ଭାସ୍କର ପରିଚ୍ଛା
ଓଡ଼ିଶାର ରାଜନୈତିକ ଇତିହାସରେ ସମାଜବାଦ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଆସିଛି। ଜୟପ୍ରକାଶ ନାରାୟଣଙ୍କ ଭଳି ଜାତୀୟ ନେତାଙ୍କ ଦ୍ୱାରା ପ୍ରଭାବିତ ହୋଇ ଭାରତୀୟ ସ୍ୱାଧୀନତା ଆନ୍ଦୋଳନ ମାଧ୍ୟମରେ ସମାଜବାଦୀ ଚିନ୍ତାଧାରାର ଉତ୍ଥାନ ଓଡ଼ିଶା ବି ଦେଖିଥିଲା। ୧୯୩୪ରେ ଗଠିତ କଂଗ୍ରେସ ସୋସାଲିଷ୍ଟ ପାର୍ଟି( ସିଏସପି) ଭାରତୀୟ ଜାତୀୟ କଂଗ୍ରେସ ମଧ୍ୟରେ ସମାଜବାଦୀ ସକ୍ରିୟତା ପାଇଁ ଏକ ପ୍ରମୁଖ ମଞ୍ଚ ଥିଲା।
ଓଡ଼ିଶାରେ ଜୁନ ମାସରେ ସିଏସପିର ପ୍ରଥମ ରାଜ୍ୟ ସମ୍ମିଳନୀ କଟକ ଠାରେ ଅନୁଷ୍ଠିତ ହୋଇଥିଲା। ନବକୃଷ୍ଣ ଚୌଧୁରୀ ଏହାର ପ୍ରାରମ୍ଭିକ ସଚିବ ଭାବେ ନିର୍ବାଚିତ ହୋଇଥିଲେ ଏବଂ ପରେ ଭଗବତୀ ପାଣିଗ୍ରହୀ ତାଙ୍କ ଉତ୍ତରାଧିକାରୀ ହୋଇଥିଲେ। ଏହି ଗୋଷ୍ଠୀ ସାମ୍ରାଜ୍ୟବାଦ ବିରୋଧୀ ସଂଘର୍ଷ, କୃଷକ ଆନ୍ଦୋଳନ, ଯୁବ ସଂହତି ଏବଂ ପ୍ରଗତିଶୀଳ ସାହିତ୍ୟ ଉପରେ ଧ୍ୟାନ କେନ୍ଦ୍ରିତ କରି ବାମପନ୍ଥୀ – ସମାଜବାଦୀ ରାଜନୀତିର ମୂଳଦୁଆ ପକାଇଥିଲା।
ଭାରତ ଛାଡ଼ ଆନ୍ଦୋଳନ ସମୟରେ, ମୁଖ୍ୟଧାରାର ନେତାମାନଙ୍କୁ ଗିରଫ କରାଯିବା ପରେ ଆଇନ ଅମାନ୍ୟ ବଜାୟ ରଖିବା ପାଇଁ ଓଡ଼ିଶାରେ ସମାଜବାଦୀମାନେ ଗୁପ୍ତ ନେଟୱାର୍କ ଗଠନ କରିଥିଲେ। ବିଶିଷ୍ଟ ସମାଜବାଦୀ ତଥା ଉତ୍କଳ ନବଜୀବନ ମଣ୍ଡଳର ପ୍ରତିଷ୍ଠାତା ମାଳତି ଚୌଧୁରୀଙ୍କ ଭଳି ବ୍ୟକ୍ତିତ୍ୱ ମହିଳା ଏବଂ ଗ୍ରାମୀଣ କାର୍ଯ୍ୟକର୍ତ୍ତାଙ୍କୁ ସଂଗଠିତ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ। ସାମାଜିକ ଉନ୍ନତି ପାଇଁ ଗାନ୍ଧୀବାଦୀ ଅହିଂସାକୁ ସମାଜବାଦୀ ଆଦର୍ଶ ସହିତ ମିଶ୍ରଣ କରଯାଇଥିଲା। ଏଡି ଘଟଣା ସମାଜବାଦୀ ପ୍ରତିରୋଧର ପ୍ରତୀକ ପାଲଟିଥିଲା ।
