ଦୀର୍ଘସ୍ଥାୟୀ କୃଷି ପ୍ରଣାଳୀର ପ୍ରୋତ୍ସାହନ ପାଇଁ ସରକାର ଅଙ୍ଗୀକାରବଦ୍ଧ: କେଭି
ଶେଷ ହୋଇଛି ତିନି ଦିନିଆ କୃଷି ଓଡ଼ିଶା-୨୦୨୫। ‘ସୁଗନ୍ଧିତ ଧାନ: ଜୈବିକ ଚାଷ ପଦ୍ଧତି ଓ ବିପଣନ’ ଶୀର୍ଷକ ଆଲୋଚନାଚକ୍ରରେ ଯୋଗଦେଇ ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ କହିଛନ୍ତି ଯେ ଜୈବିକ କୃଷି କେବଳ ଏକ ସ୍ଥାୟୀ ଖାଦ୍ୟ ଯୋଗାଣ ଶୃଙ୍ଖଳାର ଆବଶ୍ୟକତା ପୂରଣ କରିପାରିବ। ଏଥିପାଇଁ ରାଜ୍ୟ ସରକାର ବିଭିନ୍ନ ସ୍ତରରେ ଚାଷୀଙ୍କୁ ପ୍ରୋତ୍ସାହିତ କରିବା ସହ ସେମାନଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ସକ୍ରିୟ ନିଷ୍ପତ୍ତି ନେଉଛନ୍ତି। ଉପମୁଖ୍ୟମନ୍ତ୍ରୀ ପାର୍ବତୀ ପରିଡ଼ା କୃଷି କ୍ଷେତ୍ରରେ ମହିଳାଙ୍କ ଭୂମିକା ଉପରେ ଗୁରୁତ୍ୱାରୋପ କରିଥିଲେ। ପରିବର୍ତ୍ତିତ ସମୟ ସହ ତାଳ ଦେଇ ମହିଳାମାନେ ବିଭିନ୍ନ ଦାୟିତ୍ୱ ଗ୍ରହଣ କରିବା ସହ ଉତ୍କର୍ଷତା ଅର୍ଜନ କରୁଛନ୍ତି।
କୃଷି ଓ କୃଷକ ସଶକ୍ତୀକରଣ ବିଭାଗର ପ୍ରମୁଖ ଶାସନ ସଚିବ ଅରବିନ୍ଦ ପାଢ଼ୀ କହିଛନ୍ତି ଯେ ରାଜ୍ୟରେ ସୁଗନ୍ଧିତ ଧାନ ଉତ୍ପାଦନକୁ ପ୍ରୋତ୍ସାହିତ କରାଯାଉଛି ଏବଂ କ୍ୱିଣ୍ଟାଲ ପିଛା ସର୍ବନିମ୍ନ ସହାୟକ ମୂଲ୍ୟ ୪୧୦୦ ଟଙ୍କା ପ୍ରଦାନ କରାଯାଉଛି। ପୁରୀ ଶ୍ରୀମନ୍ଦିରରେ ମହାପ୍ରଭୁ ଜଗନ୍ନାଥଙ୍କ ପାଇଁ ଆଧା ପ୍ରସ୍ତୁତିରେ ଜୈବିକ ପଦ୍ଧତିରେ ଉତ୍ପାଦିତ ଚାଉଳବ୍ୟବହାର ପାଇଁ ଯୋଜନା ଚାଲିଛି। ରାଜ୍ୟରୁ ସୁଗନ୍ଧିତ ଚାଉଳ ରପ୍ତାନୀ ପାଇଁ କନକ ବାୟୋସାଇନ୍ସ ରିସର୍ଚ୍ଚ ପ୍ରାଇଭେଟ ଲିମିଟେଡ, ସ୍ମାର୍ଟ କଫି ଓ ଇମ୍ପାକ୍ଟ ଏକ୍ସ ସହ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି । ମତ୍ସ୍ୟ ଓ ପଶୁସମ୍ପଦ ବିକାଶ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ଓ ଓୟୁଏଟି କୁଳପତି ପ୍ରଫେସର ପର୍ବତ କୁମାର ରାଉଳ ପ୍ରମୁଖ ବକ୍ତବ୍ୟ ରଖିଥିଲେ। ଶ୍ରୀ ସିଂହଦେଓ କହିଥିଲେ, ଓଡ଼ିଶାର କୃଷି ଭବିଷ୍ୟତକୁ କୃଷି ଓଡ଼ିଶା-୨୦୨୫ ଅଧିକ ଋଦ୍ଧିମନ୍ତ କରିବ । ସଶକ୍ତ, ସହନଶୀଳ ଓ ଦୀର୍ଘସ୍ଥାୟୀ କୃଷି ପ୍ରଣାଳୀର ପ୍ରୋତ୍ସାହନ ପାଇଁ ଆମ ସରକାର ଅଙ୍ଗୀକାରବଦ୍ଧ ।
