ବ୍ରିଟିଶ ଶାସନ ସମୟରେ ଉନ୍ନବିଂଶ ଶତାବ୍ଦୀରେ ବାଲେଶ୍ଵର ବନ୍ଦର ବାଣିଜ୍ୟ କାରବାର ପାଇଁ ଖୁବ ଚଳ ଚଞ୍ଚଳ ଥିଲା । ସ୍ଵାଧୀନତା ପ୍ରାପ୍ତି ବେଳକୁ ବି ଓଡ଼ିଶାରେ ବ୍ୟବସାୟ ବାଣିଜ୍ୟର ଏକ ସମୃଦ୍ଧ ପରମ୍ପରା ଥିଲା । କଂସା ପିତ୍ତଳ ପାଇଁ ରେମୁଣା ବ୍ୟତୀତ ବାଳକାଟୀ ଓ କଣ୍ଟିଲୋ ପ୍ରସିଦ୍ଧ ଥିଲା। ସେହି ସମୟ ବେଳକୁ ସମ୍ବଲପୁର ଓ ବ୍ରହ୍ମପୁର ପାଟ ଶାଢୀ ପାଇଁ ପ୍ରସିଦ୍ଧି ଅର୍ଜନ କରିଥିଲା ଓ ଏସବୁ ରପ୍ତାନୀ ବି ହେଉଥିଲା। ଔପନିବେଶିକ ସାମ୍ରାଜ୍ୟବାଦର ନକାରାତ୍ମକ ପ୍ରଭାବ ହେତୁ ଏହି ବ୍ୟବସାୟ ପତନମୁଖୀ ହୋଇଥିଲା।
ଏହିଭଳି ଛୋଟ ଛୋଟ କୁଟୀରଶିଳ୍ପ ବ୍ୟତୀତ ଓଡ଼ିଶାରେ କୌଣସି ଶିଳ୍ପାୟନ ହୋଇପାରି ନଥିଲା । ୧୮୫୪ ମସିହାରେ ଜେମ୍ସ ଭି. ମିଞ୍ଚିନଙ୍କ ଦ୍ୱାରା ଆସ୍କା ଠାରେ ଏକ ଚିନି କାରଖାନା ପ୍ରତିଷ୍ଠା କରାଯାଇଥିଲା। ଓଡ଼ିଶାର କେତେକ କେନ୍ଦ୍ରରେ ସୂତା ଏବଂ ତେଲ କାରଖାନା ଥିଲା। ୧୯୩୭ ମସିହାରେ ବାରଙ୍ଗରେ ଏକ ଛୋଟ କାଚ କାରଖାନା ପ୍ରତିଷ୍ଠା କରାଯାଇଥିଲା। ଜୟପୁର ଚିନି କମ୍ପାନୀ ଲିମିଟେଡ୍ ଦ୍ୱାରା ରାୟଗଡ଼ାରେ ଥିବା ଏକ ଚିନି କାରଖାନାକୁ ଭାରତୀୟ କମ୍ପାନୀ ଅଧିନିୟମ ଅନୁଯାୟୀ ୨୯ ଜୁଲାଇ, ୧୯୩୬ରେ ଏକ ପବ୍ଲିକ୍ ଲିମିଟେଡ୍ କମ୍ପାନୀ ଭାବରେ ଅନ୍ତର୍ଭୁକ୍ତ କରାଯାଇଥିଲା।
ସେଇ ୧୯୩୬ ମସିହାରେ ବିର୍ଲା ଗୋଷ୍ଠୀ ଦ୍ୱାରା ‘ଓରିଏଣ୍ଟ ପେପର ମିଲ’ କାଗଜ କାରଖାନା ବ୍ରଜରାଜନଗରରେ ସ୍ଥାପିତ ହୋଇଥିଲା। ଏଇଠି ଥିଲା ଓଡ଼ିଶାର ସବୁଠାରୁ ପୁରୁଣା ଶିଳ୍ପ । ଘରୋଇ କମ୍ପାନୀଗୁଡ଼ିକ ଦ୍ୱାରା ସହରଗୁଡ଼ିକର ବିଦ୍ୟୁତକରଣ କରାଯାଇଥିଲା। ଡିଜେଲ ପ୍ରାଇମ ମୁଭର ଦ୍ୱାରା ସେମାନେ ଖାଉଟିଙ୍କୁ ବିଦ୍ୟୁତ ଯୋଗାଣ କରୁଥିଲେ। ଯୋବ୍ରାରେ କଟକ ବିଦ୍ୟୁତ ଯୋଗାଣ କମ୍ପାନୀ ଦ୍ୱାରା ୭୫୦କିଲୋୱାଟ କ୍ଷମତା ବିଶିଷ୍ଟ ଏକ ଛୋଟ ବିଦ୍ୟୁତ କେନ୍ଦ୍ର ନିର୍ମାଣ କରାଯାଇଥିଲା ଏବଂ ବ୍ରହ୍ମପୁର ବିଦ୍ୟୁତ ଯୋଗାଣ ନିଗମ ଦ୍ୱାରା ବ୍ରହ୍ମପୁରର ବିଦ୍ୟୁତକରଣ କରାଯାଇଥିଲା। ବାମଣ୍ଡାର ରାଜାଙ୍କ ରାଜଧାନୀରେ ଏକ ବିଦ୍ୟୁତ ଯୋଗାଣ ୟୁନିଟ୍ ଥିଲା। ରାଜାଙ୍କ ପୃଷ୍ଠପୋଷକତାରେ ମୟୂରଭଞ୍ଜରେ ସ୍ପିନିଂ ମିଲ୍ ଏବଂ ଗଞ୍ଜି କାରଖାନା କାର୍ଯ୍ୟ କରୁଥିଲା। ତେବେ ଓଡ଼ିଶା ଭଳି ଏକ ଗରିବ ରାଜ୍ୟର ଆର୍ଥିକ ପ୍ରଗତି ପାଇଁ ଏଗୁଡ଼ିକ ଯଥେଷ୍ଟ ନଥିଲା।
ସ୍ଵାଧୀନତା ବେଳକୁ ଓଡ଼ିଶା ଏକ ଅତ୍ୟନ୍ତ ପଛୁଆ ଏବଂ ନିଷ୍କ୍ରିୟ ରାଜ୍ୟ ଥିଲା। ଏପରିକି କୃଷି ବି ଅନୁନ୍ନତ ଅବସ୍ଥାରେ ଥିଲା। ଓଡ଼ିଶା ପ୍ରାକୃତିକ ସମ୍ପଦରେ ପରିପୂର୍ଣ୍ଣ – ଏକଥା ସ୍ଵାଧୀନତା ବେଳେ ହିଁ ଜଣା ପଡ଼ିଲା।। ଟାଟା ଷ୍ଟିଲ୍ ଲିମିଟେଡ୍ ଭାରତରେ ପ୍ରଥମ ମାଙ୍ଗାନିଜ୍ ଡିପୋଜିଟ୍ ଯୋଡାରେ (୧୯୨୯) ପାଇଥିଲେ। ସୁକିନ୍ଦା ଉପତ୍ୟକାରେ କ୍ରୋମାଇଟ୍ ଡିପୋଜିଟ୍ (୧୯୪୯) ର ଆବିଷ୍କାର ହେଲା ଯେତେବେଳେ ବିଶ୍ୱ ମାଙ୍ଗାନିଜ୍ ଏବଂ କ୍ରୋମ ପଥରର ଅସଲ ମୂଲ୍ୟକୁ ବୁଝିବା ଆରମ୍ଭ କଲା। ଓଡ଼ିଶାରେ ଦେଶର ମୋଟ ବକ୍ସାଇଟର ୬୯.୭ ଭାଗ , କ୍ରୋମାଇଟ୍ର ୯୮.୪ ଭାଗ, ୨୩.୮କୋଇଲା, ୩୨.୬ ଭାଗ ଗ୍ରାଫାଇଟ୍, ୨୬ ପ୍ରତିଶତ ଲୁହାପଥର, ୩୧.୮ମାଙ୍ଗାନିଜ୍ ଏବଂ ୯୫ ପ୍ରତିଶତ ନିକେଲ୍ ଭଣ୍ଡାର ରହିଥିବା କଥା କ୍ରମଶଃ ଜଣାପଡ଼ିଲା। ଶିଳ୍ପ କ୍ଷେତ୍ରରେ ପୁଞ୍ଜି ନିବେଶ କରିବା ସ୍ଥିତିରେ ରାଜ୍ୟ ନଥିଲା। ଶିଳ୍ପ ପ୍ରକଳ୍ପଗୁଡ଼ିକୁ ଅର୍ଥ ପାଇଁ କେବଳ କେନ୍ଦ୍ର ସରକାରଙ୍କ ଉପରେ ନିର୍ଭର କରୁଥିଲା। ଲୋକମାନେ ସେତେବେଳେ ଅନାହାରରେ ମୃତ୍ୟୁବରଣ କରୁଥିଲେ। ଉତ୍ତରାଧିକାର ସୂତ୍ରରେ ମିଳିଥିବା ଔପନିବେଶିକ ଏବଂ ଜନବିରୋଧୀ ବ୍ୟବସ୍ଥାରେ ଅନେକ ଭୟଙ୍କର ସମସ୍ୟା ରହିଥିଲା। ତେଣୁ ଶିଳ୍ପାୟନ କଥା କିଏ ପଚାରେ?
