Pahalgam Terror Attack: ମିଳିତ ଜାତିସଂଘ ମହାସଚିବ ଆଣ୍ଟୋନିଓ ଗୁଟେରେସ୍ ବ୍ୟକ୍ତିଗତ ଭାବେ ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍ ଜୟଶଙ୍କରଙ୍କ ସହ ଯୋଗାଯୋଗ କରି ପହଲଗାମ ଆତଙ୍କବାଦୀ ଆକ୍ରମଣକୁ ‘ସ୍ପଷ୍ଟ ନିନ୍ଦା’ କରିଛନ୍ତି।
ପହଲଗାମରେ ଏପ୍ରିଲ ୨୨ରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ପରେ ଭାରତ ଓ ପାକିସ୍ତାନ ମଧ୍ୟରେ ଉତ୍ତେଜନା ବୃଦ୍ଧି ପାଉଥିବା ବେଳେ ଜାତିସଂଘ ମୁଖ୍ୟଙ୍କ ମୁଖପାତ୍ର ମଙ୍ଗଳବାର କହିଛନ୍ତି ଯେ ଦୁଇ ପରମାଣୁ ଶକ୍ତି ସମ୍ପନ୍ନ ଦେଶ ମଧ୍ୟରେ ସଂଘର୍ଷ କେବଳ ଦକ୍ଷିଣ ଏସିଆ ପାଇଁ ନୁହେଁ ବରଂ ବିଶ୍ୱ ପାଇଁ ବିପଜ୍ଜନକ ହେବ।
ମିଳିତ ଜାତିସଂଘ ମହାସଚିବ ଆଣ୍ଟୋନିଓ ଗୁଟେରେସ୍ ବ୍ୟକ୍ତିଗତ ଭାବେ ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍ ଜୟଶଙ୍କର ଏବଂ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫଙ୍କ ସହ ଯୋଗାଯୋଗ କରି ୨୦୧୯ ପୁଲଓ୍ଵାମା ବିସ୍ଫୋରଣ ପରେ ଜମ୍ମୁ-କାଶ୍ମୀରରେ ଘଟିଥିବା ସବୁଠାରୁ ଭୟଙ୍କର ଘଟଣାରେ ୨୬ ଜଣ ସାଧାରଣ ନାଗରିକଙ୍କ ମୃତ୍ୟୁ ଘଟଣାକୁ ସ୍ପଷ୍ଟ ନିନ୍ଦା କରିଛନ୍ତି।
ଜାତିସଂଘ ମୁଖପାତ୍ର ଷ୍ଟେଫେନ ଦୁଜାରିକ୍ କହିଛନ୍ତି, ଭାରତ ଓ ପାକିସ୍ତାନ ମଧ୍ୟରେ ବଢୁଥିବା ଉତ୍ତେଜନା କୁ ନେଇ ମହାସଚିବ ଗଭୀର ଉଦବେଗ ପ୍ରକାଶ କରିବା ସହ ଯୁଦ୍ଧକୁ ଏଡ଼ାଇବା ଉପରେ ଗୁରୁତ୍ୱାରୋପ କରିଛନ୍ତି।
ପିଟିଆଇ ଅନୁଯାୟୀ, ଦୁଜାରିକ୍ କହିଛନ୍ତି ଯେ ଆତଙ୍କବାଦ ଯେକୌଣସି ସ୍ଥାନରେ ଏବଂ ଯେତେବେଳେ ବି ହୁଏ ସେକ୍ରେଟାରି ଜେନେରାଲ ଏହାର ବିରୋଧରେ ଦୃଢ଼ ତାର ସହ ଛିଡା ହୋଇଛନ୍ତି। ମୁଁ ଭାବୁଛି ସେ ଏ ବିଷୟରେ ବହୁତ ସ୍ପଷ୍ଟ ଅଛନ୍ତି । ସେ ଯାହା ଦେଖିବାକୁ ଚାହୁଁଛନ୍ତି ତାହା ହେଉଛି ଉଭୟ ପକ୍ଷ ଉତ୍ତେଜନା ହ୍ରାସ ଦିଗରେ ଅଗ୍ରସର ହେଉଛନ୍ତି। ଅର୍ଥାତ୍ ଭାରତ ଓ ପାକିସ୍ତାନ ମଧ୍ୟରେ ଯୁଦ୍ଧକୁ ଏହି ଅଞ୍ଚଳ ଓ ବିଶ୍ୱ ସହ୍ୟ କରିପାରିବ ନାହିଁ, ଯାହା ସେହି ଦୁଇ ଦେଶ ଏବଂ ସମଗ୍ର ବିଶ୍ୱ ପାଇଁ ବିପଜ୍ଜନକ ହେବ ବୋଲି ଦୁଜାରିକ୍ କହିଛନ୍ତି।
