ବାଂଲାଦେଶର ସାଧାରଣ ନିର୍ବାଚନରେ (BNP) ଐତିହାସିକ ବିଜୟ ହାସଲ କରିଛି। ଦଳର ଅଧ୍ୟକ୍ଷ ତାରିଖ୍ ରେହମାନ ଆଜି ପ୍ରଧାନମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ। ସେ ପୂର୍ବତନ ପ୍ରଧାନମନ୍ତ୍ରୀ ଖଲିଦା ଜିଆଙ୍କ ପୁଅ ଓ ଗତ ୧୭ ବର୍ଷ ଧରି ବିଦେଶରେ ବସବାସ କରୁଥିଲେ। ୨୦୨୪ରେ ପୂର୍ବତନ ପ୍ରଧାନମନ୍ତ୍ରୀ ଶୈଖ ହସିନାଙ୍କ ପଦଚ୍ୟୁତି ପରେ ଦେଶର ରାଜନୀତି ଏକ ନୂଆ ପର୍ବକୁ ପ୍ରବେଶ କରିଛନ୍ତି।

ଶପଥ ଗ୍ରହଣ ଉତ୍ସବରେ ଇଣ୍ଡିଆର ପ୍ରତିନିଧିତ୍ୱ କରିବେ ଲୋକସଭା ବାଚସ୍ପତି ଓମ୍ ବିର୍ଲା। ଭାରତୀୟ ବୈଦେଶିକ ମନ୍ତ୍ରଣାଳୟ କହିଛି ଯେ ଏହି ଉପସ୍ଥିତି ଦୁଇ ଦେଶର ଲୋକମାନଙ୍କ ମଧ୍ୟରେ ଦୃଢ଼ ବନ୍ଧୁତା ଓ ଗଣତାନ୍ତ୍ରିକ ମୂଲ୍ୟବୋଧ ପ୍ରତି ଭାରତର ପ୍ରତିବଦ୍ଧତାକୁ ପ୍ରକାଶ କରିବ।
BNP ବହୁମତ ହାସଲ କରିବା ପରେ ଭାରତ-ବାଂଲାଦେଶ ସମ୍ପର୍କରେ ନୂତନ ଆଶା ଜାଗୃତ ହୋଇଛି। ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତୁରନ୍ତ ତାରିକ ରହମାନଙ୍କୁ ଅଭିନନ୍ଦନ ଜଣାଇ ଦୃଢ଼ ଓ ବିବିଧ ସମ୍ପର୍କ, ଗଣତାନ୍ତ୍ରିକ ପ୍ରଗତି ଓ ସହଭାଗୀ ବିକାଶ ପ୍ରତି ଆଶା ବ୍ୟକ୍ତ କରିଥିଲେ। ତାରିକ ମଧ୍ୟ ପାରସ୍ପରିକ ସମ୍ମାନ, ତୀସ୍ତା ଜଳ ବଣ୍ଟନ, ଆତଙ୍କବାଦ ବିରୋଧୀ ସହଯୋଗ ଓ ହିନ୍ଦୁ ସଂଖ୍ୟାଲଘୁଙ୍କ ସୁରକ୍ଷା ଭଳି ସମ୍ବେଦନଶୀଳ ବିଷୟରେ ସକାରାତ୍ମକ ମନୋଭାବ ଦେଖାଇଛନ୍ତି।
ଶେଖ ହାସିନାଙ୍କ ସରକାର ପତନ ପରେ ବାଂଲାଦେଶରେ ସଂଖ୍ୟାଲଘୁଙ୍କ ଉପରେ ଅତ୍ୟାଚାର ଓ ଭାରତ ସହ ସମ୍ପର୍କରେ ତନାବ ବୃଦ୍ଧି ପାଇଥିଲା। କିନ୍ତୁ ଖାଲେଦା ଜିଆଙ୍କ ଦେହାନ୍ତ ପରେ ଭାରତୀୟ ବୈଦେଶିକ ମନ୍ତ୍ରୀ ଏସ.ଜୟ ଶଙ୍କର ଢାକା ଗସ୍ତ କରି ଶ୍ରଦ୍ଧାଞ୍ଜଳି ଜଣାଇଥିଲେ। ସେହିଠାରୁ ଦୁଇ ଦେଶର ସମ୍ପର୍କ ସାଧାରଣ ହେବା ଦିଗରେ ଗତି କରୁଛି।

ସମ୍ପ୍ରତି BNP ତାଙ୍କ ଭାରତ ବିରୋଧୀ ଭାଷଣକୁ ହ୍ରାସ କରିଛି। ଦେଶକୁ ଫେରିବା ପରେ ତାରିକ ରହମାନ କହିଥିଲେ ଯେ ତାଙ୍କ ପ୍ରାଥମିକତା ଦିଲ୍ଲୀ କିମ୍ବା ରାୱଲପିଣ୍ଡି ନୁହେଁ, ବରଂ ବାଂଲାଦେଶର ହିତ। ଶପଥ ଗ୍ରହଣ ଅବସରରେ ପ୍ରଧାନମନ୍ତ୍ରୀ ମୋଦୀ ସହିତ ପାକିସ୍ତାନର ପ୍ରଧାନମନ୍ତ୍ରୀ ସମେତ ୧୩ ଜଣ ରାଷ୍ଟ୍ରମୁଖ୍ୟଙ୍କୁ ନିମନ୍ତ୍ରଣ ଦିଆଯାଇଛି, ଯାହା ଏକ ସମନ୍ୱୟମୂଳକ ବୈଦେଶିକ ନୀତିର ସଙ୍କେତ ଦେଉଛି।
ତଥାପି ଚ୍ୟାଲେଞ୍ଜ ଅବଶିଷ୍ଟ ରହିଛି। ପାରସ୍ପରିକ ସନ୍ଦେହ ଓ ଆଦର୍ଶଗତ ମତଭେଦ ସମ୍ପର୍କକୁ ଜଟିଳ କରିପାରେ। ବାଂଲାଦେଶରେ ଜମାତ ଓ ଅନ୍ୟାନ୍ୟ ବିରୋଧୀ ଶକ୍ତିମାନେ ଭାରତ ପ୍ରତି କଠୋର ମନୋଭାବ ନେଇପାରନ୍ତି, ଯାହା BNP ସରକାର ଉପରେ ଚାପ ସୃଷ୍ଟି କରିପାରେ। ଏହି ପରିସ୍ଥିତିରେ ନୂଆ ଦିଲ୍ଲୀକୁ ବାଂଲାଦେଶର ରଣନୈତିକ ସ୍ୱାୟତ୍ତତାକୁ ସମ୍ମାନ ଦେଇ ସମସ୍ତ ହିସ୍ସାଦାରଙ୍କ ସହ ଆଲୋଚନା ଜାରି ରଖିବାକୁ ହେବ।
ବାଣିଜ୍ୟ ମାମଲାରେ ଦୁଇ ଦେଶର ସମ୍ପର୍କ ସୁଦୃଢ଼ ରହିଛି। ୨୦୨୪-୨୫ ଆର୍ଥିକ ବର୍ଷରେ ଦ୍ୱିପାକ୍ଷିକ ବାଣିଜ୍ୟ ବୃଦ୍ଧି ପାଇଛି। ତେଣୁ ନୂତନ ସରକାର ଦ୍ୱାରା ବିଶ୍ୱାସ ଗଠନ ଓ ରଣନୈତିକ ସମନ୍ୱୟ ଦୁଇ ଦେଶ ପାଇଁ ଲାଭଦାୟକ ହେବ।
also read https://purvapaksa.com/gold-rate-14/