ମହତାବ ୧୯୪୭ ମସିହାରେ ଓଡ଼ିଶାର ପ୍ରଧାନମନ୍ତ୍ରୀ ହେଲେ ଏବଂ ସେ ଜଣେ ଅତ୍ୟନ୍ତ ଚତୁର ନେତା ଥିଲେ। କିଛି ପ୍ରଭାବଶାଳୀ କେନ୍ଦ୍ରୀୟ ନେତାଙ୍କ ସହ ତାଙ୍କର ବହୁତ ଭଲ ସମ୍ପର୍କ ଥିଲା। ଏହାର ସୁଯୋଗ ନେଇ ରାଜ୍ୟରେ ଶିଳ୍ପାୟନ ପ୍ରକ୍ରିୟା ଆରମ୍ଭ କରିବା ପାଇଁ ସେ ନିଷ୍ପତ୍ତି ନେଲେ। କିନ୍ତୁ କେତେକ ତତ୍କାଳୀନ ରାଜନୈତିକ ସମସ୍ୟା ମହତାବଙ୍କ ପାଇଁ ପ୍ରତିବନ୍ଧକ ସୃଷ୍ଟି କରିଥିଲା। ଉତ୍ତରାଧିକାରରେ ମହତାବ ଏକ ଗରିବ, ପଛୁଆ ଏବଂ ଅନୁନ୍ନତ ଅଞ୍ଚଳ ପାଇଥିଲେ। ଲୋକଙ୍କଠି ବାଣିଜ୍ୟ ଓ ବ୍ୟବଶ୍ୟର ସାମାନ୍ୟ ଧାରଣା ବି ନଥିଲା।
ପଶ୍ଚିମ ଓଡ଼ିଶାର ରାଜାମାନଙ୍କ ଦ୍ଵାରା ଗଠିତ ଗଣତନ୍ତ୍ର ପରିଷଦର ବିରୋଧ ସତ୍ତ୍ୱେ ମହତାବଙ୍କ ସବୁଠାରୁ ବଡ଼ ସଫଳତା ଥିଲା ବହୁମୁଖୀ ହୀରାକୁଦ ଡ୍ୟାମ କାର୍ଯ୍ୟର ଆରମ୍ଭ। ପ୍ରଥମ ପଞ୍ଚବାର୍ଷିକ ଯୋଜନାରେ ସ୍ଥାପିତ ରାଜ୍ୟର ଅନେକ ଶିଳ୍ପ ପାଇଁ ଏହା ଶକ୍ତିର ଗୁରୁତ୍ୱପୂର୍ଣ୍ଣ ଉତ୍ସ ପାଲଟିଥିଲା। ଆନ୍ଧ୍ର ପ୍ରଦେଶ ସହଯୋଗରେ ମାଛକୁଣ୍ଡ ଜଳବିଦ୍ୟୁତ ପ୍ରକଳ୍ପ ନିର୍ମାଣରେ ମଧ୍ୟ ସେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ମାଛକୁଣ୍ଡ ପ୍ରକୃତରେ ୧୯୩୦ ଦଶକରେ ଜୟପୁର ରାଜାଙ୍କ ଦ୍ୱାରା ପ୍ରଥମେ ଯୋଜନା କରାଯାଇଥିଲା। ଏହା ଅବିଭାଜିତ କୋରାପୁଟ ଜିଲ୍ଲାର ଅଞ୍ଚଳକୁ ବିଦ୍ୟୁତ୍ ଯୋଗାଊଥିଲା ।
