ଓଡ଼ିଶାର ସାମୂହିକ ଚେତନାର ମଧ୍ୟବିନ୍ଦୁ ହେଉଛି ଶ୍ରୀଜଗନ୍ନାଥଙ୍କ ମନ୍ଦିର। ଶହ ଶହ ଧରି ଏହି ପୀଠ କେବଳ ଧାର୍ମିକ ଆସ୍ଥାର ପ୍ରତୀକ ନୁହେଁ, ଏହା ଓଡ଼ିଆ ଜାତିସ୍ତରର ଆତ୍ମପରିଚୟ। ଏଠାରେ ପ୍ରତ୍ୟେକ ଉତ୍ସବ, ପ୍ରତ୍ୟେକ ପର୍ବ, ପ୍ରତ୍ୟେକ ଦାନରେ ଗୋଟିଏ ଅଖଣ୍ଡ ଐତିହ୍ୟ ଲୁଚି ରହିଛି। କିନ୍ତୁ ଗତ କିଛିବର୍ଷ ଧରି ଏହି ପବିତ୍ର ପୀଠର ପ୍ରଶାସନକୁ ନେଇ ଯେପରି ଅଭିଯୋଗ ଦେଖାଦେଇଛି, ସେଥିରେ ଭକ୍ତମାନଙ୍କର ମନ ବିଚଳିତ ହୋଇ ଉଠିଛି। ଏବେ ପୁଣିଥରେ ଓଡ଼ିଶା ହାଇ କୋର୍କଟ ଶ୍ରୀମନ୍ଦିର ପ୍ରଶାସନ ଓ ରାଜ୍ୟ ସରକାରଙ୍କୁ କଡ଼ା ନିର୍ଦ୍ଦେଶ ଜାରି କରିଛନ୍ତି। ରତ୍ନଭଣ୍ଡାରର ତାଲିକା, ମୂଲ୍ୟାଙ୍କନ, ଚାବି ହଜିବା ମାମଲା ଓ ଜଷ୍ଟିସ୍ ରଘୁବୀର ଦାଶ କମିଶନ ରିପୋର୍ଟ— ସବୁମିଶି ଏକ ଗଭୀର ପ୍ରଶ୍ନ ଉଠାଇଛି : ଶ୍ରୀମନ୍ଦିର ପ୍ରଶାସନ କ’ଣ ତାହାର ନୈତିକ ଓ ପ୍ରଶାସନିକ ଦାୟିତ୍ୱରେ ବିଫଳ ହୋଇଛି କି?
ରାଜ୍ୟ ସରକାରଙ୍କ ଆଇନ ବିଭାଗ ଓ ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ ନିଘୋଡ଼ ନିଜରେ ଶୋଇବାର ଅଭିନୟ କରୁଛି। ବିଜେଡି ଶାସନ କାଳରେ ଶ୍ରୀଜଗନ୍ନାଥ ମନ୍ଦିରରେ ବ୍ୟାପକ ଅନିୟମିତତା ହୋଇଛି ବୋଲି କହି ଶାସନ କ୍ଷମତାକୁ ଆସିଛି ବିଜେପି। ତେଣୁ ସମସ୍ତେ ଆଶା କରୁଥିଲେ ବିଜେପି ଶାସନରେ ମନ୍ଦିର ପ୍ରଶାସନରେ ଉନ୍ନତି ଆସିବା ସହିତ ଭକ୍ତମାନଙ୍କୁ ଶାନ୍ତିଶୃଙ୍ଖଳାର ସହିତ ପ୍ରଭୁଙ୍କ ଦର୍ଶନ ମିଳିପାରିବ। କିନ୍ତି ଏହି ଆଶା ଆଶାରେ ରହିବା ପରେ ଏବେ ଶ୍ରୀମନ୍ଦିର ପ୍ରଶାସନକୁ ଓଡ଼ିଶା ହାଇକୋର୍ଟ ବାରମ୍ବାର ଛାଟ ମାରିବାରେ ଲାଗିଛି।
