ରାଜନୀତି ଏକ ପ୍ରବାହମାନ ନଦୀ ସଦୃଶ, ଯେଉଁଠି କୌଣସି ବି ସ୍ଥିତି ଚିରସ୍ଥାୟୀ ନୁହେଁ। ସମୟର ସ୍ରୋତରେ କ୍ଷମତାର କେନ୍ଦ୍ରବିନ୍ଦୁ ବଦଳିବା ଏକ ସ୍ୱାଭାବିକ ପ୍ରକ୍ରିୟା। କିନ୍ତୁ ଓଡ଼ିଶା ରାଜନୀତିରେ, ବିଶେଷକରି ରାଜ୍ୟ ଭାରତୀୟ ଜନତା ପାର୍ଟି (ବିଜେପି) ମଧ୍ୟରେ ଗତ କିଛିମାସ ମଧ୍ୟରେ ଯେଉଁ ଦ୍ରୁତ ପରିବର୍ତ୍ତନ ଦେଖାଦେଇଛି, ତାହା କେବଳ ଆଶ୍ଚର୍ଯ୍ୟଜନକ ନୁହେଁ ବରଂ ରାଜନୈତିକ ପଣ୍ଡିତମାନଙ୍କ ପାଇଁ ଗବେଷଣାର ବିଷୟ ପାଲଟିଛି। ଦିନ ଥିଲା, ଯେତେବେଳେ ଓଡ଼ିଶାରେ ବିଜେପି କହିଲେ କେବଳ ଗୋଟିଏ ଚେହେରାକୁ ବୁଝାଉଥିଲା- ସେ ହେଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଦଳର ଅଘୋଷିତ ‘ସୁପ୍ରିମୋ’ ଭାବରେ ତାଙ୍କର ଦବଦବା ଏତେ ଥିଲା ଯେ, ତାଙ୍କ ବିନା ଇଙ୍ଗିତରେ ରାଜ୍ୟ ବିଜେପିର ପତ୍ରଟିଏ ମଧ୍ୟ ହଲୁ ନ ଥିଲା। ହେଲେ ଆଜି ଚିତ୍ର ସମ୍ପୂର୍ଣ୍ଣ ଓଲଟି ଯାଇଛି। ୨୦୨୪ ସାଧାରଣ ନିର୍ବାଚନରେ ବିଜେପିର ଐତିହାସିକ ବିଜୟ ପରେ ଯେତେବେଳେ ଦଳ ଶାସନ ଗାଦିକୁ ଆସିଲା, ସେତେବେଳେ ଧର୍ମେନ୍ଦ୍ରଙ୍କୁ ରାଜ୍ୟ ରାଜନୀତିର ମୁଖ୍ୟ ସ୍ରୋତରୁ ଦୂରେଇ ରଖିବାର ଯେଉଁ ଅଘୋଷିତ ପ୍ରକ୍ରିୟା ଆରମ୍ଭ ହୋଇଥିଲା, ତାହା ବର୍ତ୍ତମାନ ଏକ ନିର୍ଣ୍ଣାୟକ ମୋଡ଼ରେ ପହଞ୍ଚିଛି।

କ୍ଷମତା ପରିବର୍ତ୍ତନ ଓ ଭ୍ରମର ଅନ୍ତ
ଗତ ନିର୍ବାଚନରେ ରାଜ୍ୟରେ ବିଜେପିର ବିପୁଳ ବିଜୟ ପଛରେ ରାଜ୍ୟ ପର୍ଯ୍ୟବେକ୍ଷକ ସୁନୀଲ ବଂଶଲ ଏବଂ ରାଜ୍ୟ ସଭାପତି ମନମୋହନ ସାମଲଙ୍କ ରଣନୀତିର ଗୁରୁତ୍ୱପୂର୍ଣ୍ଣ ଭୂମିକା ଥିଲା। ତଥାପି, ନିର୍ବାଚନ ପରବର୍ତ୍ତୀ ସମୟରେ ଏକ ଧାରଣା ସୃଷ୍ଟି ହୋଇଥିଲା ଯେ, କେନ୍ଦୁଝରରୁ ନିର୍ବାଚିତ ଆଦିବାସୀ ନେତା ମୋହନ ଚରଣ ମାଝୀ ମୁଖ୍ୟମନ୍ତ୍ରୀ ହୋଇଥିଲେ ମଧ୍ୟ ସରକାରର ନିୟନ୍ତ୍ରଣ ବୋଧହୁଏ ପରୋକ୍ଷରେ ଧର୍ମେନ୍ଦ୍ରଙ୍କ ହାତରେ ରହିବ। ରାଜନୈତିକ ଅଳିନ୍ଦରେ ଚର୍ଚ୍ଚା ହେଉଥିଲା ଯେ ମୋହନ ମାଝୀ କେବଳ ଏକ ଚେହେରା ମାତ୍ର, ଅସଲ ଶାସନ ଦିଲ୍ଲୀରୁ ପରିଚାଳିତ ହେବ।
