“ଗଞ୍ଜାମ ଗଞ୍ଜଣା”, ଯାହାକୁ ଶ୍ରୀମୟୀ ମିଶ୍ର ନବୀନ-ପାଣ୍ଡିଆନ ଯୁଗଳଙ୍କ ବିରୁଦ୍ଧରେ ନୂଆ ଅସ୍ତ୍ରଭାବେ ବ୍ୟବହାର କରିଛନ୍ତି। ଏହି ଗଞ୍ଜାମ ଗଞ୍ଜଣା ହେଉଛି ତାଙ୍କର ରାଜନୀତିକ ଅସହିଷ୍ଣୁତା, ତାଙ୍କର ଅଭିମାନ ଓ ଅନ୍ୟାୟର ଗାଥା। ଏହି ଗଞ୍ଜଣା କିଏ ଦେଉଛି, କାହିଁକି ଦେଉଛି, ଏହାର କାରଣ କ’ଣ ଜାଣିବା ?
ଗଞ୍ଜଣା ଶୁଣୁଥିବା ଗୁରୁ-ଚେଲା କିଏ?

ଏବେ ପ୍ରଶ୍ନ ଉଠୁଛି; ରାଜ୍ୟ ରାଜନୀତିର ବହୁଚର୍ଚ୍ଚିତ ଗୁରୁ-ଚେଲା କିଏ? ଓଡ଼ିଶାର ରାଜନୀତିରେ “ଗୁରୁ-ଚେଲା” ଯୁଗଳର ଚର୍ଚ୍ଚା ନୂଆ ନୁହେଁ। ଗତ ଦୁଇ ଦଶକରେ ଏହି ଦୁଇଜଣ ନାମ ସବୁଠାରେ ଚର୍ଚ୍ଚା। ରାଜ୍ୟ ରାଜନୀତିକୁ ଯିଏ ଗତ ୨୦ବର୍ଷ ଧରି ନିରିଖେଇ ଦେଖିଥିବ ସେ ନଃସନ୍ଦେହରେ କହିବ ଏହି ଗୁରୁ-ଚେଲା ହେଉଛନ୍ତି ବିଜେଡି ସଭାପତି ନବୀନ ପଟ୍ଟନାୟକ ଓ ତାଙ୍କ ସେବକ ଭୈରବ କାର୍ତ୍ତିକେୟନ ପାଣ୍ଡିଆନ। ପାଣ୍ଡିଆନ ଯେତେବେଳେ ୨୦୦୭ରେ ଗଞ୍ଜାମ ଜିଲ୍ଲାପାଳ ହୁଅନ୍ତି ଠିକ୍ ସେତିକିବେଳେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ମୁଖ୍ୟମନ୍ତୀ ନବୀନ ପଟ୍ଟନାୟକଙ୍କ ସହିତ ନିବିଡ଼ତା ବଢ଼େ। ପରେ ୨୦୧୧ରେ ସେ ନବୀନ ବ୍ୟକ୍ତିଗତ ସଚିବ ହୁଅନ୍ତି। ଏହାପରେ ୨୦୧୨ରେ ପ୍ୟାରୀମୋହନ ମହାପାତ୍ରଙ୍କ ତଥାକଥିତ ମିଡ୍ନାଇଟ ଅପରେସନକୁ ସମ୍ଭାଳି ନବୀନଙ୍କ ବିଶ୍ୱାସଭାଜନ ହୁଅନ୍ତି। ବିଶ୍ୱାସ ଜିତିବା ପରେ ଓଡ଼ିଆ ନେତାମାନଙ୍କୁ ମେଣ୍ଢା କରିବାର ପ୍ରକ୍ରିୟ ଆରମ୍ଭ ହୁଏ, ଯାହାର ପରିଣାମ ବିଜୁ ଜନତା ଦଳ ଗତ ନିର୍ବାଚନରେ ଭୋଗିସାରିଛି।
