ପୁରୀ ବିଜେଡିରେ କଳି ଏବେ ଦାଣ୍ଡରେ ପଡ଼ି ହାଟରେ ଗଡିଲାଣି। ସଞ୍ଜୟ ଉମାଙ୍କ ଭିତରେ ଜିଲ୍ଲା ସଭାପତିକୁ ନେଇ ଏମିତି କଳି ତିଆରି କରାଯାଉଛି ଯେ ତାକୁ ଲକ୍ଷ୍ୟ କଲେ ଆଗାମୀ ଦିନରେ ଖୁବଶୀଘ୍ର ପୁରୀ ରାଜନୀତିରେ ଏମିତି ଏକ ବିସ୍ଫୋରଣ ହେବାକୁ ଯାଉଛି ଯାହା ରାଜ୍ୟ ରାଜନୀତିକୁ ଥରାଇ ଦେବ। ତେବେ ଏ କଳି ପଛରେ ନାୟକ ରୂପି ଖଳନାୟକ ଟି କିଏ ଆଉ କାହା ପାଇଁ ପୁରୀ ବିଜେଡିରେ ଏଭଳି ସ୍ଥିତି।
ପୁରୀ ବିଜେଡିରେ ସ୍ଥିତି ଏବେ ଅସମ୍ଭାଳ। କେତେବେଳେ କିଏ କାହା ଉପରେ ବର୍ଷିବ ତା’ର ଠିକଣା ନାହିଁ। ସହଜେ ଗତ ନିର୍ବାଚନ ଠୁ ନେଇ ଏ ଯାବତ ଉମା ବାବୁଙ୍କ ମୁଣ୍ଡ ଥଣ୍ଡା ହୋଇନି। ଉମା ବାବୁ ଅର୍ଥାତ୍ ପୁରୀ ବିଜେଡିର ବରିଷ୍ଠ ନେତା ଉମାକାନ୍ତ ସାମାନ୍ତରାୟ। ଗତ ନିର୍ବାଚନରେ ଯେଉଁଭଳି ଭାବରେ ତାଙ୍କୁ ତାଙ୍କ ଆସନରୁ ହଟାଇ ଚା’ରୁ ମାଛି କାଢ଼ିଲା ଭଳି ବ୍ରହ୍ମଗିରିକୁ ଫୋପାଡ଼ି ଦେଲେ ସେ ରାଗ ଏ ଯାବତ ତାଙ୍କର ଥଣ୍ଡା ହୋଇନଥିବା ବେଳେ ଏବେ ପୁଣି ଜିଲ୍ଲା ସଭାପତି ଆସନକୁ ନେଇ ସଞ୍ଜୟ ତାଙ୍କ ଆଗରେ କଣ୍ଟା ସାଜିଲେଣି।
ଅନ୍ୟ ପକ୍ଷରେ ସଞ୍ଜୟ ଦାସବର୍ମାଙ୍କ ଦଳର ଜଣେ ବରିଷ୍ଠ ସଦସ୍ୟ ହୋଇଥିବାବେଳେ ତାଙ୍କୁ ବେଶ୍ କିଛିଦିନ ଦଳରେ କୋଣଠେସା କରି ରଖାଯାଇଥିଲା। ସେତେବେଳେ ବ୍ରହ୍ମଗିରି ଆସନରୁ ହଟାଇ ସତ୍ୟବାଦୀ ଆସନରୁ ଟିକେଟ ଦିଆଯାଇଥିଲା। ଏହା ୨୦୨୪ ଫେବୃୟାରୀ ମାସର କଥା। ଆପଣଙ୍କ ମନେଥାଇପାରେ। ସେ ସମୟରେ ହଠାତ୍ ମିଡିଆରେ ଏକ ଭିଡିଓ ଭାଇରାଲ ହୋଇଥିଲା। ଏହି ଭିଡିଓ ଥିଲା ଧଉଳିରେ ଏକ କର୍ମୀ ସମ୍ମିଳନୀ। ବ୍ରହ୍ମଗିରିର ପରାଜିତ ବିଧାୟକ ସଞ୍ଜୟ ଦାସବର୍ମା ସେତେବେଳେ ଏହି ବୈଠକରେ କିଛି ଖବର ନ ଥାଇ ଘୋଷଣା କରିଥିଲେ ଯେ ସେ ୨୦୨୪ ନିର୍ବାଚନ ସତ୍ୟବାଦୀରୁ ଲଢ଼ିବେ।
ଏହା କୁଆଡ଼େ ଉପରେ ନିଷ୍ପତ୍ତି ହୋଇଛି। ଉମା ଏହାର ଉତ୍ତରରେ କହିଥିଲେ ଟିକଟ ବଣ୍ଟା ହୋଇନି। ‘ମୁଖ୍ୟମନ୍ତ୍ରୀ ତଥା ଫାଇଭ୍-ଟି ଅଧ୍ୟକ୍ଷଙ୍କ ନିଷ୍ପତ୍ତି ହେବ ଉମା ସାମନ୍ତରାୟ ତଥା ସତ୍ୟବାଦୀର ନିଷ୍ପତ୍ତି’। ଅର୍ଥାତ୍ ମୁଖ୍ୟମନ୍ତ୍ରୀ କି ତତ୍କାଳୀନ ଫାଇଭ୍-ଟି ଅଧ୍ୟକ୍ଷ ଅଥବା ବିଜେଡି ଆନ୍ନା ଭିକେ ପାଣ୍ଡିଆନ୍ ଉମାଙ୍କୁ ନ ଜଣାଇ ସଞ୍ଜୟଙ୍କୁ ଦମ୍ଭ ଦେଇ ସାରିଥିଲେ। ଯାହାକୁ ନେଇ ମିଡିଆରେ ଚର୍ଚ୍ଚା ହେଲା। ପରେ ଦଳର ସାଂଗଠନିକ ସମ୍ପାଦକ ଦୁଇଜଣଙ୍କୁ ବସାଇ ହିସାବ ନିକାଶ୍ କରିଥିଲେ। ପରେ ବିଜେଡି ଆନ୍ନା ଅର୍ଥାତ ଭିକେ ପାଣ୍ଡିଆନଙ୍କ ଏହି ଚାଲ ପାଇଁ ଦଳକୁ ଏକା ଥରେ ଦୁଇ ଦୁଇଟି ଆସନ ହରାଇବାକୁ ପଡ଼ିଥିଲା।
