Shrimad Bhagwat Geeta: ଶ୍ରୀମଦ୍ ଭଗବତ ଗୀତାଙ୍କ ଅନୁଯାୟୀ, ଜୀବନରେ ସଫଳତା ହାସଲ କରିବାକୁ ହେଲେ ଜଣେ ବ୍ୟକ୍ତିଙ୍କୁ ନିଜ ଲକ୍ଷ୍ୟ ପ୍ରତି ସକ୍ରିୟ ହେବା ଆବଶ୍ୟକ।
ଆପଣଙ୍କ ଲକ୍ଷ୍ୟ ଉପରେ ଧ୍ୟାନ ଦେବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଅନେକ ଲୋକ ଜୀବନରେ ଏକ ଲକ୍ଷ୍ୟ ସ୍ଥିର କରନ୍ତି ଏବଂ ଯଦି ସେମାନେ ଏଥିରେ ସଫଳତା ନ ପାଆନ୍ତି ତେବେ ସେମାନେ ସେମାନଙ୍କର ଲକ୍ଷ୍ୟ ପରିବର୍ତ୍ତନ କରନ୍ତି।
ଆଜିକାଲି, ଜୀବନରେ ଅନେକ ଅସୁବିଧା ଅଛି ଯାହା ସହିତ ଆମେ ସବୁବେଳେ ସଂଘର୍ଷ କରୁଛୁ । ପ୍ରତ୍ୟେକ ପଦକ୍ଷେପରେ ସମସ୍ତେ ବ୍ୟକ୍ତିଗତ, ବୃତ୍ତିଗତ ଏବଂ ଅନ୍ୟାନ୍ୟ ପ୍ରକାରର ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ସଠିକ୍ ଜୀବନଶୈଳୀ ଗ୍ରହଣ କରି ଏହି ସମସ୍ୟାର କିପରି ମୁକାବିଲା କରାଯିବ ସେ ସମ୍ବନ୍ଧରେ ଆମେ ଆପଣଙ୍କୁ ସମାଧାନ କହିବାକୁ ଯାଉଛୁ।
କୁହାଯାଏ ଯେ ପ୍ରତ୍ୟେକ ସମସ୍ୟା ଏବଂ ଅସୁବିଧାର ସମାଧାନ ଶ୍ରୀମଦ୍ ଭାଗବତ ଗୀତାରେ ମିଳିଥାଏ । ଅର୍ଜୁନଙ୍କୁ ପ୍ରେରଣା ଦେବା ପାଇଁ ଭଗବାନ କୃଷ୍ଣ ଦେଇଥିବା ଜ୍ଞାନ ଗୀତାର ୧୮ତମ ଅଧ୍ୟାୟରେ ଅନ୍ତର୍ଭୁକ୍ତ । ଆଜି ଆମେ ଗୀତାରେ ବର୍ଣ୍ଣିତ ଶ୍ରୀକୃଷ୍ଣ ମୁଖ ନିସୃତ ୭ଟି ଅମୃତ ବାଣୀ ସମ୍ପର୍କରେ କହିବୁ ଯାହାକୁ ପାଳନ କରି ଜଣେ ସଫଳତା ହାସଲ କରିବା ସହ ସୁଖମୟ ଜୀବନ ଜିଇଁପାରିବ ।
କର୍ମ କର ଫଳର ଆଶା ରଖ ନାହିଁ:
ଗୀତା ବାଣୀରେ ଶ୍ରୀକୃଷ୍ଣ କହିଛନ୍ତି ଯେ, ମଣିଷ ଫଳର ଆଶା ନରଖି ନିଜ କର୍ମ ଉପରେ ଧ୍ୟାନ ଦେଉ । ମଣିଷ ଯାହା ବି କର୍ମ କରେ ସେଇ ଅନୁଯାୟୀ ଫଳ ପାଇଥାଏ । କର୍ମ ନକଲେ ଆଶାନୁରୂପ ଫଳ ମିଳିବ ନାହିଁ । ତେଣୁ ଜଣେ ବ୍ୟକ୍ତି ଭଲ କର୍ମ ଜାରି ରଖିବା ଉଚିତ୍ । ଶ୍ରୀକୃଷ୍ଣଙ୍କ ଏହି ଉପଦେଶ ମନୁଷ୍ୟକୁ ଜୀବନର ପଥ ପ୍ରଦର୍ଶନ କରିଥାଏ ।
କ୍ରୋଧ ମନୁଷ୍ୟର ବଡ଼ ଶତ୍ରୁ:
ଗୀତାରେ ଭଗବାନ ଶ୍ରୀକୃଷ୍ଣ କହିଥିଲେ, କ୍ରୋଧ ମନୁଷ୍ୟର ବଡ ଶତ୍ରୁ । କ୍ରୋଧ ଦ୍ବାରା ବୁଦ୍ଧି ନାଶ ହୁଏ । ବୁଦ୍ଧି ନାଶ ହେଲେ ମନୁଷ୍ୟ ନିଜର ହିଁ ବିନାଶ କରି ବସେ । ଅର୍ଥାତ୍ ମଣିଷ କ୍ରୋଧରେ ଭୁଲ ଠିକ୍ ବିଚାର କରିପାରେ ନାହିଁ । ତେଣୁ କୌଣସି କାର୍ଯ୍ୟରେ ସଫଳତା ପ୍ରାପ୍ତି କରିବାକୁ ହେଲେ ନିଜର କ୍ରୋଧ ତ୍ୟାଗ କରନ୍ତୁ ଏବଂ ମନକୁ ଶାନ୍ତ, ସ୍ଥିର ରଖନ୍ତୁ ।
ଅତ୍ୟଧିକ ଆସକ୍ତି ହାନିକାରକ:
ଶ୍ରୀକୃଷ୍ଣ ଅର୍ଜୁନଙ୍କୁ ଉପଦେଶ ଦେଇଥିଲେ ଯେ, କୌଣସି ଜିନିଷ (ବସ୍ତୁ ହେଉକି ମାନବ) ପ୍ରତି ଅତ୍ୟଧିକ ଆସକ୍ତି ମନୁଷ୍ୟ ହୃଦୟରେ କ୍ରୋଧ ଓ ନିରାଶା ସୃଷ୍ଟି କରିଥାଏ । କାରଣ ସେହି ଜିନିଷ ଯେତେବେଳେ ମନୁଷ୍ୟକୁ ନ ମିଳେ ତେବେ ହତାଶା ଓ କ୍ରୋଧ ଆସିଥାଏ । ଯାହାଦ୍ବାରା ସବୁ କାମ ବିଗିଡିଯାଇଥାଏ । ତେଣୁ କୌଣସି ଜିନିଷ ପ୍ରତି ଅଧିକ ଆସକ୍ତିଭାବ ହାନିକାରକ ।
ସନ୍ଦେହ ମଣିଷକୁ ଦୁଃଖ ଦିଏ:
ଗୀତାର ଶ୍ଲୋକରେ ସନ୍ଦେହକୁ ମଣିଷ ଶତ୍ରୁ ଭାବେ ବର୍ଣ୍ଣନା କରାଯାଇଛି । ଯେଉଁ ବ୍ୟକ୍ତି ସନ୍ଦେହ କରନ୍ତି ସେ କେବେ ବି ସୁଖ ଶାନ୍ତିରେ ରହିପାରନ୍ତି ନାହିଁ । ସନ୍ଦେହୀ ମଣିଷ ସ୍ବୟଂର ବିନାଶ କରିଥାଏ । ତେଣୁ ଜୀବନରେ ପ୍ରସନ୍ନ ରହିବାକୁ ହେଲେ ସନ୍ଦେହ ତ୍ୟାଗ କରିବା ଉଚିତ୍ ।