କିନ୍ତୁ ଏହି ଭ୍ରମ ବେଶୀ ଦିନ ତିଷ୍ଠି ପାରିଲା ନାହିଁ। ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବାର ଅଳ୍ପ ଦିନ ମଧ୍ୟରେ ମୋହନ ମାଝୀ ନିଜର ସ୍ୱତନ୍ତ୍ର ସତ୍ତା ଜାହିର କରିବା ଆରମ୍ଭ କଲେ। ଏହାର ପ୍ରଥମ ଓ ସବୁଠାରୁ ବଡ଼ ଉଦାହରଣ ଥିଲା ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ଧର୍ମେନ୍ଦ୍ରଙ୍କ ଅନୁଗତମାନଙ୍କୁ ଦୂରେଇ ଦେବା। ତତ୍କାଳୀନ ରାଜ୍ୟ ଉପସଭାପତି ଗୋଲକ ମହାପାତ୍ର ଏବଂ ଠାକୁର ରଣଜିତ ଦାସ, ଯେଉଁମାନେ କି ଧର୍ମେନ୍ଦ୍ରଙ୍କର ଅତ୍ୟନ୍ତ ବିଶ୍ୱସ୍ତ ବୋଲି କୁହାଯାଉଥିଲେ, ସେମାନେ ମୁଖ୍ୟମନ୍ତ୍ରୀଙ୍କ ସହ ଛାଇ ଭଳି ରହୁଥିଲେ। ସରକାରୀ କାର୍ଯ୍ୟରେ ସେମାନଙ୍କର ଅତ୍ୟଧିକ ହସ୍ତକ୍ଷେପ ମୁଖ୍ୟମନ୍ତ୍ରୀଙ୍କ ଭାବମୂର୍ତ୍ତିକୁ ବଦନାମ କରୁଥିବା ଅନୁଭବ କରିବା ପରେ କେନ୍ଦ୍ରୀୟ ନେତୃତ୍ୱଙ୍କ ନିର୍ଦ୍ଦେଶକ୍ରମେ ସେମାନଙ୍କୁ କଠୋର ଭାବେ ଦୂରେଇ ଦିଆଗଲା। ଏହା କେବଳ କିଛି ବ୍ୟକ୍ତିବିଶେଷଙ୍କୁ ହଟାଇବା ନ ଥିଲା, ବରଂ ଏହା ଥିଲା ରାଜ୍ୟ ପ୍ରଶାସନ ଉପରୁ ଧର୍ମେନ୍ଦ୍ରଙ୍କ ‘ରିମୋଟ କଣ୍ଟ୍ରୋଲ’କୁ କାଟି ଦେବାର ଏକ ସ୍ପଷ୍ଟ ସଙ୍କେତ।
ମୋହନ-ଧର୍ମେନ୍ଦ୍ର ଶୀତଳ ଯୁଦ୍ଧ ଓ ମୋଦୀଙ୍କ ହସ୍ତକ୍ଷେପ
ସରକାର ଗଠନ ପରେ ରାଜ୍ୟ ବିଜେପିରେ ଗୋଷ୍ଠୀ ବିବାଦ ତୀବ୍ର ରୂପ ନେଇଥିଲା। ବିଶେଷକରି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଏବଂ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ମଧ୍ୟରେ ଏକ ଅଘୋଷିତ ‘ଶୀତଳ ଯୁଦ୍ଧ’ ଆରମ୍ଭ ହୋଇଯାଇଥିଲା। ପରିସ୍ଥିତି ଏପରି ହେଲା ଯେ ୨୦୨୪ ନଭେମ୍ବର ମାସରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ନିଜେ ହସ୍ତକ୍ଷେପ କରିବାକୁ ପଡ଼ିଥିଲା । ଏକ ଦଳୀୟ ବୈଠକରେ ପ୍ରଧାନମନ୍ତ୍ରୀ ରାଜ୍ୟ ନେତୃତ୍ୱକୁ ସ୍ପଷ୍ଟ ବାର୍ତ୍ତା ଦେଇଥିଲେ ଯେ ସରକାର ଓ ସଙ୍ଗଠନ ମଧ୍ୟରେ ସମନ୍ୱୟ ରହିବା ଆବଶ୍ୟକ ଏବଂ କୌଣସି ବ୍ୟକ୍ତିବିଶେଷ ଦଳଠାରୁ ଊର୍ଦ୍ଧ୍ୱରେ ନୁହନ୍ତି।
ଏହି ଘଟଣା ପରଠାରୁ ଦୂରତ୍ୱ ଆହୁରି ବଢ଼ିଥିବା ପରିଲକ୍ଷିତ ହେଉଛି। ମୁଖ୍ୟମନ୍ତ୍ରୀ ମୋହନ ମାଝୀ ବିଭିନ୍ନ ଜିଲ୍ଲା ଗସ୍ତ କରୁଛନ୍ତି ଦଳୀୟ ଓ ସରକାରୀ କାର୍ଯ୍ୟକ୍ରମରେ ଯୋଗ ଦେଉଛନ୍ତି କିନ୍ତୁ ସେଠାରେ ଧର୍ମେନ୍ଦ୍ରଙ୍କ ଉପସ୍ଥିତି ଦେଖିବାକୁ ମିଳୁନାହିଁ । ଉଦାହରଣ ସ୍ୱରୂପ ସମ୍ବଲପୁର- ଯାହାକି ଧର୍ମେନ୍ଦ୍ରଙ୍କ ନିଜସ୍ୱ ନିର୍ବାଚନ ମଣ୍ଡଳୀ- ସେଠାରେ ମୁଖ୍ୟମନ୍ତ୍ରୀ ଏକାଧିକ କାର୍ଯ୍ୟକ୍ରମ କରୁଥିଲେ ମଧ୍ୟ ସ୍ଥାନୀୟ ସାଂସଦ ତଥା କେନ୍ଦ୍ରମନ୍ତ୍ରୀଙ୍କୁ ନ ଡାକିବା କିମ୍ବା ତାଙ୍କ ଅନୁପସ୍ଥିତି ରାଜନୈତିକ ମହଲରେ ଚର୍ଚ୍ଚାର ବିଷୟ ପାଲଟିଛି । ଏହା ସୂଚାଉଛି ଯେ ମୁଖ୍ୟମନ୍ତ୍ରୀ ବର୍ତ୍ତମାନ କାହାରି ଛତ୍ରଛାୟାରେ ନୁହେଁ ବରଂ ନିଜସ୍ୱ ଶୈଳୀରେ ରାଜ୍ୟ ଚଳାଇବାକୁ ପ୍ରତିବଦ୍ଧ।
ସାଙ୍ଗଠନିକ ପୁନର୍ଗଠନ: ଧର୍ମେନ୍ଦ୍ର ଶିବିରକୁ ଝଟକା
କେବଳ ସରକାର ନୁହେଁ, ସଙ୍ଗଠନ ଉପରୁ ମଧ୍ୟ ଧର୍ମେନ୍ଦ୍ରଙ୍କ ପତିଆରା କମିବାରେ ଲାଗିଛି। ରାଜ୍ୟ ସଭାପତି ଚୟନ ପ୍ରକ୍ରିୟା ଏହାର ଜ୍ୱଳନ୍ତ ଉଦାହରଣ। ନିର୍ବାଚନ ପରେ ନୂତନ ରାଜ୍ୟ ସଭାପତି କିଏ ହେବ, ସେ ନେଇ ଦୀର୍ଘ ଦିନ ଧରି କଳ୍ପନାଜଳ୍ପନା ଲାଗି ରହିଥିଲା। କୁହାଯାଉଥିଲା ଯେ ଧର୍ମେନ୍ଦ୍ରଙ୍କ କ୍ୟାମ୍ପ ମନମୋହନ ସାମଲଙ୍କୁ ପୁନର୍ବାର ସଭାପତି କରିବା ସପକ୍ଷରେ ନଥିଲେ। କିନ୍ତୁ କେନ୍ଦ୍ରୀୟ ନେତୃତ୍ୱ ସମସ୍ତ ବିରୋଧକୁ ଅଣଦେଖା କରି ମନମୋହନଙ୍କ ଉପରେ ହିଁ ଭରସା ପ୍ରକଟ କଲେ। ମନମୋହନଙ୍କୁ ପୁନର୍ବାର ଦାୟିତ୍ୱ ମିଳିବା କେବଳ ତାଙ୍କର ବ୍ୟକ୍ତିଗତ ବିଜୟ ନୁହେଁ ବରଂ ଏହା ଧର୍ମେନ୍ଦ୍ରଙ୍କ ପ୍ରଭାବ ହ୍ରାସର ସୂଚକ।
ମନମୋହନ ସାମଲ ସଭାପତି ଦାୟିତ୍ୱ ଗ୍ରହଣ କରିବା ପରେ ଗଠିତ ବିଭିନ୍ନ କମିଟିରୁ ଧର୍ମେନ୍ଦ୍ରଙ୍କ ସମର୍ଥକମାନଙ୍କର ‘ପର କାଟି ଦିଆଯାଇଥିବା’ ସ୍ପଷ୍ଟ ବାରି ହୋଇପଡୁଛି। ପୂର୍ବରୁ ଯେଉଁ ନେତାମାନେ ଦଳୀୟ କାର୍ଯ୍ୟାଳୟରେ ହୁକୁମ ଚଳାଉଥିଲେ, ସେମାନେ ଏବେ କୋଣଠେସା ହୋଇପଡ଼ିଛନ୍ତି। ଆହୁରି ଗୁରୁତ୍ୱପୂର୍ଣ୍ଣ କଥା ହେଲା, ମନମୋହନ ସଭାପତି ହେବା ପରେ ଆୟୋଜିତ ଭବ୍ୟ ସମ୍ବର୍ଦ୍ଧନା ସମାରୋହରେ ଧର୍ମେନ୍ଦ୍ର ପ୍ରଧାନ କିମ୍ବା ତାଙ୍କ ଗୋଷ୍ଠୀର କୌଣସି ପ୍ରମୁଖ ନେତାଙ୍କୁ ଦେଖିବାକୁ ମିଳିନଥିଲା। ଅଥଚ ସେହି ମଞ୍ଚରେ କେନ୍ଦ୍ରର ଅନ୍ୟତମ ପ୍ରଭାବଶାଳୀ ନେତା ତଥା ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡାଙ୍କ ଉପସ୍ଥିତି ଦଳର ଭବିଷ୍ୟତ ସମୀକରଣ ଆଡ଼କୁ ଅଙ୍ଗୁଳି ନିର୍ଦ୍ଦେଶ କରୁଛି। ଗତମାସ ୨୨ ତାରିଖରେ ଧର୍ମେନ୍ଦ୍ର ଧାମନଗରରେ ସଭା କରିଥିଲେ। ଆଲୋଚନା ହେଉଥିଲା ଯେ ବିଜେଡି ଛାଡ଼ିଥିବା ସମାଲ ପରିବାର ସେଦିନ ବିଜେପିରେ ସାମିଲ ହେବେ। କିନ୍ତୁ ରାଜ୍ୟସଭାପତି ମନମୋହନ ସାମଲ ସେ ସଭାରେ ଯୋଗ ନ ଦେବାରୁ ସାମଲ ପରିବାର ଧର୍ମେନ୍ଦ୍ରଙ୍କ ଉପସ୍ଥିତିରେ ବିଜେପିରେ ଯୋଗ ଦେଲେ ନାହିଁ। ପରେ ଭୁବନେଶ୍ୱର ଆସି ଯୋଗ ଦେଇଥିଲେ।
also read https://purvapaksa.com/bangladesh-interested-in-joining-china-led-group/


