ପ୍ରଧାନମନ୍ତ୍ରୀ ଓ ଅର୍ଥମନ୍ତ୍ରୀଙ୍କୁ ଶକ୍ତିକାନ୍ତଙ୍କ ଧନ୍ୟବାଦ
ଭାରତୀୟ ରିଜର୍ଭ ବ୍ୟାଙ୍କର ନୂଆ ଗଭର୍ଣ୍ଣର ଭାବେ ସଞ୍ଜୟ ମାଲହୋତ୍ରାଙ୍କୁ ନିଯୁକ୍ତି ମିଳିଛି। ସେ ରିଜର୍ଭ ବ୍ୟାଙ୍କର ୨୬ତମ ଗଭର୍ଣ୍ଣର ହୋଇଛନ୍ତି। ଏଥି ସହିତ ଶକ୍ତିକାନ୍ତ ଦାସଙ୍କ କାର୍ଯ୍ୟକାଳକୁ ନେଇ ଯେଉଁ କଳ୍ପନାଜଳ୍ପନା ଲାଗି ରହିଥିଲା ତାହାର ଅନ୍ତ ଘଟିଛି। ସଞ୍ଜୟ ଏବେ ରାଜସ୍ୱ ବିଭାଗର ସଚିବ ଭାବେ କାର୍ଯ୍ୟ କରୁଛନ୍ତି। ତାଙ୍କୁ ତିନି ବର୍ଷ ପାଇଁ ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ଭାବେ ନିଯୁକ୍ତି ମିଳିଛି। ଆଜି ରିଜର୍ଭ ବ୍ୟାଙ୍କରେ ଶକ୍ତିକାନ୍ତଙ୍କ ଶେଷ ଦିନ। ଆସନ୍ତା ବୁଧବାରରୁ ସଞ୍ଜୟଙ୍କ କାର୍ଯ୍ୟକାଳ ଆରମ୍ଭ ହେବ।
ସଞ୍ଜୟ ହେଉଛନ୍ତି ୧୯୯୦ ବ୍ୟାଚ୍ର ରାଜସ୍ଥାନ କ୍ୟାଡର୍ ଆଇଏଏସ୍ ଅଧିକାରୀ। ସେ ଆଇଆଇଟି କାନପୁରରୁ ଇଲେକ୍ଟ୍ରିକାଲ୍ ଇଞ୍ଜିନିୟରିଂ କରିଥିବା ବେଳେ ପ୍ରିନ୍ସଟନ୍ ବିଶ୍ବବିଦ୍ୟାଳୟରୁ ପବ୍ଲିକ୍ ପଲିସି ଉପରେ ମାଷ୍ଟର ଡିଗ୍ରି ହାସଲ କରିଛନ୍ତି। ନିଜ କ୍ୟାରିୟରରେ ସେ ଆର୍ଇସି ଲିମିଟେଡ୍ର ସିଏମ୍ଡି, ଆର୍ଥିକ ସେବା ବିଭାଗର ସଚିବ ଭଳି ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପଦରେ କାର୍ଯ୍ୟ କରିଛନ୍ତି। ୨୦୨୨ ଡିସେମ୍ବରରେ ସେ ରାଜସ୍ୱ ସଚିବ ଦାୟିତ୍ବ ଗ୍ରହଣ କରିଥିଲେ। ୨୦୨୩ ଏପ୍ରିଲ୍ରେ ତାଙ୍କୁ କର୍ପୋରେଟ୍ ବ୍ୟାପାର ବିଭାଗର ସଚିବ ଭାବେ ଅତିରିକ୍ତ ଦାୟିତ୍ୱ ପ୍ରଦାନ କରାଯାଇଥିଲା।
ଉଲ୍ଲେଖଥାଉକି, ୨୦୧୮ ଡିସେମ୍ବର ୧୨ରେ ଶକ୍ତିକାନ୍ତଙ୍କୁ ରିଜର୍ଭ ବ୍ୟାଙ୍କର ୨୫ତମ ଗଭର୍ଣ୍ଣର ଭାବେ ନିଯୁକ୍ତ କରାଯାଇଥିଲା। ପ୍ରଥମେ ତିନି ବର୍ଷ ପାଇଁ ତାଙ୍କୁ ନିଯୁକ୍ତି ମିଳିଥିଲା। ୨୦୨୧ରେ ଦ୍ୱିତୀୟ ଥର ପାଇଁ ତାଙ୍କ କାର୍ଯ୍ୟକାଳ ବଢ଼ିଥିଲା। ସେ ୬ ବର୍ଷ ଧରି ଗଭର୍ଣ୍ଣର ପଦରେ ଦାୟିତ୍ୱ ନିର୍ବାହ କରିଥିଲେ। ଯଦି ତୃତୀୟ ସୁଯୋଗ ମିଳିଥାନ୍ତା ତେବେ ରିଜର୍ଭ ବ୍ୟାଙ୍କ ଇତିହାସରେ ସେ ହୋଇଥାନ୍ତେ ସବୁଠୁ ଲମ୍ବା ସମୟ କାର୍ଯ୍ୟ କରିଥିବା ଗଭର୍ଣ୍ଣର।
