ସ୍ୱାମୀ ଭୈରବ କାର୍ତ୍ତିକେୟନ ପାଣ୍ଡିଆନଙ୍କ ରାସ୍ତାରେ ତାଙ୍କ ପତ୍ନୀ ସୁଜାତା କାର୍ତ୍ତିକେୟନ। ଚାକିରି ଶେଷ ପୂର୍ବରୁ ଆଗୁଆ ଅବସର ନେଲେ ସୁଜାତା। ଏହା ପୂର୍ବରୁ ତାଙ୍କ ଆଇଏଏସ ସ୍ୱାମୀ ପାଣ୍ଡିଆନ ୨୦୨୪ ସାଧାରଣ ନିର୍ବାଚନ ଆଗରୁ ଆଗୁଆ ଭିଆରଏସ ନେଇଥିଲେ। ତା’ପରେ ବିଜେଡ଼ିରେ ସାମିଲ ହୋଇ ଦଳର ମଙ୍ଗ ଧରିଥିଲେ। ଏବେ ସ୍ୱାମୀଙ୍କ ପଦାଙ୍କ ଅନୁସରଣ କରିଛିନ୍ତି ପତ୍ନୀ ସୁଜାତା।
ସୁଜାତାଙ୍କ ଆବେଦନକୁ କେନ୍ଦ୍ର ସରକାରଙ୍କ ମଞ୍ଜୁରୀ ଦେଇଥିବା ସୂଚନା ମିଳିଛି। କିଛି ଦିନ ତଳେ ସେ କେନ୍ଦ୍ର ନିକଟରେ ଆବେଦନ କରିଥିଲେ। ଏହା ପୂର୍ବରୁ ଛୁଟି ପାଇଁ ଆବେଦନ କରିଥିଲେ ସୁଜାତା, କିନ୍ତୁ ଛୁଟି ନ ମିଳିବାରୁ ସେ ସ୍ୱେଚ୍ଛାକୃତ ଅବସର ପାଇଁ ଆବେଦନ କରିଥିଲେ। ୨୦୦୦ ବ୍ୟାଚର ଆଇଏଏସ ଅଫିସର ସୁଜାତା ରାଉତ କାର୍ତ୍ତିକେୟନ।
ଓଡ଼ିଶାର କେନ୍ଦ୍ରାପଡ଼ା ଜିଲ୍ଲାରୁ ଆସିଥିବା ଆଇଏଏସ୍ ଅଧିକାରୀ। ତାଙ୍କ ପ୍ରାରମ୍ଭିକ ଜୀବନ ଝାଡ଼ଖଣ୍ଡର ଜାମସେଦପୁରରେ କଟିଥିଲା, ଯେଉଁଠାରେ ତାଙ୍କ ବାପା ଜଣେ ଡାକ୍ତରଭାବେ କାର୍ଯ୍ୟ କରୁଥିଲେ। ୨୦୦୦ ମସିହାରେ ନବୀନ ପଟ୍ଟନାୟକ ଓଡ଼ିଶାର ମୁଖ୍ୟମନ୍ତ୍ରୀଭାବେ ଶପଥ ଗ୍ରହଣ କରିଥିବା ସମୟରେ ସୁଜାତାଙ୍କ ଆଇଏଏସ୍ କ୍ୟାରିୟର ଆରମ୍ଭ ହୋଇଥିଲା। ସେ ଓଡ଼ିଶା ସରକାରଙ୍କ ମିଶନ ଶକ୍ତି ବିଭାଗର କମିଶନର-ସହ-ସଚିବଭାବେ କାର୍ଯ୍ୟ କରିଥିଲେ, ଯାହା ମହିଳା ସଶକ୍ତିକରଣ ପାଇଁ ନବୀନ ପଟ୍ଟନାୟକଙ୍କ ଦ୍ୱାରା ୨୦୦୧ରେ ଆରମ୍ଭ ହୋଇଥିଲା।
୨୦୨୪ ନିର୍ବାଚନରେ ବିଜେଡି କ୍ଷମତା ହରାଇବା ପରେ ସୁଜାତା ଛଅ ମାସର ଛୁଟିରେ ଥିଲେ। ୨୬ ନଭେମ୍ବର, ୨୦୨୪ ପର୍ଯ୍ୟନ୍ତ ତାଙ୍କୁ ଛୁଟି ମଞ୍ଜୁର କରାଯାଇଥିଲା, କିନ୍ତୁ ତାଙ୍କ ଆବେଦନ ଅନୁସାରେ ଆଉ ଛଅ ମାସର ଛୁଟି ବୃଦ୍ଧି ପାଇଁ ଓଡ଼ିଶାର ବିଜେପି ସରକାର ଅନୁମତି ଦେଇନଥିଲେ। ତେବେ କ’ଣ ପାଇଁ ସେ ଚାକିରି ଶେଷ ପୂର୍ବରୁ ଅବସର ନେଲେ ତାହା ଜଣାପଡିନାହିଁ। କିନ୍ତୁ ରାଜନୈତିକ ମହଲରେ ତାଙ୍କ ଭିଆରଏସକୁ ନେଇ ଚର୍ଚ୍ଚା ଜୋର ଧରିଛି।
