ଅନେକ ସଂସ୍କୃତି, ଜାତି, ସାମାଜିକ ବ୍ୟବସ୍ଥା ଓ ଆର୍ଥିକ ସ୍ଥିତିରେ ସଜା ହୋଇଛି ଭାରତର ରାଜନୀତି। ଭିନ୍ନ ଭିନ୍ନ ପରିବେଶରୁ ଏଠାରେ ନେତା ଚୟନ ହୁଅନ୍ତି, ଭାରତୀୟ ଗଣତନ୍ତ୍ରର ନେତୃତ୍ୱ ନିଅନ୍ତି। ଏଥିରେ ଧନ, ସମ୍ପତ୍ତି କେତେ ଗୁରୁତ୍ୱ ବହନ କରେ? ଦିନକୁ ଦିନ ବଢ଼ିଚାଲିଥିବା ନିର୍ବାଚନ ଖର୍ଚ୍ଚକୁ ସେମାନେ କେମିତି ପରିଚାଳନା କରନ୍ତି? ଏମିତି ଅନେକ ପ୍ରଶ୍ନ ଆମ ମନରେ ଉଙ୍କି ମାରେ। ଘୃଣା ପ୍ରସାରଣ କରେ। ହେଲେ କେବେ ଅନୁଶୀଳନ କରିଛନ୍ତି ସେମାନଙ୍କ ଆୟ କେତେ? କେତେ ସମ୍ପତ୍ତିର ସେମାନେ ମାଲିକ? ଆଜି ଏ ସନ୍ଦର୍ଭରେ ମୁଖ୍ୟମନ୍ତ୍ରୀଙ୍କ ସମ୍ପତ୍ତି ଓ ଅପରାଧ ବିବରଣୀର ଏକ ଅନୁଶୀଳନକୁ ନେଇ ଆମ ମୁଖ୍ୟମନ୍ତ୍ରୀଙ୍କ ଚରିତ୍ର।
ସୌଖିନ ସେବା ସରକାରୀ ନା ନିଜର ବ୍ୟକ୍ତିଗତ
ଦେଶର ୨୭ଟି ରାଜ୍ୟ ଓ ୩ କେନ୍ଦ୍ର ଶାସିତ ଅଞ୍ଚଳରେ ୩୦ ଜଣ ମୁଖ୍ୟମନ୍ତ୍ରୀ ଭାରତର ସଂଘୀୟ ରାଜନୀତିକୁ ନେତୃତ୍ୱ ଦେଉଛନ୍ତି। କେତେବେଳେ ମୁଖ୍ୟମନ୍ତ୍ରୀମାନଙ୍କୁ ଲମ୍ବା ଲମ୍ବା ସୌଖିନ କାରରେ ଦେଖିବାକୁ ମିଳେ ତ ଆଉ କେତେବେଳେ ତାରକା ହୋଟେଲ୍ର ବିଳାସ ସଂଯୁକ୍ତ କୋଠରୀରେ। ପୁଣି ତାଙ୍କ କାର୍ଯ୍ୟାଳୟର ସ୍ୱପ୍ନର ଇନ୍ଦ୍ରପୁରୀ ଭଳି ମନେହୁଏ। ହେଲେ ଏସବୁ ସରକାରୀ ସେବା ସୌଖିନ ନା ନିଜର ବ୍ୟକ୍ତିଗତ?
