ଶୀର୍ଷକଟି ଆପଣଙ୍କ ମନରେ ସଂଶୟ ଆଣୁଥିବ। ଗୋଟିକ ପରେ ଗୋଟିଏ ଦୁର୍ଘଟଣା ରାଜ୍ୟର ମିଡିଆ ଚର୍ଚ୍ଚା ଓ ବିରୋଧୀ ଦଳଙ୍କ ପାଇଁ ଖୋରାକି ଯୋଗାଉଥିବାବେଳେ ଏମିତି ଏକ ପ୍ରସଙ୍ଗକୁ ଆଜି କାହିଁକି ବାଛିଲି। ତା’ର କାରଣ ପଛରେ ଓଡ଼ିଶାର ବିଶାଳ ରାଜନୀତିକ ଇତିହାସ ରହିଛି। ସେହି ବାସଭବନର ଇତିହାସକୁ ଆଜି ଆଲୋଚନା କରିବା।
ମୋହନ ଚରଣ ମାଝୀ ମୁଖ୍ୟମନ୍ତ୍ରୀ ହେବା ପରେ ତାଙ୍କ ଠିକଣା ବଦଳାଇଛନ୍ତି। ମହାତ୍ମା ଗାନ୍ଧି ମାର୍ଗରୁ ରାଜଭବନ ମାର୍ଗକୁ ସେ ତାଙ୍କ ଅଫିସିଆଲ୍ ରେସିଡେନ୍ସ ବା ସରକାରୀ ବାସଭବନକୁ ବଦଳାଇଛନ୍ତି। ଏହାର ଅର୍ଥ ଆପଣ ବୁଝିବା ଅନୁଚିତ ଯେ ସେ ମହାତ୍ମା ଗାନ୍ଧି ମାର୍ଗର ସରକାରୀ ବାସଭବନକୁ ସମ୍ପୃକ୍ତ ବିଭାଗକୁ ହସ୍ତାନ୍ତରଣ କରିଛନ୍ତି। ବରଂ ଏହି ସରକାରୀ ଗୃହ ସହ ତାଙ୍କର ଆହୁରି ୪ଟି ଭିନ୍ନ ଭିନ୍ନ ଠିକଣା ରହିଛି, ସରକାରୀ ଭାବେ। ଭୁବନେଶ୍ୱରସ୍ଥିତ ରାଜ୍ୟଅତିଥି ଭବନରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଦୁଇଟି କୋଠରୀ ଏଯାଏ ମୁଖ୍ୟମନ୍ତ୍ରୀଙ୍କ ଅଫିସ ହୋଇ ରହିଛି। ଯେତେବେଳେ ସେ ମୁଖ୍ୟମନ୍ତ୍ରୀ ହୋଇଥିଲେ, କିଛିଦିନ ପାଇଁ ଅତିଥିଭ ବନରେ ତାଙ୍କ କାର୍ଯ୍ୟ କରୁଥିଲେ। ଏହି ସମୟରେ ମୁଖ୍ୟମନ୍ତ୍ରୀଙ୍କ ପ୍ରକୋଷ୍ଠର ନବକଳେବର ହେଉଥିଲା। ହେଲେ ଏ ଭିତରେ ୧୩ ମାସ ସମୟ ଶେଷ ହୋଇ ୧୪ ମାସ ହେବାକୁ ଆସିଲାଣି କିନ୍ତୁ ମୁଖ୍ୟମନ୍ତ୍ରୀ ଅତିଥି ଭବନର ଏ ଦୁଇ କୋଠରୀ ଛାଡ଼ି ନାହାନ୍ତି। ଏଣୁ ଏଠି ବି ପୁଲିସ ସୁରକ୍ଷା କଡ଼ାକଡ଼ି ରହୁଛି।
ଏ ଦୁଇ ସରକାରୀ ଠିକଣା ବ୍ୟତୀତ ମୁଖ୍ୟମନ୍ତ୍ରୀଙ୍କ ଆଉ ତିନିଟି ଠିକଣା ବାବଦରେ ବି ଏଠାରେ ଉଲ୍ଲେଖ କରାଯାଇପାରେ। ପ୍ରଥମ ଦୁଇଟି ହେଉଛି ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ। ଏହି ଅଭିଯୋଗ ପ୍ରକୋଷ୍ଠ ଏବେ ତିଆରି ହୋଇଛି। ଏ ଘରେ ପୂର୍ବରୁ ପୂର୍ବତନ ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ଆବଣ୍ଟନ କରାଯାଇଥିଲା। ତାଙ୍କ ଉଦ୍ଦେଶ୍ୟରେ ଏହା ଏକ ରାଜ ଉଆସ ଭଳି କରାଯାଇଥିଲା କିନ୍ତୁ ଏ ଗୃହକୁ ଆସିବା ପୂର୍ବରୁ ସ୍ଥାସ୍ଥ୍ୟମନ୍ତ୍ରୀଙ୍କ ସ୍ୱର୍ଗାରୋହଣ ହୋଇଗଲା। ଏଣୁ ଏହି ସୁବିଧା ସୁଯୋଗ ଓ ଆରାମକୁ ମନ୍ତ୍ରୀ ଭୋଗ କରିପାରିନଥିଲେ। ସରକାର ପରିବର୍ତ୍ତନ ହେବା ପରେ ଏହା ପାଖରେ ମୁଖ୍ୟମନ୍ତ୍ରୀଙ୍କ ଆବାସ ନିର୍ମାଣ ହୋଇଥିବାରୁ ଏ କୋଠାକୁ ଅଭିଯୋଗ ପ୍ରକୋଷ୍ଠରେ ପରିବର୍ତ୍ତନ କରାଯାଇଛି।
ହେଲେ ଅଭିଯୋଗ ଶୁଣାଣି ଏଠାରେ ଏବେ ହେଉ ନାହିଁ। ଅଭିଯୋଗ ଶୁଣାଣି ଲାଗି ୟୁନିଟ-୨ଠାରେ ବନ୍ଦ ପଡ଼ିଥିବା ସ୍କୁଲ୍ କୋଠାକୁ ସରକାର ଅଧିଗ୍ରହଣ କରିଛନ୍ତି। ଏଠାରେ ଥରେ ଅଭିଯୋଗ ଶୁଣାଣି ହୋଇଛି। ଏ ଅଭିଯୋଗ ଶୁଣାଣିବେଳେ ଏଠାରେ ଏତେ ଭିଡ଼ ହେଉଛି ଯେ ଲୋକମାନେ ବଡ଼ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏ ବିଷୟରେ ଆଉ କେବେ କହିବି କିନ୍ତୁ ଏବେ ଆଜିର ମୂଳ ପ୍ରସଙ୍ଗକୁ ଫେରିବା। ତାହା ହେଲା ମୁଖ୍ୟମନ୍ତ୍ରୀଙ୍କ ଅଭିଶପ୍ତ ସରକାରୀ ବାସ ଭବନ।
ମୁଁ ଏଠାରେ ଆପଣଙ୍କୁ ସରକାର ଗଠନ ପରେ ନବୀକରଣ ହୋଇଥିବା ସରକାରୀ ବାସଭବନ କଥା କହୁଛି। ରାଜଭବନ ମାର୍ଗରେ ଅବସ୍ଥିତ ଏହି କୋଠା ନନ୍ଦିନୀ ଶତପଥିଙ୍କ ସମୟରୁ ମୁଖ୍ୟମନ୍ତ୍ରୀଙ୍କ ସରକାରୀ ବାସଭବନ ଭାବେ ଚିହ୍ନିତ ହୋଇଥିଲା। ଏହା ପୂର୍ବରୁ ଏ ଗୃହଟି ସ୍ୱତନ୍ତ୍ର ସର୍କିଟ୍ ହାସଭାବେ ପରିଚିତ ଥିଲା। ସେତେବେଳେ ପାଓ୍ୱାର ହାଉସ ଛକରେ ଥିବା ସର୍କିଟ ହାଉସ୍ ନିର୍ମାଣ ହୋଇନଥାଏ। ଅପରପକ୍ଷେ ମୁଖ୍ୟମନ୍ତ୍ରୀମାନେ ନିଜ ନିଜ ବିଧାୟକ କ୍ୱାର୍ଟରରେ ରହୁଥିବାର ନଜୀର ରହିଛି।
ସେତେବେଳର ଭୁବନେଶ୍ୱର ବାସିନ୍ଦା ତଥା ବରିଷ୍ଠ ଜନସାଧାରଣଙ୍କ କହିବା ଅନୁସାରେ ଏ ଗୃହଟି ଯେତେବଳେ ସର୍କିଟ ହାଉସ୍ରୁ ମୁଖ୍ୟମନ୍ତ୍ରୀଙ୍କ ବାସଭବନ ହେଲା, ସେତେବେଳେ ଏଠାରେ ଏକ ବଡ଼ ସେଡ୍ ନିର୍ମାଣ କରାଗଲା। ଏହାର ଉଦ୍ଦେଶ୍ୟ ଥିଲା ଲୋକଙ୍କ ଅଭିଯୋଗ ଶୁଣିବା। ନନ୍ଦିନୀ ଶତପଥି ସିଧାସଳଖ ଲୋକଙ୍କ ଅଭିଯୋଗକୁ ବଡ଼ ଆଭିଜାତ୍ୟ ସହକାରେ ଗ୍ରହଣ କରୁଥିବା କୁହାଯାଏ। ତାଙ୍କ ପଛେ ପଛେ ସଚିବ, ମୁଖ୍ୟସଚିବ ଓ ପାର୍ଷଦମାନେ ରହୁଥିଲେ। ନନ୍ଦିନୀ ସଙ୍ଗେ ସଙ୍ଗେ ଅଭିଯୋଗ ସମାଧାନ ପାଇଁ ନିର୍ଦ୍ଦେଶ ଦେଉଥିଲେ। ଏହା ତାଙ୍କୁ ବେଶ୍ ପରିଚୟ ଦେଇଥିଲା। ହେଲେ କଥା ସେଇଠି ଅଟକିନି।
ନନ୍ଦିନୀ ଏତେ ଦୃଢ଼ ଥିଲେ ବି ଏ ଗୃହରେ ରହିବା ପରେ ସେ ନିଜ ସରକାରଙ୍କୁ ବହୁମତ ଥାଇବି ପୂର୍ଣ୍ଣକାଳ ଉପଭୋଗ କରିପାରିଲେ ନାହିଁ। ନିଜ ଦଳ ଭିତରେ ଭିନ୍ନ ମତ ତାଙ୍କୁ ନେଇ ପ୍ରକାଶ ପାଇଥିଲା। ପୁଣି ତାଙ୍କ ସମୟରେ ଦେଶରେ ଜରୁରୀକାଳୀନ ପରିସ୍ଥିତି ଜାରି ହୋଇଥିଲା। ଇନ୍ଦିରା ଗାନ୍ଧିଙ୍କ ଭରସା ଦଣ୍ଡ ପାଲଟିଥିବା ନନ୍ଦିନୀ ଶତପଥି ସେତେବେଳେ ଜରୁରୀ ପରିସ୍ଥିତିକୁ କଡ଼ାକଡ଼ି ଭାବେ ପାଳନ କରି ଚର୍ଚ୍ଚିତ ହୋଇଥିଲେ। ତଥାପି ତାଙ୍କୁ ୧୬ ଡିସେମ୍ବର ୧୯୭୬ ମସିହାରେ ଇସ୍ତଫା ଦେବାକୁ ପଡ଼ିଥିଲା।