ସେଥିଠାରୁ ଆରମ୍ଭ ହେଲା ଓଡ଼ିଶାରାଜନୀତିର ନୂଆ ଦିଗ — ଯେଉଁଠାରେ ଏହି ଅଧିକାରୀ ରାଜନୀତିର ସେଣ୍ଟରସ୍ଟେଜ୍କୁ ଆସିଲେ ଏବଂ ଦଳୀୟ ନେତାମାନେ ହେଲେ “ଦରବାରୀ”। ସେହି “ଚେଲା” ଅଧିକାରୀ ଦଳରେ ଏତେ ପ୍ରଭାବଶାଳୀ ହୋଇଛନ୍ତି ଯେ ତାଙ୍କ ଇଚ୍ଛା ବିପରୀତ ହେଲେ ନେତାଟି ନିଜ ପଦ ଓ ପରିଚୟ ହାରିବା ନିଶ୍ଚିତ। ଗୁରୁ-ଚେଲା ଯୁଗଳ ଯେତେବେଳେ ରାଜନୀତି ଚଳାଇଲେ ସେତେବେଳେ ଲୋକ ଭାବିଥିଲେ — ଏହା ଏକ ନୂଆ ଯୁଗ। କିନ୍ତୁ ଏବେ ସେହି ଯୁଗ ଅଭିମାନ ଓ ଅସହିଷ୍ଣୁତାରେ ବୁଡ଼ି ରହିଛି।
ଶ୍ରୀମୟୀ ମିଶ୍ରଙ୍କ ଗଞ୍ଜାମ ଗଞ୍ଜଣା କ’ଣ?
ଚେଲାରୂପକ ପାଣ୍ଡିଆନଙ୍କ କଳାକାରନାମା ଖୋଲୁଥିବାରୁ ନେତ୍ରୀ ଶ୍ରୀମୟୀ ମିଶ୍ରଙ୍କୁ ନିକଟରେ ଦଳରୁ ନିଲମ୍ବିତ କରିଯାଇଛି। ଏଥିରେ ଶ୍ରୀମୟୀ ଡରିବା ପରିବର୍ତ୍ତେ ଲଗାତାର ଭାବରେ ଏହି ଗୁରୁ-ଚେଲାଙ୍କ କଳାଚିଠା ଉଜାଗର କରିବାରେ ଲାଗିଛନ୍ତି। ଶ୍ରୀମୟୀ ତାଙ୍କର ସଦ୍ୟତମ ଆକ୍ରମଣରେ ଗଞ୍ଜାମ ଗଞ୍ଜଣା କଥା ଅବତାରଣା କରିଛନ୍ତି। ସେ ଲେଖିଛନ୍ତି, ନିକଟରେ ନିଜ ହାକିମାତିକୁ ଜାହିର କରିବା ଉଦ୍ଦେଶ୍ୟରେ ବ୍ୟକ୍ତିଗତ ଆକ୍ରୋଶ ରଖି ଗଞ୍ଜାମ ଜିଲ୍ଲାର ଜଣେ ବରିଷ୍ଠ ରାଜନେତାଙ୍କୁ ଅପରାଧୀ ସଜାଇ ଜେଲ୍ ପଠାଇଥିବା ଆତ୍ମଘୋଷିତ ସର୍ବେସର୍ବା ଏବେ ନିଜର କଳା କାରନାମା ଖୋଲିଯିବା ଭୟରେ ଗୋଟିଏ ରାଜନୈତିକ ଦଳ ଯାହାକି ବିଜେଡିକୁ ବାଜି ଲଗାଇ ଦେଇଛନ୍ତି।
ଗୁରୁ ଯେଉଁ ଅଧ୍ୟାପକଙ୍କୁ କଷଟି ପଥରରେ ଚୟନ କରି ରାଜନୀତିରେ ସାମିଲ କରିବା ସହ ଦୀର୍ଘ ଦୁଇ ଦଶନ୍ଧି ଧରି ଗଞ୍ଜାମ ରାଜନୀତିର ମଙ୍ଗ ଧରିବାର ସୁଯୋଗ ଦେଇଥିଲେ, ତାଙ୍କୁ ଏହି ଆତ୍ମଘୋଷିତ ଶିଷ୍ୟ କ୍ଷମତାର ଦୁରୂପଯୋଗ କରି କେବଳ ଅପରାଧୀ ସଜାଇ ଜେଲ୍ ପଠାଇ ନ ଥିଲେ, ତାଙ୍କର ଏକମାତ୍ର ଝିଅର ସ୍ୱପ୍ନର ପରିବାରରେ ବି ନିଆଁ ଲଗାଇ ଦେଇଥିଲେ। ଭଣ୍ଡ ସନ୍ୟାସୀଙ୍କ ଏହି ସବୁ କୁକର୍ମରେ ଯିଏ ସେତେବେଳେ ସହଯୋଗୀ ଥିଲେ ଏବେ ତାଙ୍କ ଉପରେ ସମୟ ହିଁ ଦାଉ ସାଧିବ। ସମୟ ହିଁ ବଡ଼ ବଳବାନ।
