- କାଲି ଆସିବ ଯାଞ୍ଚ ତାଲିକା
- ସପ୍ତାହ ପର୍ଯ୍ୟନ୍ତ ଆପତ୍ତି ଗ୍ରହଣ
ମହିଳାମାନଙ୍କୁ ଆର୍ଥିକ ସଶକ୍ତିକରଣ ଉଦ୍ଦେଶ୍ୟରେ କାର୍ଯ୍ୟକାରୀ ହୋଇଥିବା ମହତ୍ୱାକାଂକ୍ଷୀ ‘ସୁଭଦ୍ରା’ ଯୋଜନା ଅଧୀନରେ ତୃତୀୟ ପର୍ଯ୍ୟାୟ ସୁଦ୍ଧା ରାଜ୍ୟର ମୋଟ ୮୦ ଲକ୍ଷରୁ ଊର୍ଦ୍ଧ୍ୱ ହିତାଧିକାରୀଙ୍କୁ ୫ ହଜାର ଟଙ୍କା ଲେଖାଏଁ ପ୍ରଥମ କିସ୍ତି ଅର୍ଥ ପ୍ରଦାନ କରାଯାଇସାରିଥିବା ବେଳେ ଆସନ୍ତା ୨୫ ତାରିଖରେ ୪ର୍ଥ ପର୍ଯ୍ୟାୟ ହିତାଧିକାରୀଙ୍କୁ ଟଙ୍କା ପ୍ରଦାନ କରାଯିବାକୁ ପ୍ରସ୍ତୁତି ଜାରି ରହିଛି । ଏଥିପାଇଁ ନୂଆ ଆବେଦନକାରୀଙ୍କ ସମେତ ଅଦ୍ୟାବଧି ସହାୟତା ପାଇ ପାରିନଥିବା ଦରଖାସ୍ତକାରୀଙ୍କ ଆବେଦନ ଯାଞ୍ଚ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଡିସେମ୍ବର ୧ ତାରିଖ ସୁଦ୍ଧା ସୁଭଦ୍ରାରେ ମୋଟ ୧ କୋଟି ୫ ଲକ୍ଷ ୩୬ ହଜାର ୬୧୨ ଆବେଦନ ଗ୍ରହଣ ହୋଇଛି ।
ସମସ୍ତ ପ୍ରକ୍ରିୟାର ସୁବ୍ୟବସ୍ଥା ଓ ଯାଂଚ ପ୍ରକ୍ରିୟାର ଅଗ୍ରଗତି ସମ୍ପର୍କରେ ମଙ୍ଗଳବାର ସଂଧ୍ୟାରେ ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନସଚିବ ଅନୁ ଗର୍ଗ, ମହିଳା ଓ ଶିଶୁ ବିକାଶ ବିଭାଗ ପ୍ରମୁଖ ଶାସନ ସଚିବ ଶୁଭା ଶର୍ମାଙ୍କ ଉପସ୍ଥିତିରେ ସଦ୍ୟତମ ସ୍ଥିତି ଅନୁଧ୍ୟାନ କରିଥିଲେ। ସମସ୍ତ ଜିଲ୍ଲାର ଜିଲ୍ଲାପାଳ ଓ ମହାନଗର ନିଗମର ଉଚ୍ଚ ପଦାଧିକାରୀମାନେ ଏହି ବୈଠକରେ ଆଭାସୀ ମାଧ୍ୟମରେ ଯୋଗଦାନ କରିଥିଲେ । ବୈଠକରେ ସୁଭଦ୍ରା ଆବେଦନ ଯାଞ୍ଚ ପାଇଁ ଗଠିତ କ୍ଷେତ୍ରସ୍ତରୀୟ ଟିମ୍ ମାନଙ୍କର କାର୍ଯ୍ୟ ଅଗ୍ରଗତି ସଂପର୍କରେ ସମୀକ୍ଷା କରାଯାଇଥିଲା ।
