- ଝାରଖଣ୍ଡରେ ପୁଣି ହେମନ୍ତ ସରକାର
- ୮୧ ଆସନରୁ ୫0ରେ ଆଗୁଆ ଇଣ୍ଡି ମେଣ୍ଟ
ବିଜେପିକୁ କାଳ ହୋଇଛି ଅମିତ ଶାହଙ୍କ ପୋଡ଼ା ଟ୍ରାନ୍ସଫର୍ମର ମନ୍ତବ୍ୟ। ସବୁ ଅଙ୍କକୁ ଭୁଲ କରିଦେଇ ଝାରଖଣ୍ଡରେ ପୁଣି କ୍ଷମତା ବଜାୟ ରଖିବାକୁ ଯାଉଛି ହେମନ୍ତ ସରକାର। ନିର୍ବୋଚନ ପ୍ରଚାର ସମୟରେ ଅମିତ ଶାହ ହେମନ୍ତ ସୋରେନଙ୍କ ସରକାରକୁ ପୋଡା ଟ୍ରାନ୍ସଫର୍ମର କହିବା ସହ ତାକୁ ଉପାଡି ଫିଙ୍ଗିଦେବାକୁ କହିଥିଲେ। ଯାହା ବିଜେପିକୁ ବୁମେରାଂ ହୋଇଛି। ସବୁ ଏକଜିଟ ପୋଲ ଆକଳନକୁ ଭୁଲ ପ୍ରମାଣିତ କରି ଜେଏମଏମ ପୁଣି କ୍ଷମତା ବଜାୟ ରଖିବାକୁ ଯାଉଛି। ବିଜେପିର ଚାଣକ୍ୟ ଆଖ୍ୟା ପାଇଥିବା ଅମିତ ଶାହ ତାଙ୍କ ପୂର୍ବ ଭୁଲରୁ କିଛି ଶିଖିନଥିବା ଏଥିରୁ ସ୍ପଷ୍ଟ ହେଉଛି। ୨୦୧୯ ମସିହା ନିର୍ବାଚନରେ ବି ଅମିତ ଶାହ ଓଡିଶାରେ ପ୍ରଚାର ସମୟରେ ନବୀନ ସରକାରଙ୍କୁ ମଧ୍ୟ ପୋଡା ଟ୍ରାନ୍ସଫର୍ମର ବୋଲି କହିବା ସହ ଉପାଡି ସମୁଦ୍ରକୁ ଫିଙ୍ଗିଦେବାକୁ ପ୍ରଚାର ସମୟରେ ଲେକାକଙ୍କୁ କହିଥିଲେ। କିନ୍ତୁ ଓଡିଶା ଭୋଟର ଏହାର କଡ଼ା ଜବାବ ଦେଇଥିଲେ। ଆଉ ନବୀନ ସରକାରକୁ ରେକର୍ଡ଼ ଆସନରେ ବିଜୟୀ କରାଇ କ୍ଷମତାସୀନ କରିଥିଲେ। ଯାହାର ପୁନରାବୃତ୍ତି ଝାରଖଣ୍ଡରେ ଘଟିଛି।
ଝାରଖଣ୍ଡରେ ଫଳାଫଳ ଘୋଷଣା ମଧ୍ୟରେ ବଡ଼ ଟ୍ୱିଷ୍ଟ୍ ଦେଖିବାକୁ ମିଳିଛି। ବିଜେପି ନେତୃତ୍ୱାଧୀନ ଏନଡିଏ ମେଣ୍ଟକୁ ପଛରେ ପକାଇ ଆଗେଇ ଚାଲିଛି ଇଣ୍ଡି ମେଣ୍ଟ। ଇଣ୍ଡିଆ ବ୍ଲକ୍ ମ୍ୟାଜିକ୍ ନମ୍ୱର ପାର୍ କରି ୫୦ଟି ଆସନରେ ଆଗରେ ରହିଛି। ସକାଳ ୮ ଟାରୁ ଭୋଟ୍ ଗଣତି ଆରମ୍ଭ ହେବା ପରେ ବିଜେପି ଲିଡରେ ରହିଥିଲା। କିନ୍ତୁ ପରବର୍ତ୍ତୀ ସମୟରେ ଶାସକ ଜେଏମମ କମ୍-ବ୍ୟାକ୍ କରି ଇଣ୍ଡି ମେଣ୍ଟକୁ ଦୃଢ ସ୍ଥିତିରେ ପହଞ୍ଚାଇଛି।