ଏମିତି ପ୍ରଶ୍ନକୁ ଉଜାଗର କରିଛି ଆସୋସିଏସନ୍ ଫର ଡେମାକ୍ରାଟିକ୍ ରିଫର୍ମ ନାମକ ଏକ ବେସରକାରୀ ସଂସ୍ଥା। ମୁଖ୍ୟମନ୍ତ୍ରୀମାନଙ୍କ ଦ୍ୱାରା ଦାଖଲ ହୋଇଥିବା ସମ୍ପତ୍ତି ବିବରଣୀକୁ ଲକ୍ଷ୍ୟ କରି ଏହି ରିପୋର୍ଟ ଦର୍ଶାଇଛି ଯେ, ଦେଶର ଏହି ୩୦ ଜଣ ମୁଖ୍ୟମନ୍ତ୍ରୀମାନଙ୍କ ସମୁଦାୟ ସମ୍ପତ୍ତିର ମୂଲ୍ୟ ହେଉଛି ୧୬୩୨ କୋଟି ଟଙ୍କା। ବାର୍ଷିକ ହାରାହାରି ଆୟ ହେଉଛି ୧୩ଲକ୍ଷ ୩୪ ହଜାର ୭୩୮ ଟଙ୍କା। ଆଉ ହାରାହାରି ଜଣେ ମୁଖ୍ୟମନ୍ତ୍ରୀଙ୍କ ସମ୍ପତ୍ତିର ମୂଲ୍ୟ ହେଉଛି ୫୪ କୋଟି ୪୨ ଲକ୍ଷ ଟଙ୍କା।
ଆନ୍ଧ୍ର ମୁଖ୍ୟମନ୍ତ୍ରୀଙ୍କ ସର୍ବାଧିକ ସମ୍ପତ୍ତି
ବର୍ଷକୁ ୧୩ ଲକ୍ଷ ଟଙ୍କାର ବାର୍ଷିକ ଆୟ ଜଣେ ମଧ୍ୟବିତ୍ତ କର୍ମଚାରୀଙ୍କ ଆୟ ବୋଲି ଗ୍ରହଣ କରାଯାଇପାରେ। ଅର୍ଥାତ୍ ମୁଖ୍ୟମନ୍ତ୍ରୀଙ୍କ ଆୟ ସାଧାରଣ କର୍ମଚାରୀଙ୍କ ଆୟ ସହ ପ୍ରାୟ ସମାନ। କିନ୍ତୁ ତାହା ନୁହେଁ। ଦେଶର ଜଣେ ମୁଖ୍ୟମନ୍ତ୍ରୀ ଅନ୍ୟ ୨୯ ମୁଖ୍ୟମନ୍ତ୍ରୀଙ୍କ ସାମଗ୍ରିକ ସମ୍ପତ୍ତିଠାରୁ ଅଧିକ ମୂଲ୍ୟ ବହନ କରନ୍ତି। ସେ ହେଉଛନ୍ତି ଚନ୍ଦ୍ରବାବୁ ନାଇଡ଼ୁ, ଆନ୍ଧ୍ର ପ୍ରଦେଶର ମୁଖ୍ୟମନ୍ତ୍ରୀ। ଏଡିଆର୍ ରିପୋର୍ଟ ଅନୁସାରେ ତାଙ୍କର ସମୁଦାୟ ସମ୍ପତ୍ତି ତାଲିକା ହେଉଛି ୯୩୧ କୋଟି। ବାକି ୨୯ ମୁଖ୍ୟମନ୍ତ୍ରୀଙ୍କ ନାଁରେ ଥିବା ସମୁଦାୟ ମୁଖ୍ୟମନ୍ତ୍ରୀଙ୍କ ସମ୍ପତ୍ତି ମୂଲ୍ୟ ହେଉଛି ୭୦୨ କୋଟି। ପୁଣି ସେଥିରୁ ୩୩୨ କୋଟି ମୂଲ୍ୟର ସମ୍ପତ୍ତି ଧାରଣ କରିଛନ୍ତି ଅରୁଣାଚଳ ପ୍ରଦେଶର ମୁଖ୍ୟମନ୍ତ୍ରୀ ପ୍ରେମା ଖାଣ୍ଡୁ। ୫୧ କୋଟି ଟଙ୍କାର ସମୁଦାୟ ସମ୍ପତ୍ତି ଧାରଣ କରିଛନ୍ତି କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ସିଦ୍ଧରାମୟା।
ସମ୍ପତ୍ତି ନ ଥିବା ମୁଖ୍ୟମନ୍ତ୍ରୀ
