ଭାରତ ଖୁବ୍ ଶୀଘ୍ର ଏକ ବିଲିୟନରୁ ଅଧିକ ଭୋଟରଙ୍କ ସହ ଏକ ନୂଆ ରେକର୍ଡ ସ୍ଥାପନ କରିବ ବୋଲି ମୁଖ୍ୟ ନିର୍ବାଚନ କମିଶନର ରାଜୀବ କୁମାର ମଙ୍ଗଳବାର ଦିଲ୍ଲୀ ବିଧାନସଭା ନିର୍ବାଚନ ତାରିଖ ଘୋଷଣା କରିବା ଅବସରରେ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି।
କୁମାର ଉଲ୍ଲେଖ କରିଛନ୍ତି ଯେ ୨୦୨୪ ହେଉଛି ବିଶ୍ୱସ୍ତରରେ ନିର୍ବାଚନର ବର୍ଷ ଯେତେବେଳେ ଗଣତନ୍ତ୍ରରେ ବିଶ୍ୱର ଦୁଇ ତୃତୀୟାଂଶ ଲୋକ ବିଭିନ୍ନ ନିର୍ବାଚନରେ ଭୋଟ୍ ଦେଇଥିଲେ। ୮ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ମଧ୍ୟ ନିର୍ବାଚନ ହୋଇଥିଲା। ଭଲ ବାତାବରଣ ଥିଲା, ମତଦାନ ପ୍ରତିଶତ, ଲୋକଙ୍କ ଅଂଶଗ୍ରହଣ, ବିଶେଷ କରି ମହିଳାଙ୍କ ଅଂଶଗ୍ରହଣ ଏବଂ ରେକର୍ଡ ଜବତ ଦୃଷ୍ଟିରୁ ଲୋକସଭା ନିର୍ବାଚନରେ ନୂଆ ରେକର୍ଡ ସୃଷ୍ଟି ହୋଇଥିଲା ବୋଲି ସିଇସି କହିଛନ୍ତି।
ଭୋଟର ତାଲିକା ପ୍ରକାଶ ନେଇ ଉଲ୍ଲେଖ କରି କୁମାର ଆହୁରି କହିଛନ୍ତି ଯେ ଭାରତ ଏକ ଐତିହାସିକ ମାଇଲଖୁଣ୍ଟ ନିକଟରେ ପହଞ୍ଚିଛି। ଗତକାଲି ପ୍ରକାଶପାଇଥିବା ଆମର ଭୋଟର ତାଲିକା ଏବଂ ଆଜି ଆଉ ୪ଟି ରାଜ୍ୟ ଉତ୍ତରପ୍ରଦେଶ, ରାଜସ୍ଥାନ, ବିହାର ଓ ପଞ୍ଜାବରେ ଆମେ ୯୯ କୋଟି ପଞ୍ଜୀକୃତ ଭୋଟରଙ୍କୁ ଅତିକ୍ରମ କରୁଛୁ। ଖୁବଶୀଘ୍ର ଆମେ ଏକ ବିଲିୟନ ଭୋଟରଙ୍କ ଦେଶ ହୋଇଯିବୁ, ଯାହା ଭୋଟ୍ ଦେବାରେ ଆଉ ଏକ ରେକର୍ଡ ହେବ।
ମହିଳାଙ୍କ ବଢୁଥିବା ଅଂଶଗ୍ରହଣ ଉପରେ ଆଲୋକପାତ କରି ସିଇସି ଆହୁରି କହିଛନ୍ତି, “ଏହି ଏସଏସଆର (ସ୍ପେଶାଲ ସାମରି ରିଭିଜନ)ରେ ଭୋଟର ଭାବେ ପଞ୍ଜୀକୃତ ମହିଳାଙ୍କ ସଂଖ୍ୟା ମଧ୍ୟ ୪୮ କୋଟି ଟପିଯିବ। ଏହା ମହିଳା ସଶକ୍ତୀକରଣର ଏକ ଦୃଢ଼ ସୂଚକ।
