ଭାରତୀୟ ସଶସ୍ତ୍ର ବାହିନୀକୁ ଏକେ- ୨୦୩ ଆସଲ୍ଡ ରାଇଫଲର ଏକ ନୂଆ ବ୍ୟାଚ୍ ମିଳିବାକୁ ଯାଉଛି, ଯାହା କାଲାସ୍ତିକୋଭ୍ ସିରିଜର ଏକ ଆଧୁନିକ ସଂସ୍କରଣ । ଗୋଟିଏ ମିନିଟ୍ରେ ଏଥିରୁ ୭୦୦ ରାଉଣ୍ଡ ପର୍ଯ୍ୟନ୍ତ ଗୁଳି ଚଳାଯାଇପାରିବ ଏବଂ ଏହାର ରେଞ୍ଜ ୮୦୦ ମିଟର ରହିଛି । ଇଣ୍ଡୋ-ରଷିଆନ୍ ରାଇଫଲ୍ସ ପ୍ରାଇଭେଟ୍ ଲିମିଟେଡ୍ (ଆଇଆର୍ଆର୍ପିଏଲ୍) ହେଉଛି ଏକ ଯୁଗ୍ମ ଉଦ୍ୟୋଗ କମ୍ପାନି ଯାହା ଉତ୍ତର ପ୍ରଦେଶର ଆମେଥିରେ ‘ଶେର୍’ ନାମକ ଏକେ-୨୦୩ର ସ୍ୱଦେଶୀ ଉତ୍ପାଦନ ପାଇଁ ସ୍ଥାପିତ ହୋଇଛି ।
୫୨୦୦ କୋଟି ଟଙ୍କାର ଚୁକ୍ତି ଅନୁଯାୟୀ କମ୍ପାନି ସଶସ୍ତ୍ର ବାହିନୀକୁ ୬ ଲକ୍ଷରୁ ଅଧିକ ରାଇଫଲ ଯୋଗାଣ କରିବ । ଆଇଆର୍ଆର୍ପିଏଲ୍ ମୁଖ୍ୟ ମେଜର ଜେନେରାଲ ଏସକେ ଶର୍ମା ଗୁରୁବାର କହିଛନ୍ତି ଯେ, ସେମାନେ ଡିସେମ୍ବର ୨୦୩୦ ସୁଦ୍ଧା ଡେଲିଭରି ଶେଷ କରିବାକୁ ଯୋଜନା କରୁଛନ୍ତି । ବର୍ତ୍ତମାନ ସୁଦ୍ଧା ପ୍ରାୟ ୪୮ ହଜାର ରାଇଫଲ୍ ଯୋଗାଇ ଦିଆଯାଇଛି । ଆସନ୍ତା ୨ରୁ ୩ ସପ୍ତାହ ମଧ୍ୟରେ ଆଉ ୭ ହଜାର ଓ ଡିସେମ୍ବର ସୁଦ୍ଧା ୧୫ ହଜାର ଅତିରିକ୍ତ ରାଇଫଲ୍ ହସ୍ତାନ୍ତର କରାଯିବ ।
ଏକେ-୪୭ ଓ ଏକେ-୫୬ ରାଇଫଲ ତୁଳନାରେ ଏକେ-୨୦୩ ‘ଶେର୍’ ଯଥେଷ୍ଟ ଅଧିକ ଆଧୁନିକ କାଲାସ୍ଟିକୋଭ୍ ସିରିଜ୍ର ସବୁଠାରୁ ମାରାତ୍ମକ ରାଇଫଲ୍ ମଧ୍ୟରୁ ଏହା ଅନ୍ୟତମ। ତିନି ଦଶନ୍ଧିରୁ ଅଧିକ ସମୟ ଧରି ସେବାରେ ଥିବା ଭାରତୀୟ କ୍ଷୁଦ୍ର ଅସ୍ତ୍ରଶସ୍ତ୍ର ପ୍ରଣାଳୀ (ଇନ୍ସାସ୍) ରାଇଫଲର ସ୍ଥାନ ନେବ ଏକେ-୨୦୩ । ଏଥିରେ ୭.୬୨×୩୯ ମିଲିମିଟର କାଟ୍ରିଜ୍ ଥିବା ବେଳେ ଇନ୍ସାସ୍ ପାଖରେ ୫.୫୬-୪୫ ମିଲିମିଟର କାଟ୍ରିଜ୍ ରହିଛି । ଏହାର ମାଗାଜିନରେ ଗୋଟିଏ ଥରରେ ୩୦ଟି କାମ୍ବ୍ରିଜ୍ ଲଗାଯାଇପାରିବ । ଆତଙ୍କବାଦ ବିରୋଧୀ ଅଭିଯାନରେ ଭାରତୀୟ ସେନାର କାର୍ଯ୍ୟଦକ୍ଷତା ବୃଦ୍ଧି ପାଇଁ ଡିଜାଇନ୍ କରାଯାଇଥିବା ଏହି ରାଇଫଲ୍ର ଓଜନ ପ୍ରାୟ ୩.୮ କେଜି ଥିବା ବେଳେ ଇନସାସ୍ର ଓଜନ ୪.୧୫ କେଜି ରହିଛି । ‘ଶେର୍’ ରାଇଫଲ୍ର ଲମ୍ବ ୭୦୫ ମିଲିମିଟର ହୋଇଥିବା ବେଳେ ଇନସାସ୍ ରାଇଫଲର ଲମ୍ବ ୯୬୦ ମିଲିମିଟର । ନିୟନ୍ତ୍ରଣ ରେଖା ଓ ବାସ୍ତବ ନିୟନ୍ତ୍ରଣ ରେଖା ସମେତ ଉତ୍ତର ଓ ପଶ୍ଚିମ ସୀମାରେ ମୁତୟନ ହୋଇଥିବା ସୈନିକମାନଙ୍କ ପାଇଁ ଏହା ପ୍ରାଥମିକ ଆସଲ୍ ରାଇଫଲ ହେବ ।
ALSO READ https://purvapaksa.com/mahanadi-dispute-padma-is-moving/
Mahanadi dispute – Padma is moving ।। ମହାନଦୀ ବିବାଦ – ପଦ୍ମ ଘୁଞ୍ଚି ଚାଲିଛି ।