ବ୍ରହ୍ମପୁର ସାଂସଦଙ୍କ ଦୁଃଖକୁ ବର୍ଣ୍ଣନା କରିଛନ୍ତି ଶ୍ରୀମୟୀ
ଶ୍ରୀମୟୀ ତାଙ୍କର ଗଞ୍ଜାମ ଗଞ୍ଜଣାରେ ବିଜେଡିକୁ ଆମଦାନୀ ହୋଇଥିବା ନେତାମାନଙ୍କ ସହାୟତାରେ ଭଣ୍ଡ ସନ୍ୟାସୀ ରୂପୀ ଚେଲା ବର୍ତ୍ତମାନର ବ୍ରହ୍ମପୁର ସାଂସଦ ତଥା ନବୀନଙ୍କ ପୂର୍ବତନ ସହଯୋଗୀ ପ୍ରଦୀପ ପାଣିଗ୍ରାହୀଙ୍କୁ କିପରି ଅପରାଧୀ ସଜାଇବା ସହିତ ତାଙ୍କ ଝିଅର ସ୍ୱପ୍ନର ସଂସାରକୁ ଭାଙ୍ଗି ଦେଇଥିଲେ ସେହି ଦୁଃଖକୁ ଇଙ୍ଗିତ କରିଛନ୍ତି। ଖାଲି ଇଙ୍ଗିତ କରିନାହାନ୍ତି କହିଛନ୍ତି ସମୟ ହିଁ ବଡ଼ ବଳବାନ। ପାଣ୍ତିଆନଙ୍କ କୁମର୍ମରେ ଯେଉଁମାନେ ସହଯୋଗୀ ଥିଲେ ସେମାନଙ୍କ ଉପରେ ସମୟ ଦାଉ ସାଜିବ ବୋଲି ସେ ସତର୍କ କରାଇ ଦେଇଛନ୍ତି। “ସର୍ବେସର୍ବା” ବୋଲାଉଥିବା ଆତ୍ମଘୋଷିତ ଏହି ଅଧିକାରୀ ତାଙ୍କର ଅହଂକାର ଓ ଭୟରେ ଗଞ୍ଜାମ ରାଜନୀତିକୁ ବିନାଶ କରିଦେଇଛନ୍ତି। ସେ କହିଛନ୍ତି, ଏହି ଚେଲା ନିଜ ପଦର ମାନ, ନିଜର ଭୟ, ଓ ଗୁରୁଙ୍କ ନିକଟତାକୁ ଅସ୍ତ୍ର ଭାବରେ ବ୍ୟବହାର କରି ନେତାମାନଙ୍କ ଜୀବନ ଓ ପରିବାରୀ ଉଜାଡ଼ି ଦେଇଛନ୍ତି।
ଶ୍ରୀମୟୀଙ୍କ ଏପରି କଟାକ୍ଷରେ ବ୍ରହ୍ମପୁର ସାଂସଦ ନିଶ୍ଚିତ ଭାବରେ ଖୁସି ଅନୁଭବ କରୁଥିବେ। କାରଣ ସେ ଯେଉଁ କଥାକୁ କହିପାରୁନାହାନ୍ତି ତାହାକୁ ଶ୍ରୀମୟୀ ସାହାସର ସହିତ ଲୋକ ଲୋଚନକୁ ଆଣିଛନ୍ତି।
ୟୁନିଭର୍ସ ଲ’ ଅଫ୍ ରିଟର୍ଣ୍ଣ
ଶ୍ରୀମୟୀ ସେତିକିରେ ଅଟକି ଯାଇନାହାନ୍ତି, ସେ ଲେଖିଛନ୍ତି, ପ୍ରତ୍ୟେକ ଭଲମନ୍ଦ କାର୍ଯ୍ୟ ଯାହା ଆପଣ କରନ୍ତି, ତାହା ସେହି ହିସାବରେ ଆପଣଙ୍କ ନିକଟକୁ ଫେରିଆସେ। ଏହା ପ୍ରକୃତିର ନିୟମ।