ଦେଶରେ ଏମିତି ଦୁଇଜଣ ନେତା ସେମାନଙ୍କ ରାଜ୍ୟର ମୁଖ୍ୟମନ୍ତ୍ରୀ ହୋଇପାରିଛନ୍ତି ଯାହାଙ୍କ ନାଁରେ କୌଣସି ସମ୍ପତ୍ତି ନାହିଁ। ସେମାନେ ହେଲେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏବଂ ଜମ୍ମୁ ଓ କଶ୍ମୀର ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲା। ଏହାର ଅର୍ଥ ନୁହେଁ ଯେ ସେମାନଙ୍କର ବ୍ୟକ୍ତିଗତ ଆୟ ନାହିଁ ବା ତାଙ୍କ ନାଁରେ କୌଣସି ସ୍ଥାବର ସମ୍ପତ୍ତି ନାହିଁ। ଓମାରଙ୍କ ନାଁରେ ୫୫ଲକ୍ଷ ଟଙ୍କାରୁ ଅଧିକ ମୂଲ୍ୟର ସମ୍ପତ୍ତି ରହିଥିବାବେଳେ ସେ ବର୍ଷକୁ ବ୍ୟକ୍ତିଗତ ସୂତ୍ରରୁ ୧୪ ଲକ୍ଷରୁ ଅଧିକ ଅର୍ଥ ଆୟ କରନ୍ତି। ସେହିପରି ମମତାଙ୍କ ବାର୍ଷିକ ଆୟ ହେଉଛି ୧୫ ଲକ୍ଷ ଟଙ୍କା। ସେ ୧୫ ଲକ୍ଷରୁ ଅଧିକ ମୂଲ୍ୟର ସମ୍ପତ୍ତି ନିଜ ନାଁରେ ରଖିଛନ୍ତି। ଯାହାର ବର୍ଷକୁ ୧୫ ଲକ୍ଷ ଟଙ୍କା ଆୟ ଏବଂ ଯିଏ ବର୍ଷ ବର୍ଷଧରି ମୁଖ୍ୟମନ୍ତ୍ରୀଭାବେ ଅଧିଷ୍ଠିତ ତାଙ୍କ ସମୁଦାୟ ସମ୍ପତ୍ତିର ମୂଲ୍ୟ ୧୫ ଲକ୍ଷ ରହିବା ନିଶ୍ଚିତଭାବେ ଭ୍ରୁକୁଞ୍ଚନ ସୃଷ୍ଟିକାରୀ ବିଷୟ! ଏହିଭଳି ସୂଚନା ନିଶ୍ଚିତଭାବେ ଲୋକଙ୍କ ମନରେ ରାଜନେତାଙ୍କ ବାବଦରେ ଥିବା ଆଶଙ୍କା ଓ ଧାରଣାକୁ ପୁଣିଥରେ ଜନ୍ମ ଦିଏ।
ମୋହନ ମାଝୀଙ୍କ ସମ୍ପତ୍ତି
ଏବେ ଆମ ମୁଖ୍ୟମନ୍ତ୍ରୀଙ୍କ ସମ୍ପତ୍ତି ବାବଦରେ ଚାଲନ୍ତୁ ନଜର ପକାଇବା। ଆମ ମୁଖ୍ୟମନ୍ତ୍ରୀ ଲୋକଙ୍କ ମୁଖ୍ୟମନ୍ତ୍ରୀଭାବେ ପରିଚିତ। ସାଧାରଣ ଲୋକଙ୍କ ଭଳି ଚାଲିଚଳଣ ଏବଂ ହାବଭାବ ଯୋଗୁ ସେ ଅନେକ ସମୟରେ ଚର୍ଚ୍ଚିତ ହୋଇଛନ୍ତି। ପତ୍ନୀ ତାଙ୍କର ସରକାରୀ ମେଡିକାଲରେ ଚିକିତ୍ସିତ ହେବା ଏହାର ଏକ ପ୍ରମୁଖ ଉଦାହରଣ ହୋଇଛି।
