- ଆରମ୍ଭରୁ ପ୍ରବଳ ହଟ୍ଟଗୋଳ
- କଂଗ୍ରେସର ଜୋରଦାର ବିରୋଧ
ଲୋକସଭାରେ ଆଗତ ହୋଇଛି ଏକ ଦେଶ, ଏକ ନିର୍ବାଚନ ବିଲ୍ । କେନ୍ଦ୍ର ଆଇନ୍ ମନ୍ତ୍ରୀ ଅର୍ଜୁନ ରାମ ମେଘଓ୍ୱାଲ ଏହି ବିଲକୁ ଲୋକସଭାରେ ଆଗତ କରିଛନ୍ତି । ତେବେ ଏହି ବିଧେୟକକୁ ସମ୍ବିଧାନର ୧୨୯ ତମ ସଂଶୋଧନ ବିଧେୟକ ବୋଲି ନାମ ଦିଆଯାଇଛି । ଖାଲି ସେତିକି ନୁହେଁ, ଏହି ବିଲକୁ ଲୋକସଭାରେ ପାସ୍ କରିବାକୁ ଯଥାସମ୍ଭବ ଚେଷ୍ଟା ଚଳାଇଛି ବିଜେପି, ଖାସ୍ ସେଥିପାଇଁ ଆଜି ବିଜେପିର ସମସ୍ତ ସାଂସଦଙ୍କ ପାଇଁ ଦଳ ହ୍ୱିପ୍ ଜାରି କରିଛି ।
ତେବେ ଟିଡିପି ଏହି ବିଲକୁ ସମର୍ଥନ କରିବ ବୋଲି ସଫା ସଫା କହିଦେଇଛି । ଟିଡିପି ନିଜ ଦଳର ସାଂସଦଙ୍କ ପାଇଁ ହ୍ୱିପ୍ ମଧ୍ୟ ଜାରି କରିଛି । ଅନ୍ୟପଟେ ଓ୍ୱାଇଏସଆରସିପି ଦଳର ସାଂସଦ ମଧ୍ୟ ଏହି ବିଲକୁ ତାଙ୍କ ଦଳ ସମର୍ଥନ କରିବ ବୋଲି ସୂଚନା ଦେଇଛନ୍ତି । ଓ୍ୱାଇଏସଆରସିପି ସାଂସଦ ପିବି ମିଥୁନ୍ ରେଡ୍ଡୀ କହିଛନ୍ତି ଯେ, ଆମେ ପ୍ରଥମରୁ ହିଁ ସାଧାରଣ ନିର୍ବାଚନ ସହ ରାଜ୍ୟ ନିର୍ବାଚନ କରୁଛୁ । ତେଣୁ ଆମ ପାଖରେ ମୁଦ୍ଦା ନାହିଁ, ଆମେ ଏହି ବିଲକୁ ସମର୍ଥନ କରିବୁ ବୋଲି ସେ କହିଛନ୍ତି।ଅନ୍ୟପଟେ କଂଗ୍ରେସ ଏହି ବିଲକୁ ସମର୍ଥନ କରିବନି ବୋଲି କହିଛନ୍ତି କଂଗ୍ରେସ ଦଳର ସାଂସଦ ମନୀଷ ତିଓ୍ୱାରୀ । ଏହି ବିଲ ସମ୍ବିଧାନର ବିରୋଧୀ ବୋଲି କହିବା ସହ ଏହା ସମ୍ବିଧାନର ମୂଳ ଢାଞ୍ଚାର ମଧ୍ୟ ବିରୋଧୀ ବୋଲି ସେ କହିଛନ୍ତି । ଅନ୍ୟପଟେ କଂଗ୍ରେସ ମହାସଚିବ ଜୟରାମ ରମେଶଙ୍କ କହିବା କଥା, ଏହା ସମ୍ବିଧାନ ବଦଳାଇବାର ବିଗୁଲ୍ ଅଟେ ।
ଦେଶରେ ଏକାସାଙ୍ଗରେ ବିଧାନସଭା ନିର୍ବାଚନ ଓ ଲୋକସଭା ନିର୍ବାଚନ କରିବାକୁ ଚିନ୍ତା କରୁଛନ୍ତି କେନ୍ଦ୍ର ସରକାର । ଏଥିପାଇଁ ପ୍ରଥମେ ଲୋକସଭାରେ ଏହି ବିଲ୍ ଅଣାଯାଇଛି । ଅନ୍ୟପଟେ କେନ୍ଦ୍ର ଶାସିତ ପ୍ରଦେଶ ସଂଶୋଧନ ବିଧେୟକରେ ଦିଲ୍ଲୀ, ପଣ୍ଡିଚେରୀ ଏବଂ ଜମ୍ମୁକାଶ୍ମୀର ଭଳି କେନ୍ଦ୍ରଶାସିତ ପ୍ରଦେଶର ନିର୍ବାଚନ ମଧ୍ୟ ଏକାସାଙ୍ଗରେ କରିବାକୁ ସରକାର ବିଲ୍ ଆଣିଛନ୍ତି । ଏହି ବିଲକୁ ଇଣ୍ଡିଆ ବ୍ଲକର ସାଂସଦମାନେ ତୀବ୍ର ବିରୋଧ କରିବା ସହ ଏହାକୁ ସମ୍ବିଧାନର ମୌଳିକ ଢାଞ୍ଚାର ଉଲ୍ଲଂଘନ ବୋଲି କହି ସଂସଦର ଯୁଗ୍ମ ସଂସଦୀୟ କମିଟି (ଜେପିସି)କୁ ପଠାଇବାକୁ ଦାବି କରିଥିଲେ। ତେଲୁଗୁ ଦେଶମ ପାର୍ଟି (ଟିଡିପି) ସାଂସଦମାନେ ଏହି ବିଲ୍ କୁ ସମର୍ଥନ ଜଣାଇଛନ୍ତି।
କଂଗ୍ରେସର ବରିଷ୍ଠ ନେତା ତଥା ଚଣ୍ଡୀଗଡ଼ ସାଂସଦ ମାନୀଷ ତିୱାରୀ ‘ଏକ ଦେଶ ଗୋଟିଏ ନିର୍ବାଚନ’ ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରି ଏହାକୁ ସାମ୍ବିଧାନିକ ବ୍ୟବସ୍ଥାର ଉଲ୍ଲଂଘନ ବୋଲି କହିଛନ୍ତି। ସେ କହିଛନ୍ତି, ସମ୍ବିଧାନ ୧୨୯ତମ ସଂଶୋଧନ ବିଲ୍ ୨୦୨୪ ଏବଂ କେନ୍ଦ୍ରଶାସିତ ଅଞ୍ଚଳ ଆଇନ ସଂଶୋଧନ ବିଲ୍ ୨୦୨୪କୁ ମୁଁ ବିରୋଧ କରୁଛି। ସମ୍ବିଧାନର ସପ୍ତମ ଅନୁସୂଚୀ ବାହାରେ ରହିଛି ମୌଳିକ ଢାଞ୍ଚା ନୀତି ଏବଂ ସେହି ମୌଳିକ ଢାଞ୍ଚା ନୀତି ରେ ଦର୍ଶାଯାଇଛି ଯେ ଭାରତୀୟ ସମ୍ବିଧାନର କିଛି ବୈଶିଷ୍ଟ୍ୟ ଅଛି ଯାହା ଏହି ଗୃହର ସଂଶୋଧନ କ୍ଷମତା ବାହାରେ ମଧ୍ୟ ଅଛି । ଅନ୍ୟତମ ଅତ୍ୟାବଶ୍ୟକ ବୈଶିଷ୍ଟ୍ୟ ହେଉଛି ସଂଘୀୟ ବ୍ୟବସ୍ଥା ଏବଂ ଆମ ଗଣତନ୍ତ୍ରର ଢାଞ୍ଚା ବୋଲି ତିୱାରୀ କହିଛନ୍ତି। ତେଣୁ ଆଇନ ଓ ନ୍ୟାୟ ମନ୍ତ୍ରୀ ଯେଉଁ ବିଲ୍ ଆଗତ କରିଛନ୍ତି ତାହା ସମ୍ବିଧାନର ମୌଳିକ ଢାଞ୍ଚାଉପରେ ସମ୍ପୂର୍ଣ୍ଣ ଆକ୍ରମଣ କରୁଛି ଏବଂ ଏହି ଗୃହର ଆଇନଗତ କ୍ଷମତା ବାହାରେ ରହିଛି, ତେଣୁ ଏହାକୁ ବିରୋଧ କରାଯିବା ର ଆବଶ୍ୟକତା ରହିଛି ଏବଂ ସେହି ବିଲ୍ ଗୁଡ଼ିକର ଉପସ୍ଥାପନ ବନ୍ଦ କରିବାକୁ ପଡ଼ିବ ବୋଲି ତିୱାରୀ କହିଛନ୍ତି।
ତିଓ୍ଵାରୀଙ୍କ ମତକୁ ସମର୍ଥନ କରି ସମାଜବାଦୀ ପାର୍ଟି ନେତା ସାଂସଦ ଧର୍ମେନ୍ଦ୍ର ଯାଦବ ମଧ୍ୟ ଏହି ବିଲକୁ ବିରୋଧ କରି କହିଛନ୍ତି ଯେ ଲୋକସଭାରେ ସମ୍ବିଧାନ ନିର୍ମାତା ଙ୍କ ଭଳି କେହି ବି ଜ୍ଞାନୀ ନୁହଁନ୍ତି। ସମ୍ବିଧାନର ୧୨୯ତମ ସଂଶୋଧନ ଆଇନକୁ ବିରୋଧ କରିବାକୁ ମୁଁ ଠିଆ ହୋଇଛି, ସମ୍ବିଧାନ କୁ ବଞ୍ଚାଇବାର ଗୌରବମୟ ପରମ୍ପରାରେ କୌଣସି କସରତ ଛାଡ଼ି ନାହିଁ। ଦୁଇ ଦିନ ମଧ୍ୟରେ ସମ୍ବିଧାନର ମୌଳିକ ଭାବନା ଓ ମୌଳିକ ଢାଞ୍ଚାକୁ ଶେଷ କରିବା ପାଇଁ ସମ୍ବିଧାନ ସଂଶୋଧନ ବିଲ୍ ଅଣାଯାଇଛି। ମୁଁ ମନୀଷ ତିୱାରୀ ଏବଂ ମୋ ଦଳ ଏବଂ ମୋ ନେତା ଅଖିଳେଶ ଯାଦବଙ୍କ ସହ ସହମତ । ମୋର ଏହା କହିବାରେ କୌଣସି ଦ୍ୱିଧା ନାହିଁ ଯେ ସେହି ସମୟରେ ଆମ ସମ୍ବିଧାନ ନିର୍ମାତାଙ୍କ ଠାରୁ ଅଧିକ ବିଦ୍ୱାନ ଆଉ କେହି ନଥିଲେ, ଏପରିକି ଏହି ଗୃହରେ ମଧ୍ୟ ଆଉ କେହି ଶିକ୍ଷିତ ନଥିଲେ । ଏହା କହିବାରେ ମୋର କୌଣସି ଦ୍ୱିଧା ନାହିଁ ବୋଲି ଯାଦବ କହିଛନ୍ତି।
ତୃଣମୂଳ କଂଗ୍ରେସ ଏମ୍ପି କଲ୍ୟାଣ ବାନାର୍ଜୀ କହିଛନ୍ତି, ଏହି ବିଧେୟକ ଏକ ଅଲଟ୍ରା ଭାଇରସ ହୋଇଥିବା ବେଳେ ଏହା ସମ୍ବିଧାନର ମୂଳ ଢାଞ୍ଚାକୁ ଭାଙ୍ଗିବାକୁ ଉଦ୍ଦିଷ୍ଟ । କିଛି ଦିନ ତଳେ ଏକକ ନିର୍ବାଚନ ବିଲ୍କୁ ମିଳିଥିଲା କେନ୍ଦ୍ର କ୍ୟାବିନେଟର ମଞ୍ଜୁରୀ । ଆଜି ବିଲ୍ ଆଗତ ହୋଇଥିବା ବେଳେ ପରେ ଏହା ଜଏଣ୍ଟ ପାର୍ଲାମେଣ୍ଟାରି କମିଟିକୁ ପଠାଯାଇପାରେ । ଜେପିସିରେ ଥିବା ସବୁ ରାଜନୀତିକ ଦଳର ସଦସ୍ୟ ଏହା ଉପରେ ବିସ୍ତୃତ ଆଲୋଚନା କରି ଆବଶ୍ୟକ ପ୍ରସ୍ତାବ ଦେବେ। ଚୂଡ଼ାନ୍ତ ବିଲ ପୁଣି ଗୃହରେ ଉପସ୍ଥାପନ କରାଯିବା ପୂର୍ବରୁ ସରକାର ବିଭିନ୍ନି ଅଂଶୀଦାରଙ୍କୁ ମଧ୍ୟ ସାମିଲ କରିବାକୁ ଯୋଜନା କରିଛନ୍ତି। ବୁଦ୍ଧିଜୀବୀ, ବିଶେଷଜ୍ଞ, ସାମାଜିକ ସଂସ୍ଥାର ସଦସ୍ୟ ଓ ସମସ୍ତ ରାଜ୍ୟର ବିଧାନସଭା ବାଚସ୍ପତିମାନେ ମଧ୍ୟ ‘ଗୋଟିଏ ଦେଶ, ଗୋଟିଏ ନିର୍ବାଚନ’ ବିଲ୍ ଉପରେ ନିଜର ମତ ରଖିବେ। ଅତିରିକ୍ତ ଭାବେ ବିଲ୍କୁ ଆଇନରେ ପରିଣତ କରିବା ପୂର୍ବରୁ ସରକାର ସାଧାରଣ ଲୋକଙ୍କ ମତ ମଧ୍ୟ ନେବେ। ସରକାର ସମସ୍ତଙ୍କୁ ସାମିଲ କରି ‘ଗୋଟିଏ ଦେଶ, ଗୋଟିଏ ନିର୍ବାଚନ’ ବ୍ୟବସ୍ଥା ଲାଗୁ କରିବାକୁ ଲକ୍ଷ୍ୟ ରଖିଛନ୍ତି।
previous article:https://purvapaksa.com/shah-meets-families-of-martyred-jawans/