୧୨ଟା ୩୦ ଗଣତି ଅନୁସାରେ, ଇଣ୍ଡିଆ ବ୍ଲକରେ ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା (ଜେଏମଏମ), କଂଗ୍ରେସ ଏବଂ ରାଷ୍ଟ୍ରୀୟ ଜନତା ଦଳ (ଆରଜେଡି) ଆଗରେ ଅଛନ୍ତି। ମୋଟ ୮୧ଟି ଆସନ ମଧ୍ୟରୁ ଇଣ୍ଡି ମେଣ୍ଟ ୫୦ଟି ଆସନରେ ଆଗରେ ଥିବାବେଳେ ଏନଡିଏ ୩୦ଟି ଆସନରେ ଲିଡ୍ କରୁଛି। ଝାଡ଼ଖଣ୍ଡ ବିଧାନସଭା ପାଇଁ ସଂଖ୍ୟାଗରିଷ୍ଠତା ବା ମ୍ୟାଜିକ୍ ନମ୍ବର ହେଉଛି ୪୧। ପ୍ରଥମ ପର୍ଯ୍ୟାୟ ଭୋଟ୍, ନଭେମ୍ବର ୧୩ରେ ୪୩ଟି ଆସନ ପାଇଁ ହୋଇ ଥିବାବେଳେ ଦ୍ୱିତୀୟ ପର୍ଯ୍ୟାୟ ନଭେମ୍ବର ୨୦ରେ ୩୮ ଟି ଆସନ ପାଇଁ ଭୋଟ୍ ପଡ଼ିଥିଲା। ଚଳିତ ବର୍ଷ ଦୁଇଟି ପର୍ଯ୍ୟାୟରେ ନିର୍ବାଚନ ଅନୁଷ୍ଠିତ ହୋଇଥିଲା, ଯେଉଁଥିରେ ୬୭.୭୪% ମତଦାନ ହୋଇଥିଲା- ଯାହା କି ୨୦ ନଭେମ୍ବର ୧୫ରେ ଝାଡ଼ଖଣ୍ଡ ଗଠନ ପରଠାରୁ ସର୍ବାଧିକ।
ବୁଧବାର ଅଧିକାଂଶ ଏକଜିଟ୍ ପୋଲ୍ ଝାଡ଼ଖଣ୍ଡରେ ଏନଡ଼ିଏର ବିଜୟ ହେବ ବୋଲି ପୂର୍ବାନୁମାନ କରିଥିଲେ। କିନ୍ତୁ ଜେଏମଏମ ଦାବି କରିଥିଲା ଯେ ଇଣ୍ଡିଆ ମେଣ୍ଟ ଦୁଇ ତୃତୀୟାଂଶରୁ ଅଧିକ ସଂଖ୍ୟାଗରିଷ୍ଠତା ସହ କ୍ଷମତାକୁ ଫେରିବ। ଦଳର ସାଧାରଣ ସମ୍ପାଦକ ତଥା ମୁଖପାତ୍ର ସୁପ୍ରିୟୋ ଭଟ୍ଟାଚାର୍ଯ୍ୟ ଗୁରୁବାର ନିଜର ଏକଜିଟ୍ ପୋଲ୍ ଜାରି କରି ଏହାକୁ ‘ଲୋକଙ୍କ ମତ’ ବୋଲି କହିଥିଲେ। ମୋ ଦ୍ୱାରା ହୋଇଥିବା ସର୍ଭେ ଅନୁଯାୟୀ ୧୧ଟି ଜିଲ୍ଲାରେ ବିଜେପିର ଖାତା ଖୋଲିବ ନାହିଁ। ବାକି ଜିଲ୍ଲାଗୁଡ଼ିକରେ ମଧ୍ୟ କଡ଼ା ଟକ୍କର ଦେଖିବାକୁ ମିଳିବ।
ଏହା ନିଶ୍ଚିତ ଯେ ହେମନ୍ତ ସୋରେନ ସରକାର ୫୯ ଟି ଆସନ ସହ କ୍ଷମତାକୁ ଫେରୁଛନ୍ତି। ରାଜମହଲ, ଶରତ, ବରକଥା, ବାର୍ହି, ବରକାଗାଁ, ସିମରିଆ, ବଗୋଦର, ଗଣ୍ଡେ, ଗିରିଡିହ, ଡୁମରି, ଗୋମିଆ, ଚନ୍ଦନକିଆରୀ, ସିନ୍ଦ୍ରି, ନିର୍ସା, ଘଟଶିଲା, ଯୁଗସଲାଇ, ଜାମସେଦପୁର ଓ ଷଡ଼େକେଲା ସମେତ ୫୯ଟି ଆସନରେ ଇଣ୍ଡିଆ ବ୍ଲକ ପ୍ରାର୍ଥୀ ବିଜୟୀ ହୋଇଛନ୍ତି ବୋଲି କହିଥିଲେ ଜେଏମଏମ ମୁଖପାତ୍ର ସୁପ୍ରିୟୋ ଭଟ୍ଟାଚାର୍ଯ୍ୟ। ବେଟିଂ ବଜାରକୁ ପ୍ରଭାବିତ କରିବା ଉଦ୍ଦେଶ୍ୟରେ ପୋଲରମାନେ ସର୍ଭେ କରିଛନ୍ତି ବୋଲି ସେ ଅଭିଯୋଗ କରିଥିଲେ।
previous article: https://purvapaksa.com/bjp-cyclone-in-maharastranda-cross-200/
