ଭାରତର ଏକ ଅଞ୍ଚଳ ହେଉଛି ତ୍ରାବଣକୋର। ସେଠାକାର ଉଚ୍ଚ ଜାତିର ବ୍ରାହ୍ମଣ ନାୟାର ମହିଳାମାନେ ଗୋଟିଏ ସମୟରେ ଅନେକ ପୁରୁଷ ସହ ସମ୍ପର୍କ ରଖୁଥିଲେ। ଏହି ସମାଜର ଶକ୍ତି କେନ୍ଦ୍ର ମାତୃସତ୍ତାତ୍ମକ ଥିଲା । ପରିବାରରେ ପିତାଙ୍କର ମୁଖ୍ୟ ଭୂମିକା ରହୁନଥିଲା । ମହିଳାମାନେ ଜୀବନରେ କେବଳ ଥରେ ବିବାହ କରୁଥିଲେ, କିନ୍ତୁ ଅନେକ ପୁରୁଷଙ୍କ ସହ ସମ୍ପର୍କ ରଖୁଥିଲେ, ଯାହାକୁ ସମ୍ବନ୍ଧମ୍ କୁହାଯାଉଥିଲା। ଯାହା ଗୋଟିଏ ସମୟରେ କେବେ ଆପତ୍ତିଜନକ ଲାଗୁ ନଥିଲା, କାରଣ ଏହା ସେମାନଙ୍କ ପରମ୍ପରାର ଏକ ଅଂଶ ଥିଲା। ଏହା ଏକ ପ୍ରକାରର ମୁକ୍ତ ବିବାହ ପ୍ରଥା ଥିଲା, ଯେଉଁଥିରେ ଗୋଟିଏ ମାତ୍ର ସର୍ତ୍ତ ଥିଲା ଯେ ମହିଳାଙ୍କ ଜୀବନରେ ଯେତେ ପୁରୁଷ ଆସିବେ, ସେମାନେ ବ୍ରାହ୍ମଣ କିମ୍ବା ସମକକ୍ଷ ଉଚ୍ଚ ଜାତିର ହେବେ।
ଯଦିଓ ଭାରତୀୟ ସମାଜର ଅଧିକାଂଶ ଅଂଶ ପିତୃସତ୍ତାକ ଢାଞ୍ଚା ଉପରେ ଆଧାରିତ ଥିଲା, ଯେଉଁଠି ବିବାହ, ପରିବାର ଓ ସମ୍ପତ୍ତି ପୁରୁଷଙ୍କ ଭୂମିକା ଚାରିପାଖରେ ଘୂରୁଥିଲା, କିନ୍ତୁ ଦକ୍ଷିଣ ଭାରତର ତ୍ରାବଣକୋର (ବର୍ତ୍ତମାନର କେରଳ)ରେ ଏକ ଏପରି ସାମାଜିକ ଢାଞ୍ଚା ଥିଲା, ଯାହା ଏହି ପରମ୍ପରାକୁ ସମ୍ପୂର୍ଣ୍ଣ ଭାବେ ଚ୍ୟାଲେଞ୍ଜ କରୁଥିଲା।
ଏଠାରେ ନାୟାର ସମାଜରେ ସମ୍ବନ୍ଧମ୍ ନାମକ ଏକ ଅନନ୍ୟ ବିବାହ ପ୍ରଥା ପ୍ରଚଳିତ ଥିଲା, ଯେଉଁଥିରେ ମହିଳାମାନେ ପୁରୁଷମାନଙ୍କ ସହ ସାମାଜିକ ଭାବେ ସଂଯୁକ୍ତ ହୋଇପାରୁଥିଲେ, ବିବାହ ବିନା ମଧ୍ୟ। ସେମାନେ ଏହି ସମ୍ପର୍କ ଛାଡ଼ି ମଧ୍ୟ ପାରୁଥିଲେ। ଏହି ବ୍ୟବସ୍ଥାରେ ପୁରୁଷ ସ୍ୱାମୀ ନଥିଲେ କି ମହିଳା ସ୍ତ୍ରୀ ନଥିଲେ, ତଥାପି ଏହି ସମ୍ପର୍କଗୁଡ଼ିକୁ ବୈଧ ମାନ୍ୟତା ଦିଆଯାଉଥିଲା।