ସମସ୍ତ ଜିଲ୍ଲାପାଳ ଓ ମହାନଗର ନିଗମର ଆୟୁକ୍ତମାନଙ୍କୁ ଏହି ଟିମ୍ର କାର୍ଯ୍ୟ ଅଗ୍ରଗତି ସଂପର୍କରେ ନିଜେ ଅନୁଧ୍ୟାନ କରିବା ସହିତ ଦୈନିକ ଏହାର ଅଗ୍ରଗତି ତଦାରଖ କରିବାକୁ ବୈଠକରେ ପରାମର୍ଶ ଦିଆଯାଇଥିଲା । ଆସନ୍ତା ୬ ତାରିଖ ସୁଦ୍ଧା ଯୋଗ୍ୟ ହିତାଧିକାରୀ ଓ ଅଯୋଗ୍ୟ ତାଲିକା ବ୍ଲକ, ସହରାଞ୍ଚଳ ବା ମହାନଗର ନିଗମ ସ୍ତରରେ ପ୍ରକାଶ କରାଯିବ ଏବଂ ଏହା ପରେ ଆଉ ୭ ଦିନ ପର୍ଯ୍ୟନ୍ତ ଆପତ୍ତି ଗ୍ରହଣ କରାଯିବ । ପୂର୍ବରୁ ଆବେଦନ କରିଥିବା ଯୋଗ୍ୟ ହିତାଧିକାରୀଙ୍କୁ କେଉଁ କାରଣ ଯୋଗୁଁ ସେମାନଙ୍କର ଅର୍ଥ ଅନଲାଇନ ଯୋଗେ ପ୍ରେରଣ ହୋଇପାରିନାହିଁ, ସେ ସଂପର୍କରେ ଅନୁଧ୍ୟାନ କରାଯାଉଛି । ହିତାଧିକାରୀଙ୍କୁ ସିଧାସଳଖ ଅର୍ଥ ପ୍ରେରଣରେ ରହୁଥିବା ସମସ୍ୟା ସଂପର୍କରେ ଅନୁଧ୍ୟାନ କରିବା ପାଇଁ ଅଙ୍ଗନାବାଡ଼ି କର୍ମଚାରୀ ଓ ବ୍ୟାଙ୍କ ମିତ୍ର ଆଦି କ୍ଷେତ୍ରସ୍ତରୀୟ ଯାଂଚ ଟିମର କର୍ମକର୍ତ୍ତାମାନଙ୍କୁ ସେମାନଙ୍କ ପାଖରେ ପହଞ୍ଚି ସଚେତନତାଭିତ୍ତିକ କାର୍ଯ୍ୟକ୍ରମ ବଢ଼ାଇବାକୁ ନିର୍ଦ୍ଦେଶ ଦିଆଯାଇଛି । ବିଭିନ୍ନ ଜିଲ୍ଲାରେ କାର୍ଯ୍ୟକାରୀ ହେଉଥିବା ସହାୟକ କେନ୍ଦ୍ର(ହେଲ୍ପ ଡେସ୍କ)ର ପରିଚାଳନା ପାଇଁ କର୍ମଚାରୀ ନିୟୋଜନକୁ ନିଶ୍ଚିତ କରିବାକୁ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ସୁଭଦ୍ରା ସଂପର୍କିତ ଆପତ୍ତି ଅଭିଯୋଗ ସିଧାସଳଖ ବା ଅଫଲାଇନ୍ ରେ ଗ୍ରହଣ କରାଗଲେ ତାହାକୁ ସୁଭଦ୍ରା ପୋର୍ଟାଲରେ ଅପଲୋଡ କରାଯିବ, ଯଦ୍ୱାରା ଏହାର ତ୍ୱରିତ ସମାଧାନ ପାଇଁ ସହାୟକ ହେବ ।