କେନ୍ଦୁଝର ବିଧାନସଭା ଆସନରୁ ନିର୍ବାଚିତ ହେବା ପରେ ଅପ୍ରତ୍ୟାଶିତଭାବେ ରାଜ୍ୟର ମୁଖ୍ୟମନ୍ତ୍ରୀ ଆସନ୍ରେ ଅଧିଷ୍ଠିତ ହେବ ଏକ ବିରଳ ଏବଂ ଆକସ୍ମିକ ଘଟଣାଭାବେ ଜଣାଶୁଣା। କାରଣ କେହି କେବେ ତାଙ୍କ ନାଁକୁ ମୁଖ୍ୟମନ୍ତ୍ରୀଭାବେ ଚର୍ଚ୍ଚା ବି କରିନଥିଲେ। କିନ୍ତୁ ବିଜେପିର କେନ୍ଦ୍ରୀୟ ନେତୃତ୍ୱ ଅନ୍ୟ ପ୍ରାର୍ଥୀମାନଙ୍କ ଭିତରେ ତାଙ୍କୁ ହିଁ ଯୋଗ୍ୟ ବିବେଚିତ କରି ଜୁନ୍ ୧୨ ୨୦୨୪ ମସିହାରେ ମୁଖ୍ୟମନ୍ତ୍ରୀଭାବେ ଶପଥ ଗ୍ରହଣ କରିବାକୁ ବାଟ ଉନ୍ମୁକ୍ତ କରିଥିଲେ।
ଏହା ପୂର୍ବରୁ ମୁଖ୍ୟମନ୍ତ୍ରୀ ଥିବା ନବୀନ ପଟ୍ଟନାୟକ ଅନ୍ୟ ବିଧାୟକମାନଙ୍କ ଭିତରେ ଜଣେ ଧନୀ ବିଧାୟକ ଭାବେ ପରିଚିତ ହେଉଥିବାବେଳେ ଏବେକାର ମୁଖ୍ୟମନ୍ତ୍ରୀ ଜଣେ ସାଧାରଣ ମଧ୍ୟବିତ୍ତ ପରିବାରର ସଦସ୍ୟଭାବେ ଜଣାଯାଆନ୍ତି। ମୋହନ ଚରୀଣ ମାଝୀଙ୍କ ଏବେ ବୟସ ହେଉଛି ୫୨। ତାଙ୍କର ସମୁଦାୟ ସ୍ଥାବର ଓ ଅସ୍ଥାବର ସମ୍ପତ୍ତି ମୂଲ୍ୟ ହେଉଛି ୧ କୋଟି ୯୭ ଲକ୍ଷ ଟଙ୍କା। ଆଉ ତାଙ୍କ ନାଁରେ ଥିବା ଋଣ ପରିମାଣ ହେଉଛି ୯୫ ଲକ୍ଷ ଟଙ୍କା। ତାଙ୍କର ବର୍ଷକୁ ଆୟ ହେଉଛି ୪ ଲକ୍ଷ ଟଙ୍କା ବୋଲି ସେ ଦେଇଥିବା ସତ୍ୟପାଠରେ ଉଲ୍ଲେଖ କରିଛନ୍ତି। ଆପଣ ମାନନ୍ତୁ ବା ନ ମାନନ୍ତୁ ଯଦି ଏହି ଆୟ ସତ୍ୟ ହୋଇଥାଏ ତେବେ ସାଧାରଣ ଯୁବକଟିଏ ମୁଖ୍ୟମନ୍ତ୍ରୀ ବା ରାଜନେତା ହେବାର ସ୍ୱପ୍ନ ଦେଖିବା କିଛି ବଡ଼ କଥା ହେବ ନାହିଁ।
ମୋହନଙ୍କ ନାଁ’ରେ ମାତ୍ର ଗୋଟିଏ ମାମଲା
ଖାଲି ସେତିକି ନୁହେଁ, କିଛିଦିନ ତଳେ ଦେଶରେ ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ ତଥା ଅନ୍ୟ ମନ୍ତ୍ରୀମାନଙ୍କୁ ଅପରାଧ ବଳୟରୁ ମୁକ୍ତ ରଖିବା ଲାଗି ଏକ ନୂଆ ବିଧେୟକ ଆଣି ଚର୍ଚ୍ଚାରେ ଥିବା ବିଜେପି ପାଇଁ ମୋହନ ଚରଣ ମାଝୀ ଏକ ଉଦାହରଣ ପାଲଟିବେ। ମୋହନ ଚରଣ ମାଝୀଙ୍କ ଅପରାଧିକ ରେକର୍ଡକୁ ଦେଖିଲେ, ତାଙ୍କ ନାଁ’ରେ ମାତ୍ର ଗୋଟିଏ ମାମଲା ରହିଛି। ତାହା ପୁଣି କେନ୍ଦୁଝର ଥାନାରେ। ମାମଲାର ବିବରଣୀକୁ ଦେଖିଲେ ଏହା ସ୍ପଷ୍ଟ ଯେ, ତାହା ରାଜନୀତି ଆନ୍ଦୋଳନ ସମ୍ପର୍କିତ। ଯେକୌଣସି ରାଜନେତାଙ୍କ ଲାଗି ଏପରି ମାମଲା ହେବା ସ୍ୱାଭାବିକ।
କିନ୍ତୁ ଦେଶର ୧୨ ଜଣ ମୁଖ୍ୟମନ୍ତ୍ରୀ ଭିନ୍ନ ଭିନ୍ନ ଅପରାଧିକ ମାମଲାରେ ଜଡ଼ିତ। ୧୮ ଜଣ ମୁଖ୍ୟମନ୍ତ୍ରୀଙ୍କ ନାଁରେ କୌଣସି ଜଘନ୍ୟ ଅପରାଧ ନାହିଁ। ୧୦ ଜଣ ଅର୍ଥାତ୍ ୩୩ % ମୁଖ୍ୟମନ୍ତ୍ରୀ ବିଭିନ୍ନ ଜଘନ୍ୟ ଅପରାଧରେ ସମ୍ପୃକ୍ତ। ଏହି ଅପରାଧ ଭିତରେ ସେହି ଘଟଣାଗୁଡ଼ୁକୁ ସାମିଲ୍ କରାଯାଇଛି ଯେଉଁଥିପାଇଁ ଦଣ୍ଡ ପରିମାଣ ୫ ବର୍ଷ ବା ତା’ଠୁ ଅଧିକ ଦିନର କାରାଦଣ୍ଡ ବ୍ୟବସ୍ଥା ରହିଛି। ପୁଣି ଯେଉଁ ଅପରାଧରେ ସେ ସମ୍ପୃକ୍ତ ରହିଛନ୍ତି ତାହା ଜାମିନ ବିହୀନ, ନିର୍ବାଚନ ଅପରାଧ, ସରକାରୀ ତହବିଲକୁ ଠକେଇ, ହତ୍ୟା, ନିର୍ଯାତନା, ଅପହରଣ, ବଳାତ୍କାର, ମହିଳା ଓ ଶିଶୁଙ୍କ ବିରେଧରେ ଅପରାଧ ଅଥବା ବିଭିନ୍ନ ଠକେଇ, ଦୁର୍ନୀତି ଆଦି ସମ୍ପୃକ୍ତ।
ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ରେବନ୍ତ ରେଡ୍ଡୀଙ୍କ ବିରୋଧରେ ସର୍ବାଧିକ ୮୯ ମାମଲା ରୁଜୁ ହୋଇଛି। ନିର୍ବାଚନ ସଂସ୍କାର ପାଇଁ କାମ କରୁଥିବା ଏକ ଏନଜିଓ ଆସୋସିଏସନ୍ ଫର୍ ଡେମୋକ୍ରାଟିକ୍ ରିଫର୍ମସ୍ (ଏଡିଆର)ର ଏକ ରିପୋର୍ଟରୁ ଏହି ସୂଚନା ଆସିଛି।
ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳର ସମସ୍ତ ବର୍ତ୍ତମାନର ୩୦ ମୁଖ୍ୟମନ୍ତ୍ରୀଙ୍କ ଶପଥପତ୍ର ବିଶ୍ଳେଷଣ କରି ଏଡିଆର ଏହି ରିପୋର୍ଟ ପ୍ରସ୍ତୁତ କରିଛି। ଗତ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବା ପୂର୍ବରୁ ଦାଖଲ କରାଯାଇଥିବା ଶପଥପତ୍ରରୁ ଏହି ତଥ୍ୟ ନିଆଯାଇଛି।