ନିର୍ବାଚନ ପ୍ରକ୍ରିୟାର ସତ୍ୟତା ଉପରେ ଉଠିଥିବା ପ୍ରଶ୍ନର ଉତ୍ତର ଦେଇ ନୀତୀଶ କୁମାର କହିଛନ୍ତି ଯେ ଭୋଟର ମତଦାନ ତଥ୍ୟ ବଦଳାଇବା ଅସମ୍ଭବ ଏବଂ ଅପରାହ୍ନ ୫ଟା ପରେ ମତଦାନ ବୃଦ୍ଧି କୁ ନେଇ ଏକ ଭୁଲ କାହାଣୀ ପ୍ରଚାର କରାଯାଉଛି। ଇଭିଏମ୍ ଓ ଭୋଟର ଭେରିଫାଏବଲ୍ ପେପର ଅଡିଟ୍ ଟ୍ରେଲ୍ (ଭିଭିପିଏଟି) ସ୍ଲିପ୍ ମାଧ୍ୟମରେ ଗଣତି ହୋଇଥିବା ଭୋଟ୍ ରେ ଗୋଟିଏ ବି ତ୍ରୁଟି ଦେଖିବାକୁ ମିଳିନାହିଁ।
ନିର୍ଦ୍ଦିଷ୍ଟ ଗୋଷ୍ଠୀକୁ ଟାର୍ଗେଟ କରିବା ପାଇଁ ଭୋଟର ତାଲିକାରେ ଭୁଲ ସଂଶୋଧନ କିମ୍ବା ଉଚ୍ଛେଦ ସମ୍ପର୍କରେ ସିଇସି କହିଛନ୍ତି, “ଭୋଟର ତାଲିକା କୁ ନେଇ ଏବେ ବି ଖବର ଚାଲିଛି। ଭୋଟର ତାଲିକା ପ୍ରସ୍ତୁତିର ପ୍ରତ୍ୟେକ ପର୍ଯ୍ୟାୟରେ ରାଜନୈତିକ ଦଳଗୁଡ଼ିକ ସମ୍ପୂର୍ଣ୍ଣ ପ୍ରକାଶ ଓ ଆପତ୍ତି କରିବାର ସୁଯୋଗ ସହିତ ସାମିଲ ହୋଇଥିଲେ।
୨୦୨୫ ର ସ୍ୱତନ୍ତ୍ର ସଂକ୍ଷିପ୍ତ ସଂଶୋଧନ ପାଇଁ ଫଟୋ ଭୋଟର ତାଲିକା ଅନୁଯାୟୀ ଓଡ଼ିଶାରେ ୨,୧୦,୯୦୪ ଜଣ ଭୋଟର ଯୋଡ଼ିଥିବା ବେଳେ ମୋଟ ଭୋଟର ସଂଖ୍ୟା ୩୪,୦୭୨,୭୪୪ରେ ପହଞ୍ଚିଛି। ରାଜ୍ୟରେ ୫୦.୫% (୧୭,୨୦୫,୧୫୦) ପୁରୁଷ ଭୋଟର ଥିବା ବେଳେ ମହିଳା ଭୋଟରଙ୍କ ସଂଖ୍ୟା ୪୯.୪୯% (୧୬,୮୬୪,୧୬୦) ରହିଛି। ଏହାବ୍ୟତୀତ ୩,୪୩୪ ଜଣ ପଞ୍ଜୀକୃତ କିନ୍ନର ଭୋଟର ଅଛନ୍ତି।
ମୋଟ ଭୋଟରଙ୍କ ମଧ୍ୟରୁ ୧୮-୧୯ ବର୍ଷ (୧.୭୬%), ୫୨୨,୩୬୪ ଭିନ୍ନକ୍ଷମ (୧.୫୩%) ଏବଂ ୮୫ ବର୍ଷ ରୁ ଅଧିକ ବୟସର ୩୩୮,୫୧୬ ବରିଷ୍ଠ ନାଗରିକ (୦.୯୯%) ଭୋଟର ଅଛନ୍ତି।
ସିଇଓଙ୍କ ଦ୍ୱାରା ଜାରି ବିବୃତିରେ ଆହୁରି କୁହାଯାଇଛି ଯେ ରାଜ୍ୟରେ ଲିଙ୍ଗ ଅନୁପାତ ୯୭୬ରୁ ୯୮୦କୁ ଉନ୍ନତ ହୋଇଛି, ଯାହା ନିର୍ବାଚନ ପ୍ରକ୍ରିୟାରେ ମହିଳାଙ୍କ ଅଂଶଗ୍ରହଣ ବୃଦ୍ଧିକୁ ସୂଚାଉଛି।
Also read https://purvapaksa.com/the-chief-minister-inaugurated-9-new-galleries-of-the-state-museum/