କିଛିଦିନ ହେଲା ଓଡ଼ିଶାରେ ଭୈରବ କାର୍ତ୍ତିକେୟ ପାଣ୍ଡିଆନ୍ ରାଜ୍ୟରେ ପୁଣି ଚର୍ଚ୍ଚାର ପରିଧିକୁ ଆସିଛନ୍ତି। କେହି କହୁଛନ୍ତି ସେ ପୁଣିଥରେ ଆଇଏଏସ୍କୁ ଫେରିବେ, ଆଉ କେହି କହୁଛନ୍ତି ସେ ଏକ ଆନ୍ତର୍ଜାତିକ ସଂସ୍ଥାରେ କାର୍ଯ୍ୟ କରିବାକୁ ବିଦେଶ ଯିବେ। ଏବେ ନିର୍ବାଚନ ଋତୁ ନ ଥିବାରୁ ଏହି ଆକଳନ, ଅନୁମାନ ସତ୍ୟ ହୋଇପାରେ। କିନ୍ତୁ ନବୀନଙ୍କ ସେବକ ପାଲଟିଥିବା ବିଜେଡିର ଏହି ପାଣ୍ଡିଆନ୍ ଅଘୋଷିତ ସର୍ବେସର୍ବା ହୋଇଥିବା ସ୍ପଷ୍ଟ। ସେଥିଲାଗି ନିଜର ଗୁରୁ, ସାଧାରଣ ଜନତା ତଥା ଯେଉଁ ମାଟିର ସେବା କରିବା ପାଇଁ ସେ ଶପଥ ନେଇଥିଲେ ସେଥିରୁ ବିଚ୍ୟୁତ ହେଉଛନ୍ତି। ଏମିତି ଆଉ ଜଣେ ଆଇଏଏସ୍ ଅଧିକାରୀ ବି ଅତୀତରେ ଛଟପଟ ହୋଇ ବିଦେଶ ଚାଲି ଯାଇଥିଲେ।, ଆଜି ସେ କଥା ଆଲୋଚନା କରିବା।
ମୁଁ ବର୍ତ୍ତମାନର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ କଥା କହୁଛି। ଯେମିତି ତାମିଲ୍ନାଡ଼ୁ ରାଜ୍ୟର ମଦୁରାଇ ଜିଲ୍ଲା ଅନ୍ତର୍ଗତ କୋଟମପଟ୍ଟି ଗାଁ’ର ଭୈରବ କାର୍ତ୍ତିକେୟନ ପାଣ୍ଡିଆନ୍ ଆଇଏଏସ୍ ପାଇବା ପରେ ଓଡ଼ିଶାକୁ କର୍ମସ୍ଥଳଭାବେ ବାଛିଥିଲେ ଠିକ୍ ସେହିପରି ଆଇଏଏସ୍ ପାଇବା ପରେ ଅଶ୍ୱିନୀ ବୈଷ୍ଣବ ଓଡ଼ିଶା ଆସିଥିଲେ। ଓଡ଼ିଶାରେ ବାଲେଶ୍ୱର ଏବଂ କଟକ ଜିଲ୍ଲାପାଳଭାବେ ସେ ବେଶ୍ ପରିଚୟ ବି ହାସଲ କରିଥିଲେ। ଓଡ଼ିଆା ଭାଷାରେ କଥା କହିବା ଏବଂ ଭଦ୍ରତା ସମ୍ପନ୍ନ ବ୍ୟବହାର ଦ୍ୱାରା ରାଜନେତାଙ୍କଠାରୁ ସାଧାରଣ ଜନତାଙ୍କ ଯାଏ ଦୃହୟ ଜିତିଥିଲେ। ୧୯୯୪ ବ୍ୟାଚ୍ର ଅଧିକାରୀ ଅଶ୍ୱିନୀ ବୈଷ୍ଣବ ୧୯୯୯ ମସିହାର ଓଡ଼ିଶା ମହାବାତ୍ୟା ପରିଚାଳନାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଥିଲେ ବୋଲି କୁହାଯାଏ। ଏହାପରେ ସେ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ସରକାରରେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ଜଣେ ସହକାରୀ ଅଧିକାରୀଭାବେ କାର୍ଯ୍ୟ କରିଥିଲେ। ଏଇଠୁ ତାଙ୍କର ଜୀବନର ମୋଡ଼ ବଦଳିଗଲା। ସେ କ୍ଷମତାକୁ ଅତି ପାଖରୁ ଦେଖିବା ପରେ ଆଇଏଏସ୍ ଚାକିରିକୁ ତୁଚ୍ଛ ଭାବିଲେ। ଆଉ ୨୦୦୬ରେ ଆଇଏଏସ୍ରୁ ଇସ୍ତଫା ଦେଇ ଆମେରିକାର ଜେନେରାଲ୍ ଇଲେକ୍ଟ୍ରିକ୍ (GE) ଏବଂ ସିମେନ୍ସ ଭଳି ବହୁରାଷ୍ଟ୍ରୀୟ କମ୍ପାନୀରେ ଉଚ୍ଚ ପଦବୀରେ କାର୍ଯ୍ୟ କରିଥିଲେ। ଏହି ସମୟରେ ସେ ଭାରତ ଓ ବିଦେଶରେ ଅଭିଜ୍ଞତା ଅର୍ଜନ କରିଥିଲେ। ପୁଣି ଭାରତ ଫେରିବା ପରେ ବିଜେପି ରାଜନୀତିରେ ଯୋଗ ଦେଲେ।
୨୦୧୯ରେ ସେ ରାଜ୍ୟସଭାରେ ଓଡ଼ିଶାରୁ ସାଂସଦଭାବେ ନିର୍ବାଚିତ ହୋଇଥିଲେ। ୨୦୨୧ ଜୁଲାଇରେ ସେ ନରେନ୍ଦ୍ର ମୋଦୀ ସରକାରରେ କ୍ୟାବିନେଟ୍ ମନ୍ତ୍ରୀଭାବେ ଯୋଗ ଦେଇ ରେଳ, ସୂଚନା ଓ ପ୍ରସାରଣ ଏବଂ ଆଇଟି ମନ୍ତ୍ରୀଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି।
ରାଜସ୍ଥାନର ଯୋଧପୁର ନିବାସୀ ଅଶ୍ୱିନୀଙ୍କର ଶିକ୍ଷା ରାଜସ୍ଥାନ ବାହାରେ କାନପୁର, ସହ ଆମେରିକାର ପେନସିଲଭାନିଆ ବିଶ୍ୱବିଦ୍ୟାଳୟର ହ୍ୱାର୍ଟନ୍ ସ୍କୁଲରେ ହୋଇଛି। ଅର୍ଥାତ୍ ତୃଣମୂଳଠାରୁ ଆନ୍ତର୍ଜାତିକ ସ୍ତର ଯାଏ ସେ ଜୀବନକୁ ଦେଖିଛନ୍ତି।
ସେହି ଧାରାରେ ସାଧାରଣ ଜୀବନ ସହ ସମ୍ପୃକ୍ତ ରହିଥିଲେ କାର୍ତ୍ତିକେୟ ପାଣ୍ଡିଆନ୍। ତାଙ୍କ କ୍ୟାରିୟର, ଜୀବନୀକୁ ଦେଖିଲେ ବୈଷ୍ଣବଙ୍କ ସହ ପୂରା ଖାପ ଖାଏ। ଯଦିଓ ଭୈରବ କାର୍ତ୍ତିକେୟ ପାଣ୍ଡିଆନ୍ ଏବଂ ଅଶ୍ୱିନୀ ବୈଷ୍ଣବଙ୍କ ମଧ୍ୟରେ କୌଣସି ସିଧାସଳଖ ବ୍ୟକ୍ତିଗତ ସମ୍ପର୍କ (ଯେପରିକି ପାରିବାରିକ ବା ବନ୍ଧୁତ୍ୱ) ଥିବାର କୌଣସି ସାର୍ବଜନୀନ ପ୍ରମାଣ ଉପଲବ୍ଧ ନାହିଁ କିନ୍ତୁ ପ୍ରଫେସନାଲ ଏବଂ ରାଜନୈତିକ ସମାନତା ରହିଛି, ଯାହା ଓଡ଼ିଶାର ପ୍ରେକ୍ଷାପଟରେ ସେମାନଙ୍କୁ ପରୋକ୍ଷଭାବେ ସଂଯୋଗ କରିପାରେ। ପାଣ୍ଡିଆନ ହେଉଛନ୍ତି ୨୦୦୦ ବ୍ୟାଚ୍ର ଅଧିକାରୀ, ଯେମିତି ଅଶ୍ୱିନୀ ବୈଷ୍ଣବ ୧୯୯୪ ବ୍ୟାଚ୍ର ଓଡ଼ିଶା କ୍ୟାଡର ଅଧିକାରୀ।
ଯଦିଓ ପାଣ୍ଡିଆନଙ୍କ ମୂଳ କ୍ୟାଡର ପଞ୍ଜାବ ଥିଲା, କିନ୍ତୁ ସେ ମୂଳରୁ ଓଡ଼ିଶାରେ ରହିବା ଲାଗି ପ୍ରେରିତ ହୋଇଥିଲେ। ସେ ମୟୂରଭଞ୍ଜ ଓ ଗଞ୍ଜାମରେ ଜିଲ୍ଲାପାଳଭାବେ ଦାୟିତ୍ୱ ନିର୍ବାହ କରିଛନ୍ତି। ଅଶ୍ୱିନୀ ବୈଷ୍ଣବଙ୍କ ଭଳି ସେ ମଧ୍ୟ ଆଇଏଏସ୍ ଛାଡ଼ି ରାଜନୀତିରେ ପ୍ରବେଶ କରିଛନ୍ତି। ଅଶ୍ୱିନୀ ବୈଷ୍ଣବ ବିଜେପି ମାଧ୍ୟମରେ ବିଜେଡି ସହାୟତାରେ ଓଡ଼ିଶାରୁ ରାଜ୍ୟସଭା ସାଂସଦ ଏବଂ କେନ୍ଦ୍ରୀୟ ମନ୍ତ୍ରୀ ହୋଇଥିବାବେଳେ, ପାଣ୍ଡିଆନ ବିଜେଡିରେ ଯୋଗ ଦେଇ ୫-ଟି ଅଧ୍ୟକ୍ଷଭାବେ କାର୍ଯ୍ୟ କରିଥିଲେ। ଓଡ଼ିଶାର ରାଜନୀତିରେ ସେମାନେ ଦୁଇ ପ୍ରମୁଖ ଦଳର ପ୍ରତିନିଧିତ୍ୱ କରୁଛନ୍ତି।
ଆଉ ଏକ ବଡ଼ ସାମଞ୍ଜସ୍ୟ ହେଉଛି ଚାକିରି ସମୟରେ ଅଶ୍ୱିନୀ ବୈଷ୍ଣବ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ସହକାରୀ ଅଧିକାରୀ ଥିଲାବେଳେ ଭୈରବ କାର୍ତ୍ତିକେୟନ ପାଣ୍ତିଆନ ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କର ପ୍ରଥମେ ସହାୟକ ସଚିବ ଓ ପରେ ପ୍ରମୁଖ୍ୟ ସଚିବ ହୋଇଥିଲେ। ଏପରିକି ସମସ୍ତ ଦଳୀୟ ବ୍ୟାପାରକୁ ମଧ୍ୟ ସେ ନିୟନ୍ତ୍ରଣ କରିଥିବା ଚର୍ଚ୍ଚା ହୁଏ। ୨୦୧୯ ନିର୍ବାଚନ ସମୟରେ ତାଙ୍କରି ବିଚାର ଏବଂ ନୀତି ଆଧାରରେ ବିଜେଡି ଅତ୍ୟଧିକ ବହୁମତ ପାଇଥିଲା ବୋଲି ମଧ୍ୟ ଅନେକ ସମୟରେ ଓଡ଼ିଶାର ଗଣମାଧ୍ୟମରେ ଚର୍ଚ୍ଚା ହୋଇଛି। ବୈଷ୍ଣବ ସେତେବେଳେ ବାଜପେୟୀଙ୍କ ଅତ୍ୟନ୍ତ ନିକଟତର ଅଧିକାରୀ ହୋଇଥିବାବେଳେ ଭୈରବ କାର୍ତ୍ତିକେୟନ ପାଣ୍ଡିଆନ୍ ନବୀନଙ୍କୁ ନିଜର ଗୁରୁଭାବେ ଗ୍ରହଣ କରି ଚାକିରିରୁ ଇସ୍ତଫା ଦେଇଥିଲେ।