ଏପରିକି ସେ ବିଜୁ ଜନତା ଦଳର ମଙ୍ଗ ଧରିପାରନ୍ତି ବୋଲି ଚର୍ଚ୍ଚା ହେଉଛି। ସେ ଓଡ଼ିଆ ହୋଇଥିବାରୁ ତାଙ୍କ ପାଇଁ ଅଣ ଓଡ଼ିଆ ଟ୍ୟାଗ ଲାଗିବ ନାହିଁ। ଯାହାକି ପାଣ୍ଡିଆନଙ୍କ କ୍ଷେତ୍ରରେ ଲାଗୁ ହୋଇ ବିଜେଡିକୁ କ୍ଷମତାଚ୍ୟୁତ କରିଛି।
ପୂର୍ବରୁ ଭିଆର୍ଏସ୍ ନେଇ ଭିକେ ପାଣ୍ଡିଆନ୍ ୨୦୨୪ରେ ବିଜେଡ଼ିର ମୁଖ୍ୟ ପରିଚାଳକ ଥିଲେ। ବିଜେଡିର ପରାଜୟ ପରେ ରାଜନୀତିରୁ ସନ୍ନ୍ୟାସ ଘୋଷଣା କରିଥିଲେ ପାଣ୍ଡିଆନ୍। କିଛି ଦିନ ତଳେ ପାଣ୍ଡିଆନ୍ ଏକ ଅନ୍ତର୍ଜାତୀୟ ସଂସ୍ଥାରେ ଯୋଗଦେବେ ବୋଲି ଚର୍ଚ୍ଚା ହୋଇଥିଲା।
ଭିଆର୍ଏସ୍ ନେବା ପରେ ସୁଜାତା ଏବଂ ପାଣ୍ଡିଆନ୍ଙ୍କ ପରବର୍ତ୍ତୀ ପଦକ୍ଷେପ କଣ ରହିବ , ତା ଉପରେ ସମସ୍ତଙ୍କ ନଜର ରହିଛି।ତେବେ ବିଜେଡ଼ି ନିର୍ବାଚନ ହାରିବା ପରେ ଓଡ଼ିଶା ରାଜନୀତିରେ ତାଙ୍କର ଆଉ କୌଣସି ସ୍ଥାନ ନାହିଁ ବୋଲି ପାଣ୍ଡିଆନ ଧରି ନେଇଥିଲେ। ଏପରିକି ଓଡ଼ିଶାରେ ରହିବା ବି ତାଙ୍କ ପାଇଁ ଶୁଭଙ୍କର ନୁହେଁ ସେ ଏକଥା ହୃଦୟଙ୍ଗମ କରି ସାରିଥିଲେ। ପତ୍ନୀ ସୁଜାତା ଆଇଏଏସରୁ ଇସ୍ତଫା ଦେବା ହିଁ ଏକମାତ୍ର ରାସ୍ତା ଥିଲା ଏହି ବିବାଦୀୟ ଦମ୍ପତିଙ୍କ ପାଇଁ।
ବିଲ ଗେଟ୍ସ ଫାଉଣ୍ଡେସନର ଦେଶ ମୁଖ୍ୟ ହେବେ ବୋଲି ଚର୍ଚ୍ଚା ଚାଲିଥିବା ବେଳେ ପାଣ୍ଡିଆନ ପ୍ରକୃତରେ କେଉଁଠିକୁ ଯାଉଛନ୍ତି ତାହା ତାଙ୍କ ଛଡ଼ା ଆଉ କେହି ଜାଣି ନଥାଇ ପାରନ୍ତି। ଦୁଇ ଝିଅଙ୍କ ଭବିଷ୍ୟତ ଗଠନ ପାଇଁ ବିଭିନ୍ନ ଦେଶରେ ପ୍ରଭାବଶାଳୀ ବ୍ୟକ୍ତି ରୂପେ ପରିଗଣିତ ଭି କେ ପାଣ୍ଡିଆନ ଯେ ଆଇଏଏସ ଚାକିରୀ ଛାଡ଼ି ରାଜନୀତିରେ ଯୋଗ ଦେବା ଭଳି ଆଉ ଗୋଟିଏ ଭୁଲ କରିବେନି!
Also readhttps://purvapaksa.com/why-this-region-is-vulnerable-to-deadly-seismic-events/
ମିଆଁମାର: ଧ୍ୱଂସାତ୍ମକ ଭୂମିକମ୍ପ ପାଇଁ କାହିଁକି ସମ୍ବେଦନଶୀଳ ଏହି ଅଞ୍ଚଳ