ରତ୍ନଭଣ୍ଡାର: ଐତିହ୍ୟର ଧନ, ଆସ୍ଥାର ଭଣ୍ଡାର
ରତ୍ନଭଣ୍ଡାର କେବଳ ଗହଣାର ଭଣ୍ଡାର ନୁହେଁ; ଏହା ଅନେକ ପିଢ଼ିର ଭକ୍ତିର ସଂଗ୍ରହ। ମହାପ୍ରଭୁଙ୍କ ନିକଟରେ ଅର୍ପିତ ସୁନା, ରତ୍ନ, ମୂଲ୍ୟବାନ ଅଳଙ୍କାର— ସେଗୁଡ଼ିକ ଐତିହ୍ୟର ଅଂଶ।
୧୯୭୮ ମସିହାରେ ଏକ ସରକାରୀ କମିଟି ରତ୍ନଭଣ୍ଡାରର ତାଲିକା ପ୍ରସ୍ତୁତ କରିଥିଲା। ସେହି ତାଲିକା ଏବେ ଏକ “ବେଞ୍ଚମାର୍କ” ଭାବରେ ଦେଖାଯାଉଛି। କିନ୍ତୁ ତା’ପରେ ପୂର୍ଣ୍ଣ ଗଣନା ଓ ସ୍ୱଚ୍ଛ ଯାଞ୍ଚ ପ୍ରକ୍ରିୟା ହୋଇନାହିଁ ବୋଲି ଅଭିଯୋଗ ହେବାରେ ଲାଗିଛି। ୧୯୭୮ ମସିହାରେ ତାଲିକା ପ୍ରସ୍ତୁତ ସମୟରେ ମିଳିଥିବା ସମସ୍ତ ଅଳଙ୍କାର ଏବଂ ମୂଲ୍ୟବାନ ଜିନିଷପତ୍ର ବର୍ତ୍ତମାନ କମିଟି ଦ୍ୱାରା କରାଯାଇଥିବା ତାଲିକା ସହିତ ମେଳ ଖାଉଛି କି ନାହିଁ,” ହାଇକୋର୍ଟ ନିର୍ଦ୍ଦେଶରେ ଉଲ୍ଲେଖ କରାଯାଇଛି।
ହାଇକୋର୍ଟ ସ୍ପଷ୍ଟ ନିର୍ଦ୍ଦେଶ ଦେଇଛନ୍ତି—
• ନବଗଠିତ କମିଟିର ତାଲିକା ୧୯୭୮ର ତାଲିକା ସହିତ ମେଳ କରନ୍ତୁ
• ତିନି ମାସ ମଧ୍ୟରେ ଏହା ସମାପ୍ତ କରନ୍ତୁ
• ପରବର୍ତ୍ତୀ ରିପୋର୍ଟ ଦାଖଲ କରନ୍ତୁ
ଏହାର ଅର୍ଥ— ନ୍ୟାୟପାଳିକା ପ୍ରଶାସନର ତତ୍ପରତାରେ ଆତ୍ମସନ୍ତୋଷ ଦେଖୁନାହିଁ।
ହାଇ କୋର୍ଟ କହିଛନ୍ତି, ଏହା ଯୋଡ଼ିବାକୁ ଶୀଘ୍ର ଚାହୁଁଛୁ ଯେ ତାଲିକାପତ୍ର ପ୍ରକ୍ରିୟା ଏବଂ କମିଟି ଦ୍ୱାରା ଦାଖଲ କରାଯାଇଥିବା ରିପୋର୍ଟ ସମ୍ପର୍କରେ ରାଜ୍ୟ ସରକାରଙ୍କ ଦ୍ୱାରା କୌଣସି ଆତ୍ମସନ୍ତୋଷ ଦେଖାଯାଇପାରିବ ନାହିଁ, ଏବଂ ଆମେ ବିଶ୍ୱାସ ଏବଂ ଆଶା କରୁଛୁ ଯେ ରାଜ୍ୟ ଏ ସମ୍ପର୍କରେ ତତ୍ପରତା ଦେଖାଇବ। ତିନି ମାସ ପରେ ଏହି ବିଷୟକୁ ତାଲିକାଭୁକ୍ତ କରନ୍ତୁ ଯେତେବେଳେ ରାଜ୍ୟ ପରବର୍ତ୍ତୀ ରିପୋର୍ଟ ଦାଖଲ କରିବ ବୋଲି କୋର୍ଟ ନିର୍ଦ୍ଦେଶରେ ଉଲ୍ଲେଖ କରାଯାଇଛି।
ଚାବି ହଜିବା ଘଟଣା: ଆସ୍ଥାର ଉପରେ ଆଘାତ
ରତ୍ନଭଣ୍ଡାରର ଚାବି ହଜିବା ଖବର ପ୍ରକାଶିତ ହେବା ସହିତ ସାରା ଓଡ଼ିଶା ଚିନ୍ତିତ ହୋଇଥିଲା। ଏହା କେବଳ ପ୍ରଶାସନିକ ତ୍ରୁଟି ନୁହେଁ; ଏହା ଆସ୍ଥାର ଆଘାତ।
ଜଷ୍ଟିସ୍ ରଘୁବୀର ଦାଶଙ୍କ ଅଧ୍ୟକ୍ଷତାରେ ଏକ କମିଶନ ଗଠନ ହୋଇଥିଲା। କମିଶନ ତଦନ୍ତ କରି ରିପୋର୍ଟ ଦେଇଥିଲା। କିନ୍ତୁ ସେହି ରିପୋର୍ଟ ବିଧାନସଭାରେ ଉପସ୍ଥାପନ ହୋଇନାହିଁ।
ଏବେ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି— ଆଗାମୀ ବିଧାନସଭା ଅଧିବେଶନରେ ରିପୋର୍ଟ ରଖନ୍ତୁ।
ଏହା ପ୍ରଶ୍ନ ଉଠାଏ— ଯଦି ରିପୋର୍ଟ ସ୍ୱଚ୍ଛ, ତେବେ ବିଳମ୍ବ କାହିଁକି? ସରକାର କାହାକୁ ଘଣ୍ଟ ଘୋଡ଼ାଇବା ପାଇଁ ଚେଷ୍ଠା କରୁଛନ୍ତି ବୋଲି ପ୍ରଶ୍ନ ଉଠିବାରେ ଲାଗିଛି।
ପ୍ରଶାସନର ନିର୍ବିକାରତା କି ଇଚ୍ଛାଶକ୍ତିର ଅଭାବ?
ବିଜେଡି ଶାସନକାଳରେ ଶ୍ରୀମନ୍ଦିରରେ ଅନିୟମିତତା ଅଭିଯୋଗ ଥିଲା। ବିଜେପି ଶାସନକୁ ଆସିବା ସମୟରେ ସ୍ୱଚ୍ଛତାର ଆଶ୍ୱାସନ ଦେଇଥିଲା। କିନ୍ତୁ ହାଇକୋର୍ଟର ବାରମ୍ବାର ଛାଟ ଦେଖାଉଛି— ପ୍ରଶାସନ ତାହାର ଗତି ବଢ଼ାଇପାରିନାହିଁ। କ’ଣ ଏହା କେବଳ ଅକ୍ଷମତା? ନା କି ରାଜନୈତିକ ସମ୍ବେଦନଶୀଳତାରେ ସତର୍କତା?
