ଓଡ଼ିଶାରେ ନୂତନ ଭାବେ କ୍ଷମତାସୀନ ହୋଇଥିବା ବିଜେପି ସରକାର ଏବେ ଏକ ଅପ୍ରୀତିକର ପରିସ୍ଥିତିର ସମ୍ମୁଖୀନ। ବିଧାୟକଙ୍କ ଦରମା ବୃଦ୍ଧି ପ୍ରସଙ୍ଗରେ ଜନମାନସରେ ସୃଷ୍ଟି ହୋଇଥିବା ତୀବ୍ର ପ୍ରତିକ୍ରିୟାରୁ ସରକାର ଅଳ୍ପକେ ବର୍ତ୍ତିଯାଇଥିବାବେଳେ, ଏବେ ‘ଟାଟା ପାୱାର’ର ମନମାନୀ ସରକାରଙ୍କ ପାଇଁ ନୂଆ ମୁଣ୍ଡବିନ୍ଧାର କାରଣ ସାଜିଛି। ରାଜ୍ୟର ବିଦ୍ୟୁତ୍ ଉପଭୋକ୍ତାଙ୍କୁ ଟାଟା ପାୱାର ପକ୍ଷରୁ ଦିଆଯାଇଥିବା ‘ଅତିରିକ୍ତ ଅମାନତ ଜମା’ (Additional Security Deposit – ASD) ନୋଟିସ ଏବେ କେବଳ ଏକ ପ୍ରଶାସନିକ ନିଷ୍ପତ୍ତି ହୋଇ ରହିନାହିଁ, ବରଂ ଏହା ଏକ ପ୍ରମୁଖ ରାଜନୈତିକ ପ୍ରସଙ୍ଗରେ ପରିଣତ ହୋଇଛି। ଯାହାକୁ ନେଇ ଏବେ ସାରା ରାଜ୍ୟରେ ବିଜେପି ସରକାର ବିରୋଧରେ ଜନ ଅସନ୍ତୋଷର ନିଆଁ କୁହୁଳିବାରେ ଲାଗିଛି।
ଟାଟା ପାୱାରର ମନମାନୀ ଓ ଉପଭୋକ୍ତାଙ୍କ ଉପରେ ବୋଝ
ରାଜ୍ୟରେ ବିଦ୍ୟୁତ ସେବା ଯୋଗାଇ ଦେଉଥିବା ଘରୋଇ ସଂସ୍ଥା ଟାଟା ପାୱାର ଏବେ ସାଧାରଣ ଉପଭୋକ୍ତା ଏବଂ ନବନିର୍ବାଚିତ ବିଜେପି ସରକାରଙ୍କ ପାଇଁ ଏକ ବଡ଼ ମୁଣ୍ଡବିନ୍ଧାର କାରଣ ସାଜିଛି। ବିଜଦ ସରକାର ଅମଳରେ ବିଜୁଳି ବଣ୍ଟନର ଏକଚାଟିଆ ଅଧିକାର ପାଇଥିବା ଏହି କମ୍ପାନୀ, ଏବେ ସରକାର କିମ୍ବା ଓଡ଼ିଶା ବିଦ୍ୟୁତ୍ ନିୟାମକ ଆୟୋଗ (ଓଇଆରସି) ସହିତ କୌଣସି ପରାମର୍ଶ ନକରି ମନଇଚ୍ଛା “ଅତିରିକ୍ତ ଅମାନତ ଜମା’ (ଏଏସଡି) ମାଗିବା ଆରମ୍ଭ କରିଛି। ସେଣ୍ଟ୍ରାଲ ଓଡ଼ିଶା ଏବଂ ପଶ୍ଚିମ ଓଡ଼ିଶାର ୧୭ଟି ଜିଲ୍ଲାର ଲକ୍ଷ ଲକ୍ଷ ଉପଭୋକ୍ତାଙ୍କ ପାଖକୁ ଟାଟା ପାୱାର ପଠାଇଥିବା ନୋଟିସ ଏବେ ରାଜ୍ୟରେ ଏକ ଅଶାନ୍ତ ଜନମତ ସୃଷ୍ଟି କରିଛି। ଏଥିପାଇଁ ସରକାଙ୍କ ବିରୋଧରେ କଂଗ୍ରେସ ରାଜ୍ୟବ୍ୟାପୀ ଆନ୍ଦୋଳନ ଡାକରା ଦେଇସାରିଲାଣି।
![]()
