ଦେଶର ଏକ ପ୍ରମୁଖ ମେରିଟାଇମ୍ ହବ୍ ଭାବେ ଓଡ଼ିଶା ଉଭା ହେବାକୁ ଯାଉଛି। ୨୦୪୭ ସୁଦ୍ଧା ବିକଶିତ ଭାରତ ପାଇଁ ୨୦୨୬ ସୁଦ୍ଧା ବିକଶିତ ଓଡ଼ିଶା ଗଠନ ଲକ୍ଷ୍ୟରେ ଓଡ଼ିଶାର ସାମୁଦ୍ରିକ ପରିବହନ କ୍ଷେତ୍ର ଅଣ ପ୍ରମୁଖ ବନ୍ଦରଗୁଡ଼ିକର କ୍ଷମତା ୮୦ ନିୟୁତ ଟନ୍ରେ ପହଞ୍ଚିଲା ୨୦୨୪-୨୫ରେ ରାଜ୍ୟକୁ ମିଳିଛି ୩୦୬ କୋଟି ରାଜସ୍ବ ।ଭବିଷ୍ୟତ ପାଇଁ ଆବଶ୍ୟକ ଉନ୍ନତ ସାମୁଦ୍ରିକ ପରିବହନ ଭିତ୍ତିଭୂମି ସୃଷ୍ଟିର ଆବଶ୍ୟକତା ରହିଛି। ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଅନେକ ପଦକ୍ଷେପ ଗ୍ରହଣ କରିଛନ୍ତି। ଓଡ଼ିଶା ମେରିଟାଇମ ବୋର୍ଡ ଏବଂ ବାଣିଜ୍ୟ ଓ ପରିବହନ ବିଭାଗ ଏହି କାର୍ଯ୍ୟର ନେତୃତ୍ବ ନେଉଛନ୍ତି। ରାଜ୍ୟରେ ସାମୁଦ୍ରିକ ବାଣିଜ୍ୟ ଏବଂ ମାଲ୍ ପରିବହନ କ୍ଷମତା ସୁଦୃଢ଼ ହୋଇଛି। ରାଜ୍ୟର ଅଣ ପ୍ରମୁଖ ବନ୍ଦରଗୁଡ଼ିକର ମାଲ୍ ପରିବହନ କ୍ଷମତା ୨୦୨୪-୨୫ରେ ୮୦ ନିୟୁତ ଟନରେ ପହଞ୍ଚିଛି। ଏଥିରେ ଧାମରା ବନ୍ଦରର କ୍ଷମତା ୪୬,୦୮ ନିୟୁତ ଟନ୍ ଏବଂ ଗୋପାଳପୁର ବନ୍ଦରର କ୍ଷମତା ୬ ନିୟୁତ ଟନରେ ପହଞ୍ଚିଛି ।
୨୦୨୪-୨୫ ଆର୍ଥିକବର୍ଷରେ ୩୦୬.୧୫ କୋଟି ଟଙ୍କାର ରାଜସ୍ଵ ସୃଷ୍ଟି ହୋଇପାରିଛି। ପାରାଦୀପ ବନ୍ଦର ୨୦୨୪-୨୫ରେ ୧୫୦.୪୧ ନିୟୁତ ଟନ୍ ମାଲ ପରିବହନ କରି ଦେଶର ପ୍ରମୁଖ ବନ୍ଦରଗୁଡ଼ିକ ମଧ୍ୟରେ ସର୍ବାଧିକ ମାଲ୍ ପରିବହନ କରିବା ଭଳି ସଫଳତା ପାଇଛି। ଅତ୍ୟାଧୁନିକ ବନ୍ଦର ପ୍ରଯୁକ୍ତି ଏବଂ ଗଭୀର ବର୍ଥ କାରଣରୁ ବାଣିଜ୍ୟ ପାଇଁ ନୂଆ ସୁଯୋଗ ରାଜ୍ୟରେ ସୃଷ୍ଟି ହୋଇଛି। ଧାମରା ଓ ଗୋପାଳପୁର ବନ୍ଦର ଅନ୍ତର୍ଜାତୀୟ ସ୍ତରରେ ଉନ୍ନତ ଯୋଗାଯୋଗ ସ୍ଥାପନ କରିପାରିଛି। ଏଥିଯୋଗୁ ଓଡ଼ିଶା ବିଶ୍ଵ ବାଣିଜ୍ୟର ଏକ ଗୁରୁତ୍ବପୂର୍ଣ୍ଣ ହବରେ ପରିଣତ ହୋଇଛି।
