ଡ, ସମନ୍ୱୟ ନନ୍ଦ
ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ଦ୍ୱିତୀୟ ସରସଂଘଚାଳକ ମାଧବ ସଦାଶିବ ରାଓ ଗୋଲବାଲକର ଉପାଖ୍ୟ ଶ୍ରୀଗୁରୁଜୀଙ୍କ ସମ୍ପର୍କରେ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀ କହିଥିଲେ – “ଶ୍ରୀଗୁରୁଜୀଙ୍କ ମହାନ ବ୍ୟକ୍ତିତ୍ୱରେ ସମର୍ଥ ରାମଦାସଙ୍କ ଭକ୍ତି ଓ ଶିବାଜୀ ମହାରାଜଙ୍କ ଶକ୍ତିର ଅପୂର୍ବ ସଂଗମ ଥିଲା । ତାଙ୍କ ନିକଟରେ ରାମ-କୃଷ୍ଣଙ୍କ ତପସ୍ୟା ଓ ସ୍ୱାମୀ ବିବେକାନନ୍ଦଙ୍କ ତେଜ ର ସମନ୍ୱୟ ଥିଲା । ଆତ୍ମ ବିସ୍ମୃତ ହିନ୍ଦୁ ସମାଜକୁ ସ୍ୱତ୍ୱ ର ସାକ୍ଷାତକାର କରାଇ ଶ୍ରୀଗୁରୁଜୀ ତାକୁ ସଂଗଠିତ, ଶକ୍ତିଶାଳୀ ତଥା ଆତ୍ମବିଶ୍ୱାସରେ ପରିପୂର୍ଣ କରିବାର ରାଷ୍ଟ୍ର କାର୍ଯ୍ୟ ପାଇଁ ନିଜର ଶରୀରର କଣ କଣ ଓ ଜୀବନର କ୍ଷଣ କ୍ଷଣ ସମର୍ପିତ କରି ଦେଇଥିଲେ । ”
ଏ ଭଳି ଜଣେ ମହାନ ବ୍ୟକ୍ତି ଯିଏ ଭାରତ ପାଇଁ ସାରା ଜୀବନ ସମର୍ପି ଦେଇଥିଲେ ତାଙ୍କ ସମ୍ପର୍କରେ ବିରୋଧୀ ବିଚାରଧାରାର ଲୋକ ମାନେ ବିଶେଷ ଭାବେ କମ୍ୟୁନିଷ୍ଟ ମାନେ ଲଗାତାର ଭାବେ ଦୁଷ୍ପ୍ରଚାର କରି ଆସିଛନ୍ତି । ତାଙ୍କ ଭଳି ଜଣେ ତପସ୍ୱୀଙ୍କ ବିରୁଦ୍ଧରେ ଅନେକ ଅନର୍ଗଳ ମିଥ୍ୟା କଥା ସେମାନେ ଉଲ୍ଲେଖ କରିଛନ୍ତି । ଶ୍ରୀଗୁରୁଜୀଙ୍କ ବିଷୟରେ ଏହି ଭ୍ରମ ଯଥାର୍ଥ କାରଣରୁ ନୁହେଁ ଅପ ପ୍ରଚାର କାରଣରୁ ରହିଥିଲା । ତେବେ ସମୟ ସମୟରେ ତାଙ୍କ ସହ ସଂସ୍ପର୍ଶରେ ଆସିଥିବା ତାଙ୍କ ବିରୋଧୀ ବିଚାରଧାରାର ଲୋକ ମାନେ ତାଙ୍କର ବିଶାଳ ବ୍ୟକ୍ତିତ୍ୱ ସମ୍ପର୍କରେ ଉଲ୍ଲେଖ କରିଛନ୍ତି । ଏହି ଲେଖାରେ ସେହି ଭଳି କିଛି ଲୋକଙ୍କ ଅନୁଭୁତି ବିଷୟରେ ଉଲ୍ଲେଖ କରିବା ।
