ରାଜ୍ୟରେ ଜାତିଭିତ୍ତିକ ରାଜନୀତିକୁ ପୁଣିଥରେ ନିଆଁ ଚେଙ୍ଗିଥିବା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀକାନ୍ତ ଜେନା ଏବେ ମଇଦାନରୁ ଆଉଟ୍ ହେଲାପରି ଜଣାପଡ଼ୁଛନ୍ତି। ନା ତାଙ୍କୁ ତାଙ୍କ ନିଜ ଦଳ କଂଗ୍ରେସ ଏ ପ୍ରସଙ୍ଗରେ ବିଶ୍ୱାସକୁ ନେଇପାରିଛି ନା ବିଜେଡି। ପରିସ୍ଥିତି ଏମିତି ହୋଇଛି ଯେ ଶ୍ରୀକାନ୍ତ ଅନ୍ୟୋପାୟ ନ ପାଇ ନିଜର ଚରମ ବିରୋଧୀ ପଟ୍ଟନାୟକଙ୍କ ଅଧୀନରେ କାମ କରିବେ ନ ହେଲେ ଚୁପ୍ଚାପ୍ ଅନ୍ୟବାଟ ଦେଖିବେ। କଂଗ୍ରେସ ଘୋଷଣା କରିଥିବା ସାମାଜିକ ନ୍ୟାୟ କମିଟି ଗଠନରୁ ଏହା ପ୍ରତୀତ ହେଉଛି।
ଏପ୍ରିଲ ୧୬ ତାରିଖ ୨୦୨୫। ପ୍ରାୟ ଏକମାସ ତଳର କଥା। ଉତ୍ତରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ସାଂସଦ ଅଖିଳେଶ ଯାଦବଙ୍କ ସହ ଓଡ଼ିଶାରେ ସାମାଜିକ ନ୍ୟାୟ ଆନ୍ଦୋଳନ ପାଇଁ ଅଣ୍ଟା ବାନ୍ଧିଥିଲେ କଂଗ୍ରେସ ନେତା ଶ୍ରୀକାନ୍ତ ଜେନା। ଶ୍ରୀକାନ୍ତ ସେତେବେଳେ ନୀରବ ଥିଲେ ମଧ୍ୟ ଅଖିଳେଶ ସମାଜବାଦୀ ପାର୍ଟିର କାର୍ଯ୍ୟକ୍ରମକୁ ରାଜ୍ୟରେ ପ୍ରସାର କରିବା ପାଇଁ ତାଙ୍କୁ ମାଧ୍ୟମଭାବେ ଗ୍ରହଣ କରିଥିଲେ। ହେଲେ କଂଗ୍ରେସଦ୍ୱାରା ଅତୀତରେ ଉପକୃତ ହୋଇଥିବା ଶ୍ରୀକାନ୍ତ କଂଗ୍ରେସରେ ରହିବେ ନା ନାହିଁ ସେ ବିଷୟ ସ୍ପଷ୍ଟ କରିନଥିଲେ। ଅର୍ଥାତ୍ ପୂର୍ବ ସ୍ଥିତି ବଜାୟ ରଖିଥିଲେ।
