ଆମ ଦେଶର ସମ୍ବିଧାନ କହେ – “ଆଇନ ଆଗରେ ସମସ୍ତେ ସମାନ”। କିନ୍ତୁ ଆଜି ଏମିତି କିଛି ପ୍ରଶ୍ନ ପଚାରିବାକୁ ଚାହୁଁଛି, ଯାହା ଶୁଣିଲେ ଆପଣ ବି ଭାବିବାକୁ ବାଧ୍ୟ ହେବେ ଯେ ସତରେ କ’ଣ ଆମ ଦେଶରେ ସମସ୍ତଙ୍କ ପାଇଁ ଆଇନ ସମାନ? କାହିଁକି ଜଣେ ଆତଙ୍କବାଦୀ କିମ୍ବା ଦଙ୍ଗାକାରୀ ପାଇଁ ଅଧାରାତିରେ ସୁପ୍ରିମକୋର୍ଟର ଦ୍ୱାର ଖୋଲିଯାଏ, ଆଉ ଜଣେ ଗରିବ ମଣିଷ ବର୍ଷ ବର୍ଷ ଧରି ନ୍ୟାୟ ପାଇଁ କୋର୍ଟ କଚେରୀ ଦୌଡ଼ି ଦୌଡ଼ି ଶେଷରେ ସର୍ବସ୍ୱାନ୍ତ ହୋଇଯାଏ?
ନିକଟରେ ଦିଲ୍ଲୀର ଏକ କୋର୍ଟରୁ ଆସିଥିବା ଖବର ସାରାଦେଶରେ ଚର୍ଚ୍ଚାର ବିଷୟ ପାଲଟିଛି। ୨୦୨୦ ଦିଲ୍ଲୀ ଦଙ୍ଗାର ମାଷ୍ଟରମାଇଣ୍ଡ କୁହାଯାଉଥିବା ଶରଜିଲ୍ ଇମାମଙ୍କୁ ୧୦ ଦିନ ପାଇଁ ଅନ୍ତରୀଣ ଜାମିନ ମିଳିଛି। ଆଶ୍ଚର୍ଯ୍ୟର କଥା ହେଉଛି ଜାମିନର ଆଧାର କ’ଣ? ଶରଜିଲ୍ କହିଛନ୍ତି – ତାଙ୍କ ଭାଇଙ୍କର ବାହାଘର ଠିକ୍ ହେବାର ଅଛି ଏବଂ ତାଙ୍କ ମା’ଙ୍କ ଦେହ ଖରାପ ଅଛି।
ଏଠି ଆମର ଗୋଟିଏ ପ୍ରଶ୍ନ – ଯିଏ ଦେଶକୁ ଖଣ୍ଡ ଖଣ୍ଡ କରିବାକୁ ଚିକେନ୍ ନେକ୍ କାଟିବା କଥା କହୁଥିଲେ, ତାଙ୍କ ପାଇଁ କୋର୍ଟ ଏତେ ସମ୍ବେଦନଶୀଳ କାହିଁକି?