ପ୍ରଥମେ ଏଭଳି ଜଣେ ବ୍ୟକ୍ତି ହେଲେ ବରିଷ୍ଠ ସାମ୍ବାଦିକ ଖୁସବନ୍ତ ସିଂହ । ବିଶିଷ୍ଟ ସାମ୍ବାଦିକ ତଥା ଇଲେଷ୍ଟ୍ରେଟେଡ ବିକଲୀର ତତ୍କାଳୀନ ସମ୍ପାଦକ ଖୁସବନ୍ତ ସିଂହ ୧୭ ନଭେମ୍ବର, ୧୯୭୨ରେ ମୁମ୍ବାଇ ଠାରେ ମାଧବ ସଦାଶିବରାଓ ଗୋଲବାଲକରଙ୍କୁ ଭେଟିଥିଲେ । ତାଙ୍କୁ ଭେଟିବା ପରେ ସେ ଗୁରୁଜୀଙ୍କ ସମ୍ପର୍କରେ ତାଙ୍କର ଅନୁଭୁତି ସମ୍ପର୍କରେ ଲେଖିଥିଲେ । ଖୁସବନ୍ତ ସିଂହ ଲେଖିଥିଲେ – “କିଛି ଲୋକ ଏପରି ହୋଇଥାନ୍ତି ଯେ ଯାହାଙ୍କୁ ଆମେ ନ ଜାଣି ନ ବୁଝି ଘୃଣା କରିବା ଆରମ୍ଭ କରି ଦେଇଥାନ୍ତି । ଏହି ପ୍ରକାରର ଲୋକଙ୍କ ମଧ୍ୟରେ ଗୁରୁ ଗୋଲବାଲକର ମୋର ତାଲିକାରେ ସର୍ବାଗ୍ରେ ଥିଲେ । ସାମ୍ପ୍ରଦାୟିକ ଦଙ୍ଗାରେ ରାଷ୍ଟ୍ରୀୟ ସ୍ୱଂୟଂସେବକ ସଂଘର କାରନାମା, ମହାତ୍ମା ଗାନ୍ଧୀଙ୍କ ହତ୍ୟା, ଭାରତକୁ ଧର୍ମନିରପେକ୍ଷରୁ ହିନ୍ଦୁ ରାଜ୍ୟ ଭାବେ ତିଆରି କରିବାର ପ୍ରୟାସ ଆଦି ଅନେକ କଥା ମୁଁ ତାଙ୍କ ବିଷୟରେ ଶୁଣିଥିଲି । ଏହା ସତ୍ୱେ ଜଣେ ସାମ୍ବାଦିକ ଭାବେ ତାଙ୍କୁ ଭେଟିବାର ମୋହ ମୁଁ ତ୍ୟାଗ କରି ପାରି ନ ଥିଲି ।
ମୁଁ ଭାବୁଥିଲି ଯେ ତାଙ୍କୁ ଦେଖା କରିବା ସମୟରେ ମୋତେ ଗଣବେଶଧାରୀ ସ୍ୱୟଂସେବକ ମାନଙ୍କ ଘେରା ଦେଇ ଯିବାକୁ ହେବ, କିନ୍ତୁ ଏପରି କିଛି ହୋଇ ନ ଥିଲା । କେବଳ ସେତିକି ନୁହେଁ, ମୋର କାରର ନମ୍ବର ନୋଟ କରୁଥିବା କୌଣସି ଗୁପ୍ତଚର ମଧ୍ୟ ସେଠାରେ ଥିବ, ଏପରି ମଧ୍ୟ ହୋଇ ନ ଥିଲା । ସେ ଯେଉଁ ଠାରେ ରହିଥିଲେ ତାହା କୌଣସି ମଧ୍ୟମ ଶ୍ରେଣୀର ପରିବାରଙ୍କ ଘର ଥିଲା । ବାହାରେ ଜୋତା-ଚପଲର ଲମ୍ବା ଧାଡି ଥିଲା । ବାତାବରଣରେ ଧୁପକାଠିର ସୁଗନ୍ଧ ଆସୁଥିଲା, ଏପରି ଲାଗୁଥିଲା ଯେ ରୁମରେ ପୁଜା ହେଉଛି । ଭିତର ରୁମରେ ମହିଳା ମାନଙ୍କ ଶବ୍ଦ ଶୁଭୁଥିଲା । ବାସନକୁସନର ଶବ୍ଦ ମଧ୍ୟ ଶୁଭୁଥିଲା । ମୁଁ ରୁମରେ ପହଂଚିଲି । ମହାରାଷ୍ଟ୍ରୀୟ ବ୍ରାହ୍ମଣଙ୍କ ପଦ୍ଧତି ଅନୁସାରେ ଶୁଭ-ଧବଳ ଧୋତି କୁର୍ତା ପିନ୍ଧି ୧୦-୧୨ ଜଣ ବ୍ୟକ୍ତି ସେଠାରେ ବସିଥିଲେ ।