ତାଙ୍କ ପରେ ପାଞ୍ଚମାସ ପାଇଁ କଂଗ୍ରେସର ମୁଖ୍ୟମନ୍ତ୍ରୀ ହୋଇଥିଲେ ବିନାୟକ ଆଚାର୍ଯ୍ୟ। ତାଙ୍କୁ ଅନ୍ତରୀଣ ମୁଖ୍ୟମନ୍ତ୍ରୀ ବୋଲି କୁହାଯାଇପାରେ। ସେ ମୁଖ୍ୟମନ୍ତ୍ରୀଙ୍କ ସରକାରୀ ବାସଭବନକୁ ଆସିବା ପୂର୍ବରୁ କ୍ଷମତାରେ ପରିବର୍ତ୍ତନ ହୋଇସାରିଥିଲା। ଅର୍ଥାତ୍ ସେ ତାଙ୍କର ଅର୍ଥମନ୍ତ୍ରୀଙ୍କ ବାସଭବନ ଅର୍ଥାତ୍ ମହାତ୍ମା ଗାନ୍ଧି ମାର୍ଗରେ ରହୁଥିଲେ।
ବିନାୟକ ଆଚାର୍ଯ୍ୟଙ୍କ ପରେ ଯେଉଁ ସରକାର ବଦଳିଲା ତାହା କଂଗ୍ରେସ ଶାସନର ବିପରୀତ ଥିଲା। ଜନତା ପାର୍ଟି ପକ୍ଷରୁ ନୀଳମଣି ରାଉତରାୟ ଶାସନର ମଙ୍ଗ ଧରିଥିଲେ। ମୁଖ୍ୟମନ୍ତ୍ରୀ ହେବା ପରେ ସେ ଏବେକାର ମୁଖ୍ୟମନ୍ତ୍ରୀଙ୍କ ଅଫିସିଆଲ ରେସିଡେନ୍ସରେ ରହିବା ଆରମ୍ଭ କରିଥିଲେ। କିନ୍ତୁ ସେ ପୂର୍ଣ୍ଣକାଳ ଅର୍ଥାତ୍ ୫ ବର୍ଷ ଶାସନ କାଳ ପୂରଣ କରିପାରିନଥିଲେ। ୨ ବର୍ଷ ୯ ମାସରେ ତାଙ୍କୁ ଇସ୍ତଫା ଦେବାକୁ ପଡ଼ିଥିଲା।
ଅର୍ଥାତ୍ ଦୁଇଜଣ ଟାଣୁଆ ମୁଖ୍ୟମନ୍ତ୍ରୀ ନନ୍ଦିନୀ ଶତପଥି ଯାହାଙ୍କ କାନ୍ଧରେ ଇନ୍ଦିରାଙ୍କ ହାତ ରହିଥିଲା ଏବଂ ନୀଳମଣି ରାଉତରାୟ ଯାହାଙ୍କ କାନ୍ଧରେ ବିଜୁ ବାବୁଙ୍କ ଭଳି ନେତାଙ୍କ ହାତ ରହିଥିଲା ସେମାନେ ଏ ଘରେ ମୁଖ୍ୟମନ୍ତ୍ରୀ କୁର୍ସିକୁ ପୂର୍ଣ୍ଣକାଳ ଭୋଗ କରିପାରିନଥିଲେ।
ଏହାଙ୍କ ପରେ ମୁଖ୍ୟମନ୍ତ୍ରୀ ହୋଇଥିଲେ ଜାନକୀ ବଲ୍ଲଭ ପଟ୍ଟନାୟକ। ସେ ଏହି ଘରେ ନିଜର ସରକାରୀ ବାସଭବନ କରିଥିଲେ। ଅଭିଯୋଗ ଶୁଣାଣି ହେଉଥିଲା। ଆଉ ପ୍ରଥମ ପାଳିଟି ସେ ପୂର୍ଣ୍ଣକାଳ ସମ୍ପୂର୍ଣ୍ଣ କରିଥିଲେ। ହେଲେ ଦ୍ୱିତୀୟ ଓ ତୃତୀୟ ପାଳି ତାଙ୍କର ଅନେକ ସଙ୍କଟ ଦେଇ ଗତି କରିଥିଲା। ଏପରି ହୋଇଥିଲା ଯେ ସେ ରାଜ୍ୟର ସବୁଠାରୁ ନିନ୍ଦିତ ମୁଖ୍ୟମନ୍ତ୍ରୀ ବି ହୋଇଗଲେ।
