ଟ୍ରକ-ସ୍କର୍ପିଓ ମୁହାଁମୁହିଁ ଧକ୍କା; ୬ମୃତ
ଉତ୍ତରପ୍ରଦେଶର କନୌଜ ଜିଲ୍ଲାରେ ଘଟିଛି ଲୋମଟାଙ୍କୁରା ଦୁର୍ଘଟଣା। ଏଥିରେ ୬ଜଣଙ୍କ ଶୋଚନୀୟ ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରେ ରହିଛନ୍ତି ୫ଜଣ ଡାକ୍ତର। ପ୍ରଥମେ କାରଟି ଡିଭାଇଡର୍ରେ ପିଟି ହୋଇଥିଲା। ତା’ପରେ ରୋଡ୍ର ଅନ୍ୟ ପାର୍ଶ୍ୱକୁ ଯାଇ ଟ୍ରକ୍ ସହ ମୁହାଁମୁହିଁ ଧକ୍କା। ଫଳରେ ଏକା ସାଙ୍ଗେ ଲିଭିଯାଇଛି ୫ ଡାକ୍ତରଙ୍କ ଅମୂଲ୍ୟ ଜୀବନ। ସେହିପରି ଆଉ ଜଣେ ମଧ୍ୟ ଚିକିତ୍ସାଧୀନ ଅବସ୍ଥାରେ ପ୍ରାଣ ହରାଇଛନ୍ତି। ଆଜି ଭୋର ସମୟରେ ଏଭଳି ଭୟଙ୍କର ଦୁର୍ଘଟଣା ଘଟିଛି ଉତ୍ତର ପ୍ରଦେଶର ଆଗ୍ରା-ଲକ୍ଷ୍ନୌ ଏକ୍ସପ୍ରେସ୍ଓ୍ୱେରେ।
ଏହି ୫ ଡାକ୍ତର ସୈଫଇ ମେଡିକାଲ କଲେଜରେ ପୋଷ୍ଟିଂ ଥିଲେ। ଏମାନେ ନିଜର ଅନ୍ୟ ସାଙ୍ଗମାନଙ୍କ ସହ ଲକ୍ଷ୍ନୌରୁ ସୈଫଇକୁ ଫେରୁଥିଲେ। ତେବେ ଅଧ ରାସ୍ତାରେ ଡ୍ରାଇଭରଙ୍କ ଆଖି ଲାଗିଯିବାରୁ କାର୍ଟି ନିୟନ୍ତ୍ରଣ ହରାଇ ଡିଭାଇଡର୍ରେ ପିଟି ହୋଇ ଆଗ୍ରା-ଲକ୍ଷ୍ନୌ ଏକ୍ସପ୍ରେସ୍ଓ୍ୱେକୁ ମାଡି ଯାଇଥିଲା। ୬ ଜଣ ମୃତକଙ୍କ ବ୍ୟତୀତ ଜୟବୀର ସିଂହ ନାମକ ଜଣେ ବ୍ୟକ୍ତି ଗୁରୁତର ଆହତ ହୋଇଛନ୍ତି। ତାଙ୍କୁ ସୈଫଇ ମେଡିକାଲ କଲେଜରେ ଭର୍ତ୍ତି କରାଯାଇଛି।
ଜଣେ ପୁଲିସ ଅଧିକାରୀ କହିଛନ୍ତି ଯେ ଏହି ଦୁର୍ଘଟଣାରେ ୫ ଜଣ ଡାକ୍ତରଙ୍କ ସମେତ ୬ ଜଣଙ୍କ ମୃତ୍ୟୁ ଘଟିଛି। ଜୟବୀର ସିଂହ ନାମକ ଅନ୍ୟ ଜଣେ ବ୍ୟକ୍ତି ଗୁରୁତର ଆହତ ହୋଇ ସୈଫାଇ ମେଡିକାଲ କଲେଜରେ ଚିକିତ୍ସିତ ହେଉଛନ୍ତି। ପୁଲିସ ମୃତକଙ୍କ ପରିବାର ଲୋକଙ୍କୁ ଖବର ଦେବା ସହ ମୃତଦେହକୁ ଶବ ଗୃହକୁ ପଠାଇଛି। ସଡ଼କ ଦୁର୍ଘଟଣା ହେଉଛି ଏବେ ଦେଶର ମୃତ୍ୟୁର ସବୁଠାରୁ ବଡ଼ କାରଣ।
ମିଡିଆ ପରିସଂଖ୍ୟାନ ଅନୁଯାୟୀ, ଭାରତରେ ପ୍ରତି ୪ ମିନିଟରେ ଜଣେ ବ୍ୟକ୍ତି ସଡ଼କ ଦୁର୍ଘଟଣାରେ ପ୍ରାଣ ହରାଉଛନ୍ତି। ସଡ଼କ ଦୁର୍ଘଟଣାରେ ଭାରତର ମୃତ୍ୟୁସଂଖ୍ୟା ଅଧିକ ହେବାର କାରଣ ଗୁଡ଼ିକ ହେଲା- ଖରାପ ରାସ୍ତା, ବେପରୁଆ ଉପଭୋକ୍ତା ଆଚରଣ, ଖରାପ ସଡ଼କ ଡିଜାଇନ୍ ଏବଂ ଇଞ୍ଜିନିୟରିଂ, ଟ୍ରାଫିକ୍ ନିୟମର ଖରାପ କାର୍ଯ୍ୟକାରିତା ଏବଂ ଦ୍ରୁତ ଟ୍ରମା କେୟାରର ଅଭାବ। ଦେଶରେ ସଡ଼କ ସୁରକ୍ଷାକୁ ନିୟନ୍ତ୍ରଣ କରୁଥିବା ଏକମାତ୍ର ମୋଟର ଯାନ ଆଇନ ୧୯୮୮ (ଏମଭିଏ) ଉପରୋକ୍ତ ପ୍ରସଙ୍ଗଗୁଡ଼ିକ ମଧ୍ୟରୁ କୌଣସିଟିକୁ ନିର୍ଣ୍ଣାୟକ ଭାବରେ ସମାଧାନ କରିବାରେ ପ୍ରଭାବହୀନ ସାବ୍ୟସ୍ତ ହୋଇଛି । ସଡ଼କ ସୁରକ୍ଷାକୁ ଏବେ ବି ଦେଶରେ ପ୍ରାଥମିକତା ପ୍ରସଙ୍ଗ ଭାବେ ଦେଖିବାକୁ ମିଳୁନାହିଁ।
ଯଦି ଏକ ବିସ୍ତୃତ ଜାତୀୟ ସଡ଼କ ସୁରକ୍ଷା ଆଇନ ଦେଶରେ ଅଣାଯାଏ, ତେବେ ସ୍ଥିତିରେ ସୁଧାର ଆଣିବାରେ ସଫଳ ହେବ। ଏହାସହ ଗାଡ଼ି ଚଳାଇବାର ନିୟମ ଉଲ୍ଲଂଘନ କଲେ କଠୋର ଜରିମାନା ଓ ଦଣ୍ଡ ବ୍ୟବସ୍ଥା କରିବା ପାଇଁ ଭୂତଳ ପରିବହନ ମନ୍ତ୍ରଣାଳୟ ନିକଟରେ ଏମଭିଏ ଆଇନରେ ସଂଶୋଧନ କରିଥିବା ଜଣାପଡ଼ିଛି।
previous article: https://purvapaksa.com/supreme-court-dismisses-pil-to-use-paper-ballots-for-voting/