ପାଖାପାଖି ୬୫ ବର୍ଷ ବୟସ, କାନ୍ଧ ଉପରେ ଝୁଲୁଥିବା କେଶରାଶି, ମୁଖମୁଦ୍ରାକୁ ଆବୃତ କରିଥିବା ନିଶ, ଧଳା ଦାଢି, କେବେ ହେଲେ ଲୁପ୍ତ ହେଇ ନ ଥିବା ହସ ଓ ଚଷମା ଭିତରେ ଥିବା ତାଙ୍କର ଚମକୁଥିବା ନେତ୍ର, ମୋତେ ଲାଗିଲା ଯେ ସେ ହେଉଛନ୍ତି ଭାରତୀୟ ହୋଚି- ମିନ୍ହ । ତାଙ୍କର ଛାତିରେ କର୍କଟ ରୋଗ କାରଣରୁ ଅଳ୍ପ ଦିନ ହେଲା ଶଲ୍ୟ କ୍ରିୟା ହୋଇଥାଏ । ତଥାପି ସେ ସମ୍ପୂର୍ଣ ସୁସ୍ଥ ଓ ପ୍ରସନ୍ନଚିତ ଦିଶୁଥିଲେ ।
ଗୁରୁ ହୋଇଥିବା କାରଣରୁ ମୁଁ ଶିଷ୍ୟ ଭଳି ତାଙ୍କର ଚରଣ ସ୍ପର୍ଶ କରିବାକୁ ଆଶା କରୁଥିବେ, ଏଇଆ ଭାବି ମୁଁ ନଇଁଲି କିନ୍ତୁ ସେ ଏପରି କରିବାକୁ ମୋତେ ସୁଯୋଗ ଦେଲେ ନାହିଁ । ସେ ମୋର ହାତକୁ ଧରି ପାଖରେ ବସାଇଲେ ଆଉ କହିଲେ ଆପଣଙ୍କ ସହ ଭେଟି ଅତ୍ୟନ୍ତ ଖୁସି ଲାଗିଲା । ବହୁତ ଦିନରୁ ଆପଣଙ୍କୁ ଭେଟିବାର ଇଚ୍ଛା ଥିଲା । ତାଙ୍କର ହିନ୍ଦୀ ଅତ୍ୟନ୍ତ ଶୁଦ୍ଧ ଥିଲା । ମୋତେ ମଧ୍ୟ, ବିଶେଷ ଭାବେ ମୁଁ ଆପଣଙ୍କର ଲିଖିତ ବଂଚ ଅଫ ଲେଟର୍ସ ପଢିବା ପରେ, କିଛି ସଙ୍କୋଚର ସହ ମୁଁ କହିଲି । ବଂଚ ଅଫ ଥଟ୍ସ ବୋଲି କହି ସେ ମୋର ଭୁଲକୁ ସୁଧାରିଲେ କିନ୍ତୁ ସେହି ଗ୍ରନ୍ଥକୁ ନେଇ ମୋର ମତ ଜାଣିବାରେ ସେ କୌଣସି ପ୍ରକାର ଇଚ୍ଛା କଲେ ନାହିଁ । ମୋର ପାପୁଲି ଉପରେ ହାତ ଧରି କହିଲେ – କହନ୍ତୁ ।
ମୁଁ ବୁଝି ପାରୁ ନ ଥିଲି ଯେ କେଉଁ ଠାରୁ ଆରମ୍ଭ କରିବି । ମୁଁ କହିଲି ଯେ ମୁଁ ଶୁଣିଛି ଯେ ଆପଣ ସମ୍ବାଦପତ୍ରୀୟ ପ୍ରସିଦ୍ଧି ଓ ପ୍ରଚାରରୁ ଦୂର ରହନ୍ତି ଓ ଆପଣଙ୍କ ସଂଗଠନ ଗୁପ୍ତ ଭାବେ କାମ କରେ । ସେ କହିଲେ ଯେ ଏଇଆ ସତ ଯେ ଆମକୁ ପ୍ରସିଦ୍ଧି ବା ପ୍ରଚାରର ଇଚ୍ଛା ନାହିଁ, କିନ୍ତୁ ଗୁପ୍ତ ଭଳି କିଛି ଜିନିଷ ନାହିଁ । ଆପଣ ମୋତେ ଯାହା ଚାହିଁବେ ପଚାରି ପାରନ୍ତି । ଏ ପ୍ରକାର ବିଭିନ୍ନ ବିଷୟରେ ମୋର ତାଙ୍କ ସହ ଖୋଲି କଥାବାର୍ତା ହେଲା । ମୁଁ ଗୁରୁଜୀଙ୍କର ଅଧା ଘଂଟା