ବିଜୁ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ଥିବା ବେଳେ ଏହି ଗୃହରେ ରହୁ ନ ଥିଲେ। ତାଙ୍କ ପୁଅ ନବୀନ ମଧ୍ୟ ଏହି ଗୃହରେ ରହୁ ନ ଥିଲେ। ଏପରିକି ଏଠାରେ ଅଭିଯୋଗ ପ୍ରକୋଷ୍ଠ ଚାଲୁଥିଲେ ବି ମୁଖ୍ୟମନ୍ତ୍ରୀ ଭାବେ ସେ ଆସୁ ନ ଥିଲେ। ବରଂ ତାଙ୍କ ଅଫିସରମାନେ ଏଠାରେ ଅଭିଯୋଗ ପ୍ରକୋଷ୍ଠ ଚଳାଉଥିଲେ। ଏଠାରୁ କାହାକୁ କିପରି ଆୟତ କରାଯିବା ସେ ନେଇ ଅଫିସରମାନେ ରଣନୀତି ପ୍ରସ୍ତୁତ କରିୁଥିଲେ।
ନବୀନଙ୍କ ପରେ ମୋହନ ଚରଣ ମାଝୀ ଏହି ଗୃହରେ ରହିବା ଆରମ୍ଭ କରିଛନ୍ତି। ଏହି ଗୃହର ଡିଜାଇନ୍, ବାସ୍ତୁକୁ ବଦଳାଯାଇଛି। ମୁଖ୍ୟମନ୍ତ୍ରୀ ଗୋମାତାଙ୍କୁ ନେଇ ସେଠାରେ ଗୃହ ପ୍ରବେଶ କରିଛନ୍ତି। ହେଲେ ରାଜ୍ୟରେ ଯେଉଁଭଳି ଭାବେ ପ୍ରତିଦିନ ନୂଆ ନୂଆ ପ୍ରସଙ୍ଗ ଆଲୋଡ଼ନ ସୃଷ୍ଟି କରୁଛି ତାଙ୍କର କୁର୍ସିକୁ ବି ଆଞ୍ଚ ଦେଇପାରେ ବୋଲି ଚର୍ଚ୍ଚା ହେଲାଣି। ଏଭଳି ମୁହୂର୍ତ୍ତରେ ମୁଖ୍ୟମନ୍ତ୍ରୀଙ୍କ ତାଙ୍କ ‘ଲକି ହୋମ’ ବା ଶୁଭକର ଘରକୁ ଛାଡ଼ୁ ନାହାନ୍ତି ବୋଲି କୁହାଯାଉଛି। ଏଣୁ ପୂର୍ବର କଂଗ୍ରେସ ନୀତିରେ ଯଦି ବିଜେପିର ଶୀର୍ଷ ନେତୃତ୍ୱ ପରିଚାଳିତ ହେବେ ତାହା ହେଲେ ମୁକୁଟ ବି ଯାଇପାରେ। ଆଉ ସେତେବେଳେ ନେଡ଼ିଗୁଡ଼ କହୁଣିକୁ ବୋହି ସାରିଥିବ। ଆମେ ଏ ଅନ୍ଧବିଶ୍ୱାସରେ କେବେ ବିଶ୍ୱାସ କରୁନୁ। ଆଉ ଲୋକଙ୍କ ଚର୍ଚ୍ଚା ବି ବାସ୍ତବରେ ରୂପାନ୍ତରଣ ହେଉ ବୋଲି ଅଗ୍ରୀମ ଆଶା କରୁ ନାହୁଁ। ତେଣିକି ଆପଣଙ୍କ ଚର୍ଚ୍ଚା।
Also readhttps://purvapaksa.com/there-is-a-lot-of-talk-about-mohit-suris-film-sayara-right-now/
