ଖୁବ୍ ଶୀଘ୍ର ଆସିବାକୁ ଯାଉଛି ଗ୍ରୀଷ୍ମଋତୁ । ଖରା ଆରମ୍ଭ ହେବା ସହ ତାପମାତ୍ରା ଦିନକୁ ଦିନ ବଢ଼ୁଛି, ଯାହାର ପ୍ରଭାବ ସିଧାସଳଖ ମାନବ ସ୍ୱାସ୍ଥ୍ୟ ଉପରେ ପଡ଼ୁଛି । ଅତ୍ୟଧିକ ଗରମ କାରଣରୁ ଡିହାଇଡ୍ରେସନ, ଏସିଡିଟି, ପେଟ ଜନିତ ସମସ୍ୟା, ଦୁର୍ବଳତା ଭଳି ଅନେକ ସମସ୍ୟା ଦେଖାଦେଇଥାଏ । ଏହି ସମୟରେ ଶରୀରକୁ ଥଣ୍ଡା ଓ ସୁସ୍ଥ ରଖିବା ପାଇଁ ଲୋକମାନେ ପଖାଳ, ଦହି, ପଇଡ଼, ଲସି ସହ ବିଭିନ୍ନ ଥଣ୍ଡା ଜାତୀୟ ଖାଦ୍ୟ ଗ୍ରହଣ କରିଥାଆନ୍ତି ।

ଏହି ସମସ୍ତ ପ୍ରାକୃତିକ ଖାଦ୍ୟମାନଙ୍କ ମଧ୍ୟରେ ତାଳସଜ ଏକ ଅନନ୍ୟ ଓ ଅତ୍ୟଧିକ ଲାଭଦାୟକ ଫଳ ଭାବେ ପରିଚିତ। ତାଳସଜ ବାହାରୁ ନଡ଼ିଆ ପରି ଦେଖାଯାଉଥିବା ବେଳେ ଭିତରୁ ଲିଚି ପରି ନରମ ଓ ରସାଳ ହୋଇଥାଏ। ଦେଖିବାକୁ ଯେତିକି ସୁନ୍ଦର, ସ୍ୱାସ୍ଥ୍ୟ ପାଇଁ ମଧ୍ୟ ସେତିକି ଉପକାରୀ।
ପୋଷକତତ୍ତ୍ୱରେ ଭରପୂର ତାଳସଜରେ ଫାଇବର ଭିଟାମିନ୍ A, ଭିଟାମିନ୍ C, ଭିଟାମିନ୍ K ସହ ବିଭିନ୍ନ ଖଣିଜ ପଦାର୍ଥ ମିଳିଥାଏ । ଏହା ଖାଇବା ଦ୍ୱାରା ଶରୀର ହାଇଡ୍ରେଟ୍ ରହିବା ସହ ପେଟକୁ ଥଣ୍ଡା ରଖିଥାଏ, ଯାହା ଖରାଦିନ ପାଇଁ ବହୁତ ଆବଶ୍ୟକ । ବିଶେଷଜ୍ଞମାନଙ୍କ କହିବା ଅନୁସାରେ, ତାଳସଜ ଡିହାଇଡ୍ରେସନରୁ ଶରୀରକୁ ରକ୍ଷା କରେ । ଖରାଦିନେ ଅଧିକ ପସିନା ବାହାରିବା ଫଳରେ ଶରୀରରେ ଜଳାଭାବ ସୃଷ୍ଟି ହୋଇଥାଏ । ଏପରି ସ୍ଥିତିରେ ତାଳସଜ ଖାଇବା ଶରୀରକୁ ପୁନଃ ଶକ୍ତି ଦେଇଥାଏ ।

ପେଟ ଜନିତ ସମସ୍ୟା ପାଇଁ ମଧ୍ୟ ତାଳସଜ ଖୁବ୍ ଲାଭଦାୟକ । ଏହା ହଜମ ପ୍ରକ୍ରିୟାକୁ ସୁଧାରିବା ସହ କୋଷ୍ଠକାଠିନ୍ୟ, ଗ୍ୟାସ, ଏସିଡିଟି ଭଳି ସମସ୍ୟାରୁ ମୁକ୍ତି ଦେଇଥାଏ । ଫାଇବର ଭରପୂର ହୋଇଥିବାରୁ ଏହା ମେଟାବୋଲିଜିମ୍ ବଢ଼ାଇ ଓଜନ ନିୟନ୍ତ୍ରଣରେ ମଧ୍ୟ ସାହାଯ୍ୟ କରେ । ତାଳସଜ ଭିଟାମିନ୍ Cର ଉତ୍ତମ ଉତ୍ସ ହୋଇଥିବାରୁ ଏହା ରୋଗ ପ୍ରତିରୋଧକ ଶକ୍ତିକୁ ବଢ଼ାଇଥାଏ । ଏହାସହ ଡାଇବେଟିସ୍ ରୋଗୀଙ୍କ ପାଇଁ ମଧ୍ୟ ତାଳସଜ ଉପକାରୀ, କାରଣ ଏଥିରେ କମ୍ ଗ୍ଲାଇସେମିକ୍ ଇଣ୍ଡେକ୍ସ ରହିଛି, ଯାହା ରକ୍ତରେ ସୁଗାର ମାତ୍ରାକୁ ନିୟନ୍ତ୍ରଣରେ ରଖିଥାଏ।
ଏହା ବ୍ୟତୀତ ତାଳସଜ ଖାଇବା ଦ୍ୱାରା ରକ୍ତଚାପ ନିୟନ୍ତ୍ରଣରେ ରହିଥାଏ, ହୃଦଘାତର ଆଶଙ୍କା କମିଥାଏ ଏବଂ ଚକ୍ଷୁଜନିତ ସମସ୍ୟା ମଧ୍ୟ ଦୂର ହୋଇଥାଏ। ତେଣୁ ଆସନ୍ତା ଖରାଦିନେ ସୁସ୍ଥ ଓ ସୁରକ୍ଷିତ ରହିବାକୁ ଚାହୁଁଥିଲେ, ଦୈନନ୍ଦିନ ଖାଦ୍ୟତାଲିକାରେ ତାଳସଜକୁ ଅବଶ୍ୟ ସାମିଲ କରନ୍ତୁ।
also read https://purvapaksa.com/vande-bharat-sleeper/


