ଏହା ଶାନ୍ତି, ନିରପତ୍ତା, ପ୍ରଗତିର ଭିତ୍ତିଭୂମି ସ୍ଥାପନ କରିବ
କେନ୍ଦ୍ର ଗୃହମନ୍ତ୍ରୀ ତଥା ସମବାୟ ମନ୍ତ୍ରୀ ଅମିତ ଶାହ ଆଜି ଛତିଶଗଡ଼ର ଜଗଦଲପୁରଠାରେ ବସ୍ତର ଅଲିମ୍ପିକ୍ସର ଉଦଯାପନୀ ସମାରୋହରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ଏହି ଅବସରରେ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ବିଷ୍ଣୁ ଦେଓ ସାଏ, ଉପମୁଖ୍ୟମନ୍ତ୍ରୀ ବିଜୟ ଶର୍ମାଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ଉପସ୍ଥିତ ଥିଲେ। ଅମିତ ଶାହ ତାଙ୍କ ଅଭିଭାଷଣରେ କହିଥିଲେ ଯେ ଐତିହାସିକ ବସ୍ତର ଅଲିମ୍ପିକ୍ସ ୨୦୨୪ ଆଜି ଶେଷ ହେବାକୁ ଯାଉଛି। ବସ୍ତର ଅଲିମ୍ପିକ୍ସ କେବଳ ଏଠାରେ ଉପସ୍ଥିତ ଥିବା ୧୫୦,୦୦୦ ପିଲାଙ୍କ ମଧ୍ୟରେ ସୀମିତ ନୁହେଁ ବରଂ ବସ୍ତରର ସମସ୍ତ ସାତଟି ଜିଲ୍ଲା ପାଇଁ ଆଶାର ପ୍ରତୀକ ହେବ ବୋଲି ସେ କହିଛନ୍ତି। ଆଗାମୀ ଦିନରେ ବସ୍ତର ଅଲିମ୍ପିକ୍ସ ବସ୍ତରର ବିକାଶର କାହାଣୀ ପାଲଟିବ ଏବଂ ନକ୍ସଲବାଦକୁ ଏକ ନିର୍ଣ୍ଣାୟକ ଝଟକା ଦେବ ବୋଲି ସେ ଉଲ୍ଲେଖ କରିଛନ୍ତି।
ବସ୍ତର ଆଜି ବଦଳୁଛି, କିନ୍ତୁ ଯେତେବେଳେ ୨୦୨୬ରେ ବସ୍ତର ଅଲିମ୍ପିକ୍ସ ଅନୁଷ୍ଠିତ ହେବ, ଆମେ ନିଶ୍ଚିତ ଭାବରେ କହିପାରିବା ଯେ ଆମର ବସ୍ତର ବଦଳିଯାଇଛି । ସେ କହିଛନ୍ତି ଯେ ଏହି ଖେଳଗୁଡିକ “ପରିବର୍ତ୍ତନ” ରୁ “ସମ୍ପୂର୍ଣ୍ଣ ରୂପାନ୍ତରିତ” ହେବା ଆରମ୍ଭ କରିଛି । ବସ୍ତର ଅଲିମ୍ପିକ୍ସର ସକାରାତ୍ମକ ଶକ୍ତି ଲକ୍ଷ ଲକ୍ଷ ଆଦିବାସୀ ଯୁବକଙ୍କୁ ଭୁଲ ମାର୍ଗରେ ଯିବାରୁ ରୋକିବା, ସେମାନଙ୍କୁ ଭାରତ ନିର୍ମାଣ ପ୍ରକ୍ରିୟା ସହିତ ଯୋଡ଼ିବା ଏବଂ ଲକ୍ଷ ଲକ୍ଷ ଗ୍ରାମୀଣ ଏବଂ ଆଦିବାସୀ ଲୋକଙ୍କ କଲ୍ୟାଣର ମାଧ୍ୟମ ପାଲଟିବ ବୋଲି ସେ ଉଲ୍ଲେଖ କରିଥିଲେ। ଶ୍ରୀ ଶାହା ଆହୁରି ମଧ୍ୟ କହିଛନ୍ତି ଯେ ବସ୍ତର ଅଲିମ୍ପିକ୍ସ ଏହି ଅଞ୍ଚଳରେ ଶାନ୍ତି, ନିରାପତ୍ତା, ବିକାଶ ଏବଂ ନୂତନ ଆଶାର ଭିତ୍ତିପ୍ରସ୍ତର ସ୍ଥାପନ କରିବ। ଅନ୍ତର୍ଜାତୀୟ ପ୍ରତିଯୋଗିତାରେ ଭାରତ ଜିତିଥିବା ପଦକ ମଧ୍ୟରୁ ଅଧା ଆଦିବାସୀ ପରିବାରର ପିଲାମାନେ ଆଣିଥାନ୍ତି ବୋଲି ସେ ଗୁରୁତ୍ୱାରୋପ କରିଥିଲେ। ବସ୍ତର ଅଲିମ୍ପିକ୍ସ ଏବଂ ଏହା ମାଧ୍ୟମରେ ଆରମ୍ଭ ହୋଇଥିବା ବିକାଶ ଆଗାମୀ ଦିନରେ ବସ୍ତରର ଆଦିବାସୀ ପିଲାମାନଙ୍କ ପାଇଁ ବିଶ୍ୱର ଦିଗନ୍ତ ଖୋଲିବ ବୋଲି ସେ ବିଶ୍ୱାସ ବ୍ୟକ୍ତ କରିଥିଲେ । ନକ୍ସଲ ହିଂସାରେ ପ୍ରଭାବିତ ଭିନ୍ନକ୍ଷମଙ୍କ ହ୍ୱିଲ୍ ଚେୟାର ରେସ୍ ବସ୍ତରର ବିକାଶର ଦ୍ରୁତ ଗତିର ପ୍ରତୀକ ହେବ ବୋଲି ସେ କହିଛନ୍ତି।
ଅମିତ ଶାହ ସେହି ସମୟକୁ ମନେ ପକାଇଲେ ଯେତେବେଳେ ବସ୍ତରରେ ବିଜୁଳି ଏବଂ ପାଣି ଭଳି ମୌଳିକ ସୁବିଧାର ଅଭାବ ଥିଲା, ଦୁର୍ଭିକ୍ଷର ସମ୍ମୁଖୀନ ହେଉଥିଲା ଏବଂ ବିଦ୍ୟାଳୟଗୁଡିକ ଜଳିଯାଇଥିଲା ଏବଂ ଡିସପେନସରି ଏବଂ ଡାକ୍ତରଖାନା ବନ୍ଦ ହୋଇଯାଇଥିଲା । ତେବେ ଗତ ବର୍ଷକ ମଧ୍ୟରେ ବସ୍ତରର ଗାଁଗୁଡ଼ିକର ରୂପାନ୍ତର ପାଇଁ ରାଜ୍ୟ ସରକାର ବ୍ୟାପକ ଅଭିଯାନ ଆରମ୍ଭ କରିଛନ୍ତି। ଯଦିଓ ଗତ ୫ ବର୍ଷ ମଧ୍ୟରେ କେନ୍ଦ୍ର ସରକାରଙ୍କୁ ରାଜ୍ୟ ସରକାରଙ୍କ ସମର୍ଥନ ମିଳିନଥିଲା, କିନ୍ତୁ ତାଙ୍କ ଦଳ ସରକାର ଗଠନ କରିବା ପରେ ନକ୍ସଲବାଦ ବିରୋଧରେ ଅଭିଯାନ ପୁଣି ତୀବ୍ର ହୋଇଥିଲା। ମାତ୍ର ବର୍ଷକ ମଧ୍ୟରେ ୨୮୭ ଜଣ ନକ୍ସଲ ନିପାତ ହୋଇଛନ୍ତି, ପାଖାପାଖି ୧୦୦୦ ଜଣ ଗିରଫ ହୋଇଛନ୍ତି ଏବଂ ୮୩୭ ଜଣ ଆତ୍ମସମର୍ପଣ କରିଛନ୍ତି।