ତେବେ,ସ୍ଵାଧୀନତା ପ୍ରାପ୍ତି ପରେ ଦକ୍ଷିଣପନ୍ଥୀ ରକ୍ଷଣଶୀଳ କଂଗ୍ରେସ ଦଳର ସାବତ ଭାଇ ମନୋଭାବ ଯୋଗୁଁ କଂଗ୍ରେସ ଦଳ ଭିତରେ ଥିବା ସମାଜବାଦୀ ଗୋଷ୍ଠୀର ସଦସ୍ୟ ମାନଙ୍କ ଜୀବନ ଅସ୍ଥିର ହୋଇ ପଡ଼ିଲା। ଏଣୁ ସମାଜବାଦୀମାନେ କ୍ରମଶ କଂଗ୍ରେସ ଛାଡ଼ିବା ଆରମ୍ଭ କଲେ। ପଣ୍ଡିତ ନେହେରୁ ନିଜେ ନିଜର ଆଭିମୁଖ୍ୟକୁ କଟ୍ଟର ସମାଜବାଦରୁ କାଳ୍ପନିକ ସମାଜବାଦକୁ ପରିବର୍ତ୍ତନ କରିଥିଲେ। ୧୯୪୮ ମସିହା ଫେବୃଆରୀ ୨୧ଏବଂ ୨୨ ତାରିଖରେ ଅନୁଷ୍ଠିତ କଂଗ୍ରେସ ୱାର୍କିଂ କମିଟି ସମାଜବାଦୀମାନଙ୍କୁ ଦଳ ଛାଡ଼ିବାକୁ କହିଲେ। ସେମାନଙ୍କ ମଧ୍ୟରୁ ଅନେକ ତୁରନ୍ତ ଇସ୍ତଫା ପ୍ରଦାନ କରିଥିଲେ।
ସୁରେନ୍ଦ୍ରନାଥ ଦ୍ୱିବେଦୀଙ୍କ ନେତୃତ୍ୱରେ ସମାଜବାଦୀମାନେ ୧୨୫ ଜଣ ସଦସ୍ୟଙ୍କୁ ନେଇ ଓଡ଼ିଶାରେ ସମାଜବାଦୀ ଦଳ ଗଠନ କରିଥିଲେ। ନବକୃଷ୍ଣ ଚୌଧୁରୀ ସେତେବେଳେ ମଧ୍ୟ କଂଗ୍ରେସରେ ଥିଲେ। ସେ ଏହି ନୂଆ ଦଳରେ ସାମିଲ ହୋଇନଥିଲେ। ଓଡ଼ିଶାରେ ଜନ ଆନ୍ଦୋଳନର ଅଦମ୍ୟ କର୍ମୀ ସାରଙ୍ଗଧର ଦାସ ରାଜ୍ୟ ବିଧାନସଭାରୁ ଇସ୍ତଫା ଦେବା ପରେ ସମାଜବାଦୀ ଦଳରେ ଯୋଗ ଦେଇଥିଲେ। ଦଳର କାର୍ଯ୍ୟାଳୟ କଟକର ଓଡ଼ିଆ ବଜାରରେ ଥିଲା। ଅନେକ ଯୁବ ଛାତ୍ର ନିୟମିତ ଭାବରେ କାର୍ଯ୍ୟାଳୟ ପରିଦର୍ଶନ କରୁଥିଲେ ଏବଂ ଆପଣାଛାଏଁ ସମାଜବାଦୀ ହୋଇଯାଇଥିଲେ। ସେମାନେ ବିତର୍କରେ ଭାଗ ନେଉଥିଲେ, ସମାଜବାଦୀ ସାହିତ୍ୟ ପଢ଼ୁଥିଲେ ଏବଂ ବିଶିଷ୍ଟ ଆୟୋଜକଙ୍କ ସହ ମିଶୁଥିଲେ। ସମାଜବାଦୀମାନେ ବିବାହ ସମୟରେ ଯୌତୁକ ନ ନେବାକୁ ଶପଥ ନେଇଥିଲେ।
୧୯୪୮ ମସିହାରେ ସମାଜବାଦୀ ଦଳର ନାସିକ ସମ୍ମିଳନୀରେ ଆଚାର୍ଯ୍ୟ ନରେନ୍ଦ୍ର ଦେବ ସମାଜବାଦୀ ବନ୍ଧୁମାନଙ୍କୁ କଂଗ୍ରେସ ଛାଡ଼ିବାକୁ ଶେଷ ଆହ୍ଵାନ ଦେଇଥିଲେ – ଯେଉଁ ଦଳ ପାଇଁ କି ସେମାନେ ତିରିଶ ବର୍ଷ ଧରି ଅନବରତ କାର୍ଯ୍ୟ କରିଥିଲେ। ଏହି ପରିସ୍ଥିତି ପାଇଁ କଂଗ୍ରେସର କେତେକ ସାମନ୍ତବାଦୀ ଉପାଦାନକୁ ନରେନ୍ଦ୍ର ଦେବ ଦାୟୀ କରିବା ସହ ସମାଜବାଦୀମାନଙ୍କୁ ପ୍ରସ୍ଥାନ କରିବାକୁ କହିଥିଲେ। ଓଡ଼ିଶାରେ ସାଧାରଣ ଲୋକମାନେ କିନ୍ତୁ କମ୍ୟୁନିଷ୍ଟ ଏବଂ ସମାଜବାଦୀଙ୍କ ମଧ୍ୟରେ ପାର୍ଥକ୍ୟ ଦେଖିବାରେ ଅସମର୍ଥ ହୋଇଥିଲେ। ବିଶିଷ୍ଟ ସମାଜବାଦୀ ସୁରେନ୍ଦ୍ର ନାଥ ଦ୍ୱିବେଦୀ ଲେଖିଥିଲେ , ‘ କିଛି ଲୋକ ଆମକୁ କମ୍ୟୁନିଷ୍ଟମାନଙ୍କଠାରୁ ଅଲଗା କରି ଦେଖିବା କଷ୍ଟକର ମନେ କରୁଥିଲେ। ନୀତିଗତ ଏବଂ ରଣକୌଶଳରେ ସାମ୍ୟବାଦ ଏବଂ ଗଣତାନ୍ତ୍ରିକ ସମାଜବାଦ ମଧ୍ୟରେ ପାର୍ଥକ୍ୟ କ’ଣ? ଏହା ଉପରେ ମଧ୍ୟ ସ୍ପଷ୍ଟୀକରଣର ଆବଶ୍ୟକତା ରହିଛି। ନାସିକ ସମ୍ମିଳନୀରେ ଏହି ପ୍ରଶ୍ନଗୁଡ଼ିକ ନେତାମାନଙ୍କ ଦ୍ୱାରା ବ୍ୟାଖ୍ୟା କରାଯାଇଥିଲା।
ସ୍ୱାଧୀନତା ପରବର୍ତ୍ତୀ ପ୍ରଥମ ଦଶନ୍ଧିରେ ସମାଜବାଦୀ ଆନ୍ଦୋଳନର ଦୁଇ ମହାନ ନେତା ଭାବେ ଜୟପ୍ରକାଶ ନାରାୟଣ ଏବଂ ରାମ ମନୋହର ଲୋହିଆ ଉଭା ହୋଇଥିଲେ। ତାଙ୍କ ସହ ରବୀନ୍ଦ୍ର ମୋହନ ଦାସ, ବାଙ୍କ ବିହାରୀ ଦାସ ଏବଂ ଏସ୍ଏନ୍ ଦ୍ୱିବେଦୀ ସମାଜବାଦୀ ପାର୍ଟିରେ ଯୋଗ ଦେଇଥିଲେ। ନବକୃଷ୍ଣ ଚୌଧୁରୀଙ୍କ ପୁଅ ବିନାୟକ ମଧ୍ୟ ଜଣେ ସମାଜବାଦୀ କାର୍ଯ୍ୟକର୍ତ୍ତା ଥିଲେ। ବିଶ୍ୱନାଥ ପଣ୍ଡିତ, ନିଶାମଣି ଖୁଣ୍ଟିଆ, ଅନିଲ କୁମାର ଘୋଷ, ଗୌର ଚରଣ ଦାସ, କଣ୍ଡୁରୀ ମଲ୍ଲିକ, ଜଗନ୍ନାଥ ସାହୁ, ସୁରେନ୍ଦ୍ର ପ୍ରଧାନ, ଆକୁଳାନନ୍ଦ ବେହେରା, ଦେବୀପ୍ରସନ୍ନ ପଟନାୟକ, ଗୋକୁଳାନନ୍ଦ ପ୍ରହରାଜ, ପ୍ରଦୀପ୍ତ କିଶୋର ଦାସ, ବାଇଧର ବେହରା, ବିରଜା ପ୍ରସାଦ ରାୟ, ଡକ୍ଟର ରବି ଘୋଷ, ରବି ରାୟ, ଧୁଳେଶ୍ୱର ବସ୍ତିଆ, ପ୍ରିୟନାଥ ଦେ, ଯୁଧିଷ୍ଠିର ଦାସ, ହରିହର ବାହିନୀପତି, ଗଣନାଥ ପ୍ରଧାନ, ପ୍ରସନ୍ନ ଦାସ, କୁଳମଣି ମହାପାତ୍ର, ଶ୍ୟାମଳୀ ଲାହିଡି, ରାଜେନ୍ଦ୍ର ପ୍ରସାଦ ଦାସ, ବିଭୂତି ପଟ୍ଟନାୟକ, ରାମଚନ୍ଦ୍ର ସୁତାର , ବୈକୁଣ୍ଠନାଥ ମହାନ୍ତି, ଶରତ କୁମାର ଦାସ, ବାବୁଲାଲ ଯୋଶୀ ପ୍ରମୁଖ ସ୍ୱାଧୀନତା ପରବର୍ତ୍ତୀ ଦଶନ୍ଧିରେ ଶକ୍ତିଶାଳୀ ସମାଜବାଦୀ ସଂଗଠକ ହୋଇପାରିଥିଲେ।
୧୯୪୮ ମସିହାରେ ରାମ ମନୋହର ଲୋହିଆ ସମାଜବାଦୀ ଚିନ୍ତାଧାରାକୁ ଲୋକପ୍ରିୟ କରିବା ପାଇଁ ଓଡ଼ିଶା ଆସିଥିଲେ। ସେ ବାଲେଶ୍ୱର ଜିଲ୍ଲା ଗସ୍ତ କରିଥିଲେ। ପ୍ରାୟ ଦୁଇ ଶହ ଯୁବକ ତାଙ୍କୁ ଭେଟିବା ପାଇଁ ବାଲେଶ୍ୱର ଯାଇଥିଲେ। ସମାଜବାଦୀମାନଙ୍କୁ ସାହାଯ୍ୟ ନକରିବାକୁ ଅଖିଳ ଭାରତୀୟ କଂଗ୍ରେସ କମିଟି ପକ୍ଷରୁ ସେତେବେଳେ ନିର୍ଦ୍ଦେଶ ଜାରି କରାଯାଇଥିଲା। ଲୋହିଆଙ୍କ ଓଡ଼ିଶା ଗସ୍ତକୁ କଂଗ୍ରେସ ସରକାର ପସନ୍ଦ କରୁନଥିଲେ। ବାଲେଶ୍ୱରରେ ଏହି ପ୍ରାଦେଶିକ ସମ୍ମିଳନୀର ଆୟୋଜନ କରାଯାଇଥିଲା। ଲୋହିଆ ଟ୍ରକ, ବଳଦ ଗାଡି ଇତ୍ୟାଦି ବ୍ୟବହାର କରୁଥିଲେ ଏବଂ ଏପରିକି ଲୋକଙ୍କୁ ଭେଟିବା ପାଇଁ ଚାଲି ଚାଲି ଯାଉଥିଲେ।
ସେହି ବର୍ଷ ସାରଙ୍ଗଧର ଦାସ କଂଗ୍ରେସ ଦଳରୁ ଇସ୍ତଫା ଦେବା ସହ ତିର୍ତ୍ତୋଲ-ଏରସମା ବିଧାୟକ ପଦରୁ ଇସ୍ତଫା ଦେଇଥିଲେ କାରଣ ସେ କଂଗ୍ରେସ ପ୍ରାର୍ଥୀ ଭାବରେ ସେଠାରୁ ନିର୍ବାଚିତ ହୋଇଥିଲେ। ପରେ ଏଠି ଉପ-ନିର୍ବାଚନ ଅନୁଷ୍ଠିତ ହୋଇଥିଲା। ସେହି ସମୟରେ କୌଣସି ସାର୍ବଜନୀନ ମତାଧିକାର ନଥିଲା। ପାରାଦୀପର ଯୁବରାଜ ନାରାୟଣ ବୀରବର ସାମନ୍ତଙ୍କୁ କଂଗ୍ରେସ ପ୍ରାର୍ଥୀ କରିଥିବାବେଳେ ସମାଜବାଦୀମାନେ ନିଶାମଣି ଖୁଣ୍ଟିଆଙ୍କୁ ମନୋନୀତ କରିଥିଲେ। କଂଗ୍ରେସ ପ୍ରାର୍ଥୀ ବିଜୟୀ ହୋଇଥିଲେ ସତ କିନ୍ତୁ ସମାଜବାଦୀମାନଙ୍କ ଦ୍ୱାରା ଦିଆଯାଇଥିବା ନିର୍ବାଚନୀ ଟକ୍କର