୧୯୪୮ରେ ମହତାବ ଆରମ୍ଭ ହେବାକୁ ଥିବା କଳିଙ୍ଗ ଟ୍ୟୁବ୍ ଲିମିଟେଡକୁ ସମର୍ଥନ କରିଥିଲେ । କଳିଙ୍ଗ ଟ୍ୟୁବ୍ ୧୯୫୬ରେ ଷ୍ଟିଲ୍ ଗ୍ୟାଲଭେନାଇଜଡ୍ ପାଇପ୍ ଏବଂ ଟ୍ୟୁବ୍ ଉତ୍ପାଦନ ଆରମ୍ଭ କରିଥିଲା । ଜୟଦୟାଲଜୀ ଡାଲମିଆ ଗ୍ରୁପ ଦ୍ଵାରା ହୀରାକୁଦ ଡ୍ୟାମ ନିର୍ମାଣରେ ସୁପର ଗ୍ରେଡ୍ ସିମେଣ୍ଟ ଉତ୍ପାଦନ ପାଇଁ ଓଡ଼ିଶା ସରକାରଙ୍କ ଅନୁରୋଧ କ୍ରମେ ୬୫୦୦ କିଲୋୱାଟର ଏକ ବିଦ୍ୟୁତ୍ ଯୋଗାଣ ୟୁନିଟ୍ ରାଜଗଙ୍ଗପୁରରେ ପ୍ରତିଷ୍ଠା କରାଯାଇଥିଲା।
୧୯୪୬ ମସିହାରେ ହିଁ ଓଡ଼ିଶାର ସମ୍ପୂର୍ଣ୍ଣ ପଛୁଆ ଅବସ୍ଥା ବିଷୟରେ ମହତାବ ବେଶ୍ ସଚେତନ ଥିଲେ। ଓଡ଼ିଶା ଏକ ଖଣିଜ ସମୃଦ୍ଧ ଅଞ୍ଚଳ ହୋଇଥିବାରୁ ସେ ଏହାକୁ ଶିଳ୍ପାୟନର ରାସ୍ତାରେ ଚଳାଇବାକୁ ସଂକଳ୍ପବଦ୍ଧ ଥିଲେ। ଏଥିପାଇଁ ଏକ ଶିଳ୍ପ ବୋର୍ଡ ଗଠନ କରାଯାଇଥିଲା। କ୍ଷୁଦ୍ର କୁଟୀର ଶିଳ୍ପକୁ ପ୍ରୋତ୍ସାହନ ଦେବା ପାଇଁ ଜଣେ ସ୍ୱତନ୍ତ୍ର ଅଧିକାରୀ ନିଯୁକ୍ତ ହୋଇଥିଲେ। ସରକାର ଅଖିଳ ଭାରତୀୟ ଗ୍ରାମ ଶିଳ୍ପ (କେଭିଆଇସି) ସଂଘର ଜେସି. କୁମାରାପାଙ୍କୁ ଗ୍ରାମ ହସ୍ତଶିଳ୍ପକୁ ପ୍ରୋତ୍ସାହିତ କରିବାର ସମ୍ଭାବନା ବିଷୟରେ ଅନୁଧ୍ୟାନ କରିବାକୁ ନିମନ୍ତ୍ରଣ କରିଥିଲେ।
ଉଲ୍ଲେଖ କରାଯାଇପାରେ ଯେ ବ୍ରିଟିଶମାନଙ୍କ ଅଧୀନରେ ଓଡ଼ିଶା ସରକାର ଏକ ଟେକ୍ସଟାଇଲ୍ ମିଲ୍ ପ୍ରତିଷ୍ଠା କରିବାକୁ ଚେଷ୍ଟା କରିଥିଲେ। କିନ୍ତୁ ବମ୍ବେ ମିଲ ମାଲିକମାନଙ୍କ ଷଡ଼ଯନ୍ତ୍ର ଏବଂ ଚାପ ଯୋଗୁଁ ଏହା କାର୍ଯ୍ୟକାରୀ ହୋଇପାରିଲା ନାହିଁ। ମହତାବ ଏହି ପ୍ରସଙ୍ଗକୁ ହାତକୁ ନେଲେ। ତାଛଡ଼ା ସେ କଟକ ସହର ଖପୁରିଆ ଶିଳ୍ପାଞ୍ଚଳ ଏବଂ ପରେ ଚୌଦ୍ୱାର ଠାରେ ଚୌଦ୍ୱାର ଶିଳ୍ପାଞ୍ଚଳକୁ ପ୍ରୋତ୍ସାହିତ କରିଥିଲେ। ଓଡ଼ିଶାର ତ୍ୱରିତ ଶିଳ୍ପାୟନ ପାଇଁ ଦିଲ୍ଲୀର ଅନ୍ତରୀଣ ସରକାରରେ ମଧ୍ୟ ସେ ଦାବି କରିଥିଲେ।