ହିଂସାର ମାର୍ଗ ଛାଡ଼ି ସମାଜର ମୁଖ୍ୟ ସ୍ରୋତରେ ସାମିଲ ହୋଇ ଛତିଶଗଡ଼ର ପ୍ରଗତିରେ ଯୋଗଦାନ କରି ବିକାଶ ପଥରେ ଆଗକୁ ବଢ଼ିବାକୁ କେନ୍ଦ୍ର ଗୃହମନ୍ତ୍ରୀ ନକ୍ସଲମାନଙ୍କୁ ଅନୁରୋଧ କରିଛନ୍ତି। ଛତିଶଗଡ଼ ସରକାର ସମଗ୍ର ଦେଶରେ ସବୁଠାରୁ ଆକର୍ଷଣୀୟ ଆତ୍ମସମର୍ପଣ ନୀତି ପ୍ରଣୟନ କରିଛନ୍ତି ବୋଲି ସେ ଗୁରୁତ୍ୱାରୋପ କରିଥିଲେ। ଶ୍ରୀ ଶାହ ଆହୁରି ମଧ୍ୟ କହିଥିଲେ ଯେ ଛତିଶଗଡ଼ ସରକାର ଉଭୟ ଭାରତ ସରକାର ଏବଂ ରାଜ୍ୟ ସରକାରଙ୍କ ଠାରୁ ରାଜ୍ୟର ପ୍ରତ୍ୟେକ ଗାଁରେ ୩୦୦ରୁ ଅଧିକ ଜନକଲ୍ୟାଣକାରୀ ଯୋଜନା କାର୍ଯ୍ୟକାରୀ କରିବାକୁ ପ୍ରତିଶ୍ରୁତିବଦ୍ଧ। ଗାଁକୁ ସ୍ୱର୍ଗରେ ପରିଣତ କରିବା ଉଦ୍ଦେଶ୍ୟରେ ଆରମ୍ଭ ହୋଇଥିବା ‘ନିଆଦ ନେଲାନାର’ ଯୋଜନା ଉପରେ ସେ ଆଲୋକପାତ କରିଥିଲେ।
ନକ୍ସଲ ନିପାତ ହେବା ପରେ ବସ୍ତର ଏହାର ପ୍ରଚୁର ପ୍ରାକୃତିକ ସୌନ୍ଦର୍ଯ୍ୟ ହେତୁ କାଶ୍ମୀର ଅପେକ୍ଷା ଅଧିକ ପର୍ଯ୍ୟଟକଙ୍କୁ ଆକର୍ଷିତ କରିବ। ଏହି ଅଞ୍ଚଳରେ ସମବାୟ ଢାଞ୍ଚା ମଧ୍ୟରେ ପର୍ଯ୍ୟଟନ, କ୍ଷୁଦ୍ର ଶିଳ୍ପ ଏବଂ ଦୁଗ୍ଧ କ୍ଷେତ୍ରକୁ ପ୍ରୋତ୍ସାହିତ କରିବା ଉପରେ ମୋଦି ସରକାର ଗୁରୁତ୍ୱ ଦେଉଛନ୍ତି ବୋଲି ସେ ଆଲୋକପାତ କରିଥିଲେ। ୨୦୩୬ରେ ଯେତେବେଳେ ଭାରତରେ ଅଲିମ୍ପିକ୍ କ୍ରୀଡ଼ା ଅନୁଷ୍ଠିତ ହେବ, ସେତେବେଳେ ଏହି ବସ୍ତର ଇଭେଣ୍ଟରେ ଉପସ୍ଥିତ ଥିବା ପିଲାମାନଙ୍କ ମଧ୍ୟରୁ ଜଣେ ଦେଶ ପାଇଁ ପଦକ ଜିତିବ ଏବଂ ସମଗ୍ର ଦେଶ ଗର୍ବିତ ହେବ ବୋଲି ଅମିତ ଶାହ ବିଶ୍ୱାସ ବ୍ୟକ୍ତ କରିଥିଲେ। ବସ୍ତର ବିକାଶ, ପର୍ଯ୍ୟଟନ, ଶାନ୍ତି ଏବଂ ସମସ୍ତ ଜନକଲ୍ୟାଣକାରୀ ଯୋଜନାର କାର୍ଯ୍ୟକାରିତାରେ ଶତ ପ୍ରତିଶତ ସଫଳତା ହାସଲ କରିବ ଏବଂ ଛତିଶଗଡ଼ ଖୁବ୍ ଶୀଘ୍ର ନକ୍ସଲବାଦରୁ ସମ୍ପୂର୍ଣ୍ଣ ମୁକ୍ତ ହେବ ବୋଲି ଶ୍ରୀ ଶାହ ଆଶ୍ୱାସନା ଦେଇଥିଲେ।
previous article:https://purvapaksa.com/amit-shahs-appeal-to-maoists/