ଶ୍ରୀମୟୀ ଏହି ଆକ୍ରମଣରେ ବିଜେଡି ନେତାମାନଙ୍କୁ “ଭୃତ୍ୟ” ବୋଲି ବର୍ଣ୍ଣନା କରିଛନ୍ତି — ଯେଉଁମାନେ ଅଘୋଷିତ ସର୍ବେସର୍ବାଙ୍କ ଛାୟା ନିର୍ଦ୍ଦେଶରେ ଚାଲୁଛନ୍ତି, ଏବେ ଯେଉଁମାନେ ବିକ୍ଷୋଭ-ପ୍ରତିବାଦ କରୁଛନ୍ତି, ସେମାନଙ୍କୁ ଶ୍ରୀମୟୀ ପଚାରିଛନ୍ତି — “ଟିକେ ନିଜର ବିବେକକୁ ପଚାରନ୍ତୁ, ଆପଣମାନେ କ’ଣ ଆଇନରୁ ଉର୍ଦ୍ଧ୍ୱରେ କି?”
ଏହି ପ୍ରଶ୍ନ ମାତ୍ର ଏହି ଅଧିକାରୀଙ୍କ ପାଇଁ ନୁହେଁ, ସମସ୍ତ ଦଳୀୟ ନେତାଙ୍କ ଆତ୍ମାକୁ ଝଞ୍ଜାଳି ଦେଇଛି।
ଯିଏ ଠିକ୍ ଥିବ ନିଶ୍ଚୟ ନ୍ୟାୟ ପାଇବ। ଦେଶର ନ୍ୟାୟ ବ୍ୟବସ୍ଥା ଉପରେ ଆଇନ ନିର୍ମାତାଙ୍କ ଭରସା ବଜାୟ ରହୁ। ଅହଙ୍କାରରେ ଜର୍ଜରିତ ସର୍ବେସର୍ବାଙ୍କ ଛାୟା ନିର୍ଦ୍ଦେଶର ଯୁକ୍ତିଯୁକ୍ତ ପ୍ରତିବାଦର ସାମର୍ଥ୍ୟ ଭଗବାନ ଆପଣମାନଙ୍କୁ ଦିଅନ୍ତୁ ବୋଲି ଶ୍ରୀମୟୀ ଲେଖିଛନ୍ତି।
ଶ୍ରୀମୟୀ ଏହି କଥାରେ ବିଜେଡି ନେତାମାନଙ୍କର କିଛି ନିଜତ୍ୱ ନ ଥିବା କହିଛନ୍ତି। ବର୍ତ୍ତମାନ ବିଜେଡି ନେତାମାନେ ଅଘୋଷିତ ସର୍ବେସର୍ବା ବୋଲାଉଥିବା ପାଣ୍ଡିଆନଙ୍କ ଭୃତ୍ୟଭଳି କାମ କରୁଥିବା କହିଛନ୍ତି। ଏହି ଭୃତ୍ୟମାନେ ନିଜର ବିବେକକୁ ଜାଗ୍ରତ କରିବାକୁ ପରାମର୍ଶ ଦେଇଛନ୍ତି।
ବିଜେଡି ନେତାଙ୍କୁ ରାବଣର ଅହଂକାର ମନେପକାଇ ଦେଲେ ଶ୍ରୀମୟୀ

ଶ୍ରୀମୟୀ ମିଶ୍ର ତାଙ୍କ ଗଞ୍ଜାମ ଗଞ୍ଜଣାରେ ରାବଣଙ୍କ ଗର୍ବ ଓ ପତନକୁ ଉଦାହରଣ ଭାବରେ ଦେଇଛନ୍ତି। ବିଜେଡି ନେତାମାନଙ୍କୁ ସେମାନଙ୍କର ଅହଂକାର କଥା ମନେପକାଇ ଦେଇ ଶ୍ରୀମୟୀ ଲେଖିଛନ୍ତି କାହାର ଗର୍ବ ଅହଂକାର ବେଶୀ ଦିନ ରହେ ନାହିଁ। ଏପରିକି ରାବଣର ମଧ୍ୟ ରହିନାହିଁ। ଏଥିପାଇଁ ସନ୍ଥ ତୁଳସୀ ଦାସଙ୍କ ରାମଚରିତ ମାନସକୁ ବ୍ୟବହାର କରିଛନ୍ତି।
ସେ କହିଛନ୍ତି….
