ଘୁ. ଉଦୟଗିରି ପାରଦ ୬
ପ୍ରବଳ ଶୀତରେ ଥରୁଛି ଓଡିଶାର ଦାର୍ଜିଲିଙ୍ଗ ଭାବେ ପରିଚିତ ଘୁ.ଉଦୟଗିରି । ମଙ୍ଗଳବାର ଏଠାକାର ପାରଦ ଖସି ୬.୬ରେ ପହଞ୍ଚିଥିବା କହିଛି କୃଷି ଗବେଷଣା କେନ୍ଦ୍ର । ସୋମବାର ଦିନ ଏଠାକାର ପାରଦ ୭.୨ ଡିଗ୍ରୀ ରହିଥିଲା । ସେହିପରି ମଙ୍ଗଳବାର ଫୁଲବାଣୀରେ ପାରଦ ୧୦ ଡିଗ୍ରୀ ଥିବା ବେଳେ ଓଡିଶାର କାଶ୍ମୀର କୁହାଯାଉଥିବା ଦାରିଙ୍ଗବାଡ଼ିରେ ପାରଦ ୧୦.୫ ଡିଗ୍ରୀ ଥିବା ସୂଚନା ମିଳିଛି । ଘୁ.ଉଦୟଗିରିରେ ଦିନକୁ ଦିନ ପାରଦ ଖସୁଥିବା ବେଳେ ଶୀତର ପ୍ରକୋପ ବଢିବାରେ ଲାଗିଛି । ମଙ୍ଗଳବାର ଓଡିଶାର ସବୁଠୁ ଥଣ୍ଡା ଅଞ୍ଚଳ ଭାବେ ଘୁ.ଉଦୟଗିରି ରେକର୍ଡ କରିଛି । ଥଣ୍ଡା ଫଳରେ ପ୍ରଭାବିତ ହୋଇଛି ଜୀବନ ଜୀବିକା ।
ଜଙ୍ଗଲଜାତ ସାମଗ୍ରୀ ବିକ୍ରି କରୁଥିବା, ରାସ୍ତା କଡରେ ବସି ବନି ପରିବା ବିକ୍ରି କରୁଥିବା ବ୍ୟବସାୟୀ ଓ ଚାଷୀଙ୍କ କଷ୍ଟ ବଢେଇ ଦେଇଛି ଦେହ ଥରାଇ ଦେଉଥିବା ଶୀତ । ହଠାତ୍ ସପ୍ତାହ ଭିତରେ ପାରଦ ୧୦ ଡିଗ୍ରୀ କମିବା ଫଳରେ ଛୋଟ ପିଲାମାନଙ୍କ ସହିତ ବୃଦ୍ଧବୃଦ୍ଧାମାନଙ୍କ ସ୍ୱାସ୍ଥ୍ୟ ଚିନ୍ତା ବଢି ଯାଇଛି । ଫଳରେି ଥଣ୍ଡା, ଟନସିଲାଇଟିସ, ଗାଲୁଆ ରୋଗ ବଢିବାରେ ଲାଗିଛି । ଛୋଟ ପିଲାମାନଙ୍କ ସ୍କୁଲ ଟିୟୁସନ ଯିବା କଷ୍ଟକର ହୋଇଥିବା ବେଳେ ଅସହାୟ, ପକ୍କା ଘର ନଥିବା ଲୋକଙ୍କ ଚିନ୍ତା ବଢି ଯାଇଛି ।
ଏପରିକି ଗାଈଗୋରୁଙ୍କ ସମେତ ଗୃହପାଳିତ ପଶୁମାନେ ମଧ୍ୟ ଅସହ୍ୟ ଶୀତରେ ଥରୁଛନ୍ତି । ପ୍ରବଳ ଥଣ୍ଡା କାରଣରୁ ଗୋରୁଗାଈମାନଙ୍କ ଟେମ୍ପରଚର କମିଯିବା ଫଳରେ ଖାଇବା ଛାଡି ଦେଉଛନ୍ତି ବୋଲି କହିଛନ୍ତି ଗୋ ପାଳକ ରାମହରି ପଣ୍ଡା । ଶୀତକୁ ଦୃଷ୍ଟିରେ ରଖି ଏନଏସି ପକ୍ଷରୁ ସହରରେ ଆଜି ଶୀତ କାଳୀନ ଆଶ୍ରୟସ୍ଥଳ ଖୋଲାଯାଇଛି । ଏବେ କଲ୍ୟାଣ ମଣ୍ଡପରେ ଖୋଲାଯାଇ ଥିବା ବେଳେ ଆବଶ୍ୟକ ପଡିଲେ ଅଧିକ ସଂଖ୍ୟକ ଆଶ୍ରୟସ୍ଥଳ ଖୋଲାଯିବ ବୋଲି କହିଛନ୍ତି କାର୍ଯ୍ୟନିର୍ବାହୀ ଅଧିକାରୀ ଇତିଶ୍ରୀ ଷଡଙ୍ଗୀ ।
ଘୁ.ଉଦୟଗିରି ବ୍ଲକର ଗ୍ରାମାଞ୍ଚଳ ଅର୍ଥାତ ତୁମୁସିଙ୍ଗିଆ, ମୁକୁଲିଙ୍ଗିଆ, ସିପାଏଜୁ, ସିରିକି, ରାଇକଲା ଇତ୍ୟାଦି ଅଞ୍ଚଳରେ ମଧ୍ୟ ଆତ୍ୟଧିକ ଥଣ୍ଡା ପଡିଛି । ସେଥିପାଇଁ ଅଂଚଳବାସୀ ସନ୍ଧ୍ୟା ହେଲେ ନିଆଁର ସାହାରା ନେବା ସହ ତାଟି କବାଟ ଦେଇ ଘରେ ରହୁଥିବା କହିଛନ୍ତି । ଏହି ଥଣ୍ଡାର ମଜା ନେବା ପାଇଁ ବାହାର ରାଜ୍ୟର ପର୍ଯ୍ୟଟକଙ୍କ ଆଗମନ ମଧ୍ୟ ଏଠାରେ ବଢିବାରେ ଲାଗିଛି ।
previous article: https://purvapaksa.com/how-special-hypersonic-missile/

