Spinach paratha: ଶୀତଦିନରେ ବଜାରରେ ସହଜରେ ଉପଲବ୍ଧ ହୋଇଥାଏ ପାଳଙ୍ଗ ଶାଗ । ଏହା ଖାଇବାକୁ ଯେତେ ସ୍ୱାଦିଷ୍ଟ, ଏହାକୁ ରୋଷେଇ କରିବା ମଧ୍ୟ ସେତେ ସହଜ ।
ପାଳଙ୍ଗ ଶାଗରେ ଅଧିକ ପରିମାଣର ପାଣିଥିବାରୁ ଏହା ସିଝିବାରେ ଅଧିକ ସମୟ ନେଇ ନଥାଏ । ପାଳଙ୍ଗ ଶାଗ ଶାରୀରିକ ବିକାଶ ପାଇଁ ବେଶ୍ ଲାଭଦାୟକ। ଏଥିରେ ମିନେରାଲ୍, ଭିଟାମିନ୍ ଓ ଆହୁରି ଅନେକ ପୋଷକ ତତ୍ତ୍ୱ ଭରି ରହିଛି । ଏଥିରେ ସମସ୍ତ ପ୍ରକାର ଔଷଧୀୟ ଗୁଣ ଭରି ରହିଛି । ଯେଉଁମାନଙ୍କ ଶରୀରରେ ରକ୍ତ( blood level ) ଅଭାବ ହୋଇଥାଏ, ସେମାନଙ୍କୁ ନିଶ୍ଚୟ ତାଙ୍କ ଖାଦ୍ୟରେ ଏହି ପାଳଙ୍ଗକୁ ସାମିଲ କରିବା ଜରୁରୀ । ଆପଣମାନେ ପାଳଙ୍ଗ ଶାଗର ଭଜା କିମ୍ବା ତରକାରୀ ତ ନିହାତି ଭାବରେ ଖାଇଥିବେ । ହେଲେ ଏଥର ଆପଣ ଏହାକୁ କିଛି ଅଲଗା ଢଙ୍ଗରେ ତିଆରି କରନ୍ତୁ ଏବଂ ଏହାର ମଜା ନିଅନ୍ତୁ । ଆଜି ଆମେ ତିଆରି କରିବା ପାଳଙ୍ଗ ସାଗର ପରଟା । ଯାହାକୁ ତିଆରି କରିବା ବହୁତ ସହଜ । ଆପଣଙ୍କୁ ରୁଟି ବନେଇବାକୁ ଯେତେ ସମୟ ଲାଗିଥାଏ, ଏହାକୁ ବନେଇବା ପାଇଁ ମଧ୍ୟ ସେତିକି ହିଁ ସମୟ ଲାଗିବ ।
ଆବଶ୍ୟକ ସାମଗ୍ରୀ :
ପାଳଙ୍ଗ ଶାଗ
2 କପ ଅଟା
4-5ଟି କଞ୍ଚାଲଙ୍କା
ଅଳ୍ପ ଧନିଆ ପତ୍ର
ଅଳ୍ପ ଅଦା
ସ୍ୱାଦ ଅନୁଯାୟୀ ଲୁଣ
ଭଜା ଜିରା ଏବଂ ଲଙ୍କା ଗୁଣ୍ଡ
ତେଲ
ପ୍ରସ୍ତୁତି ପ୍ରଣାଳୀ:
ପ୍ରଥମେ ପାଳଙ୍ଗ ଶାଗ, ଧନିଆ ପତ୍ର, କଞ୍ଚାଲଙ୍କା ଏବଂ ଅଦାକୁ ପେଷ୍ଟ ବନେଇ ନିଅନ୍ତୁ । ଏବେ 2 କପ ଅଟାରେ ସେହି ପେଷ୍ଟ ଏବଂ ଲୁଣ ମିଶାଇ ଭଲ ଭାବରେ ଚକଡ଼ନ୍ତୁ । ଆପଣ ରୁଟି କରିବା ବେଳେ ଯେଉଁଭଳି ଅଟାକୁ ଚକଡ଼ନ୍ତି, ଠିକ ସେହିପରି ଏହି ମିଶ୍ରଣକୁ ଚକଡ଼ନ୍ତୁ । ଭଲ ଭାବରେ ଚକଡ଼ିବା ପରେ ଏହାକୁ କିଛି ସମୟ ପାଇଁ ରଖି ଦିଅନ୍ତୁ । ଏହାପରେ ଅଟାର ଏକ ବଲ ତିଆରି କରନ୍ତୁ ଏବଂ ତା’ ଉପରେ ଭଜା ଜିରା ଏବଂ ଲଙ୍କା ଗୁଣ୍ଡ ରଖି ଶୁଖିଲା ଅଟା ଦେଇ ଧୀରେ ଧୀରେ ବେଲନ୍ତୁ । ବେଲିବା ପରେ ପ୍ୟାନ୍ କୁ ଭଲ ଭାବରେ ଗରମ କରନ୍ତୁ । ପ୍ରଥମେ ଏହାକୁ ଶୁଖିଲାର ଭାଜନ୍ତୁ । ଏହାପରେ ସେଥିରେ ତେଲ କିମ୍ବା ଘିଅ ଦେଇ ଭଲ ଭାବରେ ଭାଜନ୍ତୁ । ଭାଜିବା ପରେ ଏହାକୁ ଆପଣ ଦହି, ଆଚାର ତଥା ଆପଣଙ୍କ ମନ ପସନ୍ଦର ତରକାରୀ ସହ ପରୋଷି ପାରିବେ । ଗରମ ଗରମ ପରଟା ସହ ଥଣ୍ଡା ଥଣ୍ଡା ଦହିର ମଜା ହିଁ ଅଲଗା । ଆପଣ ଖାଆନ୍ତୁ ଏବଂ ନିଜ ପରିବାର ସଦସ୍ୟଙ୍କୁ ଖୁଆନ୍ତୁ ଏବଂ ସୁସ୍ଥ ରୁହନ୍ତୁ ।