ଏହି ଅବସରରେ କୃଷି ଓ କୃଷକ ସଶକ୍ତିକରଣ ବିଭାଗର ପ୍ରମୁଖ ଶାସନ ସଚିବ ଡକ୍ଟର ଅରବିନ୍ଦ କୁମାର ପାଢ଼ୀ ସମାରୋହକୁ ସମ୍ବୋଧିତ କରି କହିଥିଲେ, ଜଳବାୟୁ ସହନୀୟ କୃଷି ପ୍ରଣାଳୀ ସମ୍ପ୍ରତି ଏକ ବୈଶ୍ୱିକ ଆହ୍ୱାନ । ଚିରନ୍ତନ ଖାଦ୍ୟ ପ୍ରଣାଳୀ ପାଇଁ ଆମର ପ୍ରୟାସ ନିଶ୍ଚିତରୂପେ ଆଗାମୀ ଦିନରେ ଅନ୍ୟମାନଙ୍କ ପାଇଁ ପ୍ରେରଣା ସାଜିବ । ଏହି ଅବସରରେ କୃଷିଜାତ ଉତ୍ପାଦକୁ ଅନ୍ତର୍ଜାତୀୟ ସ୍ତରରେ ପହଂଚାଇବା ଲକ୍ଷ୍ୟ ନେଇ ଉଦ୍ୟାନ କୃଷି ବିଭାଗ ସହ ୧୧ ଗୋଟି ସଂସ୍ଥା ବୁଝାମଣାପତ୍ର ସ୍ୱାକ୍ଷରିତ କରିଥିଲେ । କେନ୍ଦୁଝରର ସଫଳ ଚାଷୀ ସୁଦର୍ଶନ ମହାନ୍ତି ନିଜର ଅନୁଭୂତି ବିଷୟରେ ବର୍ଣ୍ଣନା କରିଥିଲେ । ଏହି ଅବସରରେ ସଫଳ ଚାଷୀ, ବକ୍ତୃତା, ଗଳ୍ପପଠନ, କବିତା ଆବୃତ୍ତି, କୁଇଜ୍ ଆଦି ପ୍ରତିଯୋଗିତାର କୃତି ପ୍ରତିଯୋଗୀ, ଶ୍ରେଷ୍ଠ ଷ୍ଟଲ୍ ପ୍ରଦର୍ଶନକାରୀଙ୍କୁ ପୁରସ୍କୃତ କରାଯାଇଥିଲା । ସରକାରୀ ଷ୍ଟଲ ବର୍ଗରେ ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ ଶ୍ରେଷ୍ଠ ପ୍ରଦର୍ଶନକାରୀ ଭାବେ ପୁରସ୍କୃତ ହୋଇଥିଲା ।
ଉଦ୍ଯାପନୀ ଉତ୍ସବରେ ପ୍ରାଣୀ ପାଳନ ଓ ପଶୁ ଚିକିତ୍ସା ନିର୍ଦ୍ଦେଶକ ରାମାଶିଷ ହାଜିରା ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିବା ବେଳେ କୃଷି ନିର୍ଦ୍ଦେଶକ ପ୍ରେମଚନ୍ଦ୍ର ଚୌଧାରୀ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ତିନିଦିନିଆ ସମାବେଶରେ କୃଷକ, କୃଷି ବିଶେଷଜ୍ଞ, ବୈଜ୍ଞାନିକ, ବୁଦ୍ଧିଜୀବୀ, ଉଦ୍ୟୋଗୀ, କୃଷି ଉତ୍ପାଦକ ସଂଘର କର୍ମକର୍ତ୍ତା, ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ, କୃଷି ଓ ଆନୁଷଙ୍ଗିକ ବିଭାଗର ଅଧିକାରୀ, ଛାତ୍ରଛାତ୍ରୀ ପ୍ରମୁଖ ଉପସ୍ଥିତ ଥିଲେ । ବିଶେଷଜ୍ଞମାନେ ଉପସ୍ଥିତ ରହି ବିଭିନ୍ନ ପର୍ଯ୍ୟାୟଭିତ୍ତିକ ଆଲୋଚନାରେ କୃଷକମାନଙ୍କୁ ଉନ୍ନତ କୃଷି ପ୍ରଣାଳୀ, ବିପଣନ, ବୈଷୟିକ ଉପଯୋଗିତା ଆଦି ଉପରେ ପରାମର୍ଶ ପ୍ରଦାନ କରିଥିଲେ ।
previous article:https://purvapaksa.com/draft-digital-personal-data-protection-to-be-implemented/