ଖାଲି ହାତରେ ଆସିଥିଲେ ଖାଲି ହାତରେ ଯିବା:
ଗୀତାରେ ବର୍ଣ୍ଣନା ଅନୁଯାୟୀ, ଯୁଦ୍ଧଭୂମିରେ ଶ୍ରୀକୃଷ୍ଣ ଅର୍ଜୁନଙ୍କୁ କହିଥିଲେ ଆମେ ଦୁନିଆକୁ ଖାଲି ହାତରେ ଆସିଥିଲେ । ସେହିଭଳି ଯିବାବେଳେ ଖାଲି ହାତରେ ଯିବା । ସାଙ୍ଗରେ କୌଣସି ଧନ ସମ୍ପତ୍ତି ନେଇପାରିବା ନାହିଁ । ଏହି ବାଣୀ ବୁଝାଇଥାଏ ଯେ, ଆମେ ଯେଉଁ ଭୌତିକ ବସ୍ତୁ ପଛରେ ଗୋଡାଉଛୁ ଏହା କେବଳ ଏକ ନିଶ୍ଚିତ ସମୟ ପାଇଁ ଆମ ପାଖରେ ରହିବ । ଏହି ସତ୍ୟକୁ ବୁଝିଲେ ଆମେ ଆଜିର ପ୍ରତିଯୋଗିତାମୂଳକ ଜୀବନରେ ଶାନ୍ତିରେ ରହିପାରିବା ।
ଆତ୍ମା ପତନର ତିନୋଟି ମାର୍ଗ- କାମ, କ୍ରୋଧ, ଲୋଭ
ଗୀତାରେ ଶ୍ରୀକୃଷ୍ଣ ମନୁଷ୍ୟକୁ କାମ, କ୍ରୋଧ ଓ ଲୋଭ ନେଇ ଚେତାଇଛନ୍ତି । କାମନା, କ୍ରୋଧ ଓ ଲୋଭ ମନୁଷ୍ୟ ଭିତରର ତିନି ଶତ୍ରୁ । ଏମାନେ ଆତ୍ମାର ନାଶ କରନ୍ତି । ଆତ୍ମାର ନାଶ ହେଲେ ମନୁଷ୍ୟକୁ ବିନାଶ ଆଡକୁ ଅଗ୍ରସର ହୋଇଥାଏ ।
ଇଶ୍ବରଙ୍କ ନିକଟରେ ପୂର୍ଣ୍ଣ ସମର୍ପଣ:
ଭଗବତ ଗୀତାର ଅନ୍ତିମ ଉପଦେଶରେ ଶରଣଗତି ବା ସର୍ବଶକ୍ତିମାନ ଈଶ୍ବରଙ୍କ ନିକଟରେ ନିଜକୁ ସମ୍ପୂର୍ଣ୍ଣ ସମର୍ପଣ କରିବା ଉପରେ ଗୁରୁତ୍ବ ଦିଆଯାଇଛି: ‘ସର୍ବ-ଧର୍ମାନ୍ ପରିତ୍ୟଜ୍ୟ ମାମ୍ ଏକଂ ଶରଣମଂ ବ୍ରଜ’ । ଯେତେବେଳେ ଆମେ ବିଶ୍ବାସ ଓ ପ୍ରେମ ସହିତ ନିଜକୁ ସମର୍ପଣ କରୁ, ଶ୍ରୀକୃଷ୍ଣ ଆମ ଜୀବନର ଦାୟିତ୍ବ ଗ୍ରହଣ କରିଥାନ୍ତି ଯାହାକି ଆମକୁ ତମାମ୍ ଦ୍ବନ୍ଦ, ଯନ୍ତ୍ରଣା, କ୍ଲେଶରୁ ମୁକ୍ତି ଦେଇଥାଏ । ଆମେ ଆଭ୍ୟନ୍ତରୀଣ ଶାନ୍ତି ଓ ଆଧ୍ୟାତ୍ମିକ ସନ୍ତୁଷ୍ଟି ପ୍ରାପ୍ତ କରୁ ।
ALSO READ: https://purvapaksa.com/prashant-mahasagar/