ସମୟ ନେଇ ସାରିଥିଲି । ଏହା ସତ୍ୱେ ତାଙ୍କ ଚେହେରାରେ ବିଚଳିତ ହେବାର କୌଣସି ପ୍ରକାର ଚିହ୍ନ ଦେଖି ପାରୁ ନ ଥିଲି । ମୁଁ ତାଙ୍କ ଠାରୁ ଯିବା ପାଇଁ ଅନୁମତି ମାଗିଲି ସେତେବେଳେ ସେ ହାତ ଧରି ମୋତେ ପାଦ ଛୁଇଁବାରୁ ରୋକି ଦେଇଥିଲେ ।
କଣ ମୁଁ ତାଙ୍କ ଠାରୁ ପ୍ରଭାବିତ ହେଲି ? ମୁଁ ସ୍ୱୀକାର କରୁଛି ଯେ ହଁ, ସେ ମୋତେ ତାଙ୍କର ଦୃଷ୍ଟିକୋଣ ସ୍ୱୀକାର କରାଇବା ପାଇଁ ତିଳେ ହେଲେ ପ୍ରୟାସ କରି ନଥିଲେ, ବରଂ ସେ ମୋ ଭିତରେ ଏହି ଭାବନା ତିଆରି କରାଇ ଦେଇଥିଲେ ଯେ କୌଣସି ବିଷୟ ବୁଝିବା – ବୁଝାଇବା ପାଇଁ ତାଙ୍କର ହୃଦୟ ଖୋଲା ରହିଛି । ନାଗପୁର ଆସି ବସ୍ତୁସ୍ଥିତିକୁ ସ୍ୱୟଂ ବୁଝିବା ପାଇଁ ତାଙ୍କର ନିମନ୍ତ୍ରଣକୁ ସ୍ୱୀକାର କରି ନେଲି । ହୁଏତ ଏପରି ହୋଇ ପାରେ ଯେ ହିନ୍ଦୁ – ମୁସଲିମ ଏକତାକୁ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ଉଦ୍ଦେଶ୍ୟ ଭାବେ ତିଆରି କରିବାକୁ ମୁଁ ତାଙ୍କୁ ମନାଇ ପାରିବି ବା ହୁଏତ ମୋର ଏହି ଧାରଣା ଏକ ସରଳ ସର୍ଦାର ଭଳି ହେବ । ”
ସେହିପରି ଅନ୍ୟ ଜଣେ ବ୍ୟକ୍ତି ହେଉଛନ୍ତି ଡ. ଅଶୋକ ମିତ୍ର । ସେ ମଧ୍ୟ ଶ୍ରୀଗୁରୁଜୀଙ୍କ ସମ୍ପର୍କରେ ଆସିଥିଲେ । ଶ୍ରୀଗୁରୁଜୀଙ୍କ ସମ୍ପର୍କରେ ଆସିବା ପରେ ତାଙ୍କ ମନରେ ଯାହା ଧାରଣା ଥିଲା ତାହା ସମ୍ପୂର୍ଣ ବଦଳି ଯାଇଥିଲା । ଜଣେ ନିଷ୍ଠାବାନ କମ୍ୟୁନିଷ୍ଟ ବିଦ୍ୱାନ ଥିଲେ ଡ. ଅଶୋକ ମିତ୍ର । ସେ ପଶ୍ଚିମ ବଙ୍ଗ ସରକାରରେ ଅର୍ଥ ମନ୍ତ୍ରୀ ଭାବେ ମଧ୍ୟ ଦାୟିତ୍ୱ ତୁଲାଇଛନ୍ତି । ଗୁରୁଜୀଙ୍କ ବିଷୟରେ ତାଙ୍କର ଅନୁଭୂତିକୁ ନେଇ ଏକ ଲେଖା ୧୯୯୧ ମସିହାରେ ଲେଖିଥିଲେ । ତାଙ୍କର ଏହି ଲେଖା ଟି କୋଲାକାତାରୁ ପ୍ରକାଶିତ ହେଉଥିବା ବଙ୍ଗଳା ସମ୍ବାଦପତ୍ର ଆଜିକାଲିରେ ପ୍ରକାଶିତ ହୋଇଥିଲା । ଅଶୋକ ମିତ୍ରଙ୍କର ଏହି ଲେଖାର ଶୀର୍ଷକ ଥିଲା ଗାଈର କାହାଣୀ ଓ ଗୁରୁଙ୍କ କାହାଣୀ । ଏହି ଲେଖାରେ ଅଶୋକ ମିତ୍ର ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ଦ୍ୱିତୀୟ ସରସଂଘଚାଲକ ମାଧବ ସଦାଶିବ ରାଓ ଗୋଲବାଲକରଙ୍କ ସହ ତାଙ୍କର ପୁରୁଣା ଅନୁଭୁତି ସମ୍ପର୍କରେ ଉଲ୍ଲେଖ କରିଥିଲେ । ୧୯୬୬ -୬୭ ମସିହାରେ କଥା ସମ୍ପର୍କରେ ସେ ଏଥିରେ ଉଲ୍ଲେଖ କରିଥିଲେ ।
ଅଶୋକ ମିତ୍ରଙ୍କ ଗୁରୁଜୀଙ୍କ ସହ ସମ୍ପର୍କର ପୃଷ୍ଠ ଭୂମି ସମ୍ପର୍କରେ ଉଲ୍ଲେଖ କରିବା ଉଚିତ ହେବ । ଦିଲ୍ଲୀରେ ସାଧୁ ସନ୍ଥ ମାନେ ଦେଶରୁ ଗୋ ହତ୍ୟା ଉପରେ ସମ୍ପୂର୍ଣ ରୋକ ଲଗାଇବାକୁ ଦାବି କରି ୧୯୬୬ ମସିହା ନଭେମ୍ବର ମାସ ୭ ତାରିଖ ଦିନ ଏକ ବିଶାଳ ରାଲୀ ସଂସଦ ମାର୍ଗରେ ହୋଇଥିଲା । ଏହି ରାଲୀ ଉପରେ ତତ୍କାଳୀନ ଇନ୍ଦିରା ସରକାର ଗୁଳି ଚଳାଇଥିଲେ । ଏହି ଗୁଳିମାଡରେ ଶହ ଶହ ସାଧୁ ସନ୍ଥଙ୍କ ବଳିଦାନ ହୋଇଥିଲା । ଏହି ଘଟଣା ପରେ ସରକାର ଏକ କମିଟି ଗଠନ କରିଥିଲେ । ଏହି କମିଟିରେ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ତତ୍କାଳୀନ ସରସଂଘଚାଳକ ଗୁରୁଜୀ, ପୁରୀର ଶଂକରାଚାର୍ଯ୍ୟ, ଡ. ଶ୍ୟାମା ପ୍ରସାଦ ମୁଖାର୍ଜୀଙ୍କ ଜ୍ୟେଷ୍ଠ ଭ୍ରାତା ବିଚାରପତି ରମା ପ୍ରସାଦ ମୁଖାର୍ଜୀଙ୍କୁ ସାମିଲ କରା ଯାଇଥିଲା । ଏହି କମିଟିରେ କମ୍ୟୁନିଷ୍ଟ ନେତା ଅଶୋକ ମିତ୍ର ମଧ୍ୟ ଥିଲେ । ସେତେବେଳର ଶ୍ରୀଗୁରୁଜୀଙ୍କ ସହ ଅନୁଭୂତିକୁ ନେଇ ଅଶୋକ ମିତ୍ର ଖବରକାଗଜରେ ଲେଖା ଲେଖିଥିଲେ ।
ଏହି ଲେଖାରେ ଅଶୋକ ମିତ୍ର ଶ୍ରୀଗୁରୁଜୀଙ୍କ ସହ ତାଙ୍କର ଅନୁଭୂତି ସମ୍ପର୍କରେ ଉଲ୍ଲେଖ କରି ସେ ଉକ୍ତ ଲେଖାରେ ଲେଖିଥିଲେ – “ ଏହି କମିଟିରେ ଥିବା ଲୋକ ମାନଙ୍କ ମଧ୍ୟରୁ ସବୁଠାରୁ ଅଧିକ ମାଧବ ସଦାଶିବ ରାଓ ଗୋଲବାଲକର ମୋତେ ଆଶ୍ଚର୍ଯ୍ୟରେ ପକାଇଥିଲେ । ତାଙ୍କର ଉଗ୍ରତା ସମ୍ପର୍କରେ ମୁଁ ଖୁବ ଅଧିକ ଶୁଣିଥିଲି । ରଷ୍ଟ୍ରୀୟ ସ୍ୱୟଂସେବକର ସେ ପ୍ରତିଷ୍ଠା ପୁରୁଷ ଥିବା ସହିତ ଅନ୍ଧଭକ୍ତି ତଥା ଗମ୍ଭୀର ଆତଙ୍କର ସେ କେନ୍ଦ୍ର ବିନ୍ଦୁ ଥିଲେ । କିନ୍ତୁ ମୁଁ ଶୁଣିଥିବା ଓ ସେ ଆଧାରର ମୋ ମନରେ ତାଙ୍କ ସମ୍ପର୍କରେ ଯେଉଁ ଧାରଣା ତିଆରି ହୋଇଥିଲା ତାହା ଭୁଲ ବୋଲି ପ୍ରମାଣିତ ହେଲା । ମିଟିଂ ମାନଙ୍କରେ ମୁଁ ଦେଖିଲି ଯେ ଗୁରୁଜୀ ଆବଶ୍ୟକତା ଠାରୁ କେତେବେଳେ ଅଧିକ କିଛି କହୁ ନ ଥିଲେ । ଆବଶ୍ୟକତା ଅନୁସାରେ ଅତ୍ୟନ୍ତ ବିନମ୍ର ଓ ଆଗ୍ରହ ପୂର୍ବକ କହୁଥିଲେ । ଯଦି କାହାର ବିଚାର ଓ ଅଭିବ୍ୟକ୍ତି କାହାକୁ ପସନ୍ଦ ଆସୁ ନ ଥିଲା ତେବେ ତାଙ୍କ ପ୍ରତି ଗୁରୁଜୀଙ୍କ ବ୍ୟବହାରରେ କୌଣସି ପରିବର୍ତନ ଆସୁ ନ ଥିଲା । ସେ ଭାରତ ବର୍ଷର ପ୍ରାୟ ସବୁ ଭାଷା ଜାଣିଥିଲେ । ମୋ ସହିତ ସେ ବଙ୍ଗଳା ଭାଷାରେ କଥାବାର୍ତା କରିବାକୁ ପସନ୍ଦ କରୁଥିଲେ । ଶ୍ରୀଗୁରୁଜୀଙ୍କ ବିଷୟରେ ମୋର ଧାରଣା ‘ବିଷ ଭଳି’ ଥିଲା । କିନ୍ତୁ ତାଙ୍କର ବିନମ୍ରତା ଓ ସୌଜନ୍ୟତା ମୋର ତାଙ୍କ ପ୍ରତି ଥିବା ସମସ୍ତ ପୂର୍ବ ଧାରଣା ଗୁଡିକୁ ସନ୍ଦେହରେ ପକାଇ ଦେଇଥିଲା । ଉକ୍ତ କମିଟିର ବୈଠକରେ ସେ ଯେବେ ଯେବେ ଭାଗ ନେବା ପାଇଁ ଆସୁଥିଲେ ସେତେବେଳେ କେବେହେଲେ ମଧ୍ୟ ମୋତେ ସେ ଉଗ୍ର ଦେଖା ଯାଇ ନ ଥିଲେ । ତାଙ୍କର ଆଚରଣ ପୁରୀର ଶଂକରାଚାର୍ଯ୍ୟଙ୍କ ଆଚରଣ ଠାରୁ ସମ୍ପୂର୍ଣ ଭିନ୍ନ ଥିଲା । ମୋତେ ଏହା ସ୍ୱୀକାର କରିବାରେ କୌଣସି ଅସୁବିଧା ନାହିଁ ଯେ ତାଙ୍କର (ଶ୍ରୀଗୁରୁଜୀ)ଙ୍କ ଆଚରଣ ଓ ବ୍ୟବହାର ମୋତେ ମୁଗ୍ଧ କରି ଦେଇଥିଲା । ସେତେବେଳେ ସମ୍ଭବତଃ ମୁଁ କଳ୍ପନା କରି ନ ଥିଲି ଯେ ତାଙ୍କର ବ୍ୟବହାରକୁ ନେଇ ମୋତେ ଆହୁରି ମୋହିତ ହେବାକୁ ପଡିବ ।
