜସ୍ଥାନ ରୟାଲ୍ସ ସେ ସୁଯୋଗ ଦେଇନଥିଲା । ଚେନ୍ନାଇ ୬.୨୫ କୋଟି ପର୍ଯ୍ୟନ୍ତ ଯାଇଥିଲା । ମାତ୍ର ରୟାଲ୍ସ ଆଉ ୨୫ ଲକ୍ଷ ବୃଦ୍ଧି କରି ଶେଷରେ ୬.୫୦ କୋଟିରେ ତୁଷାରଙ୍କୁ ଦଳରେ ସାମିଲ କରିଥିଲା ।
ଆରସିବିରେ ଯୋଗଦେବେ କୃନାଲ
ବରୋଦା ଅଧିନାୟକ କୃନାଲ ପାଣ୍ଡ୍ୟାଙ୍କୁ ବେଙ୍ଗାଲୁରୁ ୫.୭୫ କୋଟିରେ ଦଳରେ ସାମିଲ କରିଛି । ରାଜସ୍ଥାନ ତାଙ୍କୁ କିଣିବା ନେଇ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ ବି ଶେଷରେ ଓହରି ଯାଇଥିଲା ।
ନୀତିଶ ରାଣା ୪.୨ କୋଟି
ରାଜସ୍ଥାନ ରୟାଲ୍ସ ୪.୨ କୋଟି ଟଙ୍କାରେ ରାଣାଙ୍କୁ କିଣିଥିଲା। ଚେନ୍ନାଇ ସୁପରକିଙ୍ଗ୍ସ ତାଙ୍କୁ କିଣିବା ନେଇ ୩ କୋଟି ପର୍ଯ୍ୟନ୍ତ ଯାଇଥିଲା । ପରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ମଧ୍ୟ ତାଙ୍କୁ କିଣିବା ନେଇ ପ୍ରୟାସ କରିଥିଲା। କିନ୍ତୁ ସମସ୍ତଙ୍କୁ ପଛରେ ପକାଇ ରାଜସ୍ଥାନ ରୟାଲ୍ସ ରାଣାଙ୍କୁ କିଣିଥିଲା।
ଜାନସେନ ୭ କୋଟି
ଦକ୍ଷିଣ ଆଫ୍ରିକା ଅଲରାଉଣ୍ଡର ମାର୍କୋ ଜାନସେନଙ୍କୁ ୭ କୋଟି ଟଙ୍କା ମୂଲ୍ୟରେ ପଞ୍ଜାବ କିଙ୍ଗସ କ୍ରୟ କରିଥିଲା। ମୁମ୍ବାଇ ଓ ଗୁଜରାଟ ଟାଇଟନ୍ସ ତାଙ୍କୁ କିଣିବା ନେଇ ଆଗ୍ରହ ଦେଖାଇଥିଲେ । ଟାଇଟନ୍ସ ୫ କୋଟି ପର୍ଯ୍ୟନ୍ତ ଯାଇଥିଲା । ଶେଷରେ ପଞ୍ଜାବ ତାଙ୍କୁ ଅଧିକ ୨ କୋଟିରେ ନେଇଥିଲା ।
ସର୍ବାଧିକ ଥର ବିକ୍ରି ହେଲେ ଉନାକାତ
ଜୟେଦେବ ଉନାକାତ ଆଇପିଏଲ ଇତିହାସରେ ସର୍ବାଧିକ ଥର ବିକ୍ରି ହେବାର ରେକର୍ଡ କରିଛନ୍ତି । ତାଙ୍କ ମୂଳ ଦର ୧ କୋଟି ଟଙ୍କାରେ ସନରାଇଜର୍ସ ଏହାକୁ ମିଶାଇ ସେ ନିଲାମରେ ୧୩ ଥର ବିକ୍ରି ହୋଇଛନ୍ତି ।
ଆରସିବି ପେର ଡେଭିଡଙ୍କୁ ୩ କୋଟି, ଜାକୋବ ବେଥେଲଙ୍କୁ ୨.୬୦ କୋଟି, ସୂର୍ଯ୍ୟାସ ଶର୍ମାଙ୍କୁ ୨.୬୦ କୋଟି ଏବଂ ଦେବଦତ୍ତ ୨ କୋଟିରେ ଦଳରେ ସାମିଲ କରିଥିଲା। ଦୁର୍ଦ୍ଦର୍ଷ ଗ୍ଲେନ ମ୍ୟାକ୍ସୱେଲଙ୍କୁ କିଙ୍ଗସ ଏକାଦଶ ପଞ୍ଜାବ ୪.୨୦ କୋଟିରେ କିଣିଥିଲା। ସେହିପରି ପ୍ରିୟାଂଶ ଆର୍ଯ୍ୟଙ୍କୁ ୩.୮୦ କୋଟି ଓ ଜୋସ ଇଂଲିଶଙ୍କୁ ୨.୪୦ କୋଟିରେ କିଣିଥିଲା।
previous article:https://purvapaksa.com/rishabh-pant-has-become-the-most-expensive-player-in-ipl-history-after-he-was-sold-to-lucknow-super-giants-for-inr-27-crore/