ନ୍ୟାୟପାଳିକାର ଭୂମିକା: ଲୋକତନ୍ତ୍ରର ସନ୍ତୁଳନ

ଗଣତନ୍ତ୍ରରେ ତିନିଟି ମୂଳ ସ୍ତମ୍ଭ— ବିଧାନ, କାର୍ଯ୍ୟନିର୍ବାହୀ, ନ୍ୟାୟପାଳିକା। ଯେତେବେଳେ କାର୍ଯ୍ୟନିର୍ବାହୀ ଅକ୍ଷମ ହୁଏ, ନ୍ୟାୟପାଳିକା ହସ୍ତକ୍ଷେପ କରେ।
ହାଇକୋର୍ଟର ଭାଷା ଏହା ସୂଚାଉଛି—
“ଆତ୍ମସନ୍ତୋଷ ଚାଲିବ ନାହିଁ।”
ଏହା ଏକ ସଂସ୍ଥାଗତ ବାର୍ତ୍ତା— ଆସ୍ଥାର ବିଷୟରେ ନୀରବତାକୁ ବେଶୀଦିନ ଅଣଦେଖା କରାଯାଇ ପାରିବ ନାହିଁ।
ସ୍ୱଚ୍ଛତା ଓ ଉତ୍ତରଦାୟିତ୍ୱ: ଆବଶ୍ୟକ ନୈତିକ ମାନଦଣ୍ଡ
ରତ୍ନଭଣ୍ଡାରର ଗଣନା ଓ ମୂଲ୍ୟାଙ୍କନ କେବଳ ଆଇନ ପ୍ରକ୍ରିୟା ନୁହେଁ; ଏହା ନୈତିକ ଦାୟିତ୍ୱ।
ସରକାର ଯଦି ସମୟସୀମା ମଧ୍ୟରେ ପ୍ରକ୍ରିୟା ସମାପ୍ତ କରି ରିପୋର୍ଟ ପ୍ରକାଶ କରିପାରେ, ତେବେ ଆସ୍ଥା ପୁନଃସ୍ଥାପିତ ହେବ। ନ ହେଲେ ସନ୍ଦେହ ଓ ଅଭିଯୋଗ ବଢ଼ିବ।
ଶ୍ରୀମନ୍ଦିର ପ୍ରଶାସନକୁ ଆଉ କେତେ ଛାଟ ମାରିବେ ହାଇକୋର୍ଟ?
ଏହା କେବଳ ଏକ ପ୍ରଶାସନିକ ପ୍ରଶ୍ନ ନୁହେଁ— ଏହା ଆସ୍ଥାର ପ୍ରଶ୍ନ।
ମହାପ୍ରଭୁଙ୍କ ଧନ-ଦୌଲତର ସୁରକ୍ଷା ଓ ସ୍ୱଚ୍ଛତା ସୁନିଶ୍ଚିତ କରିବା ପ୍ରତ୍ୟେକ ଶାସକଙ୍କ ନୈତିକ ଦାୟିତ୍ୱ।
ହାଇକୋର୍ଟର ନିର୍ଦ୍ଦେଶ ଏକ ଚେତାବନୀ— ପ୍ରଶାସନ ସଚେତନ ହେଉ।
ରତ୍ନଭଣ୍ଡାର କେବଳ ଧନର ଭଣ୍ଡାର ନୁହେଁ; ଏହା ଓଡ଼ିଶାର ଆସ୍ଥାର ସଂଗ୍ରହ।
ସ୍ୱଚ୍ଛତା, ସମୟୋପଯୁକ୍ତ କାର୍ଯ୍ୟ ଓ ନୈତିକ ସାହସ— ଏହି ତିନିଟି ମାନଦଣ୍ଡ ପୂରଣ ହେଲେ ମାତ୍ର ଆସ୍ଥା ପୁନଃସ୍ଥାପିତ ହେବ।
ଏବେ ଦେଖିବାକୁ ଅଛି— ପ୍ରଶାସନ କୋର୍ଟର ଛାଟକୁ ସୁଧାରର ଅବସର ଭାବେ ନେବ କି ଆଉ ଏକ ବିଳମ୍ବର ଅଧ୍ୟାୟ ଲେଖିବ।
ଶେଷ ପର୍ଯ୍ୟନ୍ତ, ଏହା ଆଇନର ମାମଲା ନୁହେଁ— ଏହା ଆସ୍ଥାର।
also read https://purvapaksa.com/fear-after-winning-the-elections-know-what-tariq-rahman-said/


