ହମାସ ଆକ୍ରମଣରୁ ଆରମ୍ଭ ହୋଇଥିବା ଗାଜା ଯୁଦ୍ଧକୁ ମଙ୍ଗଳବାରୁ ଦୁଇବର୍ଷ ପୂରଣ ହୋଇଛି। କ୍ରମାଗତ ବୋମାମାଡ଼ ଏବଂ ସାମରିକ କାର୍ଯ୍ୟାନୁଷ୍ଠାନ ଯୋଗୁଁ ଗାଜା ଷ୍ଟ୍ରିପ୍ ଧ୍ୱଂସସ୍ତୁପରେ ପରିଣତ ହୋଇଯାଇଛି।
ମିଳିତ ଜାତିସଂଘ (ୟୁଏନ)ର ସାଟେଲାଇଟ ରିପୋର୍ଟ ଅନୁଯାୟୀ ଯୁଦ୍ଧ ପାଇଁ ଗାଜାର ୮୦ ପ୍ରତିଶତ କୋଠା କ୍ଷତିଗ୍ରସ୍ତ ହୋଇଛି। ପ୍ରାୟ ୯୦ ପ୍ରତିଶତ ସ୍କୁଲ ଭୂତକୋଠିରେ ପରିଣତ ହୋଇଯାଇଛି। ୧୮ ହଜାର ଶିଶୁଙ୍କ ସମେତ ୬୫ ହଜାରରୁ ଅଧିକ ଲୋକ ପ୍ରାଣ ହରାଇଛନ୍ତି। ୩୯, ୩୮୪ ଶିଶୁ ନିଜ ମାତାପିତାଙ୍କ ମଧ୍ୟରୁ ଜଣକୁ ହରାଇଛନ୍ତି। ୧୭ ହଜାର ଶିଶୁ ମାତାପିତା ଉଭୟଙ୍କୁ ହରାଇଛନ୍ତି। ହଜାର ହଜାର ଲୋକ ଆହତ ହୋଇଛନ୍ତି।
୯୮.୫ ପ୍ରତିଶତ କ୍ଷେତ ନଷ୍ଟ ହୋଇଯାଇଛି। ଲକ୍ଷାଧିକ ପାଲେଷ୍ଟିନୀୟ ଟେଣ୍ଟରେ ରହିବାକୁ ବାଧ୍ୟ ହେଉଛନ୍ତି। ଏଠାରେ ଖାଦ୍ୟ, ପାନୀୟ, ବିଦ୍ୟୁତ୍ ଏବଂ ଚିକିତ୍ସା ବିନା କାଳତିପାତ କରୁଛନ୍ତି। ଭୋକ ଉପାସରେ ମୃତ୍ୟୁକୁ ଅପେକ୍ଷା କରି ରହିଛନ୍ତି। ଗାଜା ଅସହାୟଙ୍କ ସହର ପାଲଟି ଯାଇଛି। ଚାରିଆଡେ ଯୁଦ୍ଧ ବିଭୀଷିକା ଦେଖିବାକୁ ମିଳୁଛି। ୮୦ ପ୍ରତିଶତ ଅଞ୍ଚଳ ମିଲିଟାରୀ ଜୋନ୍ ହୋଇଯାଇଛି। ଏଠାରେ ସାଧାରଣ ନାଗରିକଙ୍କ ପ୍ରବେଶ ନିଷିଦ୍ଧ ରହିଛି। ଏହା ସହର ନୁହେଁ, ବରଂ ଜୀବିତ ଲୋକଙ୍କ କ୍ୟାମ୍ପ ହୋଇ ରହିଛି ବୋଲି ଉଦ୍ଧାରକାରୀ ଏଜେନ୍ସିଙ୍କ ପକ୍ଷରୁ କୁହାଯାଇଛି। ୨୦୨୩ ଅକ୍ଟୋବର ୭ରେ ଆତଙ୍କବାଦୀ ସଂଗଠନ ହମାସ ଅନୁପ୍ରବେଶ କରି ଅନେକ ଇସ୍ରାଇଲ ନାଗରିକଙ୍କୁ ହତ୍ୟା କରିଥିଲା। ୨୫୧ ଜଣଙ୍କୁ ପଣବନ୍ଦୀ କରି ରଖିଥିଲା। ଏହାକୁ ନେଇ ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତନ୍ୟାହୁ ତୁରନ୍ତ ଯୁଦ୍ଧ ଘୋଷଣା କରି ହମାସ ଉପରେ ଆକ୍ରମଣ ଆରମ୍ଭ କରି ଦେଇଥିଲେ।
ଏହି ଯୁଦ୍ଧ ଯୋଗୁଁ ଗାଜାର ୨୩ ଲକ୍ଷ ଲୋକଙ୍କ ମଧ୍ୟରୁ ୯୦ ପ୍ରତିଶତ ବାସ ହରାଇ ଥିଲେ। ଯୁଦ୍ଧରେ ଅଧାରୁ ଅଧିକ ଘର ସମ୍ପୂର୍ଣ୍ଣ ଧ୍ୱଂସ ହୋଇଯାଇଛି। ଏହା ଦ୍ୱାରା ପ୍ରାୟ ୪.୫ ଲକ୍ଷ କୋଟି ଟଙ୍କା କ୍ଷତି ହୋଇଛି। ଗାଜାରେ ୫୪ ନିୟୁତ ଟନ୍ରୁ ଅଧିକ ଅବଶେଷ ଗଦା ହୋଇ ରହିଛି। ଏହାକୁ ସଫା କରିବା ପାଇଁ ୧୦ ବର୍ଷ ଏବଂ ୧.୨ ଲକ୍ଷ କୋଟି ଟଙ୍କା ଖର୍ଚ୍ଚ ହେବ ବୋଲି ବିଶେଷଜ୍ଞ କହିଛନ୍ତି। ଇସ୍ରାଏଲ ଏକ କିମିର ବଫର ଜୋନ ଏବଂ ୪ ସୈନ୍ୟ କରିଡର ଗଠନ କରିଛି। ମୋରାଗ କରିଡର ଗାଜାକୁ ଦୁଇ ଭାଗରେ ବିଭାଜିତ କରିଦେଇଛି। ଏବେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ୨୦ ସୂତ୍ରୀ ଶାନ୍ତି ପ୍ରସ୍ତାବକୁ ଇସ୍ରାଏଲ ସମ୍ପୂର୍ଣ୍ଣ ଏବଂ ହମାସ ଆଂଶିକ ଭାବେ ସ୍ୱୀକାର କରିଥିବାରୁ ଯୁଦ୍ଧ ବନ୍ଧ ହେବାର ଆଶା ପ୍ରକାଶ ପାଇଛି।
also read https://purvapaksa.com/court-orders-removal-of-the-words-maharaja-and-rajakumari/