ବିଜୁ ପଟ୍ଟନାୟକ ସେତେବେଳେ ଜଣେ ଯୁବ ଉଦ୍ୟୋଗୀ ଭାବେ ଆବିର୍ଭାବ ହୋଇଥିଲେ। ତାଙ୍କୁ ଓଡ଼ିଶାରେ ଶିଳ୍ପ ପ୍ରତିଷ୍ଠା କରିବା ପାଇଁ ମହତାବ ପ୍ରୋତ୍ସାହିତ କରିଥିଲେ। ଚୌଦ୍ୱାରରେ ଓଟିଏମ (ଓଡ଼ିଶା ଟେକ୍ସଟ ମିଲ୍) ପ୍ରତିଷ୍ଠା କରାଯାଇଥିଲା । ମୟୂରଭଞ୍ଜର କୋଳଧିଆ ସ୍ପିନିଂ ମିଲର କାରିଗରମାନଙ୍କୁ ଓଟିମରେ ନିଯୁକ୍ତି ଦିଆଯାଇଥିଲା। ଅହମ୍ମଦାବାଦ, ବମ୍ବେ ଏବଂ ଗୁଜରାଟର ମିଲ ମାଲିକମାନେ ଏହି ପ୍ରୟାସକୁ ବିରୋଧ କରିଥିଲେ। ଏପରିକି କେତେକ କଂଗ୍ରେସ କର୍ମୀ ବି ଏହାକୁ ସମାଲୋଚନା କରିଥିଲେ। ସେମାନଙ୍କ ସମାଲୋଚନର ସ୍ଵର ଥିଲା ଯେ ଓଟିଏମ ମହାତ୍ମା ଗାନ୍ଧୀଙ୍କ ଖଦି କାର୍ଯ୍ୟକ୍ରମର ନୀତି ବିରୁଦ୍ଧରେ ଯାଉଛି। ଏଥିରେ ମହତାବଙ୍କ ଜବାବ ଥିଲା ଯଦି ଖଦିର ପ୍ରଚାର ପ୍ରସାର କରିବାର ଅଛି , ତେବେ ଦେଶର ସମସ୍ତ ବୟନ ଶିଳ୍ପ କାରଖାନାକୁ ବନ୍ଦ କରିଦେବ ଦରକାର। ଶେଷରେ ଗାନ୍ଧୀଜୀ ହିଁ ଏହି ବିବାଦର ସମାଧାନ ପାଇଁ ପଦକ୍ଷେପ ନେଇଥିଲେ ଏବଂ ଓଟିଏମ୍. ପ୍ରତିଷ୍ଠା ପାଇଁ ବାଟ ଫିଟି ଥିଲା। ମହତାବ ହିଁ ଓଡ଼ିଶାରେ ଶିଳ୍ପାୟନ ଓ ଆଧୁନିକୀକରଣ ଯୁଗର ଶୁଭାରମ୍ଭ କରିଥିଲେ। ତାଙ୍କରି ସମୟରେ ଓଡ଼ିଶା ଖଣି ନିଗମ ଗଠନ କରାଯାଇଥିଲା ଏବଂ ଓଡ଼ିଶାରେ ଖଣି କାର୍ଯ୍ୟକଳାପକୁ ବୃଦ୍ଧି ହୋଇଥିଲା।
also read https://purvapaksa.com/azam-against-akhilesh/