ସେଣ୍ଟ୍ରାଲ ଓଡ଼ିଶା ଏବଂ ପଶ୍ଚିମ ଓଡ଼ିଶାର ପ୍ରାୟ ୧୭ଟି ଜିଲ୍ଲାର ଲକ୍ଷ ଲକ୍ଷ ଉପଭୋକ୍ତାଙ୍କୁ ଟାଟା ପାୱାର ପକ୍ଷରୁ ୧ ହଜାରରୁ ୫ ହଜାର ଟଙ୍କା ପର୍ଯ୍ୟନ୍ତ ଅତିରିକ୍ତ ଅମାନତ ଜମା କରିବାକୁ ନୋଟିସ ଦିଆଯାଇଛି। ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଉଛି, ଏହି ନିଷ୍ପତ୍ତି ନେବା ପୂର୍ବରୁ କମ୍ପାନୀ ନା ରାଜ୍ୟ ସରକାରଙ୍କ ସହ ପରାମର୍ଶ କରିଛି, ନା ଓଡ଼ିଶା ବିଦ୍ୟୁତ୍ ନିୟାମକ ଆୟୋଗ (ଓଇଆରସି) ନା ବିଦ୍ୟୁତ୍ ଉପଭୋକ୍ତା ମହାସଂଘ ସହିତ କୌଣସି ଆଲୋଚନା କରିଛି। ଜଣେ ସାଧାରଣ ଉପଭୋକ୍ତା, ଯିଏ ନିୟମିତ ଭାବେ ନିଜର ବିଜୁଳି ବିଲ୍ ପୈଠ କରୁଛନ୍ତି, ତାଙ୍କୁ ହଠାତ୍ ଏଭଳି ବୋଝ ଲଦି ଦେବା କେତେଦୂର ଯୁକ୍ତିଯୁକ୍ତ?
ଓଇଆରସିର ଭୂମିକା ସନ୍ଦେହ ଘେରରେ
ଏକ ନିୟାମକ ସଂସ୍ଥା ଭାବେ ଓଇଆରସିର ମୁଖ୍ୟ ଦାୟିତ୍ୱ ହେଉଛି ଖାଉଟିଙ୍କ ସ୍ୱାର୍ଥ ରକ୍ଷା କରିବା। କିନ୍ତୁ ଯେତେବେଳେ ଏକ ଘରୋଇ ସଂସ୍ଥା ଏତେ ବଡ଼ ନିଷ୍ପତ୍ତି ନେଉଛି, ସେତେବେଳେ ଆୟୋଗର ନୀରବତା ଅନେକ ପ୍ରଶ୍ନବାଚୀ ସୃଷ୍ଟି କରୁଛି। ନିୟମ ଅନୁସାରେ, ଗ୍ରାହକ ଜମା କରିଥିବା ଅମାନତ ରାଶି ଉପରେ କମ୍ପାନୀ ସୁଧ ଦେବା କଥା। ମାତ୍ର ବାସ୍ତବରେ କେତେଜଣ ଉପଭୋକ୍ତା ନିଜ ବିଲ୍ରେ ଏହି ସୁଧ ପାଉଛନ୍ତି, ତାହାର କୌଣସି ହିସାବ ନାହିଁ। ଏସମ୍ପର୍କରେ ଓଇଆରସି କେବେ ବି ଟାଟା ପାୱାର ପ୍ରଶ୍ନ କରିଥିବାର ନଜିର ନାହିଁ। ବରଂ ଏହି ବିତରଣ କମ୍ପାନୀକୁ ସହାୟତା କରି ନିଜର ଫାଇଦା ହାସଲ କରିଥିବା ଅନେକ ନଜିର ରହିଛି।
ଅତୀତର ଭୁଲ୍ ଓ ଆଜିର କୁପରିଣାମ
ବିଦ୍ୟୁତ୍ ସେବା ଗୋଟିଏ ସାଧାରଣ ବାଣିଜ୍ୟିକ ସେବା ନୁହେଁ। ଏହା ମୌଳିକ ଆବଶ୍ୟକତା, ଯାହା ସହ ଶିକ୍ଷା, ସ୍ୱାସ୍ଥ୍ୟ, ଜୀବିକା ଓ ସମ୍ପୂର୍ଣ୍ଣ ଆର୍ଥିକ ଜୀବନ ଜଡ଼ିତ। ଏପରି ସେବା ଯେତେବେଳେ ଗୋଟିଏ ଘରୋଇ କମ୍ପାନୀର ମନମାନୀରେ ଚାଲିବା ଆରମ୍ଭ କରେ, ସେତେବେଳେ ତାହା କେବଳ ଖାଉଟି ସମସ୍ୟା ରହିନଥାଏ— ଏହା ଗଣତାନ୍ତ୍ରିକ ଶାସନ ପ୍ରଣାଳୀ ପାଇଁ ଏକ ଚ୍ୟାଲେଞ୍ଜ ହୋଇଯାଏ।
