ଆଉ ମାତ୍ର ଦିନକ ପରେ ଆରମ୍ଭ ହେବ ଟି୨୦ କ୍ରିକେଟ ବିଶ୍ୱକପ । କ୍ରିକେଟପ୍ରେମୀଙ୍କ ମଧ୍ୟରେ ଏହାକୁ ନେଇ ଉତ୍ସାହ ଚରମରେ ପହଞ୍ଚିଥିବା ବେଳେ ଭାରତୀୟ ଟିମ୍ ଏଥର ଏକ ଐତିହାସିକ କୃତି ସାଧନ କରିପାରେ ବୋଲି ଆଶା କରାଯାଉଛି । ଆଜି ପର୍ଯ୍ୟନ୍ତ କୌଣସି ଆୟୋଜକ ଦେଶ ଟି୨୦ ବିଶ୍ୱକପ ଟାଇଟଲ ଜିତିନଥିବା ବେଳେ, ଏଥର ଭାରତ ସେହି ଇତିହାସକୁ ଭାଙ୍ଗିବାର ସୁଯୋଗ ପାଇଛି।

ବିଶ୍ୱକପ ପୂର୍ବରୁ ଭାରତୀୟ ଟିମ୍ ନିଜର ୱାର୍ମ-ଅପ୍ ମ୍ୟାଚରେ ଦକ୍ଷିଣ ଆଫ୍ରିକାକୁ ୩୦ ରନରେ ପରାସ୍ତ କରି ଶକ୍ତିଶାଳୀ ଇସାରା ଦେଇଛି। ଏହି ବିଜୟ ଟିମ୍ ଇଣ୍ଡିଆର ଆତ୍ମବିଶ୍ୱାସକୁ ଆହୁରି ଦୃଢ଼ କରିଛି।
ବିଶ୍ୱକପ ଆରମ୍ଭ ହେବା ପୂର୍ବରୁ ଭାରତୀୟ ଦଳର ମୁଖ୍ୟ କୋଚ୍ ଗୌତମ ଗମ୍ଭୀର ମୁମ୍ବାଇ ସ୍ଥିତ ପ୍ରସିଦ୍ଧ ସିଦ୍ଧିବିନାୟକ ମନ୍ଦିରରେ ପହଞ୍ଚି ବିଘ୍ନହର୍ତ୍ତା ଗଣେଶଙ୍କ ଦର୍ଶନ କରିଛନ୍ତି। ସେ ବାପ୍ପାଙ୍କ ନିକଟରେ ଟିମ୍ ଇଣ୍ଡିଆର ସଫଳତା ପାଇଁ ପ୍ରାର୍ଥନା କରିଥିବା ଜଣାପଡ଼ିଛି। ଗମ୍ଭୀରଙ୍କ ଏହି ଧାର୍ମିକ ଆସ୍ଥାକୁ ଟିମ୍ ଇଣ୍ଡିଆର ସକାରାତ୍ମକ ମନୋଭାବର ପ୍ରତୀକ ଭାବେ ଦେଖାଯାଉଛି।
୨୦୨୪ ମସିହାରୁ ଗୌତମ ଗମ୍ଭୀର ଭାରତୀୟ ଟିମ୍ କୋଚ୍ ଭାବେ ଦାୟିତ୍ୱ ନେଇଥିବା ବେଳେ, ତାଙ୍କ ନେତୃତ୍ୱରେ ଟିମ୍ ଇଣ୍ଡିଆ ଅସାଧାରଣ ସଫଳତା ହାସଲ କରିଛି। ଗମ୍ଭୀରଙ୍କ କୋଚିଂରେ ଭାରତ ୨୦୨୫ ମସିହାରେ ଚାମ୍ପିଅନ୍ସ ଟ୍ରଫି ଜିତିଥିଲା। ଏହା ପରେ ଏସିଆ କପ୍ ଟାଇଟଲ ମଧ୍ୟ ଭାରତୀୟ ଦଳ ହାତେଇଥିଲା । ଟି୨୦ କ୍ରିକେଟରେ ମଧ୍ୟ ଭାରତୀୟ ଦଳର ପ୍ରଦର୍ଶନ ଲଗାତାର ଉନ୍ନତ ହୋଇଆସୁଛି ।
ଟି୨୦ ବିଶ୍ୱକପ ୨୦୨୬ ପାଇଁ ଗମ୍ଭୀର ଏହାକୁ ଏକ ଐତିହାସିକ ସୁଯୋଗ ଭାବେ ଦେଖୁଥିବା ବେଳେ, ତାଙ୍କ ସିଦ୍ଧିବିନାୟକ ଦର୍ଶନକୁ ଦଳର ସଫଳତା ପାଇଁ ଏକ ଶୁଭ ସଙ୍କେତ ଭାବେ ଧରାଯାଉଛି । ଏଥର ଟିମ୍ ଇଣ୍ଡିଆର ନେତୃତ୍ୱ ଦାୟିତ୍ୱ ସୂର୍ଯ୍ୟକୁମାର ଯାଦବ ନିଭାଉଥିବା ବେଳେ ଦଳରେ ଯୁବ ଓ ଅଭିଜ୍ଞ ଖେଳାଳିଙ୍କ ସମନ୍ୱୟ ଦେଖିବାକୁ ମିଳୁଛି। ବ୍ୟାଟିଂ ଓ ବୋଲିଂ ଦୁଇ ଦିଗରୁ ଦଳ ବେଶ ଶକ୍ତିଶାଳୀ ଥିବାରୁ ଟାଇଟଲ ଜିତିବାର ସମ୍ଭାବନା ବଢ଼ିଛି।
ଟିମ୍ ଇଣ୍ଡିଆ ଆସନ୍ତା ୭ ଫେବୃଆରୀରେ ୟୁଏସଏ ବିରୋଧରେ ମୁମ୍ବାଇରେ ପ୍ରଥମ ମ୍ୟାଚ ଖେଳିବ। ଏହାପରେ ନାମ୍ବିଆ, ପାକିସ୍ତାନ ଓ ନେଦରଲାଣ୍ଡ ବିରୋଧରେ ମ୍ୟାଚ ଖେଳିବ। ସମଗ୍ର ଦେଶ ଟିମ୍ ଇଣ୍ଡିଆର ଏହି ଐତିହାସିକ ଯାତ୍ରାକୁ ନେଇ ଆଶାରେ ରହିଛି।
also read https://purvapaksa.com/trans-women/
https://purvapaksa.com/trans-women/