ଉପରୋକ୍ତ କମିଟି ଭଙ୍ଗ ହେବାର ପାଖାପାଖି ଏକ ବର୍ଷ ପରେ ଏକ ସଂଧ୍ୟାରେ ମୁଁ ନୂଆଦିଲ୍ଲୀ ରେଲବେ ଷ୍ଟେସନରୁ ଦକ୍ଷିଣ ଏକ୍ସପ୍ରେସ ବା ଅନ୍ୟ କୌଣସି ଟ୍ରେନ ଯୋଗେ ବୋଧ ହୁଏ ଭୋପାଳ ଯାଉଥିଲି । ମୋର ନିର୍ଧାରିତ ବଗିରେ ଉଠି ମୋର ବର୍ଥରେ ବସିଲି । କିଛି ସମୟ ପରେ ଅନ୍ୟ ଜଣେ ଯାତ୍ରୀ ମୋ ସାମନା ବର୍ଥରେ ଆସିଲେ । ସେ ଆଉ କେହି ନ ଥିଲେ ବରଂ ଶ୍ରୀଗୁରୁଜୀ ଥିଲେ । ତାଙ୍କୁ ବୋଧ ହୁଏ ଝାନ୍ସି ଯିବାର ଥିଲା । ମୋତେ ଦେଖି ସେ ଅତ୍ୟନ୍ତ ଖୁସି ହେଲେ । ମୋର ସ୍ୱାସ୍ଥ୍ୟ ଓ ପରିବାର ସମ୍ପର୍କରେ ପଚାରି ବୁଝିଲେ । ଉକ୍ତ କମିଟି ଓ ଦେଶ ବିଦେଶର ବିଭିନ୍ନ ପ୍ରସଙ୍ଗକୁ ନେଇ ମୋ ସହ ଆଲୋଚନା କଲେ । ସେ ଅତ୍ୟନ୍ତ ନମ୍ରତାର ପ୍ରତୀକ ଥିଲେ । ମୁଁ ବୟସରେ ତାଙ୍କ ଠାରୁ ସାନ ଥିଲି । ଜଣେ ଜ୍ୟେଷ୍ଠ ଭ୍ରାତାଙ୍କ ଠାରୁ ଯେତିକି ସ୍ନେହ ମିଳିବା , ମୋ ପ୍ରତି ତାଙ୍କର ବ୍ୟବହାର ତା ଠାରୁ ଅଧିକ ସ୍ନେହ ପୂର୍ଣ ଥିଲା ।
ଟ୍ରେନ ଚାଲିବା ଆରମ୍ଭ ହୋଇଗଲା । ଅନ୍ଧକାର ମଧ୍ୟ ଧୀରେ ଧୀରେ ବଢୁଥିଲା । କଥାବାର୍ତା ମଧ୍ୟ ବନ୍ଦ ହୋଇ ଯାଇଥିଲ।। କିଛି ସମୟ ପରେ ମୁଁ ମୋର ବ୍ରିଫକେସରୁ ଏକ ପତ୍ରିକା ବାହାର କରି ପଢିବା ଆରମ୍ଭ କଲି । ମୁଁ ଦେଖିଲି ଯେ କିଛି ସମୟ ମଧ୍ୟରେ ଶ୍ରୀଗୁରୁଜୀ ମଧ୍ୟ ଏକ ପୁସ୍ତକ ବାହାର କରି ପଢିବା ଆରମ୍ଭ କଲେ । ଏହା ମୋ ପାଇଁ ଚକିତ ହେବାର ସମୟ ଥିଲା । ମୋର ଧାରଣା ଥିଲା ଯେ ସନାତନ ଧର୍ମର ଉଗ୍ର ଧ୍ୱଜାବାହକ ଓ ରଷ୍ଟ୍ରୀୟ ସ୍ୱୟଂସେବକ ସଂଘର ମୁଖ୍ୟ ହୋଇଥିବା କାରଣରୁ ସେ କୌଣସି ଧାର୍ମିକ ପୁସ୍ତକ ବା ହିନ୍ଦୁ ଧର୍ମ ଓ ଦର୍ଶନ ସମ୍ପର୍କିତ କୌଣସି ଜଟିଳ ଗ୍ରନ୍ଥ ପଢୁଥିବେ । ମୁଁ ଦେଖିଲି ତାଙ୍କ ହାତରେ ଥିବା ପୁସ୍ତକଟି ଆମେରିକୀୟ ଔପନ୍ୟାସିକ ହେନରୀ ମିଲରଙ୍କ ଲିଖିତ ସଦ୍ୟ ପ୍ରକାଶିତ ଉପନ୍ୟାସ । ଏହା ପରେ ମୋର ଆଶ୍ଚର୍ଯ୍ୟର ଠିକଣା ରହିଲା ନାହିାଁ ବାସ୍, ଏହା ପରର କଥା ଆପଣ ମାନେ ନିଜେ ବୁଝନ୍ତୁ । ସତ୍ୟକୁ ଲୁଚାଇବାରେ କଣ ଲାଭ ? ଏହି ଘଟଣା ପର ଠାରୁ ଶ୍ରୀଗୁରୁଜୀଙ୍କ ପ୍ରତି ମୋର ସମ୍ମାନ ଆହୁରି ବଢି ଯାଇଥିଲା । ”