ଅଣସ୍ୱୀକୃତିପ୍ରାପ୍ତ ରାଜନୈତିକ ଦଳଗୁଡ଼ିକର ଆୟ ୨୨୩% ବୃଦ୍ଧି
ଅଣସ୍ୱୀକୃତିପ୍ରାପ୍ତ ରାଜନୈତିକ ଦଳଗୁଡ଼ିକର ଆୟ ୨୨୩% ବୃଦ୍ଧି ପାଇଛି ଜୁଲାଇ, ୨୦୨୫ର ଏକ ରିପୋର୍ଟରେ, ଏଡିଆର କହିଥିଲା ଯେ ଦେଶରେ ନାମମାତ୍ର ଭୋଟ୍ ପାଉଥିବା ପଞ୍ଜିକୃତ ଅଣସ୍ୱୀକୃତିପ୍ରାପ୍ତ ରାଜନୈତିକ ଦଳ (ରୁପ୍)ର ଆୟ ୨୦୨୨-୨୩ରେ ୨୨୩% ବୃଦ୍ଧି ପାଇଛି। ଦେଶରେ ୨୭୬୪ଟି ରୁପ୍ ଦଳ ଅଛି।
ଏହି ଦଳଗୁଡ଼ିକ ମଧ୍ୟରୁ ୭୩% ରୁ ଅଧିକ (୨୦୨୫ଟି ଦଳ) ସେମାନଙ୍କର ଆର୍ଥିକ ରେକର୍ଡ ସାର୍ବଜନୀନ କରିନାହାଁନ୍ତି। ବାକି ୭୩୯ଟି ପଞ୍ଜିକୃତ ଅଣସ୍ୱୀକୃତିପ୍ରାପ୍ତ ଦଳ ସେମାନଙ୍କର ରେକର୍ଡ ସେୟାର କରିଛନ୍ତି। ରିପୋର୍ଟରେ ଏହି ଦଳଗୁଡ଼ିକର ବିଶ୍ଳେଷଣ କରାଯାଇଛି।
ରିପୋର୍ଟ ଦର୍ଶାଉଛି ଯେ ଗୁଜରାଟର ଏପରି ୫ଟି ଦଳର ମୋଟ ଆୟ ୨୩୧୬ କୋଟି ଟଙ୍କା ଥିଲା। ସେମାନଙ୍କର ବାର୍ଷିକ ଆୟ ୧୧୫୮ କୋଟି ଟଙ୍କା ଥିଲା। ଯେତେବେଳେ ଗତ ୫ ବର୍ଷରେ ହୋଇଥିବା ୩ଟି ନିର୍ବାଚନରେ ସେମାନଙ୍କୁ କେବଳ ୨୨ ହଜାର ଭୋଟ ମିଳିଥିଲା।
ଏହି ପାଞ୍ଚଟି ଦଳ ୨୦୧୯ରୁ ୨୦୨୪ ମଧ୍ୟରେ ଦୁଇଟି ଲୋକସଭା ଏବଂ ଗୋଟିଏ ବିଧାନସଭା ନିର୍ବାଚନରେ ମୋଟ ୧୭ ଜଣ ପ୍ରାର୍ଥୀଙ୍କୁ ପ୍ରାର୍ଥୀ କରିଥିଲେ, କିନ୍ତୁ କେହି ଜିତିପାରିଲେ ନାହିଁ। ଏହି ଦଳଗୁଡ଼ିକ ମଧ୍ୟରୁ ଚାରିଟି ୨୦୧୮ ପରେ ପଞ୍ଜିକରଣ ବାତିଲ ହୋଇଥିଲା।
ଏମିତି ଏକ ପରିସ୍ଥିତିରେ ଆପଣ ଅନୁମାନ କରନ୍ତୁ ଆମ ମୁଖ୍ୟମନ୍ତ୍ରୀ କେମିତି?
Also readhttps://purvapaksa.com/richest-cms-in-india/