ଏଥିସହିତ ଉପକୂଳ ଜାହାଜ ଚଳାଚଳ ଜରିଆରେ ରାଜ୍ୟର ଶିଳ୍ପାଞ୍ଚଳ ଏବଂ କୃଷିଜାତ ସାମଗ୍ରୀର ଉତ୍ପାଦନ କେନ୍ଦ୍ରଗୁଡ଼ିକ ସହିତ ଉନ୍ନତ ଯୋଗାଯୋଗ ସ୍ଥାପନ କରାଯାଇ ପାରିଛି। ରାଜ୍ୟରେ ବନ୍ଦର କ୍ଷେତ୍ରର ବିକାଶ ପାଇଁ ରାଜ୍ୟ ସରକାର ଅନେକ ପଦକ୍ଷେପ ନେଇଛନ୍ତି। କ୍ୟାପ୍ଟିଭ ଜେଟି ନିର୍ମାଣ ପାଇଁ ଜେଏସ୍ଡବ୍ଲ୍ୟୁ ଉତ୍କଳ ଷ୍ଟିଲ୍ ଲିମିଟେଡ ସହିତ ଏକ ରାଜିନାମା ସ୍ବାକ୍ଷର କରିଛନ୍ତି। ଜେଏସ୍ଡବ୍ଲ୍ୟୁ ପକ୍ଷରୁ ହେବାକୁ ଥିବା ସମନ୍ବିତ ଇସ୍ପାତ କାରଖାନାର ମାଲ ପରିବହନ ଦିଗରେ ଏହା ସହାୟକ ହେବ। ଏହି ପ୍ରକଳ୍ପ ଜରିଆରେ ୨୧୦୪ କୋଟି ଟଙ୍କା ନିବେଶ ଆସିବ ଏବଂ ପାଖାପାଖି ୩୪୫୦ ପ୍ରତ୍ୟକ୍ଷ ଓ ପରୋକ୍ଷ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ। ସେହିଭଳି ଗୋପାଳପୁର ପୋର୍ଟସ ଲିମିଟେଡର ଅଂଶଧନରେ ଆଦାନୀ ପୋର୍ଟସ ଆର୍ ଏସ୍ଇଜେଡ୍ ୯୫ ପ୍ରତିଶତ ଅଂଶଧନ ନେବ। ଏଥିଯୋଗୁ ୧୬,୫୫୪ କୋଟି ଟଙ୍କାର ନିବେଶ ଆସିବା ସହ ପ୍ରାୟ ୫ ହଜାର ପ୍ରତ୍ୟକ୍ଷ ଓ ପରୋକ୍ଷ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ। ରାଜ୍ୟର ସମୁଦ୍ରକୁ ଉପଯୋଗ କରି ଅର୍ଥନୈତିକ ବିକାଶ ପାଇଁ ସରକାର ପ୍ରୟାସ ଚଳାଇଛନ୍ତି।
ସାମୁଦ୍ରିକ ପରିବହନ କ୍ଷେତ୍ରରେ କୁଶଳୀ ମାନବ ସମ୍ବଳ ସୃଷ୍ଟି ଲାଗି ମଧ୍ୟ ରାଜ୍ୟ ସରକାର ପଦକ୍ଷେପ ନେଇଛନ୍ତି। ଚାନ୍ଦବାଲିର ତାଲିମ ପ୍ରତିଷ୍ଠାନ ଏବଂ ଓଡ଼ିଶା ମେରିଟାଇମ ଏକାଡେମିରେ ସିମୁଲେଟର ସ୍ଥାପନ କରାଯାଇଛି। ଆଭ୍ୟନ୍ତରୀଣ ଜଳ ପରିବହନରେ ସୁରକ୍ଷା ବ୍ୟବସ୍ଥାରେ ଉନ୍ନତି ଆଣିବା ଲାଗି ପୋର୍ଟସ୍ ଆଣ୍ଡ୍ ଆଇଡବ୍ୟୁଟି ବୋଟ୍ ମାଲିକମାନଙ୍କୁ ୯୫ ପ୍ରତିଶତ ସବସିତିରେ ପ୍ରାୟ ୩୫ ହଜାର ଜୀବନ ରକ୍ଷାକାରୀ ଉପକରଣ ବଣ୍ଟନ କରିଛି।
Also Readhttps://purvapaksa.com/defence-minister-rajnath-singh-initiates-debate-on-operation-sindoor/