ଡ. ଅଶୋକ ମିତ୍ରଙ୍କ ଅନୁଭୂତି ଶ୍ରୀଗୁରୁଜୀଙ୍କ ବିଚାର ଓ ବ୍ୟକ୍ତିତ୍ୱକୁ ସ୍ପଷ୍ଟ କରୁଛି । ସେ ନିଜେ ସ୍ୱୀକାର କରିଛନ୍ତି ଯେ ଜଣେ କମ୍ୟୁନିଷ୍ଟ ହୋଇଥିବା କାରଣରୁ ଶ୍ରୀଗୁରୁଜୀଙ୍କ ପ୍ରତି ତାଙ୍କର ବିଚାର ବିଷ ଭଳି ଥିଲା । ଏହା ସତ୍ୱେ ତାଙ୍କ ସଂସ୍ପର୍ଶରେ ଆସିବା ପରେ ତାଙ୍କ ପ୍ରତି ଭାବ କିପରି ବଦଳିଥିଲା ତାର ସେ ଉଲ୍ଲେଖ କରିଛନ୍ତି । ଏହାର କୌଣସି ପ୍ରକାର ବିଶ୍ଲେଷଣ କରିବାର ଆବଶ୍ୟକତା ମନେ ହେଉ ନାହିଁ । ଇଂରାଜୀ ସମ୍ବାଦପତ୍ର ଟାଇମ୍ସ ଅଫ ଇଣ୍ଡିଆ ଶ୍ରୀଗୁରୁଜୀଙ୍କ ସମ୍ପର୍କରେ ତାଙ୍କର ଇୟର ବୁକରେ ଲେଖିବାକୁ ଚାହିଁଥିଲା ଓ ଏ ନେଇ ସେମାନେ ତାଙ୍କୁ ଅନୁରୋଧ କରିଥିଲେ । ଏହାର ଉତରରେ ଶ୍ରୀଗୁରୁଜୀ ତାଙ୍କୁ ଲେଖିଲେ – “ଦେଶର ଉଚ୍ଚ ଶ୍ରେଣୀର ବିଶିଷ୍ଟ ବ୍ୟକ୍ତି ମାନଙ୍କର ତାଲିକାରେ ମୋର ନାମର ଉଲ୍ଲେଖ ହେଉ ସେଥିରେ ମୋର କୌଣସି ଆଗ୍ରହ ନାହିଁ । ଏହାର କାରଣ ସ୍ପଷ୍ଟ ଯେ ମୁଁ ଉକ୍ତ ଶ୍ରେଣୀର ତାଲିକାରେ ସ୍ଥାନ ପାଇବା ପାଇଁ ଯୋଗ୍ୟ ନୁହେଁ । ତେଣୁ ମୋର ଜୀବନ ପ୍ରସଙ୍ଗ ସମ୍ପର୍କରେ କୌଣସି ସନ୍ଦର୍ଭ ସେଥିରେ ପ୍ରକାଶିତ ନ କରିବାକୁ ମୋର ବିନମ୍ର ଅନୁରୋଧ । ଏ ସମ୍ପର୍କରେ ଆପଣଙ୍କର ଅନୁଗ୍ରହ ମୋତେ ନିଶ୍ଚିତ ମିଳିବ ମୋର ସମ୍ପୂର୍ଣ ଆଶା ଓ ବିଶ୍ୱାସ ରହିଛି । ”
( ପ୍ରାବନ୍ଧିକ ଡ. ସମନ୍ୱୟ ନନ୍ଦ ବହୁଭାଷୀ ନ୍ୟୁଜ ଏଜେନ୍ସୀ ହିନ୍ଦୁସ୍ଥାନ ସମାଚାରର ଓଡ଼ିଶା ମୁଖ୍ୟଭାବେ କାମ କରୁଛନ୍ତି। ଭାରତୀୟ ରାଜନୀତି, ସଭ୍ୟତା, ସଂସ୍କୃତି, ଇତିହାସ ଓ ଭୂ ରାଜନୈତିକ ବିଷୟଗୁଡ଼ିକ ତାଙ୍କର ଅଧ୍ୟୟନର ବିଷୟ ।)
ALSO READ https://purvapaksa.com/pandian-syndrome-in-bjp-too/
‘Pandian Syndrome’ in BJP too! ।। ବିଜେପିରେ ବି ‘ପାଣ୍ଡିଆନ୍ ସିଣ୍ଡ୍ରୋମ’!