ଏହି ବିବାଦର ମୂଳଦୁଆ ୨୦୨୧ ମସିହାରେ ତତ୍କାଳୀନ ବିଜେଡି ସରକାରଙ୍କ ସମୟରେ ପଡ଼ିଥିଲା। ବିଦ୍ୟୁତ୍ ବିତରଣ ବ୍ୟବସ୍ଥାକୁ ଘରୋଇକରଣ କରିବା ପ୍ରକ୍ରିୟାରେ ରାଜ୍ୟର ସମ୍ପତ୍ତିକୁ ଅତି ଶସ୍ତାରେ ଟାଟା ପାୱାର ହାତକୁ ଟେକି ଦିଆଯାଇଥିଲା।
ଗ୍ରୀଡକୋର ନେଟ୍ ଆସେଟ୍ ପ୍ରାୟ ୧୧,୦୦୦ କୋଟି ଟଙ୍କାରୁ ଅଧିକ ଥିବାବେଳେ, ଓଇଆରସିର ତତ୍କାଳୀନ ଅଧ୍ୟକ୍ଷ ଏହାକୁ ମାତ୍ର ୧,୦୫୦ କୋଟି ଟଙ୍କା ଦର୍ଶାଇଥିଲେ। ରାଜ୍ୟର ବିଶାଳ ବିଦ୍ୟୁତ୍ ଭିତ୍ତିଭୂମିର ୫୧ ପ୍ରତିଶତ ଅଂଶଧନ ୫୩୬ କୋଟି ପରିବର୍ତ୍ତେ ୭୫୨ କୋଟି ଟଙ୍କା ଦେଇ ଟାଟା ପାୱାର ହାସଲ କରିନେଇଥିଲା।
ସେତେବେଳର ଏହି ‘ସଫଳତା’ ଆଜି ଓଡ଼ିଶାବାସୀଙ୍କ ପାଇଁ ଅଭିଶାପ ସାଜିଛି। ଘରୋଇ କମ୍ପାନୀଟିଏ କେବଳ ମୁନାଫାଖୋର ମନୋଭାବ ରଖିଲେ ସେବା କ୍ଷେତ୍ରରେ କିଭଳି ଅରାଜକତା ସୃଷ୍ଟି ହୁଏ, ଟାଟା ପାୱାରର ଏହି ନିଷ୍ପତ୍ତି ତାହାର ଏକ ଜ୍ୱଳନ୍ତ ଉଦାହରଣ।
ସରକାରଙ୍କ ବିରୋଧରେ ‘ଯୋଜନାବଦ୍ଧ ଚାଲ୍’?
ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି ଯେ, ନୂତନ ବିଜେପି ସରକାରଙ୍କୁ ଅଡୁଆରେ ପକାଇବା ପାଇଁ ଏହା ଏକ ଯୋଜନାବଦ୍ଧ ଚାଲ୍ ହୋଇଥାଇପାରେ। ପରିବର୍ତ୍ତନ ଆଶାରେ ଯେଉଁ ଜନତା ନୂଆ ସରକାର ଗଢ଼ିଛନ୍ତି, ସେମାନଙ୍କ ମଧ୍ୟରେ ଅସନ୍ତୋଷ ସୃଷ୍ଟି କରିବା ପାଇଁ ଟାଟା ପାୱାରର ଏହି ମନମାନୀ ଏକ ବଡ଼ ଅସ୍ତ୍ର ଭାବେ ବ୍ୟବହାର କରାଯାଉଛି। ଉପଭୋକ୍ତା ମହାସଂଘ, ବିଜେଡି ଓ କଂଗ୍ରେସ ଏହି ପ୍ରସଙ୍ଗରେ ରାଜ୍ୟବ୍ୟାପୀ ଆନ୍ଦୋଳନ ପାଇଁ ଡାକରା ଦେଇସାରିଥିବାରୁ ବିଜେପି ପାଇଁ ପରିସ୍ଥିତି ଜଟିଳ ହୋଇପଡ଼ିଛି।
ଆବଶ୍ୟକୀୟ ପଦକ୍ଷେପ: କଣ କରିବା ଉଚିତ?