ତତ୍କାଳୀନ ଝିଅର ଜୀବନରେ କେବଳ ଥରେ ବିବାହ ହେଉଥିଲା। ଯେତେବେଳେ ଝିଅ ବଡ଼ ହେଉଥିଲା, ତାକୁ ଥାଲି କେଟ୍ଟୁ କଲ୍ୟାଣମ୍ ନାମକ ଏକ ପରମ୍ପରାରୁ ଗତି କରିବାକୁ ପଡୁଥିଲା। ଏହା ଝିଅର ଯୌବନ ଆରମ୍ଭ ହେବା ସମୟରେ ହେଉଥିଲା। ଏହି ସମୟରେ ପ୍ରତୀକାତ୍ମକ ଭାବେ ତାର ବିବାହ ଜଣେ ବ୍ରାହ୍ମଣ କିମ୍ବା ଉଚ୍ଚ ଜାତିର ପୁରୁଷଙ୍କ ସହ ହେଉଥିଲା। ଏହା ଏକ ପ୍ରକାରର ସଂସ୍କାର ଥିଲା, ଯାହାକୁ ବିବାହ କୁହାଯାଉଥିଲା। ଏଥିରେ ଉଭୟଙ୍କୁ ତିନି ଦିନ ଏକାନ୍ତରେ ଏକାଠି ରହିବାକୁ ହେଉଥିଲା। ଏହାକୁ କୌମାର୍ଯ୍ୟ ବିଚ୍ଛେଦନ ସହ ମଧ୍ୟ ଯୋଡ଼ାଯାଉଥିଲା।
ଏହାପରେ ପୁରୁଷ ଓ ମହିଳା ନିଜ ନିଜ ପଥରେ ଚାଲିଯାଉଥିଲେ। ଏହାପରେ ମହିଳାଙ୍କ ଜୀବନରେ ଯେତେ ପୁରୁଷ ଆସି ପାରୁଥିଲେ, ଯାହାକୁ ସମ୍ବନ୍ଧମ୍ କୁହାଯାଉଥିଲା। ଆଶ୍ଚର୍ଯ୍ୟଜନକ କଥା ହେଉଛି ଯେ ଦିନ ବେଳା କୌଣସି ବ୍ରାହ୍ମଣ ପୁରୁଷ,ଜଣେ ମହିଳା ତାଙ୍କ ପତ୍ନୀ ବୋଲି ଦାବି କରିପାରୁ ନଥିଲେ । ସେ ଦିନରେ ତାଙ୍କୁ ଭେଟି ପାରୁ ନଥିଲେ, ଛୁଇଁ ପାରୁ ନଥିଲେ, କିମ୍ବା ତାଙ୍କ ଘରେ ଯାଇ ଭୋଜନ କରିପାରୁ ନଥିଲେ। ତେଣୁ ପୁରୁଷମାନେ ରାତିରେ ଚୁପଚାପ ମହିଳାଙ୍କ ପାଖକୁ ଯାଉଥିଲେ। ସେମାନେ ତାଙ୍କ ଦ୍ୱାରରେ ନିଜ ଅସ୍ତ୍ର ରଖି ଏହା ଜଣାଉଥିଲେ ଯେ ମହିଳାଙ୍କ ସହ ଜଣେ ପୁରୁଷ ଅଛନ୍ତି।
ଏକ ସମୟରେ ମହିଳା ନିଜ ଇଛାମୁତାବକ ଯେତେ ପୁରୁଷଙ୍କ ସହ ସମ୍ପର୍କ ରଖିପାରୁଥିଲେ। ଏହା କହିହେବ ଯେ ଏହି ପୁରୁଷମାନେ କେବଳ ଭିଜିଟିଂ ହସବେଣ୍ଡ ଥିଲେ। ଏହି ସମ୍ପର୍କରେ କୌଣସି ବୈବାହିକ ବନ୍ଧନ କିମ୍ବା ଦାୟିତ୍ୱ ନଥିଲା। ମହିଳା ଯେତେବେଳେ ଚାହୁଁଥିଲେ ସମ୍ବନ୍ଧମ୍ ସମାପ୍ତ କରିପାରୁଥିଲେ, ପୁରୁଷ ମଧ୍ୟ ଏହା କରିପାରୁଥିଲେ। ସମ୍ବନ୍ଧମ୍ ବିବାହ ମଧ୍ୟ ନଥିଲା, କିନ୍ତୁ ଏହାକୁ ସାମାଜିକ ସହମତି ମିଳିଥିଲା। ପରେ ବ୍ରିଟିଶ ଆଇନ ଏହାକୁ “ବିବାହ” ମାନିବାକୁ ଅସ୍ୱୀକାର କରିଥିଲା।