ଆମ ଦେଶର ନ୍ୟାୟ ବ୍ୟବସ୍ଥା ଏବେ ଦୁଇଟି ଭାଗରେ ବିଭକ୍ତ ହୋଇଗଲା ପରି ମନେହେଉଛି। ପ୍ରଥମ – ପ୍ରଭାବଶାଳୀ, ଧନୀ ଏବଂ ବଡ଼ ବଡ଼ ଓକିଲ ରଖିପାରୁଥିବା ଲୋକଙ୍କ ପାଇଁ। ସେମାନଙ୍କ ପାଇଁ “ଜାମିନ ହେଉଛି ନିୟମ ଏବଂ ଜେଲ୍ ହେଉଛି ବ୍ୟତିକ୍ରମ” (Bail is rule, Jail is exception)।
ଦ୍ୱିତୀୟ – ସେହି ଗରିବ ଲୋକଙ୍କ ପାଇଁ, ଯେଉଁମାନେ ବର୍ଷ ବର୍ଷ ଧରି ବିନା କୌଣସି ଦୋଷରେ ଜେଲରେ ପଡ଼ି ରହୁଛନ୍ତି। ସେମାନଙ୍କ ପାଇଁ “ଜେଲ୍ ହିଁ ନିୟମ ଆଉ ଜାମିନ ପାଇବା ଏକ ସ୍ୱପ୍ନ”।
ଇତିହାସ ସାକ୍ଷୀ ଅଛି – ମୁଗଲ ଶାସନ କାଳରେ ଶାସକଙ୍କ ଇଚ୍ଛା ହିଁ ଆଇନ ଥିଲା। ଇଂରେଜମାନେ ଆଇନ ବନାଇଲେ ନିଜ ସାମ୍ରାଜ୍ୟ ବଢ଼ାଇବା ପାଇଁ। କିନ୍ତୁ ଆଜି ସ୍ୱାଧୀନତାର ୮୦ ବର୍ଷ ପରେ ବି କ’ଣ ଆମର ମାନସିକତା ବଦଳିଛି?
ଦେଶର ହଜାର ହଜାର ଗରିବ କଏଦୀ, ଯେଉଁମାନଙ୍କ ପରିବାରରେ କେହି ଦେଖାଶୁଣା କରିବାକୁ ନାହାଁନ୍ତି, ସେମାନଙ୍କ ପାଇଁ କୋର୍ଟଙ୍କ ମନରେ କାହିଁକି ମାନବିକତା ଜାଗ୍ରତ ହୁଏନାହିଁ?
କାହିଁକି ସେମାନଙ୍କୁ ନିଜ ପରିବାରର ଦୁଃଖ ସମୟରେ ଜାମିନ ମିଳେ ନାହିଁ? କିନ୍ତୁ ଜଣେ ଦଙ୍ଗାକାରୀଙ୍କ ଭାଇର ବାହାଘର ଠିକ୍ ହେବା ପାଇଁ ନ୍ୟାୟିକ ବ୍ୟବସ୍ଥା ଏତେ କୋହଳ ହୋଇଯାଏ କେମିତି?
ସମ୍ବିଧାନର ଧାରା କହେ ଆଇନ ସମସ୍ତଙ୍କ ପାଇଁ ସମାନ, କିନ୍ତୁ ବାସ୍ତବରେ ଏହି ସମାନତା କେବଳ କାଗଜପତ୍ରରେ ସୀମିତ କି? ଯେପର୍ଯ୍ୟନ୍ତ ନ୍ୟାୟ ପ୍ରଦାନ କରୁଥିବା ବ୍ୟକ୍ତିବିଶେଷଙ୍କ ମାନସିକତାରେ ପରିବର୍ତ୍ତନ ଆସିନାହିଁ, ସେପର୍ଯ୍ୟନ୍ତ କେବଳ ଆଇନ ବଦଳାଇ ଦେଲେ ଗରିବ ନ୍ୟାୟ ପାଇବ ନାହିଁ।
ଶେଷରେ ଏତିକି କହିବି – ଯଦି ଦଙ୍ଗାକାରୀ ଏବଂ ଆତଙ୍କବାଦୀଙ୍କ ପାଇଁ ଆମର ବ୍ୟବସ୍ଥା ଏତେ ଉଦାର ହେବ, ତେବେ ଏହା ଦେଶର ସୁରକ୍ଷା ଏବଂ ସାଧାରଣ ଲୋକଙ୍କ ବିଶ୍ୱାସ ଉପରେ ଏକ ବଡ଼ ଆଘାତ। ଆପଣଙ୍କୁ କ’ଣ ଲାଗୁଛି? ଏହି ନ୍ୟାୟିକ ବ୍ୟବସ୍ଥା କ’ଣ ସତରେ ସାଧାରଣ ମଣିଷ ପାଇଁ କାମ କରୁଛି?