ଆଲୋଚନା ଓ ପ୍ରଶଂସାର ବିଷୟ ପାଲଟି ଥିଲା। ଯେତେବେଳେ ସାର୍ବଜନୀନ ମତାଧିକାର ପ୍ରଚଳନ କରାଗଲା ସେତେବେଳେ ସମାଜବାଦୀମାନଙ୍କୁ ନିର୍ବାଚନ ଜିତିବାରେ ଏହି ଲଢୁଆ ମନୋଭାବ ହିଁ ସାହାଯ୍ୟ କରିଥିଲା । ଏହା ପ୍ରମାଣିତ ହୋଇଥିଲା ଯେ ଉଚ୍ଚବର୍ଗର ଭୋଟରମାନଙ୍କ ମଧ୍ୟରେ ସମାଜବାଦୀମାନଙ୍କର ଲୋକପ୍ରିୟତା କମ୍ ଥିଲା। କିନ୍ତୁ ସାଧାରଣ ଜନତାଙ୍କ ମଧ୍ୟରେ ସେମାନେ ଅପରାଜେୟ ଥିଲେ।
ଏହି ସମୟରେ ମହତାବ ଏବଂ ସମାଜବାଦୀମାନଙ୍କ ମଧ୍ୟରେ ମତଭେଦ ଦିନକୁ ଦିନ ବ୍ୟାପକ ହେବାରେ ଲାଗିଲା। ସୋସାଲିଷ୍ଟ ମାନେ ମହତାବଙ୍କ ରାଜନୀତିକୁ ସମାଲୋଚନା କରୁଥିଲେ। କଂଗ୍ରେସ କ୍ଷମତାର ଭୋକିଲା ରାଜନେତାଙ୍କ ଦଳ ପାଲଟି ଯାଇଛି ବୋଲି ସମାଜବାଦୀମାନେ ଆକ୍ଷେପ କରୁଥିଲେ । ଏହି ଅଭିଯୋଗ ବି ହୋଇଥିଲା ଯେ ମହତାବ ପ୍ରକୃତରେ ଜମିଦାରୀ ବ୍ୟବସ୍ଥାର ଉଚ୍ଛେଦ ସପକ୍ଷରେ ନାହାନ୍ତି , ତେଣୁ ଜମିଦାରଙ୍କ ବିରୋଧରେ ଯୁଦ୍ଧ ଆରମ୍ଭ କରିଥିବା ସମାଜବାଦୀମାନଙ୍କୁ ସେ ଘୃଣା କରୁଛନ୍ତି। ଏହି ସମାଲୋଚନା ମହତାବଙ୍କୁ କଂଗ୍ରେସ ଦଳ ଭିତରେ ମଧ୍ୟ ଅସୁବିଧାରେ ପକାଇଥିଲା କାରଣ କଂଗ୍ରେସରେ ଅନେକ ଜମିଦାର ପ୍ରଭାବଶାଳୀ ସଦସ୍ୟ ଥିଲେ।
ସମାଜବାଦୀ ଦଳ ମୟୂରଭଞ୍ଜରେ ୧୯୪୮ରେ ଏକ ଶାଖା ଗଠନ କରିଥିଲା। ପ୍ରଜାମଣ୍ଡଳ ସଦସ୍ୟମାନେ ପରେ କଂଗ୍ରେସ ଛାଡ଼ି ସମାଜବାଦୀ ଦଳରେ ଯୋଗ ଦେଇଥିଲେ । ୧୯୪୯ ମସିହାରେ ଯେତେବେଳେ ଜୟପ୍ରକାଶ ଓଡ଼ିଶା ଆସିଥିଲେ, ମୟୂରଭଞ୍ଜ ପ୍ରଜା ମଣ୍ଡଳ ସରକାରର ଶରତ ଚନ୍ଦ୍ର ଦାସ ବାରିପଦାରେ ସ୍ୱାଗତ କମିଟିର ଅଧ୍ୟକ୍ଷ ଥିଲେ। ଦଳର ୭ମ ସମ୍ମିଳନୀ ୧୯୪୯ ମସିହା ମାର୍ଚ୍ଚ ମାସରୁ ପାଟନାରେ ଅନୁଷ୍ଠିତ ହୋଇଥିଲା। ଏଥିରେ ମୁଖ୍ୟ ପ୍ରସଙ୍ଗ ଥିଲା ସମାଜବାଦୀ ଦଳକୁ ଏକ ପ୍ରକୃତ ଜନ ସଙ୍ଗଠନରେ ପରିଣତ କରିବା।