ବିଜେପି ସରକାରଙ୍କୁ ଏହି ସମସ୍ୟାରୁ ମୁକ୍ତି ପାଇବାକୁ ହେଲେ ନିମ୍ନଲିଖିତ ପଦକ୍ଷେପ ଗ୍ରହଣ କରିବାକୁ ହେବ:—
ଅତିରିକ୍ତ ଅମାନତ ଜମା ପାଇଁ ଉପଭୋକ୍ତାଙ୍କ ପାଖକୁ ଯାଇଥିବା ଏହି ବେଆଇନ ନୋଟିସ ଉପରେ ତୁରନ୍ତ ରୋକ୍ ଲଗାଇବା ଆବଶ୍ୟକ।
୨୦୨୧ରେ କିଭଳି କମ୍ ମୂଲ୍ୟରେ ରାଜ୍ୟର ୧୧ହଜାର କୋଟି ଟଙ୍କା ମୂଲ୍ୟର ସମ୍ପତ୍ତି ଘରୋଇ କମ୍ପାନୀକୁ ଶାଗମାଛ ଦରରେ ଦିଆଗଲା, ତାହାର ଏକ ଉଚ୍ଚସ୍ତରୀୟ ତଦନ୍ତ ହେବା ଜରୁରୀ।
ପୂର୍ବରୁ ଜମା ଥିବା ଅମାନତ ରାଶି ଉପରେ ଗ୍ରାହକମାନେ କେତେ ସୁଧ ପାଇଛନ୍ତି, ତାହା ସାର୍ବଜନୀନ କରାଗଲେ ସ୍ୱଚ୍ଛତା ଆସିବ।
ବିଦ୍ୟୁତ ନିୟାମକ ଆୟୋଗ ଯେପରି କମ୍ପାନୀ ହାତବାରିଶି ନ ସାଜି ଲୋକଙ୍କ ସ୍ୱାର୍ଥ ରକ୍ଷା କରିବେ, ତାହା ସରକାର ସୁନିଶ୍ଚିତ କରନ୍ତୁ।
ବିଜେପି ସରକାର ପାଇଁ ଅଗ୍ନିପରୀକ୍ଷା
ବର୍ତ୍ତମାନର ସରକାର ଏହି ସମସ୍ୟାରେ “ପୂର୍ବ ସରକାରର ଉତ୍ତରାଧିକାର” ବୋଲି ଦାୟିତ୍ୱ ଏଡ଼ାଇ ପାରିବେ ନାହିଁ। ଶାସନରେ ଆସିବାର ଅର୍ଥ ହେଉଛି- ଭୁଲକୁ ସଂଶୋଧନ କରିବା ସାହସ ଦେଖାଇବା।
ଟାଟା ପାୱାର ଯଦି କେବଳ ମୁନାଫା ଲକ୍ଷ୍ୟରେ ଓଡ଼ିଶାର ବିଦ୍ୟୁତ ସେବାକୁ ବ୍ୟବହାର କରିବ, ତେବେ ଆଗାମୀ ଦିନରେ ଏହା ଏକ ବଡ଼ ଗଣଆନ୍ଦୋଳନର ରୂପ ନେବ-ଯାହାର ସିଧାସଳଖ ରାଜନୈତିକ ମୂଲ୍ୟ ବର୍ତ୍ତମାନର ସରକାରକୁ ଦେବାକୁ ପଡ଼ିବ।
ବିଦ୍ୟୁତ ସେବା ଏକ ଅତ୍ୟାବଶ୍ୟକ ସେବା। ଏଥିରେ ମୁନାଫାଖୋର ମନୋଭାବ ଏବଂ ଜନତାଙ୍କ ଉପରେ ଜୋର ଜବରଦସ୍ତ ଆର୍ଥିକ ବୋଝ ଲଦିବାକୁ ଗ୍ରହଣ କରାଯାଇପାରିବ ନାହିଁ। ଯଦି ସରକାର ତୁରନ୍ତ ଏଥିରେ ହସ୍ତକ୍ଷେପ ନକରନ୍ତି, ତେବେ ଗ୍ରାମାଞ୍ଚଳରୁ ସହରାଞ୍ଚଳ ପର୍ଯ୍ୟନ୍ତ ବଢ଼ୁଥିବା ଜନ ଅସନ୍ତୋଷ ଏକ ଗଣଆନ୍ଦୋଳନର ରୂପ ନେବ। ବିଜେପି ସରକାରଙ୍କ ପାଇଁ ଏହି ‘ଅମାନତ କଣ୍ଟା’ କେବଳ ଟାଟା ପାୱାରର ସମସ୍ୟା ନୁହେଁ, ବରଂ ଜନସାଧାରଣଙ୍କ ବିଶ୍ୱାସ ବଞ୍ଚାଇ ରଖିବାର ଏକ ବଡ଼ ପରୀକ୍ଷା।
AlsoRead;https://purvapaksa.com/was-mukesh-successful-in-making-mohan-a-villain/
Was Mukesh successful in making Mohan a ‘villain’? || ମୋହନଙ୍କୁ ‘ଭିଲିଆନ୍’ ସଜାଇବାରେ ମୁକେଶ ସଫଳ କି?