କିନ୍ତୁ ରାଜ୍ୟରେ ଆରମ୍ଭ ହୋଇଥିଲା ଓବିସି ଚର୍ଚ୍ଚା। ଏହି ବର୍ଗଙ୍କୁ ରାଜ୍ୟରେ ଆରକ୍ଷଣ ଦିଆଯିବା ନେଇ ଆନ୍ଦୋଳନ ପ୍ରସାରିତ ହୋଇଥିଲା। କୁହାଯାଏ ତାଙ୍କରି ଆଦର୍ଶରେ ଅନୁପ୍ରାଣୀତ ହୋଇ ବିଜେଡିର ଅରୁଣ ସାହୁ ଏ ପ୍ରସଙ୍ଗକୁ ହାଇଜାକ୍ କରିବାକୁ ଚେଷ୍ଟା କରିଥିଲେ। ରାଜ୍ୟରେ କଂଗ୍ରେସ ସ୍ଥିତି କମଜୋର ଥିବାରୁ ବିଜେଡି ପକ୍ଷରୁ ଏହି ଆନ୍ଦୋଳନକୁ ଦୃଢ଼ କରାଯିବାକୁ ଚେଷ୍ଟା ହୋଇଥିଲା।
ଯେଉଁ ପଛୁଆ ବର୍ଗଙ୍କ ଉତ୍ଥାନ ପାଇଁ ସାମାଜିକ ନ୍ୟାୟ ଆନ୍ଦୋଳନ କଥା ପୂର୍ବରୁ ରଣେନ୍ଦ୍ର ପ୍ରତାପ ସ୍ୱାଇଁ କହୁଥିଲେ, ଏବେ ଅରୁଣ ସାହୁ ତାହାକୁ କେବଳ ଓବିସିଙ୍କ ପରିପ୍ରେକ୍ଷୀରେ ସଙ୍କୁଚିତ କରି ପ୍ରସଙ୍ଗକୁ ଅଧିକ ଶାଣିତ କରିଥିଲେ। ଫଳରେ ରାଜ୍ୟ ପଡ଼ିଲା ଓ ଉଠିଲା। ଶିକ୍ଷାଠାରୁ ଚାକିରି ଯାଏ ଓବିସିଙ୍କୁ ମଣ୍ଡଳ କମିଶନଙ୍କ ସୁପାରିସ ଅନୁସାରେ ୨୭ ପ୍ରତିଶତ ଆରକ୍ଷଣ ଦେବା ଲାଗି ଦାବି କରିଛନ୍ତି ଅରୁଣ। ଗଣମାଧ୍ୟମରେ ଚର୍ଚ୍ଚା ହେଲା। ଏ କଥା ଲୋକଙ୍କୁ ଧରିଲା। ସରକାର ଓ ବିରୋଧୀ ଦଳ ଏଥିନେଇ ସତର୍କ ହେଲେ।
‘ଯେତିକି ସଂଖ୍ୟା ଯାହାର, ସେତିକି ଗୁରୁତ୍ୱ ତାହାର’ ଏହି ସ୍ଲାଗାନ ଦେଇ ଅରୁଣ ବିଧାନସଭା ଘେରିଲେ। ଆଉ କିଛିଦିନ ପରେ ମୁଖ୍ୟମନ୍ତ୍ରୀ ଓବିସିଙ୍କ ପାଇଁ ରାଜ୍ୟ ଶିକ୍ଷାନୁଷ୍ଠାନରେ ୧୧.୨୫% ଆସନ ସଂରକ୍ଷିତ କରିବା ଲାଗି ନିଷ୍ପତ୍ତି ନେଲେ। ଏହା ଯଦିଓ ବିଜେଡି ଚାପରେ ଥିଲା କିନ୍ତୁ ପୂର୍ବତନ ବିଜେଡି ସରକାରଙ୍କୁ ଏହାଦ୍ୱାରା ନିନ୍ଦିତ କରିବା ଲାଗି ବିଜେପି ଅଭିଯାନ ଚଳାଇଲା। ଯେଉଁ ସରକାର ୨୪ ବର୍ଷ ହେଲା ଶାସନରେ ରହି କିଛି କରିପାରିଲା ନାହିଁ ତାହା ବିଜେପି ଆସିବାର ମାତ୍ର ଏକ ବର୍ଷ ଭିତରେ କରି ଦେଖାଇଲା ବୋଲି ପ୍ରଚାର କଲା। ଏବେ ବିଭିନ୍ନ ସ୍ଥାନରେ ଏ ନେଇ ପୋଷ୍ଟର ବ୍ୟାନର ଲଗାଇ ପ୍ରସାର କରିବାରେ ଲାଗିଛି ବିଜେପି।