କୌତୁହଳର ବିଷୟ ଯେ,କଂଗ୍ରେସ, ସିପିଆଇ ଏବଂ ସାମ୍ପ୍ରଦାୟିକ ଶକ୍ତି ବ୍ୟତୀତ ସମାଜବାଦୀ ଦଳ ସମସ୍ତଙ୍କ ପାଇଁ ତାହାର ଦ୍ୱାର ଖୋଲି ଦେଇଥିଲା। ରାମମନୋହର ଲୋହିଆଙ୍କ ଦ୍ୱାରା ପ୍ରବର୍ତ୍ତିତ “ଅନ୍ ଦ ମୁଭ୍” ସୂତ୍ରକୁ ଗ୍ରହଣ କରାଯାଇଥିଲା। ସଂଗଠନ ଏବଂ ସଂଘର୍ଷ ସକାଶେ ଗୋଟିଏ ବର୍ଷ ପାଇଁ ଏକ ସମୟବଦ୍ଧ ଯୋଜନା ପ୍ରସ୍ତୁତ ହୋଇଥିଲା। ବାଲେଶ୍ୱର, ସାଲେପୁର ଆଦି ସ୍ଥାନରେ ସ୍ଥାନୀୟ ସମ୍ମିଳନୀ ଏବଂ ଶିବିର ଆୟୋଜନ କରାଯାଇଥିଲା।
ସ୍ୱାଧୀନତା ପୂର୍ବରୁ ପ୍ରକାଶ ପାଉଥିବା ଦଳର ମୁଖପତ୍ର ‘ଓଲ୍ଡ କୃଷକ୍ “ପୁନର୍ବାର ପ୍ରକାଶିତ ହୋଇଥିଲା।
ଓଡ଼ିଶାରେ ଢେର ସମୟ ଧରି କଂଗ୍ରେସ ନେତା ଏବଂ ସମାଜବାଦୀଙ୍କ ମଧ୍ୟରେ ମୌଖିକ ଦ୍ୱନ୍ଦ୍ୱ ଚାଲିଥିଲା। କମ୍ୟୁନିଷ୍ଟମାନେ ମଧ୍ୟ ସମାଜବାଦୀମାନଙ୍କୁ ସମାଲୋଚନା କରିବାକୁ ପଛାଉ ନଥିଲେ। ବାମପନ୍ଥୀମାନଙ୍କ ଖାସ ଅଭିଯୋଗ ଥିଲା ଯେ ଭାରତରେ କମ୍ୟୁନିଜମର ଅଭିବୃଦ୍ଧିକୁ ରୋକିବା ପାଇଁ ସମାଜବାଦୀମାନେ ପାଶ୍ଚାତ୍ୟ ଦେଶମାନଙ୍କଠାରୁ ଅର୍ଥ ସଂଗ୍ରହ କରୁଛନ୍ତି।
୧୯୫୨ ବିଧାନସଭା ନିର୍ବାଚନରେ ସମାଜବାଦୀ ଦଳ ୧୪୦ ମଧ୍ୟରୁ ୧୦ ଆସନ ଜିତିଥିଲା। ସମାଜବାଦୀ ଦଳ ଏବଂ କିଷାନ ମଜଦୁର ପ୍ରଜା ପାର୍ଟିକୁ ମିଶାଇ ଗଠିତ ହୋଇଥିବା ପ୍ରଜା ସମାଜବାଦୀ ଦଳ (ପିଏସପି) ୧୯୬୭ରେ ଶୀର୍ଷରେ ପହଞ୍ଚିଥିଲା ଓ ୨୧ ଆସନ ଜିତିଥିଲା। ଆଜି ଓଡ଼ିଶାରେ ସମାଜବାଦୀ ଏବଂ ବାମପନ୍ଥୀ ରାଜନୀତି ଖଣ୍ଡବିଖଣ୍ଡିତ। କିନ୍ତୁ ଶ୍ରମିକ, ଆଦିବାସୀ ଏବଂ କର୍ପୋରେଟ୍ ବିରୋଧୀ ଆନ୍ଦୋଳନରେ ସକ୍ରିୟ ହୋଇ ରହିଛନ୍ତି ସମାଜବାଦୀ ଗୋଷ୍ଠୀ।
also read https://purvapaksa.com/indian-pm-likely-to-be-leader-of-free-world-in-40-50-years/