ଫରକ ଏତିକି ଯେ ଅଶ୍ୱିନୀ ବୈଷ୍ଣବ ପ୍ରତ୍ୟକ୍ଷ ନିର୍ବାଚନ ନ ଜିତି ଦେଶର ମନ୍ତ୍ରୀଭାବେ ଅବସ୍ଥାପିତ ହୋଇଥିବାବେଳେ, ଭୈରବ କାର୍ତ୍ତିକେୟନ ପାଣ୍ଡିଆନ୍ ବିଜେଡିକୁ ପ୍ରତ୍ୟକ୍ଷ ନିର୍ବାଚନରେ ବିପର୍ଯ୍ୟୟ ଆଣିଥିବା ଅଭିଯୋଗ ହୁଏ।
ଏବେ ଭୈରବ କାର୍ତ୍ତିକେୟନ ପାଣ୍ଡିଆନ୍ ବିଦେଶ ଯାଇ ସେଠାରେ ଘରୋଇ ସଂସ୍ଥାର ବଡ଼ ପଦବୀ ଗ୍ରହଣ କରିବେ ବୋଲି ଚର୍ଚ୍ଚା ହେଉଥିବାବେଳେ ଅଶ୍ୱିନୀ ବୈଷ୍ଣବଙ୍କ ବିଦେଶ ଗସ୍ତ ବି ମନେପଡ଼େ। ଅଶ୍ୱିନୀ ବୈଷ୍ଣବ ଯେମିତି ଠିକଣା ସମୟ ଦେଖି ଦେଶକୁ ପ୍ରତ୍ୟାବର୍ତ୍ତନ କଲେ ଏବଂ ସିଧାସଳଖ ସାଂସଦ ହେଲେ ଠିକ୍ ସେମିତି କିଛିଦିନ ବିଦେଶରେ ରହି ଠିକଣା ସମୟ ଦେଖି ଭୈରବ କାର୍ତ୍ତିକେୟନ ପାଣ୍ଡିଆନ୍ ରାଜନୀତିକୁ ଡେଇଁପାରନ୍ତି ବୋଲି କୁହାଯାଉଛି। ଏହା ତାଙ୍କୁ ଏବେ ରାଜ୍ୟର ଭିନ୍ନ ଭିନ୍ନ ମନ୍ତ୍ରଣା ଓ ଚର୍ଚ୍ଚାରୁ ଦୂରରେ ରଖିବ। ତାଙ୍କ ଭାବମୂର୍ତ୍ତିକୁ ପୁଣିଥରେ ସଜାଡ଼ିବାର ସୁଯୋଗ ଦେବ ବୋଲି କୁହାଯାଉଛି। ହେଲେ ନବୀନଙ୍କ ସହ ଭୈରବ କାର୍ତ୍ତିକେୟନ ପାଣ୍ଡିଆନ୍ ସବୁବେଳେ ରହି ତାଙ୍କର ସେବା କରିବେ ବୋଲି ଯେଉଁ ଧାରଣା ପ୍ରକାଶ ପାଇଛି ତାହାର କ’ଣ ହେବ? ଭୈରବ କାର୍ତ୍ତିକେୟନ ପାଣ୍ଡିଆନ୍ଙ୍କର ବିଦେଶ ଗସ୍ତ ନିଜ ଭାବମୂର୍ତ୍ତିକୁ ସିନା ବଦଳାଇବ ହେଲେ ନବୀନଙ୍କ ସେବାରୁ ତାଙ୍କୁ ବିରତ ରଖିବ ନାହିଁ ତ? ଭାବମୂର୍ତ୍ତି ବଦଳାଇବାର ଏହି ଉଦ୍ୟମ ତାଙ୍କୁ ଓଲଟା ଦଶା ଭୋଗିବାକୁ ବାଧ୍ୟ କରିବ ନାହିଁ ତ?
Also readhttps://purvapaksa.com/naveen-is-changing-colours-like-bahurupi-endua/