ଏ ତ ଗଲା ସେତବେଳର କଥା ଏବେ ସେ ରାଗ ମନରୁ ଥଣ୍ଡା ହୋଇନଥିବ ବେଳେ କିଏ ହେବ ପୁରୀ ଜିଲ୍ଲା ସଭାପତି ସେ ନେଇ ଦଳୀୟ ମହଲରେ ଆଉ ଏକ ଶୀତଳ ଯୁଦ୍ଧ ଆରମ୍ଭ ହୋଇଗଲାଣି। ଯେହେତୁ ଦଳର ଭୁଲ ନିଷ୍ପତ୍ତି ଯୋଗୁ ସତ୍ୟବାଦୀ ବିଜେପି ଖାତାକୁ ଚାଲିଗଲା ଏଣୁ ଉମାଙ୍କୁ ଆଉ ଅସନ୍ତୁଷ୍ଟ କରିବାକୁ ଚାହୁଁନି ଦଳ। କାରଣ ଉମା କୌଣସି ଦଳରେ ନ ଥାଇବି ସତ୍ୟବାଦୀ ଜିତିଥିଲେ। ୨୦୧୪ ଓ ୨୦୧୯ରେ ସେ ବିଧାୟକ ହୋଇଥିଲେ। ୨୦୨୪ରେ ତାଙ୍କୁ ପୁରୀରେ ଅଙ୍କୁଶ ଲଗାଇବାକୁ ଯାଇ ବିଜେଡି ତାଙ୍କ ଆସନ ବଦଳାଇଥିଲା। ଏଣୁ ଏହା ଦଳ ପାଇଁ ବିପର୍ଯ୍ୟୟ ସୃଷ୍ଟି କରିଥିଲା।
ଏବେ ସେ ଭୁଲ୍କୁ ସୁଧାରିବା ଲାଗି ତଥା ଉମାଙ୍କୁ ଶାନ୍ତ କରିବାକୁ ବିଜେଡି ଚାହୁଁଛି। ଏଣୁ ପ୍ରାୟତଃ ତାଙ୍କୁ ପୁରୀ ସଭାପତି ଆସନ ଦେଇଛି। କିନ୍ତୁ ଏଥିରେ ଅସନ୍ତୁଷ୍ଟ ରହିଛନ୍ତି ତାଙ୍କ ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ସଞ୍ଜୟ ଦାସବର୍ମା। ଏହି ପରିସ୍ଥିତିରେ ତାଙ୍କୁ ସହାୟତା କରୁଛନ୍ତି ମହେଶ୍ୱର ମହାନ୍ତିଙ୍କ ପୁଅ ତଥା ବିଧାୟକ ସୁନୀଲ ମହାନ୍ତି। ପୁରୀରେ ଉମାଙ୍କ ସାଂଗଠନିକ ପ୍ରବେଶକୁ ସେମାନେ ସହ୍ୟ କରିପାରୁ ନାହାନ୍ତି। ଏପରିକି ପୁରୀର ଏହି ବିବାଦ ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶଙ୍କ ନିୟନ୍ତ୍ରଣ ବାହାରକୁ ଚାଲିଯାଇଛି।
ଏଣୁ ବିବାଦକୁ ସମାଧାନ କରିବାପାଇଁ ପ୍ରତାପ ଦେବଙ୍କୁ ଦଳ ଦାୟିତ୍ୱ ଦେଇଥିବା ଜଣାପଡ଼ିଛି। ପ୍ରତାପ ଏହି ବିବାଦକୁ ସମାଧାନ କରିବା ଲାଗି ପୁରୀର ବରିଷ୍ଠ ନେତାମାନଙ୍କୁ ନେଇ ଏକ ବୈଠକ ଡକାଇଥିଲେ। ଏଥିରେ କାକଟପୁର ବିଧାୟକ, ପୁରୀ ବିଧାୟକ ଏବଂ ସଞ୍ଜୟ କେହି ଉପସ୍ଥିତ ନ ଥିଲେ। ଦଳ ଯଦିଓ ଏହାକୁ ସାଧାରଣ ବୋଲି କହୁଛି କିନ୍ତୁ ଏହା ଦଳୀୟ ସଂଗଠନକୁ ବିଭ୍ରାନ୍ତ କରିବା ଲାଗୁ ଆଉ ଏକ ବିହନ ପୋତା ହୋଇପାରେ। ଯାହାର ଫଳ ଆସନ୍ତା ଜିଲ୍ଲା ପରିଷଦ ନିର୍ବାଚନରେ ପଡ଼ିପାରେ।
Also readhttps://purvapaksa.com/srikant-jena-is-out/