ଅଦ୍ୟାବଧି ଜାତୀୟ ଖାଦ୍ୟ ସୁରକ୍ଷା ଆଇନରେ ଥିବା ହିତାଧିକାରୀଙ୍କ ମଧ୍ୟରୁ ଆବେଦନକାରୀ ଏବଂ ଅଣ-ଏନଏଫଏସଏ ଆବେଦନକାରୀଙ୍କୁ ମିଶାଇ ମୋଟ ୮,୪୩,୮୩୯ ସଂଖ୍ୟକ ଆବେଦନକାରୀଙ୍କୁ ସୁଭଦ୍ରା ଅର୍ଥ ସେମାନଙ୍କର ଆକାଉଣ୍ଟକୁ ଯିବାପାଇଁ ଏପର୍ଯ୍ୟନ୍ତ ସେମାନଙ୍କର ଇ-କେୱାଇସି ସମ୍ପୂର୍ଣ୍ଣ କରିବାର ଆବଶ୍ୟକତା ରହିଛି । ଯେଉଁମାନେ ଓଟିପି ଆଧାରିତ ଆବେଦନ ଦାଖଲ କରିଛନ୍ତି, ସେମାନଙ୍କ ପାଇଁ ମଧ୍ୟ ବାୟୋମେଟ୍ରିକ୍ ଇ-କେୱାଇସି କରିବାକୁ ପଡ଼ିବ । ସୁଭଦ୍ରା ପୋର୍ଟାଲରେ ଇ-କେଓ୍ୱାଇସି ସମ୍ପର୍କିତ ତଥ୍ୟ ଉପଲବ୍ଧ ରହିଛି, ଯାହାକି କମନ ସର୍ଭିସ୍ ସେଣ୍ଟର ଏବଂ ମୋ ସେବା କେନ୍ଦ୍ର ମାନଙ୍କରେ ଆବେଦନକାରୀଙ୍କୁ ସେମାନଙ୍କର ସମସ୍ୟାର ସମାଧାନରେ ସହାୟକ ହେବ । ଇ-କେଓ୍ୱାଇସି ମୋଡ୍ୟୁଲ ପାଇଁ ହିତାଧିକାରୀଙ୍କୁ ଯେପରି କୌଣସି ଅର୍ଥ ଦେବାକୁ ପଡିବ ନାହିଁ,ତାହାକୁ ନିଶ୍ଚିତ କରିବାକୁ ପରାମର୍ଶ ଦିଆଯାଇଛି ।
ଯେଉଁମାନେ ଏହି ଯୋଜନାରେ ସୁବିଧା ନେବାକୁ ଚାହୁଁ ନାହାଁନ୍ତି, ସେଥିପାଇଁ ‘‘ଅପ୍ଟ୍-ଆଉଟ୍’’ କରିବା ବ୍ୟବସ୍ଥା ସୁଭଦ୍ରା ପୋର୍ଟାଲରେ ରହିଛି । ଏଥିପାଇଁ ଆଦେବନକାରୀଙ୍କୁ ନିଶ୍ଚିତ କରିବା ପାଇଁ ଏସ୍ଏମ୍ଏସ୍ ମେସେଜ ଆସିବ । ଏହା ନିଶ୍ଚିତ କରୁଛି ଯେ, ହିତାଧାକରୀ ସୁଭଦ୍ରା ଯୋଜନାର ଲାଭ ନେବାକୁ ଉଚ୍ଛୁକ ନୁହଁନ୍ତି । ୧୮,୭୩୫ ହିତାଧିକାରୀ ୩ ଡିସେମ୍ବର ସୁଦ୍ଧା ଅପ୍ଟ୍ ଆଉଟ୍ କରିସାରିଛନ୍ତି । ଏହା ଦ୍ୱାରା ପ୍ରକାରାନ୍ତରେ ଅନ୍ୟ ଜଣେ ହିତାଧିକାରୀ ଉପକୃତ ହେଉଥିଲେ ସୁଦ୍ଧା, ଏହା ଯଦି ସଂପୃକ୍ତ ହିତାଧିକାରୀଙ୍କ ଇଚ୍ଛାନୁସାରେ ହେଉନଥାଏ, ସେ ବିଷୟରେ ସେମାନଙ୍କୁ ସଚେତନ କରାଯିବାକୁ ବୈଠକରେ ଗୁରୁତ୍ୱ ଦିଆଯାଇଥିଲା।
previous article:https://purvapaksa.com/konark-is-rembering-to-the-artist/