ଓଡ଼ିଶା ବିଧାନସଭାରେ ଏବେ ବଜେଟ୍ ଅଧିବେଶନ ଆଲୋଚନା ବେଳେ ବିଜେଡିର ବରିଷ୍ଠ ନେତା ତଥା ପୂର୍ବତନ ମନ୍ତ୍ରୀ ଅରୁଣ ସାହୁ ଏମିତି କିଛି କହିଛନ୍ତି, ଯାହା ଏବେ ସାରା ରାଜ୍ୟରେ ଚର୍ଚ୍ଚାର ବିଷୟ ପାଲଟିଛି। ‘ବେଇମାନ ଘୋଡ଼ା’, ‘ନାଳୁଆ ଘୋଡ଼ା’ଠାରୁ ଆରମ୍ଭ କରି ‘ଗେଡ଼ା ଘୋଡ଼ା’ ପର୍ଯ୍ୟନ୍ତ— ସରକାରଙ୍କୁ ତୀର ମାରିବାକୁ ଯାଇ ଅରୁଣ ସାହୁ ଯେଉଁ ଶବ୍ଦବାଣ ପ୍ରୟୋଗ କରିଛନ୍ତି, ତାହା ଶୁଣିଲେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ। ଆଜି ଆମେ ଦେଖିବା ବିଧାନସଭାରେ କେମିତି ବିଜେପି ସରକାରଙ୍କ ‘ଡବଲ୍ ଇଞ୍ଜିନ’କୁ ‘ଡବଲ୍ ଧୋକା’ ବୋଲି କହି ଧୋଇଲେ ଅରୁଣ।

ବିଧାନସଭାରେ ବଜେଟ୍ ଉପରେ ନିଜର ମତ ରଖିବାବେଳେ ଅରୁଣ ସାହୁ କହିଛନ୍ତି ଯେ, ଏହି ବଜେଟ୍ରେ ସରକାର ବିଭିନ୍ନ ପ୍ରକାର ଘୋଡ଼ାଙ୍କ ପାଇଁ ବ୍ୟବସ୍ଥା ରଖିଛନ୍ତି। ସେ କହିଥିଲେ, “ଏ ବଜେଟ୍ରେ ଆରବ ଘୋଡ଼ା, ତଟ୍ଟୁ ଘୋଡ଼ା, ଚାଲାକିଆ ଘୋଡ଼ା, ଗେଡ଼ା ଘୋଡ଼ା, ଏମିତିକି ପ୍ରଭୁଭକ୍ତ ଏବଂ ବେଇମାନ ଘୋଡ଼ାଙ୍କ ପାଇଁ ମଧ୍ୟ ସ୍ଥାନ ଅଛି”। ତାଙ୍କର ଏହି କଟାକ୍ଷ ମୁଖ୍ୟତଃ ସରକାରୀ ଦଳର ରଣନୀତି ଏବଂ ନେତାମାନଙ୍କୁ ନେଇ ଥିଲା।

କେବଳ ସେତିକି ନୁହେଁ, ଅରୁଣ ସାହୁ ରାଜ୍ୟର ବଢ଼ୁଥିବା ଋଣ ଭାରକୁ ନେଇ ମଧ୍ୟ ଗମ୍ଭୀର ପ୍ରଶ୍ନ ଉଠାଇଛନ୍ତି। ସେ କହିଛନ୍ତି ଯେ, ୨୦୨୪ରେ ଯେତେବେଳେ ନବୀନ ପଟ୍ଟନାୟକ ସରକାର ଯାଇଥିଲେ, ସେତେବେଳେ ଋଣ ଥିଲା ପ୍ରାୟ ୮୫,୦୦୦ କୋଟି। କିନ୍ତୁ ମାତ୍ର ଦୁଇ ବର୍ଷର ବିଜେପି ଶାସନ ଭିତରେ ଏହା ୫୦,୦୦୦ କୋଟି ବଢ଼ିଲାଣି। ଯଦି ଏହି ଗତିରେ ଋଣ ବଢ଼େ, ତେବେ ୨୦୩୬ ବେଳକୁ ବିକଶିତ ଓଡ଼ିଶା ନୁହେଁ, ବରଂ ୫ ଲକ୍ଷ କୋଟିର ଋଣା ଓଡ଼ିଶା ହୋଇଥିବ ବୋଲି ସେ ଚେତାବନୀ ଦେଇଛନ୍ତି।

ଅରୁଣ ସାହୁ ‘ଡବଲ୍ ଇଞ୍ଜିନ’ ସରକାରଙ୍କୁ ‘ଡବଲ୍ ଧୋକା’ ବୋଲି ଆଖ୍ୟା ଦେଇଛନ୍ତି। ସେ ପ୍ରଶ୍ନ କରିଛନ୍ତି ଯେ, କେନ୍ଦ୍ରରୁ ମିଳୁଥିବା ଅନୁଦାନ କମିଛି ଏବଂ ରାଜ୍ୟର ବିକାଶ ଗତି ମନ୍ଥର ହୋଇଯାଇଛି। ଓଡ଼ିଆ ଅସ୍ମିତା ନାଁରେ କେବଳ ରାଜନୀତି କରାଯାଉଛି, କିନ୍ତୁ ପ୍ରକୃତ କାମ କିଛି ହେଉନାହିଁ ବୋଲି ସେ କହିଛନ୍ତି। ବିଶେଷ କରି ମହାନଦୀ ଜଳ ବିବାଦ ଏବଂ କୋଟିଆ ପ୍ରସଙ୍ଗରେ ସରକାରଙ୍କ ନୀରବତାକୁ ସେ ସମାଲୋଚନା କରିଛନ୍ତି।
ସ୍କୁଲ-କଲେଜରେ ଓବିସି ସଂରକ୍ଷଣ ନ ଥିବା ଏବଂ ସରକାରୀ ସମ୍ପତ୍ତିର ଅପବ୍ୟବହାରକୁ ନେଇ ଅରୁଣ ସାହୁ ବିଧାନସଭା ଗୃହରେ ସରକାରଙ୍କୁ ଘେରିଛନ୍ତି। ଶେଷରେ ସେ ଏକ ସୁନ୍ଦର କବିତା ଜରିଆରେ କହିଥିଲେ ଯେ, “ମନ୍ଦିର ବାଣ୍ଟ, ମସଜିଦ୍ ବାଣ୍ଟ, କିନ୍ତୁ ଭଗବାନଙ୍କୁ ବାଣ୍ଟ ନାହିଁ; ଦୌଲତ ବାଣ୍ଟ, ମଉଜ ବାଣ୍ଟ, କିନ୍ତୁ ମଣିଷକୁ ମଣିଷଠୁ ବାଣ୍ଟ ନାହିଁ”।


