ଏହା ପୂର୍ବରୁ ମଧ୍ୟ ଦେଇଥିଲା ଧମକ
ମାସକର ନିରବତା ପରେ ପୁଣି ଥରେ ଧମକପୂର୍ଣ୍ଣ ମେଲ୍ ପଠାଇଛି ଖଲିସ୍ତାନୀ ଆତଙ୍କବାଦୀ ପନ୍ନୁ। ଖୁବ୍ ଶୀଘ୍ର ଓଡ଼ିଶାରେ ପ୍ରବାସୀ ଭାରତୀୟ ଦିବସ ଆୟୋଜିତ ହେବାକୁ ଥିବା ବେଳେ ଉକ୍ତ ସମୟରେ ବ୍ୟାଘାତ ସୃଷ୍ଟି ପାଇଁ ଧମକପୂର୍ଣ୍ଣ ମେଲ୍ ତଥା ଭିଡିଓ ମେସେଜ ପଠାଇଛି ପନ୍ନୁ। ଓଡ଼ିଶାର ସାମ୍ବାଦିକମାନଙ୍କ ନିକଟକୁ ଏହି ମେଲ୍ ଓ ଭିଡିଓ ମେସେଜ ଆସିଥିବା ଜଣାଯାଇଛି। ଏନେଇ ପୁଲିସ କମିଶନର ଏସ ଦେବଦତ୍ତ ସିଂହଙ୍କ ନିକଟକୁ ସାମ୍ବାଦିକମାନେ ଏହି ମେଲ ଫରଓ୍ୱାର୍ଡ଼ କରିଛନ୍ତି। ଗତ ନଭେମ୍ବର ମାସରେ ଭୁବନେଶ୍ୱରରେ ଡିଜିପି ସମ୍ମିଳନୀ ଚାଲିଥିବା ବେଳେ ତାହାକୁ ଭଣ୍ଡୁର କରିବାକୁ ପନ୍ନୁ ମଧ୍ୟ ଧମକପୂର୍ଣ୍ଣ ମେଲ୍ ପଠାଇଥିଲା।
ସେତେବଳେ ମଧ୍ୟ ଓଡ଼ିଆ ଓ ଇଂରାଜୀରେ ଦୁଇଟି ଧମକପୂର୍ଣ୍ଣ ମେଲ୍ ଆସିଥିଲା। ସେହିପରି ଆଜି ପୁନର୍ବର ଏହି ଘଟଣାର ପୁନରାବୃତ୍ତି ହୋଇଛି। ଆସନ୍ତା୮ ତାରିଖରେ ଭୁବନେଶ୍ୱରର ଜନତା ମଇଦାନରେ ‘ପ୍ରବାସୀ ଭାରତୀୟ ଦିବସ’ ସମାରୋହ ପାଳିତ ହେବ । ଏହି ସମୟରେ ବିମାନ ବନ୍ଦରରୁ ଜନତା ମଇଦାନ ଯାଏଁ ସତର୍କ ରହିବାକୁ ଧମକ ଦିଆଯାଇଛି। ଭିଡିଓ ଏବଂ ମେଲ୍ ମାଧ୍ୟମରେ ଏହି ଧମକ ଦିଆଯାଇଛି। ପ୍ରବାସୀ ଭାରତୀୟ ଦିବସରେ କେହି ବି ଭୁବନେଶ୍ୱର ନ ଆସିବାକୁ ସେ ଚେତାବନୀ ଦେଇଛି। ଭାରତ ସରକାରଙ୍କୁ ଟାର୍ଗେଟ କରି ନିଜ ପୁରୁଣା ଢଙ୍ଗରେ ଭିଡିଓ ଜାରି କରିଛି ପନ୍ନୁ। ଯେଉଁଥିରେ ଭୁବନେଶ୍ୱରକୁ ପୁଣି ଟେରର୍ ସିଟି ବୋଲି କହିବା ସହ ଆତଙ୍କବାଦୀ ନିଜ୍ଜର ହତ୍ୟାର ବଦଲା ନେବାକୁ ଚରମ ପଦକ୍ଷେପ ନେବ ବୋଲି ଧମକ ଦେଇଛି।
ତେବେ ଏହି ଧମକପୂର୍ଣ୍ଣ ମେଲ୍ ପନ୍ନୁ ଦେଇଛି ନା’ ଆଉ କିଏ ତଦନ୍ତ ପରେ ତାହା ସ୍ପଷ୍ଟ ହେବ । ଆସନ୍ତା ୮ରୁ ୧୦ତାରିଖ ପର୍ଯ୍ୟନ୍ତ ୩ଦିନ ଧରି ଭୁବନେଶ୍ୱରର ଜନତା ମଇଦାନରେ ‘ପ୍ରବାସୀ ଭାରତୀୟ ଦିବସ’ ସମାରୋହ ପାଳିତ ହେବ । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ତ୍ରିନିଦାଦ ଓ ଟୋବାଗୋ ରାଷ୍ଟ୍ରପତି କ୍ରିଷ୍ଟାଇନ୍ କାର୍ଲ କାଙ୍ଗାଲୁଙ୍କ ସମେତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍ ଜୟଶଙ୍କର, ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଓ ପର୍ଯ୍ୟଟନ ମନ୍ତ୍ରୀ ଗଜେନ୍ଦ୍ର ସିଂ ଶେଖାୱତ୍ ପ୍ରମୁଖ ଯୋଗ ଦେବେ ।
ଏହି ସମାରୋହରେ ଦେଶବିଦେଶରୁ ପ୍ରାୟ ୭ହଜାର ଅତିଥି ଯୋଗଦେବେ ବୋଲି ଜଣାପଡ଼ିଛି । ଉକ୍ତ ସମୟରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯିବ । ତେବେ ତାହା ପୂର୍ବରୁ ପନ୍ନୁର ଏପରି ମେଲ୍କୁ ନେଇ ଗୁଇନ୍ଦା ଏଜେନ୍ସି ଓ ସୁରକ୍ଷା ଅଧିକାରୀଙ୍କ ଟେନସନ୍ ବଢିଯାଇଛି।
previous article:https://purvapaksa.com/new-governor-dr-kambhamapati-haribabu-takes-oath/