ରାବଣ ଜବହିଁ ବିଭୀଷଣ ତ୍ୟାଗା।
ଭୟଉ ବିଭବ ବିନୁ ତବହିଁ ଅଭାଗା ।।
ଏହି ପଂକ୍ତି ତୁଳସୀ ଦାସଙ୍କ ରାମଚରିତମାନସର ଲଙ୍କାକାଣ୍ଡରୁ ଆସିଛି, ଯେଉଁଠାରେ ରାବଣ ତାଙ୍କର ଭାଇ ବିଭୀଷଣଙ୍କୁ ତ୍ୟାଗ କରିଥିଲେ, ଯାହା ତାଙ୍କର ନିଜର ଦୁର୍ଭାଗ୍ୟର କାରଣ ହେଲା। ଏହା ରାବଣର ଅହଂକାର ଓ ଭୁଲ ନିଷ୍ପତ୍ତିର ଚିତ୍ରଣ କରେ।
କଳ୍ପନା କରନ୍ତୁ ଲଙ୍କାର ସୁନେଲି ପ୍ରାସାଦ, ଯେଉଁଠାରେ ରାବଣର ଦରବାରରେ ବିଭୀଷଣ ନିଷ୍ଠାର ସହ ଉପଦେଶ ଦେଉଛନ୍ତି: “ହେ ଭାଇ, ସୀତାଙ୍କୁ ରାମଙ୍କୁ ଫେରାଇ ଦିଅ, ଏହା ଧର୍ମ ଓ ଲଙ୍କାର ମଙ୍ଗଳ ପାଇଁ ଆବଶ୍ୟକ।”
କିନ୍ତୁ ରାବଣ, ଅହଂକାର ଓ କ୍ରୋଧରେ ଅନ୍ଧ, ବିଭୀଷଣଙ୍କୁ “ଶତ୍ରୁର ସେବକ” ବୋଲି ଅପମାନ କରି ତାଙ୍କୁ ତ୍ୟାଗ କରନ୍ତି। ସେହି ମୁହୂର୍ତ୍ତରେ ରାବଣ ଦୁର୍ଭାଗ୍ୟକୁ ଆମନ୍ତ୍ରଣ କରେ।
ବିଭୀଷଣ, ଲଙ୍କା ଛାଡ଼ି ଶ୍ରୀରାମଙ୍କ ଶରଣାଗତ ହୁଅନ୍ତି, ଏବଂ ରାବଣ ନିଜର ସମୃଦ୍ଧି ଓ ସୌଭାଗ୍ୟ ହରାଇ ଅଭାଗା ହୁଅନ୍ତି। ଏହି ଘଟଣା ରାବଣର ନିଜ ବିନାଶର ପଥ ପ୍ରଶସ୍ତ କରେ।
ବିଭୀଷଣଙ୍କ ଉପଦେଶ ଥିଲା ଲଙ୍କାର ମୁକ୍ତିର ଶେଷ ସୁଯୋଗ, କିନ୍ତୁ ରାବଣର ଅହଂକାର ତାକୁ ଗ୍ରହଣ କରିବାରେ ବାଧା ଦେଲା। ଏହା ପରେ, ରାମ-ରାବଣ ଯୁଦ୍ଧରେ ଲଙ୍କାର ପତନ ଓ ରାବଣର ମୃତ୍ୟୁ ଅନିବାର୍ଯ୍ୟ ହେଲା।
ଏହି ପଂକ୍ତିଗୁଡ଼ିକ ଏକ ନୈତିକ ଶିକ୍ଷା ଦେଇଛି: ଅହଂକାର ଓ ଭୁଲ ନିଷ୍ପତ୍ତି ମହାନ ସାମ୍ରାଜ୍ୟର ବିନାଶ ଘଟାଇପାରେ।
ବିଜେଡିର ବିଭିଷଣ କିଏ?