ଦୀର୍ଘ ୬ ବର୍ଷ ସଫଳତାର ସହ ଦାୟିତ୍ୱ ତୁଲାଇବା ପରେ ସେ ଆଜି ଅବସର ନେଉଛନ୍ତି । ଉର୍ଜିତ ପଟେଲଙ୍କ ଅଚାନକ ଇସ୍ତଫା ଦେବା ପରେ ୨୦୧୮ ଡିସେମ୍ବର ୧୨ ତାରିଖରେ ସେ ଦାୟିତ୍ୱ ଗ୍ରହଣ କରିଥିଲେ । ୨୦୨୧ରେ ତାଙ୍କ କାର୍ଯ୍ୟକାଳ ଆଉ ୩ ବର୍ଷ ବଢ଼ାଇଥିଲେ କେନ୍ଦ୍ର ସରକାର। ଆରବିଆଇ ଇତିହାସରେ ଦୀର୍ଘକାଳୀନ ଗଭର୍ଣ୍ଣରଙ୍କ ଭିତରୁ ଶକ୍ତିକାନ୍ତ ଦାସଙ୍କ ନାମ ତାଲିକାଭୂକ୍ତ ହୋଇଛି ।
ଆରବିଆଇ ଗଭର୍ଣ୍ଣର ଭାବେ ଶେଷ କାର୍ଯ୍ୟ ଦିବସରେ ଶକ୍ତିକାନ୍ତ ଦାସ ଏକ୍ସରେ ପୋଷ୍ଟ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଏବଂ ରିଜର୍ଭ ବ୍ୟାଙ୍କର ପୂରା ଟିମକୁ ଧନ୍ୟବାଦ ଜ୍ଞାପନ କରିଛନ୍ତି । ଏକ୍ସରେ ଶକ୍ତିକାନ୍ତ ଲେଖିଛନ୍ତି, ଆଜି ସେ ଆରବିଆଇ ଗଭର୍ଣ୍ଣର ଭାବେ ପଦ ଛାଡ଼ୁଛନ୍ତି । ଏହା ସହିତ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଭୁରି ଭୁରି ପ୍ରଶଂସା କରିଛନ୍ତି । ଦେଶ ସେବା କରିବା, ମାର୍ଗଦର୍ଶନ ଏବଂ ପ୍ରୋତ୍ସାହନ ପାଇଁ ପ୍ରଧାନମନ୍ତ୍ରୀ ମୋଦିଙ୍କ ନିକଟରେ କୃତଜ୍ଞ ବୋଲି କହିଛନ୍ତି । ସେହିପରି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କୁ ପ୍ରଶଂସାରେ ପୋତି ପକାଇଛନ୍ତି ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ । ଅର୍ଥମନ୍ତ୍ରୀଙ୍କ ଦୃଢ ସମର୍ଥନ ଏବଂ ସହଯୋଗ ପାଇଁ ତାଙ୍କୁ ଧନ୍ୟବାଦ ଜଣାଇଛନ୍ତି ଶକ୍ତିକାନ୍ତ।
previous article: https://purvapaksa.com/former-karnataka-cm-sm-krishna-passes-away/