ନୟାଗଡ଼ ବିଧାୟକ ଅରୁଣ ସାହୁ ଏ ବାବଦରେ ମନ୍ତବ୍ୟ ରଖି ସରକାରଙ୍କ ଉପରେ ମେଡିକାଲ୍ ଓ ବୈଷୟିକ ଶିକ୍ଷା କ୍ଷେତ୍ରରେ ମଧ୍ୟ ଆରକ୍ଷଣ ନୀତି ଲାଗୁ କରିବା ଏବଂ ଏହି ଆରକ୍ଷଣକୁ ୨୭ ପ୍ରତିଶତକୁ ବୃଦ୍ଧି ପାଇଁ ଦାବି କରିଛନ୍ତି। ଏହା ସାଧାରଣତଃ କଂଗ୍ରେସ ଏବଂ ବିଜେପିଠୁ ଲୋକଙ୍କ ନଜରକୁ ବିଜେଡି ଆଡ଼କୁ ଆକର୍ଷିତ କରିବାକୁ ଉଦ୍ଦିଷ୍ଟ ରହିଛି। ସର୍ବୋପରି ଏ ଆନ୍ଦୋଳନରେ ଅନୂସୂଚିତ ଜାତି, ଜନଜାତିଙ୍କ କଥା ରହି ନାହିଁ। ବରଂ ଏହା କେବଳ ପଛୁଆ ବର୍ଗ ବା ଓବିସିଙ୍କ ସ୍ୱାର୍ଥ ହାସଲ ଲାଗି ଉଦ୍ଦିଷ୍ଟ ରହିଛି। ଅର୍ଥାତ୍ କିଛିଦିନ ତଳେ ବିଜେଡି ସୁପ୍ରିମୋଙ୍କୁ ଚିଠି ଲେଖି ସାମାଜିକ ନ୍ୟାୟ ପରିପ୍ରକ୍ଷୀରେ ଆନ୍ଦୋଳନ ପାଇଁ ଅନୁରୋଧ କରିଥିବା ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କ ଅନୁରୂପ ଏକ ପଦକ୍ଷେପ। ଫରକ ଏତିକି ଯେ ରାଜା ସ୍ୱାଇଁ ସମସ୍ତ ପଛୁଆ ବର୍ଗଙ୍କ ପାଇଁ କାମ କରିବାକୁ ଗୁରୁତ୍ୱ ଦେଉଥିବାବେଳେ ଅରୁଣ କେବଳ ଓବିସିଙ୍କ ଉପରେ ଧ୍ୟାନ ଦେଲେ।
ସାମ୍ପ୍ରତିକ ରାଜନୀତିରେ ଓବିସିଙ୍କ ପାଇଁ ଚାଲିଥିବା ଚର୍ଚ୍ଚାକୁ ଆଖିରେ ରଖି ବିଜେଡି ରାଜାଙ୍କ ଅନୁରୋଧରେ ନୀରବ ରହି ଅରୁଣଙ୍କ ପାଇଁ ଏକ କମିଟି ତିଆରି କରି ସେଥିରେ ତାଙ୍କୁ ନେତା ବୋଲି ଘୋଷଣା କରିଛନ୍ତି। ଅରୁଣ ବି ଏଥିରେ ଭାରି ଖୁସି। ହେଲେ ଦୁଃଖରେ ପଡ଼ିଛନ୍ତି ବାବୁ ଶ୍ରୀକାନ୍ତ। ରାଜନୀତିକ ମହଲର ଚର୍ଚ୍ଚା ଅନୁସାରେ ଅରୁଣଙ୍କୁ ଓବିସି ଆନ୍ଦୋଳନ ପନ୍ଥା ବାଛିବାକୁ ଶ୍ରୀକାନ୍ତ ହିଁ ପରାମର୍ଶ ଦେଉଛନ୍ତି। କିନ୍ତୁ ଶିଷ୍ୟ ଏବଂ ଗୁରୁଙ୍କଠାରୁ ୧୦ ପାଦ ଆଗକୁ ଚାଲି ଯାଇଛନ୍ତି। ଶ୍ରୀକାନ୍ତ ପଛରେ ପଡ଼ି କୁଆଡ଼େ ଯିବେ ଚିନ୍ତା କରିପାରୁ ନାହାନ୍ତି। କାରଣ କଂଗ୍ରେସ ତାଙ୍କୁ ଆଉ ପ୍ରକୃତ ନେତାଭାବେ ଦେଖୁ ନାହିଁ। ଏପରିକି ରାତାରାତି ଯେଉଁ ଆନ୍ଦୋଳନ କଂଗ୍ରେସ ଚଳାଇଛି ସେଥିରେ ବି କ୍ୱଚିତ୍ ସାମିଲ କରୁଛନ୍ତି। ପୁଣି ଏବେ ଏକ କମିଟି ଗଠନ କରିଛନ୍ତି।
ଏହି କମିଟି ସବୁ ପଛୁଆ ଜାତି, ଏସ୍ସି, ଏସ୍ଟିଙ୍କ କଥା ଚିନ୍ତା କରିବେ। ଏହି କମିଟିର ଅଧ୍ୟକ୍ଷଭାବେ ନିରଞ୍ଜନ ପଟ୍ଟନାୟକଙ୍କୁ ନିଯୁକ୍ତ କରିଛି। ଏଥିରେ ସଦସ୍ୟ ରହିଛନ୍ତି ଶ୍ରୀକାନ୍ତ ଜେନା। ଓଡ଼ିଶା ରାଜନୀତି ସହ ପରିଚୟ ରଖୁଥିବା ପ୍ରତିଟି ବ୍ୟକ୍ତି ଏହା ଜାଣନ୍ତି ଯେ, ପଟ୍ଟନାୟକ ପରିବାରକୁ ଶ୍ରୀକାନ୍ତ କି ନଜରରେ ଦେଖନ୍ତି। ଯେତେବେଳେ ବି କ୍ଷମତାକୁ ଆସିଛନ୍ତି ଶ୍ରୀକାନ୍ତ ତାଙ୍କୁ ମୁହଁ ମାଡ଼ି ପଡ଼ିବା ଶିଖାଇଛନ୍ତି। ଏବେ ନିରଞ୍ଜନ କ୍ଷମତାକୁ ଆସିଥିବାରୁ ଶ୍ରୀକାନ୍ତଙ୍କୁ କାମ କରିବା କଷ୍ଟକର ହୋଇପାରେ।
ଏଥିଲାଗି ସେ କମିଟି ଛାଡ଼ି ପାରନ୍ତି କିମ୍ବା ନିଜର ଫାଇଦା ପାଇଁ କିଛିଦିନ ଚୁପ୍ ବସିପାରନ୍ତି। ନ ହେଲେ ବାବୁ ଶ୍ରୀକାନ୍ତ ଅଖିଳେଶଙ୍କ ଶରଣରେ ଯାଇ ସମାଜବାଦୀ ପାର୍ଟିକୁ ଓଡ଼ିଶାରେ ପ୍ରସାରିତ କରିବା ପାଇଁ ପଦକ୍ଷେପ ନେଇପାରନ୍ତି। ହେଲେ ଏହା ସ୍ପଷ୍ଟ ଯେ କଂଗ୍ରେସର ଗୁଡ୍ବୁକରେ ଆଉ ଶ୍ରୀକାନ୍ତ ନାହାନ୍ତି। ଶ୍ରୀକାନ୍ତ ଜେନା ଆଉଟ୍ ହୋଇ ସାରିଛନ୍ତି। ପୁଣି ଏକ ନୂଆ ପାଳିକୁ ଅପେକ୍ଷା କରିଛନ୍ତି।