ଶ୍ରୀମୟୀଙ୍କ ଏହି ବିଭୀଷଣ କିଏ ବୋଲି ଯଦି ପ୍ରଶ୍ନ ଆସେ ତେବେ ନିଃସନ୍ଦେହରେ କୁହାଯାଇପାରେ ସେ ହେଉଛନ୍ତି ପ୍ରଦୀପ ପାଣିଗ୍ରାହୀ। ପ୍ରଦୀପଙ୍କ ଯୋଗୁ ବିଜେଡି ଗତ ନିର୍ବାଚନରେ ଗଞ୍ଜାମରେ ମୂଳପୋଛ ହୋଇଯାଇଛି। ଯାହା ବି ଅଛି ତାହା ମଧ୍ୟ ଆଗାମୀ ଦିନରେ ଭଣ୍ଡ ସନ୍ୟାସୀଙ୍କ ପାଇଁ ସଫା ହେବ। ପ୍ରଦୀପ ପାଣିଗ୍ରାହୀଙ୍କ ନାମ ଏଠି ଗୁପ୍ତ ନୁହେଁ। ସେ ବିଜେଡିର ଅନ୍ତରଙ୍ଗ ଥିଲେ, ନବୀନଙ୍କ ଭରସାର ପ୍ରତୀକ ଥିଲେ।
କିନ୍ତୁ ଯେତେବେଳେ ପାଣ୍ଡିଆନଙ୍କ ଛାୟା ବଢ଼ିଲା, ତା’ପରେ ପ୍ରଦୀପ ମାର୍ଜିନାଲ ହେଲେ ଏବଂ ଶେଷରେ ସେ “ଅପରାଧୀ” ଭାବେ ଘୋଷିତ ହେଲେ।
ଶ୍ରୀମୟୀଙ୍କ ମତାନୁସାରେ, ପ୍ରଦୀପ ହେଲେ ସେହି ବିଭୀଷଣ ଯିଏ ସତ୍ୟ କହିଥିଲେ, କିନ୍ତୁ ରାବଣ ରୂପକ ନବୀନ ଅହଂକାରରେ ସେବକ ରୂପକ ପାଣ୍ଡିଆନଙ୍କ କୁମନ୍ତ୍ରଣାରେ ତାଙ୍କୁ ତ୍ୟାଗ କଲେ। ସେହି ମୁହୂର୍ତ୍ତରୁ ବିଜେଡିର ଅସ୍ଥିରତା ଆରମ୍ଭ ହେଲା।
ଏହି ଦଳ ଏବେ ଭିତରେ ଭିତରେ ଭାଙ୍ଗିଯାଉଛି, ଏବଂ ଆଗାମୀ ଦିନରେ ଅପରାଧୀକ ଇତିହାସ ଥିବା ନେତାମାନେ ଜଣେ ପରେ ଜଣେ ଜେଲ ଭୋଗିବେ।
ଶେଷରେ ଗୋଟିଏ କଥା ସ୍ପଷ୍ଟ-
ଯେଉଁଠାରେ ଅହଂକାର ରହେ, ସେଠାରେ ବିନାଶ ନିଶ୍ଚିତ।
ବିଜେଡି ଯଦି ଗୁରୁ-ଚେଲା ଅଧ୍ୟାୟକୁ ପୁନଃ ବିଚାର ନ କରେ, ତେବେ “ଗଞ୍ଜାମ ଗଞ୍ଜଣା” ହେବ ତାଙ୍କର ନୂଆ ରାଜନୀତିକ ଶବ ସ୍ତମ୍ଭ।
also read https://purvapaksa.com/bihars-daughters-fight-to-save-political-legacy/