ନାୟାର ସମାଜ ମରୁମକ୍କଥୟମ୍ ନାମକ ମାତୃସତ୍ତାକ ପ୍ରଣାଳୀର ଅନୁସରଣ କରୁଥିଲା। ଏଥିରେ ବଂଶ, ନାମ, ସମ୍ପତ୍ତି ଓ ଉତ୍ତରାଧିକାର ମାଆଙ୍କ ମାଧ୍ୟମରେ ଚାଲୁଥିଲା। ପିଲାମାନେ ମାଆଙ୍କ ବଂଶରେ ଗଣା ହେଉଥିଲେ, ପିତାଙ୍କ ଭୂମିକା କେବଳ ଜୈବିକ ଥିଲା। ମହିଳାଙ୍କ ଘର (ଥାରାବାଡୁ) ହିଁ ସେମାନଙ୍କ ଜୀବନର କେନ୍ଦ୍ର ଥିଲା।
ପୁରୁଷମାନେ ନିଜ ପିଲାଙ୍କ ଅପେକ୍ଷା ନିଜ ଭଉଣୀଙ୍କ ପିଲାଙ୍କ ପ୍ରତି ଅଧିକ ଆସକ୍ତ ଥିଲେ। ସେମାନେ ନିଜ ଭଉଣୀଙ୍କ ପିଲାଙ୍କ ଶିକ୍ଷା, ପାଳନପୋଷଣ ଓ ବିବାହ ପାଇଁ ଦାୟୀ ଥିଲେ। ସମ୍ବନ୍ଧମ୍ ଅର୍ଥାତ୍ ବିବାହ ସତ୍ତ୍ୱେ ପୁରୁଷଙ୍କୁ ପିଲାଙ୍କ ଉପରେ କୌଣସି ଅଧିକାର ନଥିଲା, କି ଉତ୍ତରାଧିକାରରେ ଅଂଶ ନଥିଲା।
ନାୟାର ମହିଳାମାନେ ଜନ୍ମରୁ ହିଁ ଥାରାବାଡୁ (ମାତୃବଂଶୀୟ ସଂଯୁକ୍ତ ପରିବାର)ର ସଦସ୍ୟା ଥିଲେ। ଥାରାବାଡୁରେ ଜମି, ଘର, ଖେତ, ଆୟ, ଭଡ଼ା ଆଦି ଅନ୍ତର୍ଭୁକ୍ତ ଥିଲା। ମହିଳାଙ୍କୁ ଏହି ଥାରାବାଡୁର ସମ୍ପତ୍ତିରେ ଅଂଶ ମିଳୁଥିଲା ଓ ସେମାନେ ସହ-ଅଧିକାରୀ ମାନ୍ୟତା ପାଉଥିଲେ। ଥାରାବାଡୁର ବରିଷ୍ଠ ମହିଳା ଘରର ମୁଖିଆ ହୋଇପାରୁଥିଲେ।
ଉଚ୍ଚ ଶ୍ରେଣୀର ଏହି ନାୟାର ମହିଳାମାନେ ଜମିଦାରୀଣୀ ଥିଲେ। ସେମାନେ ଚାଷୀମାନଙ୍କଠାରୁ ଭଡ଼ା ଆଦାୟ କରୁଥିଲେ। ସେମାନଙ୍କୁ ଜୀବନଯାପନ ପାଇଁ କୌଣସି ପୁରୁଷଙ୍କ ଉପରେ ନିର୍ଭର କରିବାର ଆବଶ୍ୟକତା ନଥିଲା। ସମ୍ବନ୍ଧମ୍କୁ ତ୍ରାବଣକୋରରେ ଅନୈତିକ ମନେକରା ଯାଉ ନଥିଲା। ତ୍ରାବଣକୋର ଓ ମାଲାବାରର ସମାଜରେ ସମ୍ବନ୍ଧମ୍କୁ ପୂର୍ଣ୍ଣ ମାନ୍ୟତା ମିଳିଥିଲା। ଏହାକୁ ଅନୈତିକ କିମ୍ବା ଅବୈଧ ମନାଯାଉ ନଥିଲା, ବରଂ ଏହା ସାମାଜିକ ଜୀବନର ଏକ ସ୍ୱାଭାବିକ ଅଂଶ ଥିଲା। ଏହା ଏକ ପ୍ରକାରର ସାଂସ୍କୃତିକ ବହୁପତି ପ୍ରଥା ଥିଲା।
