ଜନଜାତି ଛାତ୍ରଛାତ୍ରୀଙ୍କ ପ୍ରତିଭାକୁ ସାର୍ବଜନୀନ କରିବ
ସରିଛି ରାଜ୍ୟସ୍ତରୀୟ ସର୍ଗିଫୁଲ ଉତ୍ସବ । ଏହି ଅବସରରେ ବିଦ୍ୟାଳୟ ଓ ଗଣଶିକ୍ଷା, ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ, ସଂଖ୍ୟାଲଘୁ ସମ୍ପ୍ରଦାୟ, ପଛୁଆବର୍ଗ କଲ୍ୟାଣ ବିଭାଗ, ସାମାଜିକ କଲ୍ୟାଣ ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଉପସ୍ଥିତ ରହି ଏସସିଏସଟି ଛାତ୍ରଛାତ୍ରୀମାନଙ୍କୁ ସମ୍ବୋଧିତ କରିଛନ୍ତି । ମନ୍ତ୍ରୀ ପିଲାମାନଙ୍କୁ ଉତ୍ସାହିତ କରିବା ସହ ସେମାନଙ୍କ ସଫଳ ଭବିଷ୍ୟତ କାମନା କରିଛନ୍ତି । ସେ କହିଛନ୍ତି, ‘ସର୍ଗିଫୁଲ୍’ ପବିତ୍ରତାର ପ୍ରତୀକ ।
ଜନଜାତି ସମାଜର ସାମାଜିକ-ସାଂସ୍କୃତିକ-ଅର୍ଥନୈତିକ ବିକାଶର ପ୍ରତୀକ ହିସାବରେ ‘ସର୍ଗିଫୁଲ୍’ ପରିଚିତ । ଏହି ଉତ୍ସବରେ ପିଲାମାନଙ୍କ ଅଂଶଗ୍ରହଣ ଏହାକୁ ଅଧିକ ପ୍ରାଣବନ୍ତ ଓ ଗରିମାମୟ କରିଛି ବୋଲି ସେ ମତପ୍ରକାଶ କରିଛନ୍ତି । ସେ ଏହା ମଧ୍ୟ କହିଛନ୍ତି, ବିଭାଗ ଅଧୀନସ୍ଥ ବିଦ୍ୟାଳୟ ତଥା ଛାତ୍ରାବାସରେ ରହି ପାଠପଢୁଥିବା କୋମଳମତି ଛାତ୍ରଛାତ୍ରୀମାନଙ୍କ ପ୍ରତିଭାକୁ ସାର୍ବଜନୀନ କରିବା ଓ ସେମାନଙ୍କ ଦକ୍ଷତାକୁ ବିକଶିତ କରିବା ଏହି ଉତ୍ସବ ପାଳନର ଉଦ୍ଦେଶ୍ୟ । ଏଥିସହିତ ଏହି ସଫଳ ରାଜ୍ୟସ୍ତରୀୟ ଉତ୍ସବର ଆୟୋଜନ କରିଥିବାରୁ ବିଭାଗର ସମସ୍ତ ଅଧିକାରୀ ଓ କର୍ମକର୍ତ୍ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି ମନ୍ତ୍ରୀ।
ଏହି ଅବସରରେ ଉଚ୍ଚ ମାଧ୍ୟମିକ ପରୀକ୍ଷାରେ ଶ୍ରେଷ୍ଠ ପ୍ରଦର୍ଶନ କରିଥିବା ବିଜ୍ଞାନ, ବାଣିଜ୍ୟ ଓ କଳା ବିଭାଗର ୧୨ ଜଣ ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରାଯାଇଥିବା ବେଳେ ସିବିଏସଇ ବୋର୍ଡ଼ ପରୀକ୍ଷାରେ ଶ୍ରେଷ୍ଠ ପ୍ରଦର୍ଶନ କରିଥିବା ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟର ୮ ଜଣ ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରାଯାଇଥିଲା । ବିଭିନ୍ନ ପ୍ରତିଯୋଗିତାରେ ଭାଗ ନେଇ ସଫଳ ହୋଇଥିବା ୮୮ ଜଣ ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରାଯାଇଥିଲା । ଏକ ସ୍ୱତନ୍ତ୍ର ସ୍ମରଣିକା ‘ସର୍ଗିଫୁଲ ୨୦୨୪କୁ ମନ୍ତ୍ରୀ ଉନ୍ମୋଚନ କରିବା ସହ ସମ୍ପାଦକ ବରିଷ୍ଠ ପ୍ରଫେସର ଦାଶ ବେନୁହୁର ଓ ଏଟିଏଲସି ସହ ନିର୍ଦ୍ଦେଶକ ସମରେନ୍ଦ୍ର ଭୂତିଆଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ସଭା ପରେ ଛାତ୍ରଛାତ୍ରୀଙ୍କ ଦ୍ୱାରା ଚିତ୍ତାକର୍ଷକ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା।
ସେହିପରି ଉତ୍ସବରେ ଅନ୍ୟାନ୍ୟ ଅତିଥି ଭାବେ ଅନୁସୂଚିତ ଜନଜାତି ନିର୍ଦ୍ଦେଶକ ଡ. ପୋମା ଟୁଡୁ ସ୍ୱାଗତ ଅଭିଭାଷଣ ରଖି ଉତ୍ସବର ସଫଳତା ସମ୍ପର୍କରେ ଆଲୋଚନା କରିଥିଲେ । ଅନ୍ୟତମ ଅତିଥି ଭାବେ ଅନୁସୂଚିତ ଜାତି ନିର୍ଦ୍ଦେଶକ ଲକ୍ଷ୍ମଣ କୁମାର ମଲ୍ଲିକ, ଅନ୍ୟାନ୍ୟ ପଛୁଆ ବର୍ଗ ନିର୍ଦ୍ଦେଶକ ଯୁଗଳେଶ୍ୱରୀ ଦାଶ, ଏଟିଏଲସି ସହନିର୍ଦ୍ଦେଶକ ସମରେନ୍ଦ୍ର ଭୂତିଆ, ଉପନିର୍ଦ୍ଦେଶକ ସନ୍ତୋଷ ରଥ ପ୍ରମୁଖ ଉପସ୍ଥିତ ଥିଲେ ।
previous article:https://purvapaksa.com/prabhatis-subhadra-review-at-bandaghati/