ବୈଦେଶିକ ବ୍ୟାପାର ମନ୍ତ୍ରୀ ଜୟଶଙ୍କର ଗୁଟେରେସଙ୍କ ନିନ୍ଦାକୁ ସ୍ୱାଗତ କରିବା ସହ ଉତ୍ତରଦାୟିତ୍ୱ ସୁନିଶ୍ଚିତ କରିବା ଦିଗରେ ନୂଆଦିଲ୍ଲୀର ଦୃଢ଼ ଆଭିମୁଖ୍ୟକୁ ଦୋହରାଇଥିଲେ। ଜୟଶଙ୍କର କହିଛନ୍ତି, ଏହି ଆକ୍ରମଣର ଦୋଷୀ, ଯୋଜନାକାରୀ ଏବଂ ସମର୍ଥକଙ୍କୁ ଉଚିତ ଦଣ୍ଡ ପ୍ରଦାନ କରିବାକୁ ଭାରତ ସଂକଳ୍ପ ନେଇଛି।
ଭାରତ ଏହି ଆକ୍ରମଣ ପଛରେ ଥିବା ସୀମାପାର ତତ୍ତ୍ୱକୁ ଦୃଢ଼ତାର ସହ ଦର୍ଶାଇଛି ଏବଂ ପାକିସ୍ତାନ ସହ କୂଟନୈତିକ ସମ୍ପର୍କ ହ୍ରାସ, ସିନ୍ଧୁ ଜଳ ଚୁକ୍ତି କୁ ସ୍ଥଗିତ ରଖିବା ଏବଂ ଅଟ୍ଟାରୀ ଲ୍ୟାଣ୍ଡ-ଟ୍ରାନଜିଟ୍ ପୋଷ୍ଟ କୁ ବନ୍ଦ କରିବା ସମେତ କୂଟନୈତିକ ଏବଂ ରଣନୈତିକ ପ୍ରତିକ୍ରିୟା ଆରମ୍ଭ କରିସାରିଛି ।
ଅନ୍ୟପକ୍ଷରେ ପହଲଗାମ ଆକ୍ରମଣରେ ପାକିସ୍ତାନକୁ ସଂପୃକ୍ତ ଥିବା କୌଣସି ଭାରତୀୟ ଦାବିକୁ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ୍ ଖଣ୍ଡନ କରି ଏହାକୁ ଭିତ୍ତିହୀନ ବୋଲି କହିଛନ୍ତି। ସମସ୍ତ ପ୍ରକାର ଆତଙ୍କବାଦର ମୁକାବିଲା ପାଇଁ ପାକିସ୍ତାନର ପ୍ରତିବଦ୍ଧତାକୁ ଦୋହରାଇବା ସହ ଏହି ଘଟଣାର ସ୍ୱଚ୍ଛ ଓ ନିରପେକ୍ଷ ତଦନ୍ତ ପାଇଁ ସେ ପ୍ରସ୍ତାବ ଦେଇଛନ୍ତି। ଗତ ଏପ୍ରିଲ ୨୨ ତାରିଖରେ କାଶ୍ମୀରର ପହଲଗାମ ସହର ନିକଟରେ ଆତଙ୍କବାଦୀମାନେ ଗୁଳି ଚଳାଇ ୨୬ ଜଣଙ୍କ ମୃତ୍ୟୁ ହେବା ପରେ ଦୁଇ ଦେଶ ମଧ୍ୟରେ ଉତ୍ତେଜନା ବୃଦ୍ଧି ପାଇଛି।
ଏହି ଆକ୍ରମଣ ପରେ ଭାରତ ପାକିସ୍ତାନ ସହ କୂଟନୈତିକ ସମ୍ପର୍କ ହ୍ରାସ କରିବା ସହ ପାକିସ୍ତାନୀ ସାମରିକ ସହଯୋଗୀଙ୍କୁ ବହିଷ୍କାର କରିବା, ୧୯୬୦ ମସିହାର ସିନ୍ଧୁ ଜଳ ଚୁକ୍ତିକୁ ସ୍ଥଗିତ ରଖିବା ଏବଂ ଅଟ୍ଟାରୀ ଲ୍ୟାଣ୍ଡ-ଟ୍ରାନଜିଟ୍ ପୋଷ୍ଟକୁ ତୁରନ୍ତ ବନ୍ଦ କରିବା ଭଳି ଅନେକ ପଦକ୍ଷେପ ଘୋଷଣା କରିଥିଲା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ଆକ୍ରମଣର କଠୋରତମ ଜବାବ ଦେବାକୁ ପ୍ରତିଶ୍ରୁତି ଦେଇ କହିଛନ୍ତି ଯେ ଭାରତର ପ୍ରତିକ୍ରିୟାର ସମୟ ଏବଂ ପରିମାଣ ନିର୍ଦ୍ଧାରଣ କରିବା ପାଇଁ ସଶସ୍ତ୍ର ବାହିନୀର ସମ୍ପୂର୍ଣ୍ଣ ପରିଚାଳନାଗତ ସ୍ୱାଧୀନତା ରହିଛି।
ମଙ୍ଗଳବାର ଦିନ ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି ଯେ ପହଲଗାମ ଆତଙ୍କବାଦୀ ଆକ୍ରମଣର ମୁକାବିଲା ପାଇଁ ଭାରତର ଜବାବ ଦେବାର ପଦ୍ଧତି, ଟାର୍ଗେଟ ଏବଂ ସମୟ ନିର୍ଦ୍ଧାରଣ କରିବା ପାଇଁ ସଶସ୍ତ୍ର ବାହିନୀର ସମ୍ପୂର୍ଣ୍ଣ ପରିଚାଳନାଗତ ସ୍ୱାଧୀନତା ଅଛି । ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ, ଏନଏସଏ ଅଜିତ ଡୋଭାଲ ଏବଂ ତିନି ସେନା ମୁଖ୍ୟଙ୍କ ଉପସ୍ଥିତିରେ ଅନୁଷ୍ଠିତ ବୈଠକରେ ସେ ଏହା କହିଛନ୍ତି। ସରକାରୀ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଆତଙ୍କବାଦକୁ କଡ଼ା ଝଟକା ଦେବା ହେଉଛି ଜାତୀୟ ସଂକଳ୍ପ ବୋଲି ମୋଦି ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି।
ୟୁଏନଏସସିର ୭ ଅସ୍ଥାୟୀ ସଦସ୍ୟଙ୍କ ପ୍ରତିପକ୍ଷଙ୍କ ସହ କଥା ହେଲେ ଜୟଶଙ୍କର
ମଙ୍ଗଳବାର ଜୟଶଙ୍କର ଜାତିସଂଘ ନିରାପତ୍ତା ପରିଷଦ (ୟୁଏନଏସସି)ର ସାତଟି ଅସ୍ଥାୟୀ ସଦସ୍ୟ ଆଲଜେରିଆ, ଗ୍ରୀସ, ଗୁୟାନା, ପାନାମା, ସ୍ଲୋଭେନିଆ, ସିଏରା ଲିଓନ ଏବଂ ସୋମାଲିଆର ବୈଦେଶିକ ମନ୍ତ୍ରୀଙ୍କ ସହ ଆଲୋଚନା କରି ଆକ୍ରମଣରେ ସମ୍ପୃକ୍ତ ସୀମାପାର ତତ୍ତ୍ୱ ସମ୍ପର୍କରେ ଅବଗତ କରାଇଥିଲେ।
ପହଲଗାମରେ ଆତଙ୍କବାଦୀ ଆକ୍ରମଣକୁ ନିନ୍ଦା କରି ଜାତିସଂଘ ନିରାପତ୍ତା ପରିଷଦ (ୟୁଏନଏସସି) ଏକ ବିବୃତି ଜାରି କରିବାର କିଛି ଦିନ ପରେ ଏହି ଫୋନ୍ ବାର୍ତ୍ତାଳାପ ହୋଇଥିଲା।
Also read: https://purvapaksa.com/after-video-goes-viral-nia-picks-zipline-operator/