ଏହି ପ୍ରଥା କିପରି ଶେଷ ହେଲା
ବ୍ରିଟିଶ ଖ୍ରୀଷ୍ଟିଆନ ମିଶନାରୀ ଓ ବିଚାରପତିମାନଙ୍କୁ ସମ୍ବନ୍ଧମ୍ ପରମ୍ପରା ଅନୈତିକ ଓ “ଅସଭ୍ୟ” ଲାଗିଥିଲା। ସେମାନେ ପିତୃସତ୍ତାକ ବିବାହ ବ୍ୟବସ୍ଥାକୁ “ସଭ୍ୟ ସମାଜର ପରିଚୟ” ବୋଲି କହିଥିଲେ। ଉନବିଂଶ ଶତାବ୍ଦୀର ଶେଷ ଭାଗରେ ଯେତେବେଳେ କେରଳରେ ଶିକ୍ଷା, ଖ୍ରୀଷ୍ଟିଆନ ଧର୍ମାନ୍ତରଣ ଓ ଆଧୁନିକ ଚିନ୍ତାଧାରାର ପ୍ରବେଶ ହେଲା, ନାୟାର ସମାଜରୁ ମଧ୍ୟ ଅନେକେ ସମ୍ବନ୍ଧମ୍ କୁ ବିରୋଧ କରିବା ଆରମ୍ଭ କଲେ। ଇଂରେଜମାନେ ନାୟାର ଆକ୍ଟ, ୧୯୨୫ ନାମକ ଏକ ଆଇନ ପ୍ରଣୟନ କଲେ, ଯେଉଁଥିରେ ସମ୍ବନ୍ଧମ୍କୁ ଆଇନଗତ ବିବାହ ମାନିବାକୁ ଅସ୍ୱୀକାର କରାଗଲା। ତ୍ରାବଣକୋର ବିବାହ ଆକ୍ଟ, ୧୯୩୩ ମାଧ୍ୟମରେ ସମ୍ବନ୍ଧମ୍କୁ ସମାପ୍ତ କରି ପିତୃସତ୍ତାକ ବିବାହ ପ୍ରଣାଳୀର ଆରମ୍ଭ କରାଗଲା।
ଏହାପରେ ନାୟାରମାନଙ୍କ ମଧ୍ୟରେ ପାରମ୍ପରିକ ବିବାହ, ପିତାଙ୍କ ଭୂମିକା ଓ ବ୍ୟକ୍ତିଗତ ସମ୍ପତ୍ତିର ଧାରଣା ଆସିଲା। ଆଜିର ନାୟାର ପରିବାରମାନେ ହିନ୍ଦୁ ବିବାହ ଆକ୍ଟ, ୧୯୫୫ ଅନୁଯାୟୀ ବିଧିବଦ୍ଧ ବିବାହ କରୁଛନ୍ତି। ଏବେ ଏହି ପରମ୍ପରା ସମ୍ପୂର୍ଣ୍ଣ ରୂପେ ଲୋପ ପାଇଛି। ଯଦିଓ କେରଳରେ ନାୟାର ସମୁଦାୟର ମହିଳାମାନଙ୍କ ମଧ୍ୟରେ ସ୍ୱାଧୀନତାର ପ୍ରଭାବ ଆଜି ମଧ୍ୟ ଦେଖାଯାଏ। ସେମାନେ ଶିକ୍ଷିତ, କର୍ମଜୀବୀ ଓ ଅପେକ୍ଷାକୃତ ଆତ୍ମନିର୍ଭରଶୀଳ ଏବଂ ସାଧାରଣତଃ ମୁକ୍ତ ଚିନ୍ତାଧାରାର ଅଧିକାରୀ।
Also Readhttps://purvapaksa.com/mystery-of-jagdeep-dhankhar-resignation-as-vice-president/
